Unknown

 

 

 

 

 

 

 

 

 

 

 

ବୀର ଭାରତ

ପଣ୍ଡିତ ଶ୍ରୀ ବାସୁଦେବ ମହାପାତ୍ର

 

ସୂଚୀପତ୍ର

 

୧.

ଆତ୍ମବଳି

୨.

ବିଚିତ୍ର ବନବାସିନୀ

୩.

ପୃଥ୍ୱୀରାଜ

୪.

ପାନ୍ନା

୫.

ଚଣ୍ଡଙ୍କ ପ୍ରତିଜ୍ଞା

୬.

ପ୍ରଣୟର ପ୍ରତିଦାନ

୭.

କୁସୁମକୁମାରୀ

୮.

ବୀର ବିଭବ

୯.

ଛିନ୍ନହସ୍ଥା

୧୦.

ଯୁଦ୍ଧଯାଗ

୧୧.

ବିଚିତ୍ର ବାର୍ତ୍ତାବହ

Image

 

ଆତ୍ମବଳି

 

ଆଉରଙ୍ଗଜେବ ଭୟଙ୍କର ଧର୍ମାନ୍ଧ । ନିଜ ଧର୍ମ ପ୍ରତି ଅତିମାତ୍ରାରେ ମମତା; ସେହି ମମତାଧିକ୍ୟ ଯୋଗୁଁ ଭିନ୍ନ ଧର୍ମ ପ୍ରତି ଅନାଦର ଓ ବିଦ୍ଵେଷ ଭାବ ହୃଦୟରେ ଅଯଥା ପ୍ରବଳ ହୋଇ ଉଠିଥିଲା । ସମ୍ରାଟ ଆସନରେ ବସିବା ସଙ୍ଗେ ସଙ୍ଗେ ବଙ୍ଗଳା, ପଞ୍ଜାବ ଓ ଦକ୍ଷିଣାତ୍ୟ–ଚତୁର୍ଦ୍ଦିଗରେ କଳେ-ବଳେ କୌଶଳେ ମୁସଲମାନ ଧର୍ମ ପ୍ରଚାର କରିବାକୁ ସେ ଆଦେଶ ଦେଇଥିଲେ । ସେହି ଧର୍ମପ୍ରଚାରରୂପ ଧାର୍ମିକତାରେ ଅନେକ ସମୟରେ ଭୀଷଣ ହତ୍ୟାକାଣ୍ଡ ମଧ୍ୟ ଦୁଷଣୀୟ ବୋଧ ହେଲା ନାହିଁ । ରାଜଭଣ୍ଡାରରୁ ଅପରିମିତ ଅର୍ଥବଳ ପାଇ ମୁସଲମାନ ଧର୍ମପ୍ରଚାରକମାନେ ଭାରତର ଗ୍ରାମେ ଗ୍ରାମେ, ନଗରେ ନଗରେ ଧର୍ମପ୍ରଚାର କରିବାକୁ ଲାଗିଲେ ପ୍ରଚାର ସଙ୍ଗେ ସଙ୍ଗେ ଘୋର ପ୍ରଜାପୀଡ଼ନ ଆରମ୍ଭ ହେଲା । ପ୍ରଚାରକମାନେ ପରାମର୍ଶ ଦେଲେ ‘‘ଲୋକଙ୍କୁ ପେଟର ଜ୍ୱାଳା ନ ବଧିଲେ, ସେମାନେ ଅନ୍ନକଷ୍ଟରେ ପ୍ରପୀଡ଼ିତ ନ ହେଲେ ନିଜ ଧର୍ମ ଛାଡ଼ିବେ ନାହିଁ ।” ଆଉରଙ୍ଗଜେବ ଭାବିଲେ, "କ୍ଷତି କଣ ? ଧର୍ମପାଇଁ ମନୁଷ୍ୟ ଯେ କୌଣସି କଷ୍ଟ ସହ୍ୟ କରିପାରେ-। ଟିକିଏ ଅନ୍ନକଷ୍ଟର ବ୍ୟବସ୍ଥା ହେଲେ ପ୍ରଜାମାନଙ୍କର ପାରମାର୍ଥିକ ମଙ୍ଗଳ ସାଧିତ ହେବ । ଏହା ତ ରାଜାର କର୍ତ୍ତବ୍ୟ ।”

 

ରାଜାଦେଶରେ ସ୍ଥାନେ ସ୍ଥାନେ କୃତ୍ରିମ ଦୁର୍ଭିକ୍ଷ ସୃଷ୍ଟି ହେଲା । କାଶ୍ମୀରରେ ତାହାର ପ୍ରଥମ ପରୀକ୍ଷା । ଦୁଇଲକ୍ଷ ମୋଗଲ ସୈନ୍ୟ ସମଗ୍ର ପ୍ରଦେଶରେ ବିଞ୍ଚି ହୋଇଗଲେ । ଶସ୍ୟକ୍ଷେତ୍ରସବୁ ଶସ୍ତ୍ରଧାରୀ ସୈନିକଙ୍କଦ୍ୱାରା ରୁଦ୍ଧ ହେଲା, ଆଦେଶ ହେଲା-ଶସ୍ୟ ଆମଦାନି ହୋଇ ରାଜଭଣ୍ଡାରରେ ଜମା ହେବ । ଯେଉଁମାନେ ମୁସଲମାନ ହେବେ, ସେହିମାନେ କେବଳ ଶସ୍ୟ ପାଇବେ–ଆଉ ଯେଉଁମାନେ ନ ହେବେ, ସେମାନେ ଦୁର୍ଭିକ୍ଷରେ ମରିବେ ।

 

ଆଉରଙ୍ଗଜେବଙ୍କର ବିଶ୍ୱାସ, "ମୁସଲମାନ ଧର୍ମ ହିଁ ଏକମାତ୍ର ଧର୍ମ–ଆଲ୍ଲାହିଁ ଏକମାତ୍ର ଉପାସ୍ୟ ଦେବତା; ମୁସଲମାନ ନ ହେଲେ ମୁକ୍ତି ନାହିଁ । ପ୍ରଜାମଣ୍ଡଳିଙ୍କୁ ଧର୍ମପଥକୁ ଆଣିବା ରାଜାର କର୍ତ୍ତବ୍ୟ । କର୍ତ୍ତବ୍ୟପରାୟଣ କରିବାପାଇଁ ଯେ କୌଣସି ରାଜଦଣ୍ଡ ଦୋଷାବହ ହୋଇ ନ ପାରେ । କି ଭ୍ରାନ୍ତ ବିଶ୍ୱାସ ! ଯାହାଙ୍କର ଇଛାମାତ୍ରକେ ଅନନ୍ତ ବ୍ରହ୍ମାଣ୍ଡରେ ଉଦୟ, ବିଲୟ ଘଟୁଅଛି, ତାଙ୍କର ଇଛା ନ ହେଲେ ଏତେ ଧର୍ମଭେଦ ଥାଆନ୍ତା କାହିଁକି ? ଏପରି ଏକତ୍ୱବିଧାୟିନୀ ନୀତି ଯଦି ସୃଷ୍ଟିରେ ନିୟାମକ ହୁଅନ୍ତା, ଏ ସୃଷ୍ଟି ବୈଚିତ୍ର୍ୟ ଆସନ୍ତା କୁଆଡୁ ? ଗୋଟିଏ ପଥ, ଏକ ଧର୍ମ ପ୍ରଣାଳୀରେ ଇଶ୍ୱରଙ୍କୁ ଆବଦ୍ଧ କଲେ ସେ ଅନନ୍ତତ୍ଵ-ଗରିମା ହ୍ରସ୍ୱ ହେଉ ନାହିଁ କି ? ଧର୍ମବିଦ୍ୱେଷ ଏକ ମହାପାପ; ସେଥିପାଇଁ ଅନନ୍ତ ଶାଖା ପ୍ରଶାଖା, ନାନା ମତବାଦ ମଧ୍ୟରେ ମଧ୍ୟ ପବିତ୍ର ଆର୍ଯ୍ୟଭୂମିରେ କେତେ ଧର୍ମବିଦ୍ୱେଷ ଦେଖା ଦେଇ ନାହିଁ ।

 

ମହାତ୍ମା ନାନକଙ୍କ ପ୍ରଚାରିତ ସାମ୍ୟଧର୍ମ ପଞ୍ଜାବ, କାଶ୍ମୀର ପ୍ରଭୃତି ପଶ୍ଚିମାଞ୍ଚଳରେ ଧର୍ମବିଦ୍ୱେଷ ଏକପ୍ରକାର ଲିପ୍ତ କରିଥିଲା । ଧର୍ମ ନାମରେ ରକ୍ତପାତ ସେ ଭୂମିରୁ ତିରୋହିତ ହୋଇଥିଲା; ହିନ୍ଦୁ ମୁସଲମାନ ସକଳ ଭେଦ ଭୁଲି ଏକ ଗୁରୁର ଚରଣ ତଳେ ଅନ୍ନ ଗ୍ରହଣ କରୁଥିଲେ । ବର୍ତ୍ତମାନ ଅତ୍ୟାଚାରରେ ସର୍ବପ୍ରଥମେ ଟଳମଳ ହେବାକୁ ଲାଗିଲା । ରାଜଶକ୍ତି ଅତ୍ୟାଚାରର ମୂଳରେ ରହିଲେ, ଦୁର୍ବଳ ପ୍ରଜାଶକ୍ତି କେତେ କାଳ ତା ବିରୁଦ୍ଧରେ ତିଷ୍ଠିପାରେ ? ପେଟର ଜ୍ୱାଳାରେ ଗ୍ରାମେ ଗ୍ରାମେ ବହୁସଂଖ୍ୟକ ଲୋକ ମୁସଲମାନ ହେଲେ । କ୍ରମେ ଏ ଅତ୍ୟାଚାରର ପ୍ରଦେଶରୁ ପ୍ରଦେଶାନ୍ତରରେ ପରିବ୍ୟାପ୍ତ ହେଲା । ଧର୍ମଭୀରୁ ବ୍ରାହ୍ମଣମାନଙ୍କର ଆପତ୍ତି ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲା ।

 

ସେ ସମୟରେ ଶିଖଗୁରୁ ଧର୍ମତ୍ମା ତେଜବାହାଦୂର । କାଶ୍ମୀର ଓ ପଞ୍ଜାବରୁ ସହସ୍ର ସହସ୍ର ବ୍ରାହ୍ମଣ ଶିଖଗୁରୁ ତେଜବାହାଦୂରଙ୍କ ନିକଟରେ ଆସି ରୁଣ୍ଡ ହେଲେ । ସେହି ବିଷମ ଧର୍ମସଙ୍କଟରୁ ଉଦ୍ଧାର ପାଇବାର ଉପାୟ ଚିନ୍ତା କରିବାକୁ ପ୍ରାର୍ଥନା କଲେ । ଲୋକଙ୍କ ଦୁଃଖରେ ଗୁରୁଙ୍କ ଧର୍ମପ୍ରାଣ ଦ୍ରଵୀଭୂତ ହେଲା । ଦେଶବାସୀମାନଙ୍କୁ ଏ ବିଷମ ଧର୍ମଵିଦ୍ଵେଷରୁ ରକ୍ଷା କରିବା ପାଇଁ ସେ ପ୍ରାଣ ପଣ କଲେ । ଗୁରୁ ଉପଦେଶ ଦେଲେ–‘‘ତୁମ୍ଭେମାନେ ସମ୍ରାଟ ନିକଟକୁ ଯାଅ । ଯାଇ କହ, ‘‘ଆମ୍ଭମାନଙ୍କର ଯଜମାନମାନେ ମୁସଲମାନ ନ ହେଲେ, ଆମ୍ଭେମାନେ ମୁସଲମାନ ହୋଇ କିପରି ଚଳିବୁ ? ଆଗେ ଛତ୍ରୀ(ଗୁରୁ) ମାନଙ୍କୁ ମୁସଲମାନ କରନ୍ତୁ । ଅନ୍ୟ ନାମ କହିବା ପୂର୍ବରୁ ମୋର ନାମ ଆଗ କହ । କହ, ତାଙ୍କୁ ମୁସଲମାନ କରି ପାରିଲେ, ଅନେକ ଲୋକ ଅକ୍ଳେଶରେ ମୁସଲମାନ ଧର୍ମ ଗ୍ରହଣ କରିବେ ।” ଏ ଉପଦେଶର ବିଷମୟ ପରିଣାମ ଯେ ନିଜକୁ ଭୋଗ କରିବାକୁ ପଡ଼ିବ, ତେଜବାହାଦୁରଙ୍କୁ ତାହା ଅଜ୍ଞାତ ନ ଥିଲା, ନାନକଙ୍କର ଭବିଷ୍ୟତବାଣୀ ହଠାତ୍‍ ମନରେ ଉଦିତ ହେବାରୁ ସେ ଲୋକକଲ୍ୟାଣପାଇଁ ଜୀବନ ଆହୁତି ଦେବାକୁ ଅଗ୍ରସର ହେଲେ ।

 

ଯେତେବେଳେ ବାବରସାହ ଦ୍ୱାଦଶ ସହସ୍ର ସୈନ୍ୟବଳ ନେଇ, ଭାରତ-ସିଂହାସନ ଲାଭ କରିବା ପାଇଁ କଳ୍ପନାରେ ଆସୁଥିଲେ, ସେତେବେଳେ ସେ ମହାତ୍ମା ନାନକଙ୍କର ପବିତ୍ର ନାମ ଶୁଣି ପାରନ୍ତି । ବାବର ଟିକିଏ ଧର୍ମପ୍ରାଣ; ସାଧୁଦର୍ଶନେଚ୍ଛା ତାଙ୍କର ବଳବତୀ ହୋଇ ଉଠିଲା । ନାନକଙ୍କ ଚରଣୋପାନ୍ତେ ମସ୍ତକ ସ୍ଥାପନ କରି ସେ ଆଶୀର୍ବାଦ ଭିକ୍ଷା କଲେ । ନାନକ ଆଶୀର୍ବାଦ କରି କରି କହିଥିଲେ, "ତୁମେ ଅନ୍ତରରେ ଭଗବତଭକ୍ତ । ତୁମର ଅଙ୍ଗପ୍ରତ୍ୟେଙ୍ଗରେ ସମ୍ରାଟର ଉପଯୁକ୍ତ ଲକ୍ଷଣସବୁ ପରିଦୃଷ୍ଟ ହେଉଅଛି । ଇବ୍ରାହିମଙ୍କ ଲକ୍ଷାଧିକ ସୈନ୍ୟବଳ ଥିଲେ କ'ଣ ହେବ ? ତତ୍ତ୍ୱବଳରେ ତୁମେ ବଳିୟାନ; ଇଶ୍ୱରଙ୍କ କୃପାରେ ସକଳ ବିଘ୍ନ ବିପତ୍ତି ଦୂର ହୋଇଯିବ । ତୁମେ ପାନିପଥ ଯୁଦ୍ଧରେ ଜୟଲାଭ କରି ଯେ ସିଂହାସନ ଅଧିକାର କରିବ, ତହିଁରେ ତୁମର ସାତପୁରୁଷଯାଏ ମହାଗୌରବରେ ରାଜପଣ କରିବେ, ସାତ ଜଣ ସାଧୁହତ୍ୟା ଦୋଷରେ ସେ ସିଂହାସନ ଅଯଥା କଳଙ୍କିତ ନ ହେଲେ ଅନ୍ୟ ତାହା ଅଧିକାର କରି ପାରିବ ନାହିଁ ।” ମହାପୁରୁଷଙ୍କ ସେ ଆଶୀର୍ବାଦ, ସେ ଭବିଷ୍ୟତବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଥିଲା ।

 

ବ୍ରାହ୍ମଣମାନେ ଗୁରୁ ତେଜବାହାଦୁରଙ୍କ ଆଦେଶମତେ ସମ୍ରାଟଙ୍କ ନିକଟରେ ଉପସ୍ଥିତ ହେଲେ । ଆଉରଙ୍ଗଜେବ ଦିଲ୍ଲୀଙ୍କୁ ଆସିବାପାଇଁ ଗୁରୁଙ୍କୁ ଆମନ୍ତ୍ରଣ କରି ପଠାଇଲେ । ଗୁରୁ ତତକ୍ଷଣାତ ଦିଲ୍ଲୀ ଯିବାକୁ ପ୍ରସ୍ତୁତ । ଶିଷ୍ୟମାନେ କହିଲେ, ଆମ୍ଭମାନଙ୍କୁ ତ୍ୟାଗ କରି ଯାଆନ୍ତୁ ନାହିଁ-ଗଲେ ଆଉ ଫେରିବେ ନାହିଁ । ଗୁରୁଗମ୍ଭୀର ଭାବରେ ଗୁରୁ ଉତ୍ତର ଦେଲେ," ତା ଜାଣିକରି ତ ମୁଁ ଯାଉଛି । ଗୁରୁ ନାନକଙ୍କ କଥା ସ୍ମରଣ ଅଛି ତ ? ସାତଜଣ ସାଧୁ ହତ୍ୟା ହେବା ବର୍ତ୍ତମାନ ଦରକାର-। ତୁମ୍ଭେମାନେ ମୋତେ ସାଧୁ ବୋଲି କହ, ସେଥିପାଇଁ ମୁଁ ପ୍ରଥମେ ବଳି ହେବାକୁ ଯାଉଛି-। ଗୋଟିଏ ଗୋଟିଏ ହୋଇ ତ ସାତ ପୂର୍ଣ୍ଣ ହେବ ? ଏଥିରେ ବିଳମ୍ବ କରିବା ଉଚିତ କି ?” ଶିଖଗୁରୁ ପ୍ରଥମ ନରବଳି ହେବାପାଇଁ ସ୍ୱେଚ୍ଛାରେ ଦିଲ୍ଲୀକୁ ଗମନ କଲେ ।

 

ତେଜ ବାହାଦୂର ବାଦସାହାଙ୍କ ନିକଟରେ ଉପସ୍ଥିତ ହେଲେ । ଆଉରଙ୍ଗଜେବ ତାଙ୍କୁ ମୁସଲମାନ କରିବା ପାଇଁ ନାନା ପ୍ରଲୋଭନ–ଶେଷରେ ପ୍ରାଣଭୟ ପର୍ଯ୍ୟନ୍ତ ଦେଖାଇଲେ–କିଛି ଫଳ ହେଲା ନାହିଁ । ସମସ୍ତ ଚେଷ୍ଟା ନିରସ୍ତ ହେବାରୁ ଶେଷରେ କହିଲେ, ତୁମେ କିଛି କୋରାମତ (ଅଲୌକିକ ବ୍ୟାପାର, ଇନ୍ଦ୍ରଜାଲ) ଦେଖାଅ ଯହିଁରେ ବଳପୂର୍ବକ ଗୋମାଂସ ପୂରାଇ ଧର୍ମନାଶ କରାଯିବ ।” ଗୁରୁ ମୃଦୁ-ମଧୁର ହାସ୍ୟ କରି କହିଲେ, ‘‘ଇନ୍ଦ୍ରଜାଲ ! ଇନ୍ଦ୍ରଜାଲ ଦେଖାଇବା ଚେଲାର କାମ-ଇଶ୍ୱରଭକ୍ତର କାର୍ଯ୍ୟ ନୁହେ । ଏ ବିଶ୍ୱବ୍ରହ୍ମାଣ୍ଡରେ ସମସ୍ତ ଅଲୌକିକ–ସମସ୍ତ ଇନ୍ଦ୍ରଜାଲ । କ୍ଷୁଦ୍ର ଧୂଳିକଣାଠାରୁ ପ୍ରକାଣ୍ଡକାୟ ଗ୍ରହ ଉପଗ୍ରହ ପର୍ଯ୍ୟନ୍ତ କେଉଁଠାରେ ରହସ୍ୟ ପୂରି ରହି ନାହିଁ ? କ୍ଷୁଦ୍ର ମାନବ ଏହାଠାରୁ ଅଧିକ ଅଲୌକିକ ବ୍ୟାପାର କଣ ଦେଖାଇ ପାରେ ? ତେବେ ତୁମ୍ଭେମାନେ ନିତାନ୍ତ ଯଦି ଯିଦ୍‍ ଧରୁଛ, ତରବାରୀରେ ମୋର ମୁଣ୍ଡ ହାଣ, ମୋର କିଛି କ୍ଷତି ହେବ ନାହିଁ ।”

 

ଏ ସମ୍ବାଦ ଚାହୁଁ ଚାହୁଁ ସମସ୍ତ ନଗରରେ, କ୍ରମେ ନଗରରୁ ପୁର ପଲ୍ଲୀ ସର୍ବତ୍ର ପରିବ୍ୟାପ୍ତ ହେଲା । ଏ ଅଲୌକିକ ଅଭିନୟ ଦେଖିବା ପାଇଁ ସାମ୍ରାଜ୍ୟର ନାନାସ୍ଥାନରୁ ସୈନ୍ୟ-ସାମନ୍ତ, ଧନୀ, ଦରିଦ୍ର, ଶିକ୍ଷିତ ଅଶିକ୍ଷିତ ସମସ୍ତେ ଆସି ରୁଣ୍ଡ ହେଲେ–ଦିଲ୍ଲୀ ଲୋକାରଣ୍ୟ ହେଲା । ଅଭିନୟପାଇଁ ଗୋଟିଏ ପ୍ରଶସ୍ତ ଛକଯାଗା ସ୍ଥିର କରାଗଲା । ଲୋକେ ରାସ୍ତା, ସୋପାନଶ୍ରେଣୀ, ଅଳିନ୍ଦ, ଗବାକ୍ଷ, ଦ୍ୱାରଦେଶରେ ପରିପୂର୍ଣ୍ଣ ହେଲେ । ସ୍ଥାନାଭାବରୁ ଗୃହଛାତ ଓ ବୃକ୍ଷଶାଖା ମଧ୍ୟ ଦର୍ଶକରେ ପୂର୍ଣ୍ଣ ହେଲା । ସର୍ବସମକ୍ଷରେ ପରୀକ୍ଷା ଦେବାକୁ ଗୁରୁ ଆସି ଦଣ୍ଡାୟମାନ ହେଲେ । ସର୍ବପ୍ରଥମେ ଗୁରୁ ଖଣ୍ଡିଏ କାଗଜରେ କିଛି ଲେଖି ନିଜ ବେକରେ ବାନ୍ଧିଲେ । ଲୋକେ ଭାବିଲେ, "ଏଇ ଗୁରୁ ଗୂଢ଼ମନ୍ତ୍ର ଲେଖି ଗଳାରେ ବାନ୍ଧିଲେଣି । ସେଇ ମନ୍ତ୍ରବଳରେ କଟାମୁଣ୍ଡ ପୁଣି ଲାଗିଯିବ-।” ତତପରେ ତେଜବାହାଦୁର ଧ୍ୟାନମଗ୍ନ ହୋଇ ବିଭୁପଦରେ ନିଜର ଇଶ୍ୱର ପ୍ରାଣ ସମର୍ପଣ କଲେ; ବିଭୁନାମ ଜପ କରି କରି ଆତତାୟୀକୁ ନିଜ କାର୍ଯ୍ୟ ସାଧନ କରିବାକୁ ସଂକେତ ଦେଲେ । ମୁଖ ବିଭୁନାମ ଜପ କରୁଛି, ଚାହୁଁ ଚାହୁଁ ତରବାରୀର ଆଘାତରେ ଶିର ଦେହଚ୍ୟୁତ ହୋଇ ଭୂତଳରେ ପତିତ ହେଲା ।

 

ସମ୍ରାଟଙ୍କ ସହ ସମବେତ ଦର୍ଶକବୃନ୍ଦ ଉତକ୍ଷିପ୍ତ ନେତ୍ରରେ ଚାହିଁ ରହିଲେ–ମୁଣ୍ଡ ଦେହରେ ଲାଗିବ, ଦେଖିବେ । କାହିଁ, ମୁଣ୍ଡ ତ ଆଉ ଲାଗିଲା ନାହିଁ ! ଭ୍ରାନ୍ତ ସମ୍ରାଟ ! ଦଣ୍ଡର ଆଶଙ୍କାରେ, ପ୍ରାଣର ଭୟରେ କି ଧର୍ମତ୍ମା ଶିଖଗୁରୁ ଇନ୍ଦ୍ରଜାଲ ଦେଖାଇ ପ୍ରାଣଭିକ୍ଷା କରି ନିଅନ୍ତେ ? ଆଉ ଅପେକ୍ଷା କରି ନ ପାରି ଶେଷରେ ଆଉରଙ୍ଗଜେବ କାଗଜ ଫିଟାଇ ପଢ଼ିବାକୁ ଆଦେଶ ଦେଲେ । କାଗଜରେ ଏତିକି ମାତ୍ର ଲେଖା ଅଛି–‘‘ଶିର ଦିୟା, ଶିଷ ନା ଦୟା ।” ଅର୍ଥାତ ମସ୍ତକ ଦେଲି, କିନ୍ତୁ ଧର୍ମ ଦେଲି ନାହିଁ ।

 

ବେଦାନ୍ତସିଦ୍ଧାନ୍ତଦର୍ଶୀ ତେଜବାହାଦୁରଙ୍କ ନିକଟରେ ଆତ୍ମା ଅବିନାଶୀ । ସେ ଜାଣନ୍ତି, ‘‘ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ।” ଧର୍ମାନ୍ଧ ଆଉରଙ୍ଗଜେବ ଚପଳମତି ଭ୍ରାନ୍ତ ଦର୍ଶକବୃନ୍ଦ ଧର୍ମର ଏ ଗୂଢ଼ତଜ୍ଞ ବୁଝିବେ କୁଆଡୁ ? ସମ୍ରାଟ ଭାବିଥିଲେ, ଅସମ୍ଭବ ଘଟି ନ ପାରେ; ଯଦି ଘଟେ ଭଲ । ସେପରି ଗୁରୁଙ୍କୁ ଯେ କୌଣସି ପ୍ରକାର ମୁସଲମାନ କରିବାକୁ ହେବ । ହେଲେ, ମୁସଲମାନ ଧର୍ମର ଗୌରବ ବଢ଼ିବ । ଆଉ ଯଦି ଗୁରୁର ପ୍ରତିଜ୍ଞା ବିଫଳ ହୁଏ, ସର୍ବସମକ୍ଷରେ କଟା ମୁଣ୍ଡ ପୁଣି ନ ଲାଗେ, ତେବେ ହିନ୍ଦୁ ମୁସଲମାନ ତାହା ଦେଖି ଶିଖଧର୍ମ ପ୍ରତି ଅବିଶ୍ୱାସୀ ହେବେ । କିନ୍ତୁ ଭ୍ରାନ୍ତ ଆଉରଙ୍ଗଜେବ ବୁଝିଲେ ନାହିଁ ଯେ ଗୁରୁଙ୍କର ସେହି ଶେଷଲିପିଗୁଡ଼ିକରେ ବାସ୍ତବିକ ଅଲୌକିକ ଇନ୍ଦ୍ରଜାଲ ନିହିତି ଥିଲା । ସେ ଉକ୍ତି ଶିଖ ହୃଦୟରେ ଉନ୍ମାଦନାର ଉତ୍ତପ୍ତ ତରଙ୍ଗ ଖେଳାଇ ଦେଲା; କ୍ଷଣକେ ଶତପ୍ରାଣ, ସହସ୍ରପ୍ରାଣ ବିଦ୍ୟୁତବେଗରେ ନାଚି ଉଠିଲା । ହିଂସାଦ୍ୱେଷହୀନ ସହସ୍ର ସହସ୍ର ଶିଖ ପ୍ରାଣର ସ୍ଥିର ଆବେଗରେ ପ୍ରତିଜ୍ଞା କଲେ–‘‘ପ୍ରାଣ ଦେଇ ଧର୍ମ ରଖିବାକୁ ହେବ । ଲୋମହର୍ଷଣକାରୀ ଶିଖବୀରତ୍ୱର ମୂଳରେ ମହାତ୍ମାଙ୍କର ସେହି ଶେଷବାଣୀ ‘‘ଶିର ଦିୟା ଶିଷ ନା ଦିୟା" ଧ୍ରୁବତାରାରୂପେ ବିଦ୍ୟମାନ ରହି ଶିଖଜାତିର ଗତିବିଧି ନିରୂପଣ କରିବାକୁ ଲାଗିଲା । ଅଦୁର ଭବିଷ୍ୟତରେ ଗୁରୁଙ୍କ ସେ ଉକ୍ତି ଫଳବତୀ ହୋଇଥିଲା–ଦିନେ କଟା ମୁଣ୍ଡ ଯୋଡି ହୋଇ ଯାଇଥିଲା ମୁସଲମାନ ଚରଣତଳେ ଅଵଲୁଣ୍ଠିତ ପ୍ରାଣଶୂନ୍ୟ ମସ୍ତକ ଉଠାଇ ଶିଖ ସେଇ ଗୁରୁମନ୍ତ୍ରପ୍ରଭାବରେ ନିଜକୁ ବୀର, ଧୀର, ସ୍ୱାଧୀନ ଜାତିରୂପେ ଠିଆକରି ପାରିଥିଲା । ଏହିପରି ନିରପରାଧ ଭାଗବତଭକ୍ତର ଭୀଷଣ ହତ୍ୟାରେ ସୁଦୃଢ଼ ମୋଗଲସାମ୍ରାଜ୍ୟପତନର ସୂତ୍ରପାତ ହେଲା ।

 

ଆଉରଙ୍ଗଜେବ ନିଜକୁ ଅବମାନିତ ମନେ କଲେ ଆଦେଶ ଦେଲେ-‘‘ଏହି ମୃତଦେହର କୌଣସି ପ୍ରକାର ସତ୍କାର କରିବାକୁ ଦିଆଯିବ ନାହିଁ । ଯେଉଁଠାରେ କଟା ହୋଇ ପଡ଼ିଅଛି ସେହି ପ୍ରକାଶ୍ୟ ରାଜପଥରେ ପଡ଼ି ପଡ଼ି ସଢ଼ିଯିବ ।”

 

ଗୁରୁ ଗୋବିନ୍ଦ ସିଂହ ସେତେବେଳେ ଷୋଡ଼ଶବର୍ଷୀୟ ବାଳକ । ପିତୃଦେହ ଉଦ୍ଧାର କରିବା ପାଇଁ ସେ ପଞ୍ଜାବରୁ ଦିଲ୍ଲୀ ଅଭିମୁଖରେ ଯାତ୍ରା କଲେ । ବାଟରେ ଜଣେ ଦରିଦ୍ର ଶିଖ ଶଗଡ଼ିଆ ଓ ତାର ପୁଅ ସଙ୍ଗେ ଗୁରୁ ଗୋବିନ୍ଦଙ୍କର ଭେଟ ହେଲା । ଗୋବିନ୍ଦଙ୍କର ଉଦ୍ଦେଶ୍ୟ ବୁଝି ପିତା ପୁତ୍ର ଦିଲ୍ଲୀକୁ ଯିବାକୁ ତାଙ୍କୁ ବାରଣ କଲେ । ଗୋବିନ୍ଦ ପିତୃଦେହ ଉଦ୍ଧାର ପାଇଁ ଦୃଢ଼ପ୍ରତିଜ୍ଞା–ତାଙ୍କୁ ଟଳାଇବ କିଏ ? ପିତା ପୁତ୍ର ଶିଖମାନଙ୍କର ଏକମାତ୍ର ଭରସା ଗୁରୁଗୋବିନ୍ଦଙ୍କୁ ବିପଦସଙ୍କୁଳ ଦିଲ୍ଲୀ ଯିବାକୁ କୌଣସିମତେ ଦେଲେ ନାହିଁ । ବହୁ ଅନୁନୟ ବିନୟ ପରେ ସ୍ଥିର ହେଲା, ସେମାନେ ଯାଇ ଗୋବିନ୍ଦଙ୍କର ପିତୃଦେହ ଉଦ୍ଧାର କରି, ଆଣି ଦେବେ ।

 

ଗୋବିନ୍ଦଙ୍କୁ ନଗରର ବାହାରେ ରଖି ପିତା ପୁତ୍ର ଗଭୀର ରଜନୀ-ଯୋଗେ ନଗରୀରେ ପ୍ରବେଶ କଲେ । ଏଣେ ତେଜବାହାଦୁରଙ୍କର ମୃତଦେହ ସମ୍ରାଟଙ୍କ ଆଦେଶରେ ସର୍ବଦା ପ୍ରହରୀମାନଙ୍କ ଦ୍ୱାରା ରକ୍ଷିତ । ପିତା ପୁତ୍ର ଯାଇ ପୁଣି ଦେଖିଲେ, ମୃତଦେହର ପୁତଗନ୍ଧଯୋଗୁଁ ପ୍ରହରୀମାନେ ଟିକିଏ ଦୂରରେ–ସମସ୍ତେ ନିଶ୍ଚିନ୍ତରେ ଶୟନ କରିଅଛନ୍ତି । ବସ୍ତ୍ରାଚ୍ଛାଦିତ ମୃତଦେହ ସେହି ପ୍ରଶସ୍ତ ଛକଜାଗାରେ ସେହିପରି ପଡ଼ି ରହିଛି । ପିତା ପୁତ୍ର ନିଃଶବ୍ଦରେ ଗୁରୁଙ୍କ ଶବ ନିକଟକୁ ଯାଇ ତାକୁ ଉଠାଇଲେ । ଭାବିଲେ, "ଆମ ଦୁହିଁଙ୍କ ମଧ୍ୟରୁ ଜଣକର ସ୍ୱେଚ୍ଛାମୃତ୍ୟୁ ଆବଶ୍ୟକ । ଆଉ ଗୋଟିଏ ମୃତଦେହ ଘୋଡ଼ାଇ ରଖି ଯିବାକୁ ହେବ ।

 

ନୋହିଲେ, ନିଦ ଭାଙ୍ଗିଲେ ପ୍ରହରୀମାନେ ଯେତେବେଳେ ଜାଣି ପାରିବେ, ମୃତ ଦେହ ନାହିଁ, ସମ୍ରାଟଙ୍କ କ୍ରୋଧପୟରେ ଚତୁର୍ଦ୍ଦିଗରେ ଲୋକ ଖୋଜି ଧାଇଁବେ–ନିଶ୍ଚୟ ଆମେମାନେ ଧରା ପଡ଼ିବା ।” ପୁତ୍ର ମରିବାକୁ ଇଚ୍ଛା କଲା । ପିତା କହିଲେ, ‘‘ତୁ ସକଳ ଶରୀର, ଗୁରୁଙ୍କ ଦେହ ବହନ କରି ନେବାକୁ ଅଧିକତର କ୍ଷମ । ନୂତନ ଗୁରୁଙ୍କ ଅଧୀନରେ ସେଠାରୁ ଅଧିକଦିନ ଧର୍ମଯୁଦ୍ଧ କରି ପାରିବୁ । ତୁ ବଞ୍ଚି ରହିବା ଉଚିତ ।” ଏତିକିମାତ୍ର କହି ଶବଟଚାଳକ ନିଃଶବ୍ଦରେ ବକ୍ଷଦେଶରେ ଛୁରିକାଘାତ କରି ଭୂପତିତ ହେଲା । ପୁତ୍ର ପିତାର ରକ୍ତାକ୍ତ ମୃତଦେହ ବସ୍ତ୍ରରେ ଆଚ୍ଛାଦିତ କରି ଗୁରୁଙ୍କର ପୂତିଗନ୍ଧମୟ ଦେହ ନାଶଶୂନ୍ୟ ହୃଦୟରେ ବହନ କରି ପଳାୟନ କଲା । ଧନ୍ୟ ଗୁରୁଭକ୍ତି-!!

 

ଯଥା ସମୟରେ ପିତୃଦେହର ସତ୍କାର ହୋଇଗଲା । ସତ୍ୟ ଓ କର୍ତ୍ତବ୍ୟର ଅନୁରୋଧରେ ପ୍ରାଣଦାତା ପିତାଙ୍କର ଭୟାବହ ମୃତ୍ୟୁ, ଶେଷ ଉପଦେଶ ଗୁରୁ ଗୋବିନ୍ଦଙ୍କ ହୃଦୟରେ ଗଭୀର ଓ ସ୍ଥାୟୀଭାବରେ ଅଙ୍କିତ ହୋଇ ରହିଲା । ପିତାଙ୍କର ପ୍ରାଣଦଣ୍ଡ, ଦେଶବାସୀଙ୍କର ଶୋଚନୀୟ ଦଶା ଚିନ୍ତା କରି କରି ସେ ମୁସଲମାନମାନଙ୍କର ଚିରନ୍ତନ ଶତ୍ରୁ ହୋଇ ପଡ଼ିଲେ । ବିଶ୍ୱସ୍ତ ହିନ୍ଦୁମାନଙ୍କୁ ଗୋଟିଏ ବିଜିଗୀଶୁ ଜାତିରେ ପରିଣତ କରି ପାରିଲେ ପିତୃହତ୍ୟାର ଉପଯୁକ୍ତ ପ୍ରତିଶୋଧ ନେଇ ହେବ, ଏହି କଳ୍ପନା ତାଙ୍କ ପ୍ରାଣରେ ଜାଗ୍ରତ ହେଲା । ସେ କଳ୍ପନା, କ୍ରମେ ଅଟଳ ପ୍ରତିଜ୍ଞାର ଆକାର ଧାରଣ କଲା ।

 

ଗୋବିନ୍ଦ ବଳବୀର୍ଯ୍ୟରେ ଅଦ୍ୱିତୀୟ, ଶାରୀରିକ ଗଠନରେ ଅତୁଳନୀୟ, ଉତ୍ସାହର ସଜୀଵ ଉତ୍ସ, ତଥାପି ସେ ପିଲା । ସମ୍ରାଟଙ୍କ ଦୂର ଦୃଷ୍ଟି ସର୍ବଦା ତାଙ୍କ ପଛେ ପଛେ । ଯମୁନାର ଉଭୟତୀରବର୍ତ୍ତୀ ପାର୍ବତ୍ୟ ପ୍ରଦେଶରେ ଗୋବିନ୍ଦ କେତେକ ବର୍ଷ ନିଭୃତବାସ କରିବାକୁ ଲାଗିଲେ । ଏ ମଧ୍ୟରେ ଶରୀର ବିକାଶପାଇଁ ଅସ୍ତ୍ରଶସ୍ତ୍ରଚାଳନ, ବନ୍ୟ ଶୂକର ଓ ବ୍ୟାଘ୍ରାଦି ଶିକାରରେ କେତେକ ସମୟ କଟେ । ଆଉ ଅବଶିଷ୍ଟ ସମୟ ଶାସ୍ତ୍ରାଧ୍ୟୟନ, ଗ୍ରନ୍ଥ-ଆଲୋଚନା ଓ ଜାତୀୟ ବୀରତ୍ୱକାହାଣୀ ଶ୍ରବଣରେ ଅତିବାହିତ ହୁଏ । କ୍ରମେ ଗୋବିନ୍ଦ ବଳବୀର୍ଯ୍ୟ, ପାଣ୍ଡିତ୍ୟରେ ଅପ୍ରତିମ ହୋଇ ଉଠିଲେ । ଶକ୍ତି ଓ ସାଧନରେ ସିଦ୍ଧ ହୋଇ ସେ ନିରୀହ ଶିଖମାନଙ୍କୁ ଗୋଟିଏ ଦୁର୍ଦ୍ଦାନ୍ତ ସାମରିକ ଜାତିରେ ପରିଣତ କରିବାର ଉଦ୍ୟମରେ ରହିଲେ । କ୍ରମେ ପିତାଙ୍କର ପୁରାତନ ଶିଷ୍ୟମାନେ ଗୋଟି ଗୋଟି ହୋଇ ଗୋବିନ୍ଦଙ୍କୁ ଗୁରୁରୂପେ ଗ୍ରହଣ କଲେ ।

 

ଗୋବିନ୍ଦଙ୍କର ବିଭୁଶକ୍ତିରେ ପୂର୍ଣ୍ଣ ବିଶ୍ୱାସ ଥିଲା । ସେ କହୁଥିଲେ– ‘‘ଇଶ୍ଵରଙ୍କର କାର୍ଯ୍ୟ ଇଶ୍ୱର କରୁଛନ୍ତି, ମନୁଷ୍ୟ ନିମିତ୍ତ ମାତ୍ର; ବିଭୁବଳରେ ବଳୀୟାନ ନ ହେଲେ ମନୁଷ୍ୟ ସାମାନ୍ୟ ତୃଣଗୁଚ୍ଛ ମଧ୍ୟ ଛିନ୍ନ କରି ନପାରେ ।” ଏହି ବିଶ୍ୱାସରେ ଅବିଚଳିତ ରହି, ସେ ଘୋର ତପସ୍ୟାଦ୍ୱାରା ଶକ୍ତିର ଉଦବୋଧନ କରି ବସିଲେ ।

 

ସେ ସମୟରେ ବାରାଣସୀରେ ଜଣେ ବଡ଼ ଧର୍ମନିଷ୍ଠ ବ୍ରାହ୍ମଣ ଥିଲେ । କଥିତ ଅଛି, ସେ ଶକ୍ତିର ଉପାସନାରେ ସିଦ୍ଧି ଲାଭ କରିଥିଲେ । ଗୋବିନ୍ଦ ସେହି ବ୍ରାହ୍ମଣଙ୍କ ନିକଟରେ ବେଦାଧ୍ୟୟନ କଲେ–ଶେଷରେ ତାଙ୍କରି ଠାରୁ ଶାକ୍ତମନ ନେଇ ଘୋର ତପସ୍ୟାରେ ନିମଗ୍ନ ହେଲେ । କୋଟକାଙ୍ଗଡ଼ା ନାମକ ସ୍ଥାନରେ ନୟନା ନାମକ ଗୋଟିଏ ଅତ୍ୟୁଚ୍ଚ ପର୍ବତ । ତାହାର ଗୋଟିଏ ଉନ୍ନତ ଶୃଙ୍ଗ ଉପରେ ନୟନାଦେବୀଙ୍କ ଅଧିଷ୍ଠାନ । ଗୋବିନ୍ଦ ଏହି ଦେବୀଙ୍କ ସମ୍ମୁଖରେ ବଡ଼ ଭୀଷଣ ତପସ୍ୟା ଆରମ୍ଭ କଲେ; ସେ ଫଳାହାର ପର୍ଯ୍ୟନ୍ତ ବିସ୍ମୃତ ହେଲେ–ଏକ ଆସନରେ ଅଟଳ ଅଚଳ ଭାବରେ ବହୁଦିନ କଟିଗଲା । କଥିତ ଅଛି, ଏହି ତପସ୍ୟା ଶେଷରେ ସେ ଉଦ୍ଦିଷ୍ଟ ବର ପାଇଥିଲେ । ଏ ତପସ୍ୟା ପରେ ଗୋବିନ୍ଦ ପ୍ରକାଣ୍ଡ ହୋମର ଆୟୋଜନ କରିଥିଲେ । ସେଥିରେ ବହୁଦିନ ବିତିଗଲା । ଶେଷରେ ପୂର୍ଣ୍ଣାହୁତିର ସମୟ ଉପସ୍ଥିତ ହେଲା । ଗୋବିନ୍ଦ ପୂର୍ଣ୍ଣାହୁତି ଦେଇ ପ୍ରସନ୍ନମନରେ ବାହାରକୁ ଆସିଲେ, ସମବେତ ଶିଷ୍ୟମାନଙ୍କ ପ୍ରସ୍ତାବରେ ‘ଶାନ୍ତି ଉଦକ' ସେଚନ କଲେ । କହିଲେ, ‘‘ଦେବୀଙ୍କ ଆଶୀର୍ବାଦ ମିଳିଅଛି, ଆଉ ଭୟ ନାହିଁ । ତୁମେମାନେ ସଂଖ୍ୟାରେ ପାଞ୍ଚ ସହସ୍ର ମାତ୍ର, ସେଥିରେ କ୍ଷତି କଣ ? ଭଗବତପ୍ରସାଦରେ ଯଦି ନିକ୍ଷିପ୍ତ ଶର ଶତ୍ରୁମାନଙ୍କ ଦେହରେ ବିଦ୍ଧ ହୁଏ, ଆଉ ସେମାନଙ୍କର ଶର ବ୍ୟର୍ଥ ହୁଏ, ତେବେ ତୁମମାନଙ୍କ ଜୟରେ ଆଶଙ୍କା କରିବାର କଣ ଅଛି ?”

 

ଆଉ ଗୋଟିଏ ଭୀଷଣ କଥା ଗୁରୁମୁଖରୁ ନିଃସୃତ ହେଲା–"ପାଞ୍ଚ ଜଣ ନରବଳିପାଇଁ ପ୍ରୟୋଜନ । ନରବଳି ବ୍ୟତୀତ ଶକ୍ତିଉପାସନାରେ ସିଦ୍ଧି ଅସମ୍ଭବ ।” ଏ ଭୀଷଣ ବାଣୀ ଶୁଣି ଶିଷ୍ୟମଣ୍ଡଳୀ ଟିକିଏ ଭୟଭୀତ ହୋଇଗଲେ । କ୍ଷଣକେ ପରେ ଜଣେ ଶୁଦ୍ର, ତା ପରେ ଜଣେ କ୍ଷତ୍ରିୟ, ତା ପରେ ଜଣେ ବ୍ରାହ୍ମଣ–ଏହିପରି ପାଞ୍ଚଜଣ ଜାତିନର ସକଳ ମାୟା ତୁଟାଇ, ଦେବୀଙ୍କ ନିକଟରେ ବଳି ହେବାକୁ ପ୍ରସ୍ତୁତ ହେଲେ । ଗୁରୁ ଗୋବିନ୍ଦ ଅତି ଆନନ୍ଦରେ ସେହି ଅର୍ପିତପ୍ରାଣ ପଞ୍ଚଶିଷ୍ୟଙ୍କ ସହ ଦେବୀ ସମ୍ମୁଖରେ ଉପସ୍ଥିତ ହେଲେ । ଶିଷ୍ୟମାନେ ଦେବୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇ, କେତେବେଳେ ଦେବୀଙ୍କ ଚରଣ ତଳେ ସ୍ଥାପିତ ଅସି ଆସି ଗଳାଦେଶରେ ପତିତ ହେବ–ନିଜ ନିଜର କ୍ଷୁଦ୍ର ପ୍ରାଣ ବରାଭୟଦାୟିନୀଙ୍କ ନିକଟରେ ଜାତୀୟ କଲ୍ୟାଣପାଇଁ ଉତ୍ସର୍ଗ ହେବ–ସାର୍ଥକ ଜୀବନ ଦେହବନ୍ଧନରୁ ମୁକ୍ତ ହେବ, ସେହି ପୁଣ୍ୟ ସମୟକୁ ଅପେକ୍ଷା କରି ରହିଛନ୍ତି । ହଠାତ୍‍ ଗୋବିନ୍ଦ ଅସିଟି ଉଠାଇ ଗୋଟିଏ ଛେଳିର ମସ୍ତକ ଛେଦନ କଲେ । ସେହି ରକ୍ତାକ୍ତ ଅସିଟି ଧରି ଗୋଟିଏ ଶିଷ୍ୟର ମସ୍ତକରେ ରକ୍ତ–ତିଳକ କାଟି ଦେଲେ । ଏହିପରି ପାଞ୍ଚଟି ଛେଳି ବଳି ପଡ଼ିଲା–ପାଞ୍ଚଜଣଯାକ ଶିଷ୍ୟ ରକ୍ତ–ତିଳକ ଘେନିଲେ ତତ୍ପରେ ଗୋବିନ୍ଦ ଗମ୍ଭୀର ସ୍ୱରରେ କହିଲେ, ‘‘ତୁମମାନଙ୍କ ଜୀବନ ମାତାଙ୍କ ପାଇଁ ଉତ୍ସର୍ଗ ହୋଇଅଛି–ତୁମେମାନେ ଆଉ ତୁମର ନୁହଁ । ଏହି ଉତ୍ସର୍ଗୀକୃତ ପ୍ରାଣ ନେଇ ତୁମେମାନେ ଦେବୀଙ୍କ କାର୍ଯ୍ୟରେ–ଦୁଷ୍ଟଦମନ ଓ ଧର୍ମରକ୍ଷାରେ ଆଜୀବନ ବ୍ୟାପୃତ ରହ । ତୁମେମାନେ ମୋର ଏକ ଏକ ହଜାର ସୈନ୍ୟର ସେନାପତି ହେଲ ।” ଆତ୍ମୋତ୍ସର୍ଗହିଁ ନରବଳି । ପଶୁପରି ମନୁଷ୍ୟକୁ ଧରି ବଳି ଦେବା ନରହତ୍ୟା, ଭୟାବହ ପାପ–ପ୍ରକୃତ ନରବଳି ନୁହେ ।

 

କି ବିଚକ୍ଷଣ ବୁଦ୍ଧି । କ୍ଷଣକ ମଧ୍ୟରେ ପଞ୍ଚସହସ୍ର ମଧ୍ୟରୁ ସର୍ବୋତ୍କୃଷ୍ଟ ପାଞ୍ଚଜଣ ଗୋବିନ୍ଦ ବାଛି ନେଲେ । ବିପଦର ସମ୍ମୁଖରେ, ଯୁଦ୍ଧର ଉନ୍ନାଦନା ମଧ୍ୟରେ ପ୍ରାଣ ଦେବା ସହଜ କଥା, କିନ୍ତୁ ଶୀତଳ ରକ୍ତରେ, ସୁଦୃଢ଼ ମନରେ, ଅଚଞ୍ଚଳ ଭାବରେ ସ୍ୱଦେଶ ସ୍ୱଧର୍ମପାଇଁ ଗୁରୁଙ୍କ ଆଦେଶ ପାଳନ ନିମନ୍ତେ କେତେଜଣ ଆତ୍ମୋତ୍ସର୍ଗ କରି ପାରନ୍ତି ? ଏହିପରି ଆତ୍ମୋତ୍ସର୍ଗରେ ଯେକୌଣସି ଦେଶ ଜାଗ୍ରତ ହୋଇପାରେ । ଶିଖର ଏ ଆତ୍ମୋତ୍ସର୍ଗରେ ସମ୍ରାଟ ଆସନ ଟଳିପଡ଼ିଲା–ଗୋବିନ୍ଦଙ୍କ ପ୍ରତିଜ୍ଞା ପୂର୍ଣ୍ଣ ହେଲା–ମୁସଲମାନମାନଙ୍କ ଧର୍ମବିଦ୍ୱେଷ, ଅତ୍ୟାଚାର, ଭାରତରୁ ଅନ୍ତର୍ହିତ ହେଲା ।

Image

 

ବିଚିତ୍ର ବନବାସିନୀ

 

ଚାରିଶତ ବର୍ଷରୁ ଅଧିକକାଳ ଅତୀତ ହେଲାଣି । ଦିନେ ଜଣେ ଦୀର୍ଘକାୟ ବୀରପୁତ ଯୁବକ ଆରାବଳୀ ଅଧିତ୍ୟକାର ଭୀମ ଅରଣ୍ୟାନି ମଧ୍ୟ ଦେଇ ଅଶ୍ୱାରୋହଣରେ ଗମନ କରୁଅଛନ୍ତି-। ଶରୀରର ଉନ୍ନତ ଗଠନ-ପରିପାଟି, ବିଶାଳ ବକ୍ଷ, ପ୍ରଶସ୍ତ ଲଲାଟ, ଅଜାନୁଲମ୍ବିତ ବାହୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଅଛି ଯେ, ରାଜସ୍ଥାନର ପବିତ୍ର ବୀରରକ୍ତ ତାଙ୍କ ଧମନୀରେ ପ୍ରବାହିତ । ପର୍ବତ ସିଂହଙ୍କର ଅଧିକାରରେ ଗୋଟିଏ ମାତ୍ର କ୍ଷୁଦ୍ର ଦୁର୍ଗ ଥିଲେ କଣ ହେଲା, ସେ ରାମାୟଣର ପ୍ରସିଦ୍ଧ ନାୟକ–ସୂର୍ଯ୍ୟକୁଳବଂଶ ବୀର ରାମଚନ୍ଦ୍ରଙ୍କ ଵଂଶଧର ବୋଲି ଗର୍ବ କରନ୍ତି । ବୀରବର ଶିକାରୀ ବେଶରେ ସଜ୍ଜିତ; ଦକ୍ଷିଣ ହସ୍ତରେ ଗୋଟିଏ ଦୀର୍ଘଶୂଳ, କଟିଲମ୍ବିତ ଗୋଟିଏ ଶାଣିତ ତରବାରୀ-କୌଣସି ବନ୍ୟଜନ୍ତୁ ଆସିଲେ ଲକ୍ଷ୍ୟ କରିବାକୁ ପ୍ରସ୍ତୁତ ।

 

ବହୁ ସମୟ ଧରି ବୁଲିଲେଣି, କୌଣସିଠାରେ ଶିକାର ମିଳୁ ନାହିଁ । ହଠାତ ଅନତିଦୂରରେ ଗୋଟିଏ ବିରାଟ ବିଗ୍ରହ ଦୃଷ୍ଟିରେ ପଡ଼ିଲା । କାଳବିଳମ୍ବ ନ କରି ରାଜପୁତ ବୀର ବିଗ୍ରହ ଉଦ୍ଦେଶ୍ୟରେ ଅଶ୍ୱଟିକୁ ଛାଡ଼ି ଦେଲେ । କ୍ଷିପ୍ରଗତିରେ ଅଶ୍ୱଟି ଧାଇଁବାକୁ ଲାଗିଲା । ପଥର ବନ୍ଧୁରତା, ଅରଣ୍ୟର ବୃକ୍ଷାବଳି ଅଶ୍ୱର ଗତିରେ ଅବଶ୍ୟ ଟିକିଏ ବାଧା ଦେଲେ-ତେବେ ମଧ୍ୟ କି କ୍ଷୀପ୍ରଗତି ! ଓଃ, ରାଜପୁତର କି ପଣ–‘ଉଦ୍ଦେଶ୍ୟ ସିଦ୍ଧ' ନ ହେଲେ ବାହୁଡ଼ିବ ନାହିଁ ! ' ବରାହଟି ରୁଦ୍ଧଶ୍ୱାସରେ ଅଗ୍ରେ ଅଗ୍ରେ ଧାଇଁ ଅଛି । କେତେବେଳେ ବୃକ୍ଷାନ୍ତରାଳରେ ଲୁଚି ଯାଉଅଛି, ପୁଣି କେତେବେଳେ ଦୃଷ୍ଟି ପଥରେ ପଡ଼ୁଅଛି, କେତେବେଳେ ଅବା ପଛକୁ ବୁଲି ପଡ଼ି ଅନୁସରଣକାରୀକୁ ଚାହୁଁଅଛି । ରାଜପୁତର କିନ୍ତୁ ପଶ୍ଚାତ ଦୃଷ୍ଟି ନାହିଁ–ଦୃଷ୍ଟି ସର୍ବଦା ସମ୍ମୁଖରେ ଆବଦ୍ଧ । ଏହିପରି ପ୍ରଚଣ୍ଡ ବେଗରେ ଅନୁଧାବନ କରି ବହୁସମୟ ପରେ ବୀର ବିଗ୍ରହଟିର ନିକଟବର୍ତ୍ତୀ ହେଲେ । ବିଗ୍ରହ ଶରୀରରେ ହସ୍ତସ୍ଥିତ ଶୂଳଟି ବିଦ୍ଧ ହେଲା । କିନ୍ତୁ ଦୁର୍ଭାଗ୍ୟକୁ ଠିକ୍‍ ଏହି ସମୟରେ ଭୂପୃଷ୍ଠସ୍ଥ ଗୋଟିଏ ଗର୍ତ୍ତରେ ଅଶ୍ୱର ଖୁରା ଚଳିଯିବାରୁ ଅଶ୍ୱଟି ଆରୋହୀ ସହ ଭୂତଳରେ ପତିତ ହେଲା । ହଠାତ ପଡ଼ିଯିବାରୁ ବିଗ୍ରହର ଶରୀରଲଗ୍ନ ଶୂଳଟି ଦ୍ୱିଖଣ୍ଡ ହୋଇ ଭାଙ୍ଗିଗଲା; ଖଣ୍ଡିଏ ବରାହ ଦେହରେ ଲାଗି ରହିଲା ।

 

ମୁହୂର୍ତ୍ତମାତ୍ର ବିଳମ୍ବ ନ କରି ପର୍ବତସିଂହ ଅଶ୍ୱପୃଷ୍ଠରୁ ଲମ୍ଫ ପ୍ରଦାନ କରି ଭୂମିରେ ଦଣ୍ଡାୟମାନ ହେଲେ; ଶାଣିତ ତରବାରୀଟିଧରି ଆତ୍ମରକ୍ଷାପାଇଁ ଶତ୍ରୁ ବିରୁଦ୍ଧରେ ଅଗ୍ରସର ହେଲେ । ବନ୍ୟ ବରାହଟି ଶୂଳଭେଦରେ ଦୁର୍ବଳ ନ ହୋଇ ବରଂ ଅଧିକତର ଉନ୍ନତ ହୋଇ ଉଠିଲା । ତାହାର ଭୀଷଣ ଦନ୍ତ କଡ଼ମଡ଼, ଶରୀରର କଣ୍ଟକିତ ଲୋମାବଳି ସ୍ୱଭାବିକ କରାଳ ଆକାରକୁ ଭୀଷଣତର କରି ଦେଲା । ଅରଣ୍ୟର ଜନ୍ତୁମାନଙ୍କ ମଧ୍ୟରେ ବିଗ୍ରହ ସର୍ବାପେକ୍ଷା ଅଧିକ ସାହସୀ, ବଳଶାଳୀ ଓ ଦୁର୍ଦ୍ଦାନ୍ତ । ଖଣ୍ଡିଏ ଦୁର୍ବଳ ତରବାରୀ କି ତାହାର ଭୟାନକ ଦନ୍ତ ବିରୁଦ୍ଧରେ ଅବଲମ୍ବନ ହୋଇପାରେ-? ଆହତ ବନ୍ୟ ଜନ୍ତୁଟି ସଙ୍ଗେ ବିବାଦରେ ପର୍ବତସିଂହ କିପରି ଉଠିବେ, ଭାବି ହେଉ ନାହିଁ-। ବିବାଦ କ୍ରମେ କ୍ରମେ ସାଂଘାତିକ ହୋଇ ଉଠିଲା । ଏହି ବିଷମ ସଂକଟରେ ତରବାରୀଟି ବରାହଦନ୍ତରେ ବାଜି ହଠାତ ଭାଜିଗଲା ! ଆଉ ରକ୍ଷା ନାହିଁ–ମୃତ୍ୟୁକୁ ସମ୍ମୁଖରେ ଦେଖି ପର୍ବତସିଂହ ଇଷ୍ଟଦେବଙ୍କର ନାମ ନେଲେ । ଆଶ୍ଚର୍ଯ୍ୟର କଥା, ଠିକ ସେଇ ସମୟରେ ବରାହଟି ଲେଉଟି ପଡ଼ି ଭୂପତିତ ହେଲା । ମୃତ୍ୟୁ ପଶୁପ୍ରାଣ ନେଇ ସନ୍ତୁଷ୍ଟ ହୋଇ ଚାଲିଗଲା ।

 

ସମ୍ମୁଖ ମୃତ୍ୟୁରୁ ଉଦ୍ଧାର ପାଇ ପର୍ବତସିଂହ ଜନ୍ତୁଟିକୁ ପରୀକ୍ଷା କରିବାକୁ ଗଲେ; ପରୀକ୍ଷା କରି ବୁଝି ପାରିଲେ, କାହିଁକି ବରାହଟିର ଆକସ୍ମିକ ମୃତ୍ୟୁ ଘଟିଲା । ଦେଖିଲେ, କୌଣସି ଅଜ୍ଞାତ ହସ୍ତରୁ ଗୋଟିଏ ଶର ଆସି ଜନ୍ତୁଟିର ଶରୀରରେ ଆମୂଳଚୂଳ ବିଦ୍ଧ ହୋଇଅଛି । ଏ ବିଷମ ଶରଟି କେଉଁ ବୀରହସ୍ତରୁ ଆସିଲା ? ମୃତ୍ୟୁ ଠିକ ଗ୍ରାସ କରିବାକୁ ବସିଲା ବେଳେ କେଉଁ ବୀରପୁରୁଷ ପର୍ବତସିଂହକୁ ଆସି ରକ୍ଷା କଲା ? କ୍ଷଣକ ମଧ୍ୟରେ ପର୍ବତସିଂହଙ୍କର ଦୃଷ୍ଟି ଚତୁର୍ଦ୍ଦିଗରେ ଖେଳିଗଲା-। ନିକଟବର୍ତ୍ତୀ ଦୁଇଗୋଟି ଅରଣ୍ୟ–ବୃକ୍ଷର ଅନ୍ତରାଳରେ ଯେଉଁ ସୌନ୍ଦର୍ଯ୍ୟମୟ ବିଚିତ୍ର ଦୃଶ୍ୟ ଦେଖିଲେ, ସେଥିରେ ସେ ସ୍ତମ୍ଭୀଭୂତ ହୋଇ ଠିଆ ହୋଇ ଗଲେ; ଚକ୍ଷୁକୁ ବିଶ୍ୱାସ ହେଲା ନାହିଁ-। ଦେଖିଲେ–ଗୋଟିଏ ଆସନ୍ନଯୌବନ, ଅପୂର୍ବସୁନ୍ଦରୀ ରଣରଙ୍ଗିନୀ ବାଳିକା ଧନୁଶର ହସ୍ତରେ ଗୋଟିଏ ବିଶାଳକାୟ ଅଶ୍ୱ ଉପରେ ବସିଅଛି, ବୟସ ତ୍ରୟୋଦଶ ଚତୁର୍ଦ୍ଦଶ ମଧ୍ୟରେ । ଅଶ୍ଵର ପ୍ରତି ପଦକ୍ଷେପରେ ଅନ୍ତରର ଆନନ୍ଦ ଅଭିବ୍ୟକ୍ତ ହେଉଅଛି । ଯେପରି ବୋଧ ହେଉଅଛି, ସେହି ମନମୋହିନୀ ମୂର୍ତ୍ତିଟିକୁ ପୃଷ୍ଠରେ ଧାରଣ କରି ଅଶ୍ୱ ଗର୍ବିତ–ବନଦେଶ ବାଳିକାର ଦେହପ୍ରଭାରେ ହସି ଉଠୁଅଛି ।

 

ପର୍ବତସିଂହ କବି ନୁହନ୍ତି, ନୋହିଲେ ଭାବିଥାନ୍ତେ–ସୌନ୍ଦର୍ଯ୍ୟର ଆଦର୍ଶ ରତି କି ସ୍ୱର୍ଗ ଛାଡ଼ି ଆସିଛନ୍ତି ? ନା, ତା ତ ହୋଇ ନ ପାରେ; ରତି ଯେ ଦୁର୍ବଳା–ଏ ଅଦ୍ଭୁତ ବୀରତ୍ୱ କି ତାଙ୍କଠାରେ ସମ୍ଭବ ? ତେବେ କଣ ଏ ରଣରଙ୍ଗିନୀ ଚଣ୍ଡୀ-ମୂର୍ତ୍ତି । ତା ବା ହେବ କୁଆଡ଼ୁ ? ବିକଟରୂପିଣୀ ଚଣ୍ଡୀଙ୍କଠାରେ କି ଏ ଅପୂର୍ବ ସୌନ୍ଦର୍ଯ୍ୟ ମିଳିବ ? ତେବେ ଏ ନିଶ୍ଚୟ ସୌନ୍ଦର୍ଯ୍ୟ–ବୀରତ୍ୱର ଅପୂର୍ବ ସମାବେଶ ହାସ୍ୟମୟୀ ଭୁବନେଶ୍ୱରୀ ମୂର୍ତ୍ତି–ବନଦେଶରେ ମଙ୍ଗଳ ବିତରଣ କରି ବୁଲୁଛନ୍ତି । ନୋହିଲେ, ଏ ବିଚିତ୍ର ବନବାସିନୀ କିଏ ? –ମୁଖର କି କମନୀୟ ଜ୍ୟୋତିରେ ଵାଲ୍ୟ ସୌନ୍ଦର୍ଯ୍ୟ ବହୁଗୁଣିତ ଦିଶୁଅଛି । ବୋଧ ହୁଏ, ଏ 'ଅସୂର୍ଯ୍ୟଂପଶ୍ୟା' ହିନ୍ଦୁରମଣୀର ଅନ୍ଧକାରମୟ ଗୃହସୀମାରୁ ବାହାରି ମୁକ୍ତ–ପ୍ରକୃତିର ହାସ୍ୟମୟ କ୍ରୋଡ଼ରେ ବଢ଼ିଅଛି; ସ୍ୱାଧୀନ ପ୍ରାଣରେ ମୁକ୍ତ–ବାୟୁରେ ବୁଲି ବୁଲି ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପଭୋଗ କରୁଅଛି । ବାୟୁରାଶିର ଅନନ୍ତଵିତାନ, ପ୍ରକୃତିର ବିଚିତ୍ର ସୌନ୍ଦର୍ଯ୍ୟସମ୍ଭାର ମଧ୍ୟରେ ବାଳିକାଟିର ପ୍ରାଣର ଉଦାରତା ଓ ଅଙ୍ଗପ୍ରତ୍ୟଙ୍ଗର ଅଲୌକିକ ସୌନ୍ଦର୍ଯ୍ୟଚ୍ଛଟା ଫୁଟି ଉଠୁଅଛି, କୋମଳ ଗଣ୍ଡଦେଶ ଅବିରତ ଶୈତ୍ୟ–ଉତ୍ତାପ ପ୍ରତି ଉନ୍ମୁକ୍ତ ରହି ଟିକିଏ ପାଣ୍ଡୁରାଭ ହେଲା ପରି ବୋଧ ହୁଏ । ଏଥିରେ ସେ ଅନ୍ଧକାରନିବଦ୍ଧ ।, ମଳିନବଦନା ଅନେକ ସୁନ୍ଦରୀଙ୍କଠାରୁ ଅଧିକତର ମନୋହାରିଣୀ ହେଲା ପରି ପର୍ଵତସିଂହଙ୍କ ଆଖିକୁ ଜଣାଗଲା । ହସ୍ତପଦର ଚାଳନାରେ, ମୁଖର ଭଙ୍ଗୀରେ, ଲୋକଲୋଚନର ପ୍ରତି ପଲକପାତରେ, ମନ୍ଥରଗତିରେ, ଏପରି କି ପ୍ରତ୍ୟେକ ଅଙ୍ଗଭଙ୍ଗୀରେ ବାଳିକାଟି ପର୍ବତସିଂହଙ୍କର ଅତୃପ୍ତ ଦୃଷ୍ଟି ସମକ୍ଷରେ ଚାରିଆଡ଼େ ସୌନ୍ଦର୍ଯ୍ୟ ଢାଳି ଦେଲା । ସୌନ୍ଦର୍ଯ୍ୟ–ବୀରତ୍ୱର ଏପରି ରମଣୀୟ ଜୀବନ୍ତ ସମାବେଶ ସେ ଏଥିପୂର୍ବେ କେବେ ଅନୁଭବ କରି ନ ଥିଲେ । ଦେଖୁ ଦେଖୁ ଏ ବିଚିତ୍ର ମନମୋହକର ଦୃଶ୍ୟଟି କ୍ଷଣକେ କେଉଁ ଆଡ଼େ ଅନ୍ତର୍ହିତ ହୋଇଗଲା । ପର୍ବତସିଂହଙ୍କ ବିସ୍ମୟ ସମ୍ପୂର୍ଣ୍ଣ ଦୂର ହୋଇନାହିଁ, ଅଶ୍ୱର ମସ୍ତକ ବୁଲାଇ ଦେଇ ଚଞ୍ଚଳ ମୃଗଶାବକ ପରି ଅରଣ୍ୟର ଅନନ୍ତ ନୀଳିମା ମଧ୍ୟରେ ବାଳିକାଟି କ୍ଷଣକେ କେଉଁ ଆଡ଼େ ଲୁଚିଗଲା । ଯଦି ବାଳିକା ନିକ୍ଷିପ୍ତ ଶରଟି ବରାହ ଶରୀରରେ ପ୍ରୋଥିତ ନ ଥାନ୍ତା, ତେବେ ହୁଏତ ପର୍ବତସିଂହ ଭାବିଥାଆନ୍ତେ, ବାଳିକାଟି କଳ୍ପନାର ଅପ୍ରାକୃତ ସୃଷ୍ଟି-। ସେ ଅତୃପ୍ତ ପ୍ରାଣରେ ନିଜକୁ ପଚାରିଲା, ‘‘ତ୍ରିଲୋକସୁନ୍ଦରୀ ଏ ବନବାସିନୀ କିଏ-? କିଏ ମୃତ୍ୟୁମୁଖରୁ ପ୍ରାଣରକ୍ଷା କରି, ମୁହୂର୍ତ୍ତକେ ପୁଣି ସେହି ଦତ୍ତପ୍ରାଣ ଅପହରଣ କରି ଚାଲିଗଲା-? ଏ ଦେବୀ, ନା ମାନବୀ ?”

 

ବେଳ ଅନେକ ହେଲାଣି । ମସ୍ତକ ଉପରେ ସୂର୍ଯ୍ୟଦେବ ଉତ୍ତପ୍ତ କିରଣଜାଲ ଢାଳି ଦେଉଅଛନ୍ତି । ଚତୁର୍ଦ୍ଦିଗରେ ଭୀଷଣ ଅରଣ୍ୟାନି, ଦେଖିଲେ ଆଖି ପାଉ ନାହିଁ । ପର୍ବତସିଂହ ପ୍ରାତଃକାଳରୁ ଶିକାର କରିବାକୁ ବାହାରି ଥିଲେ । ବରାହଟିର ଅନୁସରଣ କରି କରି ଗ୍ରାମ ଓ ଲୋକାବାସର ବହୁଦୂରକୁ ଚାଲି ଆସି ଅଛନ୍ତି । କାର୍ଯ୍ୟବ୍ୟସ୍ତ ଥିଲାବେଳେ ଲୋକ କିଛି ଅଭାବ ଅସୁବିଧା ବୁଝିପାରେ ନାହିଁ । କଠିନ ପରିଶ୍ରମ ପରେ ବୀରବର ବର୍ତ୍ତମାନ କ୍ଷୁଧା ତୃଷ୍ଣାରେ ଆକୁଳ ହେବାକୁ ଲାଗିଲେ । କେଉଁ ଆଡ଼କୁ ଯିବେ ? କେଉଁଠାକୁ ଗଲେ ଶୀଘ୍ର ଲୋକବାସ ଧରି ପାରିବେ-? ଅଶ୍ୱାରୋହଣରେ ପର୍ବତସିଂହ କିଛିଦୂର ଅଗ୍ରସର ହୋଇ ଅଛନ୍ତି, ଲୋକସଞ୍ଚାରର ଗୋଟିଏ କ୍ଷୀଣ ଅସ୍ପଷ୍ଟ ପଥ ଦେଖାଗଲା । ସେ ଭାବିଲେ, ପଥଟି ନିଶ୍ଚୟ କୌଣସି ଲୋକାଳୟ ବା ଗ୍ରାମକୁ ପଡ଼ିଥିବ । ପଥ କ୍ରମେ ସ୍ପଷ୍ଟତର ହେବା ସଙ୍ଗେ ସଙ୍ଗେ ଲୋକାଳୟ ପ୍ରାପ୍ତର ଆଶା ଓ ବିଶ୍ୱାସ ବଢ଼ିବାକୁ ଲାଗିଲା । କିନ୍ତୁ ପଥ ମୁକ୍ତ ସ୍ଥାନକୁ ନ ଯାଇ କ୍ରମେ କ୍ରମେ ଭୀଷଣ ଅରଣ୍ୟଆଡ଼କୁ ଗତି କଲା । ଅରଣ୍ୟର ବୃକ୍ଷାବଳୀ ବିରଳତର ନ ହୋଇ କ୍ରମେ କ୍ରମେ ଘନ ଓ ନିବିଡ଼ତର ହେବାକୁ ଲାଗିଲା । ବର୍ତ୍ତମାନ ଫେରିଯାଇ ପୁଣି ଅନ୍ୟପଥ ଦେଖିବା ଏକାବେଳକେ ଅସମ୍ଭବ । ପର୍ବତସିଂହ ନିରୁପାୟ ହୋଇ ସେହି ପଥରେ ଗତି କରିବାକୁ ଲାଗିଲେ । ଶେଷରେ ଗୋଟିଏ ଭୀମ ଅରଣ୍ୟର ନିଘଞ୍ଚ ବୃକ୍ଷଛାୟା ତଳେ କେତେଗୁଡ଼ିଏ ନୂତନ ନିର୍ମିତ କୁଟୀର ପର୍ବତସିଂହଙ୍କର ତୃଷିତ ଚକ୍ଷୁରେ ପଡ଼ିଲା । ତାଙ୍କର ବର୍ତ୍ତମାନ ଆନନ୍ଦର ସୀମା ନାହିଁ । ଲୋକାବାସ ଯେତେ ହୀନ ହେଉ ପଛକେ, ପର୍ବତସିଂହଙ୍କର ପରି ଆକୁଳ ପ୍ରାଣକୁ କିଛି ହେଲେ ଖାଦ୍ୟପେୟ ନିଶ୍ଚୟ ଯୋଗାଇ ପାରିବ । କେନ୍ଦ୍ରସ୍ଥାନରେ ଥିବା ବୃହତ୍ତମ କୁଟୀର ନିକଟକୁ ଯାଇ ସେ ବର୍ତ୍ତମାନ ବୁଝିପାରିଲେ ତାହା ରାଜପୁତ ବୀର ଅଜିତସିଂହଙ୍କର ଅସ୍ଥାୟୀ ଆବାସ । ସେ ଆଫଗାନ ବୀର ଦାଉଦଙ୍କଦ୍ୱାରା ପରାସ୍ତ ହୋଇ ନିଜ ରାଜ୍ୟ ଓ ନଗରରୁ ବିତାଡ଼ିତ ।

 

ଜଣେ ରାଜ୍ୟଚୁତ ରାଜପୁତ୍ରଙ୍କଠାରୁ ଯେତେ ଆଦର ସମ୍ଭାବନା ସମ୍ଭବ, ପର୍ବତସିଂହ ତାହା ଏଠାରୁ ପାଇଲେ । ସର୍ବୋକୃଷ୍ଟ ଅରଣ୍ୟ ଜାତରେ ପ୍ରାଣ ମନ ପରିତୃପ୍ତ କଲା ପରେ ସେ ଅଜିତସିଂହଙ୍କର ନିଜର ପରିଚୟ ଦେଲେ । ତା’ପରେ ଉଭୟଙ୍କ ମଧ୍ୟରେ ସୁଖ ଦୁଃଖ, ହାନି ଲାଭ, ରାଜ୍ୟ ଓ ରାଜନୀତି ପ୍ରଭୃତି ନାନା ବିଷୟରେ ଆମୋଦ ଆଳାପ, ଆଲୋଚନା, ଯୁକ୍ତିତର୍କ ପ୍ରଭୃତି ଚାଲିଲା । ପ୍ରସଙ୍ଗକ୍ରମେ ପର୍ବତସିଂହ ସେ ଦିନର ଅଦ୍ଭୁତ ବିବରଣ ଅଦ୍ୟପ୍ରାନ୍ତ ବର୍ଣ୍ଣନା କରିଥିଲେ–କିପରି ବରାହ ତାଙ୍କୁ ଏତେ ଦୂର ଘେନି ଆସିଲା, କିପରି ତାହାର ଆକ୍ରମଣରୁ ଉଦ୍ଧାର ପାଇବାର ଆଶା ଛାଡ଼ି ବସିଥିଲେ; ଅପୂର୍ବ ସୁନ୍ଦରୀ ରଣରଙ୍ଗିନୀ ବାଳିକାଟି ଆସନ୍ନ ମୃତ୍ୟୁମୁଖରୁ ତାଙ୍କୁ ରକ୍ଷା କରି ନିମେଷସାତ ମାତ୍ରକେ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା, ସବୁ ଗୋଟି ଗୋଟି କରି ଅଜିତସିଂହଙ୍କ ନିକଟରେ କହିବାକୁ ଲାଗିଲେ । କଥା ଶୁଣୁ ଶୁଣୁ ଅଜିତସିଂହ ଦରହସିତ ବଦନରେ କହିଲେ, ‘‘ଯେଉଁ ବାଳିକାଟିର କଥା ଆପଣ କହୁଛନ୍ତି, ମୁଁ ବୁଝୁଛି, ସେ ମୋହରି କନ୍ୟା, ପାଗଳ ପଦ୍ମିନୀ ଛଡ଼ା ଆଉ କେହି ନୁହେଁ । ଆଫଗାନମାନଙ୍କ ଦ୍ୱାରା ରାଜପୁରୀରୁ ବିତାଡ଼ିତ ହେବ ଦିନଠାରୁ ତାର ଏ କି ପ୍ରକାର ଏକ ଉନ୍ମାଦ ଆସିଛି ! ନିଜର ବୟସ, ସ୍ଥାନ, ସମ୍ମାନ ପ୍ରତି ତାର ତିଳେମାତ୍ର ବିଚାର ନାହିଁ । ଏ ବୟସରେ ବି ତାର ସ୍ତ୍ରୀସୁଲଭ ଇଚ୍ଛା ଆସିଲା ନାହିଁ । ଧନୁଶର ବ୍ୟବହାର କରି ସର୍ବଦା ଉନ୍ମୁକ୍ତ ପ୍ରାଣରେ ବନଭୂମିରେ ବୁଲିବାରେ ତାର ବିଳାସ । ଧନୁର୍ବିଦ୍ୟାରେ ଆଜିକାଲି ତାର ପାରଦର୍ଶିତା କମ ନୁହେ । ଥରେ ଉନ୍ମୁକ୍ତ ଜୀବନର ସୁଖ ଅନୁଭବ କରି, ସେ ଆଉ ଗୃହସୀମା ମଧ୍ୟରେ ସ୍ତ୍ରୀସୁଲଭ ଗୃହକାଯ୍ୟରେ ଆବଦ୍ଧ ରହିବାକୁ ମନ ଦେଲା ନାହିଁ । ବୟସବୃଦ୍ଧି ସଙ୍ଗେ ସଙ୍ଗେ ଏହି ସ୍ୱାଧୀନ ପ୍ରବୃତ୍ତ ଆହୁରି ଅଧିକ ବଢ଼ୁଅଛି । କୌଣସି ଉପଦେଶ ଶୁଣିଲା ନାହିଁ–ଶାସନ ମାନିଲା ନାହିଁ । ପାଗଳୀ ପରି ଯାହା ଧରିଥିବ, ତାହାହିଁ ତାର ଜୀବନର ବ୍ରତ । ତାକୁ ବୁଝାଇବ କିଏ ? ସେହି ପାଗଳୀ ହିଁ ଅନେକ ସମୟରେ ମୋର ଏକମାତ୍ର ଚିନ୍ତା ।”

 

ପର୍ବତସିଂହ କହିଲେ, ‘‘ବୀରବାଳା ସୁନ୍ଦରୀଶିରୋମଣି ପଦ୍ମିନୀ ପାଇଁ ଭାବନା ? –ନିରର୍ଥକ । ରତ୍ନ ରାଜାଙ୍କୁ ଖୋଜି ଯାଏ, ନା, ରାଜା ନିଜର ମୁକୁଟ–ଭୂଷା କରିବାକୁ ରତ୍ନକୁ ଖୋଜି ବୁଲନ୍ତି ? ପଦ୍ମିନୀ ପରି ଗୁଣବତୀ ଯାହା ଉପରେ କୃପ । ଦୃଷ୍ଟି ପକାଇବ, ସେ ତ ପରମ ଭାଗ୍ୟବାନ । ସେପରି ସୁନ୍ଦରୀର ପ୍ରାଣ ମନ ପରିତୋଷ କରିବାରେ ସେ ଜୀବନର ଶ୍ରେଷ୍ଠ ସୁଖ ଓ ଗୌରବ ଦେଖିବ । ଆପଣଙ୍କର ଏ ଭାବନା କାହିଁକି ?”

 

‘‘ମୁଁ ଆପଣଙ୍କ ଆକାର ଓ ଭଦ୍ରସୁନ୍ଦର ବ୍ୟବହାରରୁ ସ୍ପଷ୍ଟ ବୁଝିପାରିଛି, ଆପଣ ଯେ କୌଣସି ସୁନ୍ଦରୀର ଅବହେଳାର ପାତ୍ର ନୁହନ୍ତି । ସୁର–ସୁନ୍ଦରୀ ମଧ୍ୟ ଆପଣଙ୍କୁ ପାଇଁ ନିଜ ଜୀବନକୁ ଧନ୍ୟ ମାନେ କରିବ; କିନ୍ତୁ ପଦ୍ମିନୀର ସୌଭାଗ୍ୟ କାହିଁ, ଆପଣଙ୍କୁ ପତି କରି ପାଇବ ? ମୋର ବା ସେ ଭାଗ୍ୟ କାହିଁ, ଆପଣଙ୍କ ପରି ଗୁଣବାନ୍‍ ବ୍ୟକ୍ତି ମୋର ଜାମାତା ହେବେ ? ପଦ୍ମିନୀର ପାଗଳ କଳ୍ପନା ଶୁଣିଛନ୍ତି କି ? ତେବେ ଶୁଣନ୍ତୁ । ଘୋର ପ୍ରତିଜ୍ଞା ଆଫଗାନ ବୀର ଦାଉଦଙ୍କଠାରୁ ଯେ ତାର ପିତୃରାଜ୍ୟ ଛଡ଼ାଇ ଆଣିଦେବ, ସେ କଣା ହେଉ କି କୁଜା ହେଉ, ସୁନ୍ଦର ହେଉ ବା କୁତ୍ସିତ ହେଉ ଦେବତା ହେଉ ବା ରାକ୍ଷସ ପରି ଘୃଣ୍ୟ ହେଉ, ସେ ହସି ହସି ତାହାର ପାଣିଗ୍ରହଣ କରିବ । ଆଉ ତାହା ନ କରି ସ୍ୱର୍ଗର ଦେବତା ଆସି ପ୍ରେମଭିକାରୀ ହେଲେ ମଧ୍ୟ ତାହା ପାଇବ ନାହିଁ । ଏହା କି ସମ୍ଭବ ? ପ୍ରବଳପ୍ରତାପ ଦାଉଦଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିବାକୁ ଯିବା କିଏ ?”

 

"ଅତି ଆନନ୍ଦରେ ଆଜି ମୁଁ ଏ ଭାର ହାତରେ ନେଉଅଛି । ପଦ୍ମିନୀ ପରି ବୀରବାଳା ପକ୍ଷରେ ଏହିପରି କଠୋରପଣହିଁ ସୁନ୍ଦର ଓ ସମୀଚୀନ । ମୁଁ ପ୍ରତିଜ୍ଞା କରୁଅଛି–ଆପଣଙ୍କ ରାଜଧାନୀ ‘ରାଜଗୃହ’ ଜୟ କରି ଫେରାଇ ଆଣେ, ନୋହିଲେ ସମ୍ମୁଖ ସଂଗ୍ରାମରେ ପ୍ରାଣ ଦାନ କରେଁ, ଏ ଦୁଇରୁ ଗୋଟିଏ ହେବ ।”

 

ସେହିଦିନ ପଦ୍ମିନୀର ବିବାହ ସକାଶେ ଆଉ ଗୋଟିଏ ସମ୍ବନ୍ଧ ଆସି ଉପସ୍ଥିତ ହୋଇଥିଲା । ଅବଶ୍ୟ ସେ ସମ୍ବନ୍ଧଟି ବଡ଼ ଅଦ୍ଭୁତ ଧରଣର–ସେ କଳ୍ପନା ମଧ୍ୟ କରି ନ ଥିଲେ । ପଦ୍ମିନୀଙ୍କ ଅଲୌକିକ ସୌନ୍ଦର୍ଯ୍ୟ କାହାଣୀ ଆଫଗାନ ବୀର ଦାଉଦଙ୍କ କାନକୁ ଗଲା । ଦାଉଦଙ୍କର ବିବାହସୀମା ବର୍ତ୍ତମାନ ସମ୍ପୂର୍ଣ୍ଣ ଅତିକ୍ରାନ୍ତ ହୋଇଅଛି, ବୟସାଧିକ୍ୟରୁ ଶରୀରର ଶକ୍ତି ସାମର୍ଥ୍ୟ କ୍ରମଶଃ କ୍ଷୀଣତର ହେବାକୁ ବସିଲାଣି, ଆଉ ମଧ୍ୟ ନିଜର ଦୁଇଗୋଟି ସୁନ୍ଦରୀ ମୁସଲମାନ ପତ୍ନୀ ଅଛନ୍ତି, ତଥାପି ତାଙ୍କର ଭୋଗଲାଲାସା ହିନ୍ଦୁରମଣୀ ପଦ୍ମିନୀଙ୍କ ପ୍ରତି ଧାବିତ ହେଲା । ସେ ଜଣେ ବିଶ୍ୱସ୍ତ ସମ୍ବାଦବାହକ ହାତରେ ଖଣ୍ଡିଏ ବିଚିତ୍ର ପତ୍ର ଅଜିତସିଂହଙ୍କ ନାମରେ ପଠାଇଥିଲେ । ପତ୍ରଟି ପଦ୍ମିନୀଙ୍କ ରୂପବର୍ଣ୍ଣନାର ଗୋଟିଏ ପ୍ରେମମୟ କବିତା । ସମସ୍ତ ପତ୍ରଟି ପୂର୍ଣ୍ଣରୂପେ ଉଦ୍ଧାର କରିବାକୁ ଏଠାରେ ସ୍ଥାନ ନାହିଁ । ତେବେ ସଂକ୍ଷେପ୍ତରେ ପ୍ରକାଶ କରେ; ସେ ଲେଖିଥିଲେ- ‘ଚନ୍ଦ୍ରବଦନା, ଏଣିଦୃଶା, ମୁକ୍ତାନିନ୍ଦରମଣୀୟଦନ୍ତି, ପ୍ରବାଳୋଷ୍ଠା, ପ୍ରଳମ୍ବକୁନ୍ତଳା, ପଦ୍ମଗନ୍ଧା, କ୍ଷୀଣକଟୀ, ସୁନ୍ଦରୀଲାଲାମଭୁତା ପଦ୍ମିନୀଙ୍କୁ ସେ ନିଜ ହୃଦୟରାଜ୍ୟର ଅଧୀଶ୍ୱରୀ କରିବାକୁ ଇଚ୍ଛା କରନ୍ତି । ସେଥିପାଇଁ ପଦ୍ମିନୀ ଆସି ତାଙ୍କର ଯଥାଯୁକ୍ତ ଅଧିକାର ଗ୍ରହଣ କରନ୍ତୁ । ' ପତ୍ରର ଶେଷ ପର୍ଯ୍ୟନ୍ତ କିନ୍ତୁ ଏହିପରି ପ୍ରଶଂସାବାଦ ବା ପ୍ରେମର ମଧୁମୟ ବର୍ଣ୍ଣନାରେ ପୂର୍ଣ୍ଣ ନ ଥିଲା । ଟିକିଏ ଭୟ ପ୍ରଦର୍ଶନରେ ପତ୍ରଟିର ଉପସଂହାର ହୋଇଥିଲା । ପ୍ରକାଶ ଥିଲା–ତାଙ୍କର ପ୍ରଦତ୍ତ ସମ୍ମାନ ଆଦରରେ ଗୃହୀତ ନ ହେଲେ, ସେ ସସୈନ୍ୟରେ ଅଜିତସିଂହଙ୍କର ଅରଣ୍ୟକୁଟୀରକୁ ଆକ୍ରମଣ କରି ପଦ୍ମିନୀଙ୍କୁ ବଳପ୍ରୟୋଗରେ ହରଣ କରିବେ ।

 

ଯେଉଁଦିନ ପର୍ବତସିଂହ ଅଜିତସିଂହଙ୍କ କୁଟୀରରେ ଅତିଥି, ଦୂତ ଦାଉଦଙ୍କ ପତ୍ର ନେଇ ସେହିଦିନ ଆସି ପହଞ୍ଚିଲା । ପତ୍ର ପାଠ କରୁ କରୁ ଅଜିତସିଂହ କ୍ରୋଧରେ ପ୍ରକମ୍ପିତ ହୋଇ ଉଠିଲେ; ଇର୍ଷା, ଘୃଣାରେ ମୁଖ ଓ ଚକ୍ଷୁ ରକ୍ତବର୍ଣ୍ଣ ଧାରଣ କଲା । ଇଚ୍ଛା ହେଲା ସେହିକ୍ଷଣି ଦୂତର ଶିରଶ୍ଛେଦନ କରନ୍ତେ । ତା କି ହୋଇପାରେ ? ସେ ଯେ ଦୂତ ? ସେ ଦୂତକୁ କିଛି ନ କହି ତତକ୍ଷାଣତ୍‍ ପଦ୍ମିନୀଙ୍କ କୁଟୀରକୁ ଗମନ କଲେ । ଦାଉଦଙ୍କର ଅହଙ୍କାର ଦେଖି ପଦ୍ମିନୀଙ୍କର ମଧ୍ୟ ଭୟଙ୍କର କ୍ରୋଧ ହେଲା । କିନ୍ତୁ ପଦ୍ମିନୀ ଅନ୍ତରରେ କ୍ରୋଧ ବାହାରେ ପ୍ରକାଶ ନ କରି ପିତାଙ୍କୁ ଶାନ୍ତ କରିବାକୁ ଲାଗିଲେ ପରେ ଅଜିତସିଂହ ଟିକିଏ ଶାନ୍ତ ହେବାରୁ ସେ ପଦ୍ମିନୀଙ୍କ ପର୍ବତସିଂହଙ୍କର ଇଚ୍ଛା ଓ ପ୍ରତିଜ୍ଞା ଜଣାଇଲେ ।

 

ଦୁଃଖ, ବିପଦହିଁ ବୀରହୃଦୟର ପରୀକ୍ଷାସ୍ଥଳ । ବୀରର ପ୍ରତ୍ୟପ୍ତନ୍ନମତି ଦୁଃଖ, ବିପଦ–ଯୋଗରେ ପ୍ରଜ୍ଵଳିତ ହୋଇ ଉଠେ । ବୁଦ୍ଧିମତୀ ପଦ୍ମିନୀଙ୍କୁ ବିପଦରୁ ଉଦ୍ଧାରର ଉପାୟ ହଠାତ୍‍ ଦେଖାଗଲା । ସେ ପିତାଙ୍କୁ କହିଲେ, ‘‘ଦେଖି ପାରୁଛି, ଦୁଇଜଣ ମୋ ପ୍ରତି ଆସକ୍ତ–ଜଣେ ବୃଦ୍ଧ, ଖର୍ବକାୟ, ଅସୁନ୍ଦର ଓ ବିଧର୍ମୀ ଆଉ ଅନ୍ୟ ଜଣକ ଦୀର୍ଘକାୟ, ସୁନ୍ଦର ସ୍ଵଜାତିର ଯୁବକ, ବୀର । ଜଣକର ଆକାର ପ୍ରକାର ଅନ୍ୟ ଜଣକର ସମ୍ପୂର୍ଣ୍ଣ ବିପରୀତ । ଏ ଦୁଇ ବିଷମ ପ୍ରଣୟ ମଧ୍ୟରେ ଆମ୍ଭମାନଙ୍କର ରାଜ୍ୟ ଓ ସମ୍ମାନ ଉଦ୍ଧାରରେ ପଥ ମୋତେ ସ୍ପଷ୍ଟ ଦେଖା ଯାଉଅଛି । ଆମର ନୂତନ ଅତିଥି ଯେତେବେଳେ ମୋ ସକାଶେ ‘ରାଜଗୃହ’ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି ଚାଲନ୍ତୁ, ଦୁହେଁ ତାଙ୍କ ସହିତ ବିଚାର କରି କର୍ତ୍ତବ୍ୟ ସ୍ଥିର କରିବା ।”

 

ବିଚାର ପଡ଼ିଲା । ସ୍ଥିର ହେଲା, ଦାଉଦଙ୍କୁ ଜଣାଇବାକୁ ହେବ ଯେ, ତାଙ୍କର ପ୍ରସ୍ତାବ ଗୃହୀତ ହୋଇଅଛି, ମାସକ ମଧ୍ୟରେ ପଦ୍ମିନୀ ଦାସୀ ପରିଜନ ସହିତ ପଠା ହେଉଛନ୍ତି । କିନ୍ତୁ ଅଜିତସିଂହଙ୍କୁ ତାଙ୍କର କେତେକ ରାଜ୍ୟ ଛାଡ଼ି ତ ଦେଲେ, ପଦ୍ମିନୀ ତାଙ୍କୁ ବିବାହ କରିବେ ନାହିଁ ।

 

ପଦ୍ମିନୀଙ୍କ ସୌନ୍ଦର୍ଯ୍ୟରେ ଦାଉଦ ଏତେଦୂର ବିଭୋଳ ହୋଇଥିଲେ ଯେ, ସେ ଯେ କୌଣସି ପ୍ରସ୍ତାବ ଅସ୍ୱୀକାର କରି ପାରନ୍ତେ ନାହିଁ । ଉଭୟ ପକ୍ଷ ଏହିପରି ସନ୍ତୋଷ ସହକାରେ ପ୍ରସ୍ତାବଟି ଗ୍ରହଣ କରେ ବୋଲି ସମସ୍ତେ ଜାଣିଲେ । ପଦ୍ମିନୀ ଦାଉଦଙ୍କ ରାଜପୁରୀକୁ ପ୍ରେରିତ ହେବ ପରେ ସେ ଅଜିତସିଂହଙ୍କୁ ସ୍ୱୀକୃତ ରାଜ୍ୟ ଛାଡ଼ିଦେବ ବୋଲି ସ୍ଥିର ହେଲା । କିନ୍ତୁ ସେ ସମୟରେ ରାଜ୍ୟସମ୍ପଦଲୋଭୀ ମୁସଲମାନ ରାଜାମାନଙ୍କୁ ବିଶ୍ୱାସ ନ ଥିଲା; ସେମାନେ ସବୁ କ୍ଷେତ୍ରରେ ସବୁବେଳେ କାର୍ଯ୍ୟସିଦ୍ଧି ନ ହେବାଯାଏ ତୁମର, ସ୍ୱାର୍ଥ–ଆଶା ଶେଷ ହେଲେ ସେ କ୍ଷଣକେ ସକଳ ବନ୍ଧୁତା, ସକଳ ଉପକାର ବିସ୍ମୃତ ହୋଇ ଭୀଷଣ ଶତ୍ରୁଭାବରେ ଦେଖାଦେବେ । ବହୁକ୍ଷେତ୍ରରେ, ଏହି କପଟ ଓ ବିଶ୍ୱାସଘାତକତାହିଁ ଦାଉଦଙ୍କର ରଣନୀତି ରାଜ୍ୟବିସ୍ତାରର ଅବଲମ୍ବନ ଥିଲା । ଜୀବନର ବହୁ ଅନୁଭୂତ ପରେ ଆଜି ଦାଉଦଙ୍କୁ ପୂର୍ଣ୍ଣ ଅବିମୃଷ୍ୟକାରିତା ବୋଲି ଅନେକଙ୍କୁ ବୋଧ ହେଲା ।

 

ଧର୍ମଯୁଦ୍ଧପ୍ରବଣ ହିନ୍ଦୁମାନଙ୍କର ଧର୍ମ ଓ ବିଶ୍ୱାସହିଁ ରାଜ୍ୟବିସ୍ତାରର ନୀତି–ସରଳ କୋମଳ ବ୍ୟବହାର, ହୃଦୟ ଅଧିକାର କରିବାର କୌଶଳ । ସେମାନେ ଏହାରି ବଳରେ ଯୁଗେ ଯୁଗେ ମାନଵପ୍ରାଣରେ ଅନନ୍ତ ଅଧିକାର ବିସ୍ତାର କରି ଆସିଅଛନ୍ତି, କିନ୍ତୁ ପାପକୁଟିଳ ଜଘନ୍ୟ ହୃଦୟରେ ଏଗୁଡ଼ିକର ପ୍ରଭାବ ଅତି ଅଳ୍ପ । ପାପ ପ୍ରବଳ ହେଲାବେଳେ ଧର୍ମ କହ, ବିଶ୍ୱାସ କହ, କାହାର ସ୍ଥାନ ନାହିଁ । ସେହି ହେତୁରୁ ତ ଆଜି ଆର୍ଯ୍ୟର ଏ ଦୁର୍ଦ୍ଦଶା । ଏହି ସରଳ ବିଶ୍ୱାସଯୋଗୁଁ ହିନ୍ଦୁର ରାଜ୍ୟ ଯାଇଅଛି, ଆସନ ଯାଇଅଛି, ସୌଭାଗ୍ୟ ଯାଇଅଛି, ମହତ୍ୱର କ୍ଷୀଣ ଆଭା ମଧ୍ୟ ଅନେକ ସମୟରେ ଲୁଚି ଯାଇଅଛି । ଏହିପରି ବହୁ ନିର୍ଯ୍ୟାତନା ଓ ବିଶ୍ୱାସଘାତକତାର ଘାତ ପ୍ରତିଘାତରେ ଆସି ସ୍ୱଭାବସରଳ ହିନ୍ଦୁ ପ୍ରକୃତିରେ କ୍ରମେ କୁଟିଳତା ମିଶି ଯିବାକୁ ଲାଗିଲା । ବାରମ୍ବାର ବିପଦରେ ପଡ଼ି ହିନ୍ଦୁ ଶିଖିବାକୁ ବାଧ୍ୟ ହେଲା, ‘‘ଶଠେ ଶାଠ୍ୟ" ସମାଚରେତ ।” ହିନ୍ଦୁ ବୀରତ୍ୱରେ ଶଠର ପ୍ରତି ଶାଠ୍ୟଭାବ କ୍ରମେ କ୍ରମେ ବିକଶିତ ହୋଇ ଶିବାଜୀଙ୍କର ଜୀବନର ପୂର୍ଣ୍ଣବିକାଶ ଲଭିଥିଲା ବୋଲି ଅନେକ ଐତିହାସିକଙ୍କର ମତ ।

 

ପଦ୍ମିନୀ ରାଜପୁତ ରାଜକନ୍ୟା । ଦାଉଦ ପ୍ରବଳପ୍ରତାପଶାଳୀ ରାଜା । ରାଜକନ୍ୟା ପଦ୍ମିନୀ ସାଧାରଣ ଘଟଣାରେ ମଧ୍ୟ ଦାସୀପରିଜନ ପରିବେଷ୍ଟିତ ହୋଇ ଭ୍ରମଣ କରିବାର କଥା, ପୁଣି ସେ ଦିଗବିଜୟୀ ସମ୍ରାଟ ଦାଉଦଙ୍କୁ ବରଣ କରିବାକୁ ଯିବେ । ଏଥିରେ କାନ୍ୟାପାତ୍ରିଙ୍କର ସମାରୋହ ବଢ଼ି ନ ଯିବ କାହିଁକି ? ଏକମାସ ପରେ ପଦ୍ମିନୀ ପିତାଙ୍କର ଅରଣ୍ୟକୁଟୀରରୁ ବାହାରି ଦାଉଦଙ୍କୁ ବରଣ କରିବା ପାଇଁ 'ରାଜଗୃହ' ଅଭିମୁଖରେ ଯାତ୍ରା କଲେ । ଆଜି ପଦ୍ମିନୀଙ୍କ ବେଶଭୂଷଣ ପରିପାଟି ବଡ଼ ବିଚିତ୍ର ଧରଣର । ତାଙ୍କର ବିଶ୍ୱାସ ସେ ସେହି ବେଶରେ ଦାଉଦଙ୍କର ମନମୋହନ ନୁହେ, ଚିରଦିନପାଇଁ ପ୍ରାଣ ହରଣ କରିବେ । କନ୍ୟାପାତ୍ରିମାନଙ୍କର ଭୂଷଣ ପରିପାଟି ମଧ୍ୟ ତଦନରୂପ । ପଦ୍ମିନୀ ମଧ୍ୟଦେଶରେ ଗୋଟିଏ ସବାରୀରେ ଯାଉଛନ୍ତି । ସବାରୀଟି ରେଶମର ବହୁମୂଲ୍ୟ ପରଦାରେ ଆବୃତ । ଠିକ୍‍ ପାଖକୁ ଲାଗିକରି ଗୋଟିଏ ଦୀର୍ଘକାୟ ସଇଶ ଗୋଟିଏ ସୁନ୍ଦର ଆରବୀୟ ଅଶ୍ୱ ଚଳାଇ କରି ନେଉଅଛି । ଟିକିଏ ନିରୀକ୍ଷଣ କରି ଦେଖିଲେ ଜଣା ଯାଉଅଛି, ସଇଶଟି ଆଉ କେହି ନୁହେ–ରାଜପୁତ ବୀର ପର୍ବତସିଂହ । ଏହି ସଵାରି ପ୍ରତ୍ୟେକ ପାର୍ଶ୍ୱରେ ତିନିଗୋଟି ଲେଖାଏଁ ସବାରି । ସେଥିରେ ଯାଉଥିବା ଛ'ଜଣ ପଦ୍ମିନୀଙ୍କର ଅନ୍ତରଙ୍ଗ ଦାସୀ ବୋଲି ପରିଚିତ । ଏମାନେ ନୂତନ ଗୃହରେ ପଦ୍ମିନୀଙ୍କ ସେବା କରିବାକୁ ଯାଉଅଛନ୍ତି । କିନ୍ତୁ ପ୍ରକୃତରେ ଏମାନେ ସ୍ତ୍ରୀ ବେଶରେ ସଜ୍ଜିତ ଗୋଟିଏ ଗୋଟିଏ ରାଜପୁତ ସୈନିକ । ସେମାନଙ୍କ ଢାଲ ଓ ଅସ୍ତ୍ର ଶସ୍ତ୍ର ସବୁ ସବାରିମାନଙ୍କ ମଧ୍ୟରେ ଲୁକକାୟିତ । ପ୍ରତ୍ୟେକ ସବାରି ସକାଶେ ଛ'ଜଣ ଲେଖାଏଁ ବାହକ ସେମାନେ ସାଧାରଣ ଗଉଡ଼ ନୁହନ୍ତି–ଗଉଡ଼ ବେଶରେ ଭୀଷଣ ରଣକ୍ଷେତ୍ରରେ ପରୀକ୍ଷିତ ଗୋଟିଏ ଗୋଟିଏ ବିଶାଳକାୟ ସାହସୀ ରାଜପୁତ ବୀର । ପଦ୍ମିନୀଙ୍କ ସଙ୍ଗେ ସଙ୍ଗେ ତାଙ୍କ ପ୍ରକାଣ୍ଡ ଧନୁ ଓ ଅମୋଘ ଶରଜାଲ । ଏହିପରି ପର୍ବତସିଂହଙ୍କୁ ମିଶାଇ ଶାନ୍ତିର ବେଶରେ ଅଣଚାଶ ଜଣ ଦୁର୍ଦ୍ଦାନ୍ତ ଯୋଦ୍ଧା ଗତି କରୁଅଛନ୍ତି । ଡାଛଡ଼ା ଆଉ ତିରିଶଜଣ ରାଜପୁତ ସୈନିକବେଶରେ ପଦ୍ମିନୀଙ୍କ ଶରୀରରକ୍ଷକରୂପେ ପ୍ରକାଶଭାବରେ ଯାଉଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶରେ ଦୁଇଗୋଟି ଲେଖାଏ ଶାଣିତ ତରବାରୀ । ଏଥିରେ ଶତ୍ରୁମାନଙ୍କର ସନ୍ଦେହ କରିବାର କୌଣସି କାରଣ ନାହିଁ । ରାଜପୁତ ରାଜପୁରୀର ଶରୀରରକ୍ଷକମାନ ସାଧାରଣତଃ ଦୁଇଗୋଟି ଲେଖାଏଁ ତରବାରୀ ଧାରଣ କରନ୍ତି । ରାଜପୁତ ବୀରମାନେ ସବୁ ସମୟରେ ନିର୍ଭୟ ଓ ଭୀଷଣ, ସେଥିରେ ପୁଣି ଏ ଶାନ୍ତିମୟ ବୈବାହିକ ବେଶରେ ଏମାନେ ଆହୁରି ନିର୍ଭୟ ଓ ଦୁର୍ଦ୍ଦାନ୍ତ ବୋଧ ହେଉଅଛନ୍ତି ।

 

ଏଣେ ଦାଉଦ ସିଂହଦ୍ୱାର ଛାଡ଼ି ପ୍ରାୟ ଦୁଇ କ୍ରୋଶ ପଥ ଅଗ୍ରସର ହୋଇ ଆସିଅଛନ୍ତି, ସଙ୍ଗରେ ବିଂଶତି ବନ୍ଧୁ ପରିଜନ । ସମସ୍ତେ ଗୋଟିଏ ଗୋଟିଏ ସୁଭୂଷିତ ଅଶ୍ୱ ପୃଷ୍ଠରେ ଆସୀନ । ଏମାନେ ପଦ୍ମିନୀଙ୍କୁ ଅଭ୍ୟର୍ଥନା କରି ପାଛୋଟି ନେବାକୁ ଏତେଦୂର ଆସିଅଛନ୍ତି । ଦାଉଦ ଭୂଷଣ ପରିଚ୍ଛଦରେ ସାଧାରଣତଃ ଟିକିଏ ଆସ୍ଫାଳନ କରିଥାନ୍ତି; ଆଜି ପୁଣି ପ୍ରେମିକର ସାଜରେ ସେ ଆସ୍ଫାଳନ ଟିକିଏ ବୃଦ୍ଧିଲାଭ କଲାପରି ଜଣାଯାଏ । ପୋଷାକ ପରିଚ୍ଛଦର ପରିଧାନ ପରିପାଟିରେ ତାଙ୍କର ସେ ଖର୍ବକାୟ ବହୁ ପରିମାଣରେ ଲୁକକାୟିତ ହୋଇଅଛି । ବିଚକ୍ଷଣ ଅଶ୍ଵାରୋହୀ ପରି ସେ ଆଜି ଅଶ୍ୱକୁ କଦମ୍ବ ଚାଲିରେ ଚଢ଼ାଉଅଛନ୍ତି । ପଦ୍ମିନୀ ସରଦାର ଅନ୍ତରାଳରୁ ନିଜର ପ୍ରାଣପ୍ରବଦ୍ଧ ପ୍ରେମିକ ଦାଉଦଙ୍କର ଏହି ଵୀରବୟ, ବିଚିତ୍ର ଭୂଷଣ ପରିପାଟି ଦେଖି ମନେ ମନେ ପ୍ରଶଂସା କଲେ । ଦାଉଦ ଜଣେ ବିଖ୍ୟାତ ବୀରପୁରୁଷ । ଶାସ୍ତ୍ରଧାରଣ ଦିନଠାରୁ ସେ ଅତୁଳ ସାହସରେ ଶତ ଶତ ଯୁଦ୍ଧ ଜୟ କରିଅଛନ୍ତି । ଅନେକ ଦୁର୍ଗମ ଦୁର୍ଗରେ ନିଜର ବିଜୟ ପତାକା ଉଡ଼ାଇଅଛନ୍ତି । ଦାଉଦ ଟିକିଏ ଖର୍ବକାୟ ଓ କୁତ୍ସିତ ସତ, କିନ୍ତୁ ପଦ୍ମିନୀଙ୍କର ଚକ୍ଷୁ ସେ ବାହାରର ସୌନ୍ଦର୍ଯ୍ୟରେ ନାହିଁ । ହୃଦୟର ବଳିଷ୍ଠତା, ଅନ୍ତରର ଗରିମା ପଦ୍ମିନୀଙ୍କ ଆଖିକୁ ଦେଖାଗଲା, ସେ ଦାଉଦଙ୍କୁ ମନେ ମନେ ପ୍ରଶଂସା କଲେ । ଆମ୍ଭମାନଙ୍କର ସେଥିରେ ବିସ୍ମିତ ହେବାର କିଛି ନାହିଁ–ବୀର କେବଳ ବୀରତ୍ୱର ଆଦର କରି ଜାଣେ ।

 

କନ୍ୟାଯାତ୍ରିଦଳଙ୍କୁ ମହାସମାରୋହରେ ଗ୍ରହଣ କରିବା ପାଇଁ ନଗରର ଚତୁର୍ଦ୍ଦିଗ ଡାଳ ପୁଷ୍ପରେ ସଜ୍ଜିତ ହୋଇଥିଲା । ଦୁର୍ଗର ସାଜସଜ୍ଜା କହିବା କାହିଁକି ? କେଡ଼େ କେଡ଼େ ବିଚିତ୍ର ତୋରଣ, କେତେ ରଙ୍ଗର, କେତେ ରକମର କାଗଜ ଓ ଜରିର କାମରେ ପୂର ସବୁ ଝଟକି ଉଠୁଅଛି-। ଦୁର୍ଗର ଦ୍ୱାର ପଦ୍ମିନୀଙ୍କୁ ଅଭ୍ୟର୍ଥନା କରିବା ପାଇଁ ପୂର୍ଣ୍ଣ ଉନ୍ମୁକ୍ତ ହୋଇ ସତେ ଅବା ଚାହିଁ ରହିଅଛି-। ପୁଣି ଏ ବିବାହ ଉତ୍ସବ ଦେଖିବାପାଇଁ ରାଜ୍ୟର ଚତୁର୍ଦ୍ଦିଗରୁ ପ୍ରଜାପୁଞ୍ଜି ଆସି ଏକତ୍ରିତ ହୋଇଅଛନ୍ତି । ସେ ବିଶାଳ ଜନତାର ଆନନ୍ଦ ପରିପୂର୍ଣ୍ଣ କରି ପଦ୍ମିନୀ ନିଜ ସହଯାତ୍ରୀମାନଙ୍କ ସହ ଦୁର୍ଗାଙ୍ଗନରେ ଆସି ଉପସ୍ଥିତ ହେଲେ । ସାତଖଣ୍ଡଯାକ ସବାରି ଭୂତଳରେ ସ୍ଥାପିତ ହେଲା । ମୁହୂର୍ତ୍ତ ବିଳମ୍ବ ନ କରି ପଦ୍ମିନୀ ଧନୁଶରହସ୍ତରେ ମଧ୍ୟସ୍ଥିତ ସବାରିରୁ ବହିର୍ଗତ ହେଲେ । ଚାହୁଁ ଚାହୁଁ ପର୍ଵତସିଂହଙ୍କ ଚାଳିତ ଆରବୀୟ ଅଶ୍ୱ ଉପରକୁ ଉଠିଗଲେ । ହଠାତ୍‍ ଅନ୍ୟାନ୍ୟ ସହଯାତ୍ରୀମାନଙ୍କ ବେଶରେ ମଧ୍ୟ ଭୀଷଣ ପରିବର୍ତ୍ତନ ଦେଖାଦେଲା । ପଦ୍ମିନୀଙ୍କ ସଖୀମାନେ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ରୁଦ୍ର–ମୂର୍ତ୍ତି ଧରି ଅନ୍ୟ ସବାରିମାନଙ୍କରୁ ବହିର୍ଗତ ହେଲେ । ସବାରିବାହକମାନେ ପଲକପାତ ମାତ୍ରକେ ଯୋଦ୍ଧାର ଉପଯୁକ୍ତ ବେଶରେ ସଜ୍ଜିତ ହୋଇ ପଡ଼ିଲେ । ଶରୀରରକ୍ଷକ ବେଶରେ ଆଗତ ରାଜପୁତମାନେ ସେମାନଙ୍କୁ ନିଜ ନିଜର ବଳକା ତରବାରୀ ଗୁଡ଼ିକ ବଢ଼ାଇ ଦେଲେ । ଏ ଅଚିନ୍ତିତପୂର୍ବ ଭୀଷଣ ଅଭିନୟ ଦେଖି, ଉପସ୍ଥିତ ଜନତା କିଂକର୍ତ୍ତବ୍ୟବିମୂଢ଼ ହୋଇ କେବଳ ଚାହିଁ ରହିଲା ।

 

କାହିଁ ଦାଉଦ ଅପୂର୍ବ ସୁନ୍ଦରୀ ପଦ୍ମିନୀଙ୍କ ସହବାସର ସ୍ୱର୍ଗୀୟ ସୁଖ କଳ୍ପନାରେ ଭାସୁଥିଲେ, କାହିଁ ପୁଣି ସେହି ପରାଣପ୍ରତିମା ଆଦରର ଧନ ପଦ୍ମିନୀ ତାଙ୍କୁ ରକ୍ତ ପିପାସୁ ରଣଚଣ୍ଡୀରୂପେ ଗ୍ରାସ କରିବାକୁ ବସିଅଛି ! ବିଚିତ୍ର ବନବାସିନୀ ସତେ କି ମାୟା ଜାଣେ ! ଦାଉଦ ବର୍ତ୍ତମାନ କେଉଁ ସ୍ଵର୍ଗରାଜ୍ୟରୁ ଅତଳ ପାତାଳକୁ ଖସି ପଡ଼ିଲେ । ସେ ଏତେକାଳ ପରେ ବୁଝିପାରିଲେ, କୂଟନୀତିର ଆଶ୍ରୟ ନେଲେ ଜଣେ ମାତ୍ର ଦୀନ ହିନ୍ଦୁ-ଅବଳା ମଧ୍ୟ ପ୍ରଳୟର ଆୟୋଜନ କରି ପାରେ ।

 

ଦାଉଦ ଜଣେ ବିଚକ୍ଷଣ ଯୋଦ୍ଧା, ବିପଦ ଦେଖି ଭୀତ ହେବା ତାଙ୍କର ପ୍ରକୃତି ନୁହେ । ଦାଉଦଙ୍କ ପ୍ରଣୟାର୍ଦ୍ର ହୃଦୟ କ୍ଷଣକେ ଶିଳାସମ କଠିନ ହୋଇ ଉଠିଲା । ଚାହୁଁ ଚାହୁଁ ସେ ଦଳେ ଅଶ୍ଵାରୋହୀ ସୈନ୍ୟଙ୍କୁ ସମର ସାଜରେ ସଜାଇ ଦେଲେ । ପୂରରୁ ଅନ୍ୟାନ୍ୟ ମୁସଲମାନ ଯୋଦ୍ଧାଙ୍କୁ ଜାଗ୍ରତ କରିବା ପାଇଁ ଭୀଷଣ ରଣଶିଙ୍ଗା ବାଜି ଉଠିଲା । କନ୍ୟାଯାତ୍ରୀଦଳ ସଙ୍ଗେ ରାଜବିବାହ ଦେଖିବାକୁ ନଗରରୁ, ପଲ୍ଲୀମାନଙ୍କରୁ ଅନେକ ସମ୍ଭ୍ରାନ୍ତ ଦର୍ଶକ ଆସିଥିଲେ । ସେମାନଙ୍କ ମଧ୍ୟରୁ କେତେକ ନବାଗତ ମୁସଲମାନ, କିନ୍ତୁ ଅଧିକାଂଶ ନଗରବାସୀ ସ୍ଥାୟୀ ହିନ୍ଦୁ ଅବଳାର ଏ ଅଦ୍ଭୁତ ରଣକୌଶଳ ଦେଖି ହିନ୍ଦୁପ୍ରାଣ ବୀରମଦରେ ନାଚି ଉଠିଲା । ସେମାନଙ୍କ ମଧ୍ୟରେ ଅନେକ ଧର୍ମ ଓ ସ୍ୱାଧୀନତା ପାଇଁ ଯୁଦ୍ଧ କରିବାକୁ ଉନ୍ନତ୍ତ ପ୍ରାଣରେ ଡେଇଁ ପଡ଼ିଲେ ।

 

ପ୍ରଥମେ ଯୁଦ୍ଧର ଆରମ୍ଭ ପଦ୍ମିନୀଙ୍କଠାରୁ । ଅଶ୍ୱ ଉପରକୁ ଉଠିଯିବା ମାତ୍ରକେ ସେ ନିଜର ବିଶାଳ ଧନୁରେ ଗୋଟିଏ ଭୀଷଣ ଶର ସନ୍ଧାନ କରି ଦାଉଦଙ୍କର ବକ୍ଷଦେଶକୁ ଲକ୍ଷ୍ୟ କଲେ-। ଯୁଦ୍ଧ ଏହିଠାରେ ଶେଷ ହୋଇଥାନ୍ତା, କିନ୍ତୁ ରମଣୀ–ପ୍ରାଣ କି ଦୁର୍ବଳ ! ଟିକିଏ ସମ୍ମାନ ଦେଖାଇଲେ, ତା ସୌନ୍ଦର୍ଯ୍ୟର ପ୍ରଶଂସା କଲେ, ଯେ ହୃଦୟ ଲବଣୀଠାରୁ କୋମଳତର ହୋଇଯାଏ; ସେ ଆଉ ପ୍ରଶଂସାକାରୀର ଅନିଷ୍ଟ କରିବେ କିପରି ? ଦାଉଦ ପଦ୍ମିନଙ୍କ ସୌନ୍ଦର୍ଯ୍ୟରେ ପାଗଳ–ଶତମୁଖ ଥିଲେ, ସେ ପଦ୍ମିନଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ଶେଷ କରି ପାରନ୍ତେ ନାହିଁ-। ଏପରି ପ୍ରଶଂସାକାରୀକୁ ବଧ କରିବା ପାଇଁ କେଉଁ ରମଣୀର ହାତ ଯାଇ ପାରେ ? ପଦ୍ମିନଙ୍କ ହସ୍ତରେ ମୃଦୁ ପ୍ରକମ୍ପ ଦେଖାଗଲା, ସେଥି ସଙ୍ଗେ ସଙ୍ଗେ ଶରର ଅଗ୍ରଭାଗ ଟିକିଏ ବଙ୍କେଇ ହୋଇଗଲା । ଦାଉଦଙ୍କ ପରିବର୍ତ୍ତେ ତାଙ୍କ ଅଶ୍ୱବର ଶରବିଦ୍ଧ ହୋଇ ଭୂତଳରେ ପତିତ ହେଲା-। ପଦ୍ମିନୀ, ତୁମର ଏ କି ଦୁର୍ବଳତା ! କ୍ଷଣକର ଦୁର୍ବଳତାରେ ଘଟଣାଟି ବଢ଼ାଇ ସାଂଘାତିକ କରି ପକାଇଲ ।

 

ଆହତ ଅଶ୍ୱଟି ସହ ଦାଉଦ ଭୂତଳରେ ପତିତ ହେଲେ । କିନ୍ତୁ ସେ ଭୀଷଣ ପତନ ପରେ ବି କ୍ଷଣକେ ଉଠି ଦଣ୍ଡାୟମାନ । ସେ ବିଦ୍ୟୁତବେଗରେ ଚତୁର୍ଦ୍ଦିଗରେ ଚକ୍ଷୁ ବୁଲାଇ ଗଲେ । ଦେଖିଲେ, ମୁସଲମାନମାନେ ପୃଷ୍ଠଭଙ୍ଗ ଦେଇ ଦୁର୍ଗର ଅନ୍ତରତମ ଦେଶକୁ ଚଳାଉ ଅଛନ୍ତି ଏବଂ ରାଜପୁତମାନେ ବିଜୟୋଲ୍ଲାସରେ ସେମାନଙ୍କର ପଛେ ପଛେ ଗୋଡ଼ାଇ ଅଛନ୍ତି । ବର୍ତ୍ତମାନ ଯୁଦ୍ଧର ତୁମୁଳତା ଦୁର୍ଗର କେନ୍ଦ୍ରସ୍ଥଳରେ । ପ୍ରତ୍ୟୁତ୍ପନମତ ଦାଉଦ ଶତ୍ରୁମାନେ କି ଭୁଲ କରିଅଛନ୍ତି, ମୁହୂର୍ତ୍ତ ମଧ୍ୟରେ ବୁଝି ପାରିଲେ । ସେ ବର୍ତ୍ତମାନ ଯୁଦ୍ଧର କେନ୍ଦ୍ରସ୍ଥଳ ଆଡ଼କୁ ଗଲେନାହିଁ । ଯାଇ ବା ଏକମାତ୍ର ତରବାରିର ଆଶ୍ରୟରେ ସେ ଭୀଷଣ ସ୍ଥଳରେ କଣ କରନ୍ତେ ? ସେ ତୀବ୍ରଗତିରେ ଦୁର୍ଗଦ୍ୱାର ଆଡ଼କୁ ଧାଇଁଲେ । ଦୁର୍ଗଦ୍ୱାରରେ ରାଜପୁତମାନଙ୍କର ଚିହ୍ନ ନାହିଁ । ବାର୍ତ୍ତମାନ କୌଣସିମତେ ଦୁର୍ଗଦ୍ୱାର ରୁଦ୍ଧ ହେଲେ, ଆଉ ରାଜପୁତମାନଙ୍କର ରକ୍ଷା ନାହିଁ, ବାହାରରୁ ସାହାଯ୍ୟ ମିଳି ପାରିବ ନାହିଁ, ଅଳ୍ପସଂଖ୍ୟକ ରାଜପୁତ ଅବଶେଷରେ ପିଞ୍ଜରାବଦ୍ଧ କିନ୍ତୁ ପରି ହୀନବଳ ହୋଇ ଅଧୀନତା ସ୍ୱୀକାର କରିବେ, ଗର୍ଵିତା ପଦ୍ମିନୀ ଦାଉଦଙ୍କ ହାତରେ ପଡ଼ିବ । ଦାଉଦ ଏହିପରି ଭାବି, ଦ୍ୱାର ରୁଦ୍ଧ କରିବା ପାଇଁ ଦ୍ୱାରରକ୍ଷକ ସହ ଉଦ୍ୟମ କରିବାକୁ ଲାଗିଲେ । କିନ୍ତୁ ଉଦ୍ଦେଶ୍ୟ ସଫଳ ହୋଇ ପାରିଲା ନାହିଁ–ମୁହୂର୍ତ୍ତେ ମାତ୍ର ବିଳମ୍ବ ହୋଇଗଲା ।

 

ଦଳେ ନଗରବାସୀ ରାଜପୁତ, ଯୁଦ୍ଧରେ ପଦ୍ମିନୀଙ୍କୁ ସାହାଯ୍ୟ କରିବାପାଇଁ, ପ୍ରାଚୀର ନିକଟରେ ଏକତ୍ର ହେଉଥିଲେ । ଦାଉଦଙ୍କର ଉଦ୍ଦେଶ୍ୟ ବୁଝିପାରି ହଠାତ୍‍ ଆସି ବାଧା ଦେଲେ । ଘୋର ଗଣ୍ଡଗୋଳ ଲାଗି ଉଠିଲା । ଦୁର୍ଗଦ୍ୱାର ରୁଦ୍ଧ ହୋଇ ପାରିଲା ନାହିଁ । କନ୍ୟାପାତ୍ରୀ ରାଜପୁତ ବୀରମାନେ ଏ ମଧ୍ୟରେ ମୁକ୍ତ ଦ୍ୱାର ଦେଇ ନିଜର ସହକାରୀମାନଙ୍କୁ ସାହାଯ୍ୟ କରିବାକୁ ଆସି ଜମା ହୋଇଗଲେ । ବର୍ତ୍ତମାନ ଦାଉଦ ନିଜର ସମସ୍ତ କୌଶଳ ବ୍ୟର୍ଥ ହେବାର ଦେଖି ଆରୋହୀଶୂନ୍ୟ ଗୋଟିଏ ଅଶ୍ୱ ଉପରକୁ ହଠାତ୍‍ ଉଠିଗଲେ । ଶିଙ୍ଗାରବ ଶୁଣି ଦୁର୍ଗର ମୁସଲମାନ ଯୋଦ୍ଧାମାନେ ଏକତ୍ର ହୋଇ ଦାଉଦଙ୍କୁ ଚତୁର୍ଦ୍ଦିଗରୁ ରକ୍ଷା କରିବାକୁ ଲାଗିଲେ । ଦାଉଦ ନିଜର ପରୀକ୍ଷିତ ସୈନ୍ୟମାନଙ୍କୁ ନିକଟରେ ପାଇ ନବୋତ୍ସାହରେ ସେମାନଙ୍କ ଅଗ୍ରଣୀ ହେଲେ । ଏମାନେ ପର୍ବତସିଂହଙ୍କ ସେନାପତିତ୍ୱରେ ଚାଳିତ ଗୋଟିଏ କ୍ଷୁଦ୍ର ରାଜପୁତଦଳକୁ ଭୀଷଣଭାବରେ ଆକ୍ରମଣ କରିବାକୁ ଲାଗିଲେ । ଚତୁର୍ଦ୍ଦିଗରେ ଶତ୍ରୁସୈନ୍ୟ ମଧ୍ୟରେ ପର୍ବତସିଂହ ଅମାନୁଷ ସାହସ ସହକାରେ ଶତ୍ରୁବିମର୍ଦ୍ଦନ କରୁ ଅଛନ୍ତି । ସେ ଭୀମ ବାହୁର ପ୍ରଚଣ୍ଡ ଆଘାତରେ ଶତ ଶତ ପବନମୁଣ୍ଡ ଭୂଲଣ୍ଠିତ ହେଉଅଛି । କିନ୍ତୁ କଣ ହେବ ? ଏପରି ଯୁଦ୍ଧ କେତେକାଳ ଚଳିପାରେ ? ସେ ଯେ ବାରମ୍ବାର ଭୀଷଣ ଆଘାତ ପାଇଲେଣି । ପୁଣି ତାଙ୍କର ପ୍ରିୟ ସାହସୀ ଯୋଦ୍ଧାମାନେ ଯୁଦ୍ଧ କରୁ କରୁ ତାଙ୍କର ଦୃଷ୍ଟି ସମକ୍ଷରେ ଟଳି ପଡ଼ୁଅଛନ୍ତି ।

 

ଏହି ବିଷମ ସଂକଟ ସମୟରେ ହଠାତ ରକ୍ତପିପାସୁ ଚଣ୍ଡୀମୂର୍ତ୍ତି ପରି ପଦ୍ମିନୀଙ୍କର ଭୀଷଣ ମୂର୍ତ୍ତି ଦୂରରୁ ଦେଖାଗଲା । କରାଳ ଶରଜାଲର ସେ ଅବ୍ୟର୍ଥ ଲକ୍ଷରେ ଶତ ଶତ ମୁସଲମାନ ପତିତ ହେବାକୁ ଲାଗିଲେ । ପୁଣି ଶୁଭ ଭାଗ୍ୟକୁ ଦୁର୍ଗର ମୁକ୍ତ ଦ୍ୱାର ଦେଇ ଗୋଟିଏ ପ୍ରବଳ ରାଜପୁତ ଦଳ ସାହାଯ୍ୟ କରିବାକୁ ଆସି ପହଞ୍ଚିଗଲେ । ସଂଖ୍ୟାବୃଦ୍ଧି ସଙ୍ଗେ ପ୍ରତି ହୃଦୟରେ ସାହସ ଜଳି ଉଠିଲା, ଉତ୍ସାହରେ ଶକ୍ତି ବହିଗୁଣିତ ହେଲା, ମୁସଲମାନମାନେ ପ୍ରମାଦ ଗଣିଲେ । ଦୁର୍ଗାଙ୍ଗନା ଆହତ ଓ ମୃତ ଦେହରେ ପୂର୍ଣ୍ଣ ହେଲା, ରକ୍ତସ୍ରୋତ ଭାସିଲା । ଜୟ ଆଶା ପରିତ୍ୟାଗ କରି ମୁସଲମାନମାନେ ଚତୁର୍ଦ୍ଦିଗରେ ପ୍ରାଣ ନେଇ ପଳାୟନ କରିବାକୁ ଲାଗିଲେ । ତଥାପି ଦୁର୍ଦ୍ଧର୍ଷ ଦାଉଦ ଭୀତ ବା ବିଚଳିତ ନୁହନ୍ତି ।

 

ସେ କ୍ଷିପ୍ତ ସିଂହ ପରି ପ୍ରଚଣ୍ଡ ବେଗରେ ପର୍ବତସିଂହଙ୍କ ଆଡ଼କୁ ଅଗ୍ରସର ହେଲେ । ଭାବିଲେ, ସେନାପତିଙ୍କୁ ମାରି ପକାଇଲେ ରାଜପୁତମାନେ ଭଗ୍ନହୃଦୟରେ ପରାସ୍ତ ହେବେ । ସକଳ ବାଧା ଅତିକ୍ରମ କରି ଦାଉଦ ପର୍ବତସିଂହଙ୍କର ନିକଟବର୍ତ୍ତୀ ହେଲେ, ଅବ୍ୟର୍ଥ ସନ୍ଧାନରେ ଶତ୍ରୁଶିର ଲକ୍ଷ୍ୟ କରି ନିଜର ଶାଣିତ କୃପାଣ ଚଳାଇଲେ । ରାଜପୁତମାନଙ୍କର ହୃଦୟ ଭୟରେ ସ୍ପନ୍ଦିତ ହେଲା, ପଦ୍ମିନୀଙ୍କର ଆଖି ବୁଜି ହୋଇଗଲା, କିନ୍ତୁ ପର୍ବତସିଂହ କୌଶଳରେ ଊଣା ନୁହନ୍ତି । ସେ ହଠାତ୍‍ ପଶ୍ଚାଦେଶକୁ ବୁଲି ପଡ଼ି ଏକ ହସ୍ତରେ ଦାଉଦଙ୍କର ତରବାରୀ ଛଡ଼ାଇ ଆଣିଲେ, ଅପର ହସ୍ତରେ ଦାଉଦଙ୍କ କମର ଧରି ପକାଇ ପ୍ରବଳଭାବରେ ଆକର୍ଷଣ କଲେ । ସେ ପ୍ରବଳ ଆକର୍ଷଣରେ ଦାଉଦ ଅଶ୍ୱପୃଷ୍ଠରୁ ଖସି ପଡ଼ିଲେ ।

 

ଦାଉଦ ବର୍ତ୍ତମାନ ବନ୍ଦୀ । ତାଙ୍କର ଏ ଦଶା ଦେଖି, ଅନ୍ୟାନ୍ୟ ମୁସଲମାନ ଯୋଦ୍ଧମାନେ ଯୁଦ୍ଧରୁ ବିରତ ହୋଇ ପର୍ବତସିଂହଙ୍କ ନିକଟରେ ପ୍ରାଣରକ୍ଷା କଲେ । ବିପନ୍ନକୁ ଅନୁଗ୍ରହ ଦେଖାଇବା ରାଜପୁତର ଧର୍ମ । ଏହିକ୍ଷଣି ହସ୍ତର ସଂକେତରେ ସେ ନିଜ ସୈନ୍ୟମାନଙ୍କୁ ଯୁଦ୍ଧରୁ ନିବୃତ୍ତ ହେବାପାଇଁ ଆଦେଶ ଦେଲେ । ଅନତିବିଳମ୍ବରେ ହତାବଶେଷ ମୁସଲମାନ ସୈନ୍ୟ ରାଜଗୃହ ଛାଡ଼ି ପଳାୟନ କଲେ । ଏହି ଭୟଙ୍କର ବିବାହ–ଉତ୍ସବ ପରେ ଦାଉଦଙ୍କ ମଧୁଶଯ୍ୟାର ସ୍ଥାନ ଭୀଷଣ କାରାଗାର ।

 

ଏହିପରି ରାଜଗୃହ ଅଧିକାର କରି ପର୍ବତସିଂହ ପଦ୍ମିନୀଙ୍କୁ ଅଙ୍କଲକ୍ଷ୍ମୀ କଲେ । ଦୁର୍ଗ ପୁନଃପ୍ରାପ୍ତ ହୋଇ ଅଜିତସିଂହ ଯୌତୁକ ସ୍ୱରୂପ ତାହା ପର୍ବତସିଂହଙ୍କୁ ପ୍ରଦାନ କରି ବାନପ୍ରସ୍ଥ ଅବଲମ୍ବନ କରିଥିଲେ । ପରେ ପଦ୍ମିନୀଙ୍କ ଅନୁରୋଧରେ ଦାଉଦଙ୍କୁ କାରାମୁକ୍ତ କରାଯାଇଥିଲା ।

 

ସେ ଗଲାବେଳେ ପ୍ରକାଶ କରିଥିଲେ, ରାଜ୍ୟ ଓ ଦୁର୍ଗଭୋଗ ଅପେକ୍ଷା ପଦ୍ମିନୀଙ୍କର ଥରେମାତ୍ର ଦର୍ଶନଲାଭ ତାଙ୍କ ନିକଟରେ ବିଶେଷ ମୂଲ୍ୟବାନ । କିନ୍ତୁ ମନେ ମନେ ପ୍ରତିଜ୍ଞା କଲେ, ଦିନେ ନା ଦିନେ ପଦ୍ମିନୀଙ୍କୁ ସେ ନିଜର ଅଙ୍କଶାୟିନୀ କରିବେ । ଦାଉଦ ଅନେକ ବର୍ଷ ବଞ୍ଚିଥିଲେ, ବହୁ ଯୁଦ୍ଧରେ ଜୟଲାଭ କରି ବିପୁଳ ଖ୍ୟାତି ମଧ୍ୟ ଅର୍ଜନ କରିଥିଲେ; କିନ୍ତୁ ମରଣର ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର ସେ ମଧୁର ପିପାସା ପୂର୍ଣ୍ଣ ହୋଇ ପାରିଲା ନାହିଁ । ପର୍ବତସିଂହଙ୍କର ବିଶାଳ ଆକାର, ବନବାସିନୀ ପଦ୍ମିନୀଙ୍କର ସେ ଭୀଷଣ ରଣଚଣ୍ଡୀ ମୂର୍ତ୍ତି ମନେ ପଡ଼ିଗଲେ, ଦାଉଦ ଥରହର ହୋଇ କମ୍ପୁଥିଲେ–ଆକ୍ରମଣ କରିବା ତା ଦୂରର କଥା ।

Image

 

ପୃଥ୍ଵୀରାଜ

 

ସଙ୍ଗ, ପୃଥ୍ଵୀରାଜ ଓ ଜୟମଲ୍ଲ ରାଣା ରାୟମଲ୍ଲଙ୍କର ଏହି ତିନି ପୁତ୍ର । ତିନିଜଣଯାକ ବୀର, ସାହସୀ, ଉଦ୍ୟମଶୀଳ ଓ ଶୌର୍ଯ୍ୟଶାଳୀ । ସଙ୍ଗ ସମସ୍ତଙ୍କ ମଧ୍ୟରେ ଜ୍ୟେଷ୍ଠ–ଖାଲି ଜ୍ୟେଷ୍ଠ ନୁହେ, ଜ୍ଞାନଗୌରବ, ବୁଦ୍ଧିମତି ଓ ହୃଦୟର ଉଦାରତାରେ ସର୍ବୋତ୍କୃଷ୍ଟ । ପୃଥ୍ୱୀରାଜ ଜୟମଲ୍ଲଙ୍କର ଦ୍ୱିତୀୟ ପୁତ୍ର, ସମସ୍ତଙ୍କଠାରୁ ଅଧିକ ସଂଗ୍ରାମ-ପିପାସୁ । କିନ୍ତୁ ଜୟମଲ୍ଲ ଈର୍ଷୀ, ସ୍ୱାର୍ଥାନ୍ୱେଷୀ ଓ କପଟୀ । ସଙ୍ଗ ପିତାଙ୍କର ପ୍ରିୟପୁତ୍ର, ସିଂହାସନର ନ୍ୟାଯ୍ୟ ଅଧିକାରୀ । ଅନ୍ୟ ଦୁଇ ଭ୍ରାତାଙ୍କୁ ଏହା ସହ୍ୟ ହେଲା ନାହିଁ । ପୃଥ୍ୱୀରାଜଙ୍କର ଅମାନୁଷ ସାହସ, ପାରିଧିର ପରିପାଟି ଓ ଅଲୌକିକ ରଣପାଣ୍ଡିତ୍ୟ ଲୋକସାଧାରଣର ମମତା, ସମ୍ମାନ ଆକର୍ଷଣ କରି ପାରିଥିଲା । କୌଣସି ଦୁର୍ଦ୍ଦାନ୍ତ ଶତ୍ରୁ ବା ବନ୍ୟ ସିଂହ, ଶାର୍ଦ୍ଦୁଳ ନିକଟରେ ଭୀତ ବା ସଙ୍କୁଚିତ ହେବାର କେହି କେବେ ତାଙ୍କୁ ଦେଖି ନ ଥିଲେ । ସ୍ଥୂଳତଃ ପୃଥ୍ୱୀରାଜଙ୍କଠାରେ ଗର୍ବ କରିବା ପାଇଁ ଯଥେଷ୍ଟ ବିଭବ ଥିଲା । ଯୌବନସୁଲଭ ଗର୍ବର ଚପଳତାରେ ସେ ଭାବିବାକୁ ଲାଗିଲେ–‘‘ସଙ୍ଗ ଜ୍ୟେଷ୍ଠ ସତ, କିନ୍ତୁ ସିଂହାସନର ଗୌରବ ନିରାପଦ ରଖିବାକୁ ତାଙ୍କଠାରେ କ୍ଷତ୍ରିୟୋଚିତ ଶକ୍ତି ସାମର୍ଥ୍ୟ ନାହିଁ । ଅନୁପଯୁକ୍ତ ହେଲେ ମଧ୍ୟ ସେ ସିଂହାସନର ଅଧିକାରୀ, କେବଳ ଭାଗ୍ୟବଳରେ । ଭାଗ୍ୟ ସଙ୍ଗକୁ ଜ୍ୟେଷ୍ଠ କରିଅଛି–ଭାଗ୍ୟହିଁ ମୋର ସିଂହାସନ ପଥରେ ଭଗାରି । ଅସିର ଧାରରେ ଏ ଭାଗ୍ୟ–ନିବଦ୍ଧନ ନିଭାଇବାକୁ ହେବ । ରାଜପୁତବାହିନୀର ନାୟକ ହେବାକୁ, ବିଧର୍ମୀ ବିରୁଦ୍ଧରେ ଯୁଦ୍ଧ କରି ହିନ୍ଦୁ ଗୌରବ ଅକ୍ଷୟ ରଖିବାକୁ ଯେ ଅଧିକତର ନିପୁଣ, ସେହି କେବଳ ସିଂହାସନରେ ବସିବାର ଉପଯୁକ୍ତ । ରାଜମୁକୁଟ ଭୀରୁ କାପୁରୁଷର ମସ୍ତକରେ ଶୋଭା ପାଇ ନ ପାରେ ।”

 

ପୃଥ୍ଵୀରାଜଙ୍କର ଏ ଭାବ ଚାଲିଚଳନରେ, ଭାବଭଙ୍ଗୀରେ, ଏପରି କି ସଙ୍ଗୀ ସ୍ୱଜନମାନଙ୍କ ସଙ୍ଗେ କଥାବାର୍ତ୍ତାରେ ମଧ୍ୟ ପ୍ରକାଶ ପାଇଲା । ସଙ୍ଗ ଦିନେ ଅତର୍କିତଭାବରେ ପୃଥ୍ଵୀରାଜଙ୍କ ମୁଖରୁ ଏପରି ଆକ୍ଷେପ ଶୁଣି ପାରିଲେ । ଉଦାରପ୍ରକୃତିକ ସଙ୍ଗ କହିଲେ, ‘‘ଭାଇ, ବାସ୍ତବିକ ତୁହି କେବଳ ଆମ ତିନି ଭାଇଙ୍କ ମଧ୍ୟରେ ଅଧିକ ସାହସୀ–ରାଜପୁତବାହିନୀର ଚାଳକ ହେବାପାଇଁ ସର୍ବାପେକ୍ଷା ଅଧିକ ଉପଯୁକ୍ତ । ରାଜ୍ୟର ମଙ୍ଗଳ ଉଦ୍ଦେଶ୍ୟରେ ତୁ ରାଜଗାଦିରେ ବସିଲେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ଭାଗ୍ୟର ନିର୍ଦ୍ଦେଶ ଯେତେବେଳେ ମୋର ରାଜା ହେବା, ମୋର ଇଚ୍ଛା, ଆମ୍ଭେ ତିନି ଭାଇ ଥରେ ଆମ୍ଭମାନଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯିବା । ଚାରୁଣ ଦେବୀଙ୍କ ନିକଟରେ ଯେ ଯୋଗିନୀ ଅଛନ୍ତି, ତାଙ୍କୁ ତ୍ରିକାଳର କଥା ଜଣା । ତାଙ୍କର ଆଦେଶ ଅଲଙ୍ଘ୍ୟ । ସେ ଯେଉଁ ଆଦେଶ ଦେଲେ ତାହାରି ଅନୁସାରେ ଆମ୍ଭେମାନେ କାର୍ଯ୍ୟ କରିବା । ଯୋଗିନୀ ଯଦି ତୋତେ ରାଜା ହେବାକୁ କହନ୍ତି ତେବେ ମୁଁ ଆନନ୍ଦରେ ମୋର ଦାବୀ ପରିତ୍ୟାଗ କରିବି ଏବଂ ତୋତେ ଉତ୍ତରାଧିକାରୀ କରିବାପାଇଁ ପିତାଙ୍କୁ ଅନୁରୋଧ କରିବି ।”

 

କ୍ଷମତାଲୋଲୁପ ପୃଥ୍ୱୀରାଜ ଏ ପ୍ରସ୍ତାବ ଆନନ୍ଦସହକାରେ ଗ୍ରହଣ କଲେ । ତଦନୁସାରେ ସେ ପିତୃବ୍ୟ ସୂର୍ଯ୍ୟମଲ୍ଲ ଓ କନିଷ୍ଠ ଜୟମଲ୍ଲଙ୍କ ସଙ୍ଗେ ଅଶ୍ଵାରୋହଣରେ ବ୍ୟାଘ୍ର ପର୍ବତସ୍ଥ ଚାରୁଣି ଦେବୀଙ୍କ ଆସ୍ଥାନକୁ ଗମନ କଲେ । ଆସ୍ଥାନରେ ପ୍ରବେଶ କରି ଦେଖିଲେ, ଯୋଗିନୀ ନାହାନ୍ତି । ସଙ୍ଗ ଖଣ୍ଡିଏ ପ୍ରସାରିତ ବ୍ୟାଘ୍ରଚର୍ମ ଉପରେ ଉପବିଷ୍ଟ ହେଲେ । ସୂର୍ଯ୍ୟମଲ୍ଲ ମଧ୍ୟ ତାଙ୍କ ନିକଟରେ ବସିଲେ । ତାଙ୍କର ଏକମାତ୍ର ଜାନୁ ଚର୍ମ ଉପରେ ଥିଲା । କିନ୍ତୁ ପୃଥ୍ୱୀରାଜ ଓ ଜୟମଲ୍ଲ ଗୋଟିଏ ବିସ୍ତୃତ ମଦୁରା ଉପରେ ଯାଇ ବସିଲେ । ଯୋଗିନୀ ଉପସ୍ଥିତ ହେବାରୁ ପୃଥ୍ୱୀରାଜ ସେମାନଙ୍କ ଆଗମନର ଉଦ୍ଦେଶ୍ୟ ବିବୃତ କଲେ । ଯୋଗିନୀ ସଙ୍ଗଙ୍କ ଆଡ଼କୁ ଚାହିଁ ରହିଲେ,” ତୁମେ ଆସି ରାଜ ଯୋଗ୍ୟ ଆସନ–ସିଦ୍ଧାସନ ଉପରେ ବସିଅଛ, ତୁମେ ନିଶ୍ଚୟ ମିବାର ଶାସନ କରିବ ।” ସୂର୍ଯ୍ୟମଲ୍ଲଙ୍କୁ କହିଲେ, ‘‘ତୁମେ ବଡ଼ ଶକ୍ତିଶାଳୀ ହେବ, ନାୟକ ହେବ; କିନ୍ତୁ ନିର୍ବାସନ ଓ ବହୁ ଦୁଃଖ ବିପଦ ପରେ ତୁମେ ଯେଉଁଠାରେ ଦେଖିବ, ଗୋଟିଏ ମାତା ତାହାର ସନ୍ତାନରକ୍ଷାପାଇଁ ବ୍ୟାକୁଳ, ସେହି ସ୍ଥାନରେ ତୁମେ ରାଜା ହେବ, ସେହି ସ୍ଥାନ ଶାସନ କରିବ ।”

 

ଉଗ୍ରସ୍ୱଭାବ ପୃଥ୍ଵୀରାଜଙ୍କ ପ୍ରାଣରେ ବଡ଼ ଆଘାତ ହେଲା–ଶିରା–-ପ୍ରଶିରାରେ ବିଦ୍ୟୁତ ଖେଳିଗଲା । ସେ ସମସ୍ତ ପ୍ରତିଜ୍ଞା ବିସ୍ତୃତ ହୋଇ ଉନ୍ମତ୍ତ ପ୍ରାୟ ନିଷ୍ପେସିତ ତରବାରୀରେ ସଙ୍ଗକୁ ହତ୍ୟା କରିବାକୁ ଗଲେ । ତତ୍‍କ୍ଷଣାତ୍‍ ସୂର୍ଯ୍ୟମଲ୍ଲ ତରବାରୀହସ୍ତରେ ବାଧା ଦେଇ ନଥିଲେ ଭ୍ରାତୁଷ୍ପୁତ୍ରର ଜୀବନରକ୍ଷା ଅସମ୍ଭବ ହୋଇଥାନ୍ତା । ସୂର୍ଯ୍ୟମଲ୍ଲଙ୍କ ସାହାଯ୍ୟରେ ସଙ୍ଗଙ୍କ ଜୀବନ ରକ୍ଷିତ ହେଲା ଦେଖି ରାଗରେ ପୃଥିରାଜ ପ୍ରଜ୍ୱଳିତ ହୋଇ ଉଠିଲେ ଏବଂ ସଙ୍ଗେ ସଙ୍ଗେ ସଙ୍ଗକୁ ତ୍ୟାଗ କରି ସୂର୍ଯ୍ୟମଲ୍ଲକୁ ଆକ୍ରମଣ କଲେ । ଜୟମଲ୍ଲ ସଙ୍ଗକୁ ଆକ୍ରମଣ କଲେ । ଚାହୁଁ ଚାହୁଁ ତିନି ଭ୍ରାତା ଓ ସୂର୍ଯ୍ୟମଲ୍ଲଙ୍କ ମଧ୍ୟରେ ଘୋର ଦ୍ଵନ୍ଦଯୁଦ୍ଧ ଲାଗିଗଲା । ଅସ୍ତ୍ରର ଘାତ ପ୍ରତିଘାତରେ ରୁଧିରସ୍ରୋତ ପ୍ରବାହିତ ହୋଇ ଦେବୀମନ୍ଦିର ଅନୁରଞ୍ଜିତ ହେଲା, ପୃଥ୍ୱୀରାଜ କ୍ଳାନ୍ତ ହୋଇ ପତିତ ହେଲେ; ସୂର୍ଯ୍ୟମଲ୍ଲ ଭୂତଳରେ ପଡ଼ି ମୂର୍ଚ୍ଛିତ ହେଲେ; ସଙ୍ଗ ବିଷମ ଆଘାତରେ ବିକଳେନ୍ଦ୍ରୟ ହୋଇ ପଡ଼ିଲେ, ଏହି ଯୁଦ୍ଧରେ ତାଙ୍କର ଗୋଟିଏ ଚକ୍ଷୁ ଚିରଦିନପାଇଁ ନଷ୍ଟ ହେଲା । କ୍ରୁର ଜୟମଲ୍ଲ ଏ ପର୍ଯ୍ୟନ୍ତ ବିଶେଷ ଆଘାତ ପାଇ ନ ଥିଲା, ତାହା କେବଳ ଜ୍ୟେଷ୍ଠର କନିଷ୍ଠ ପ୍ରତି ହୃଦୟର କୋମଳତାରୁ । କିନ୍ତୁ ଜୟମଲ୍ଲ କରୁଣାର ପାତ୍ର ନୁହେ । ସଙ୍ଗକୁ କ୍ଲାନ୍ତ, ଶ୍ରାନ୍ତ, ବିକଳାଙ୍ଗ ଦେଖି ହତ୍ୟାପରାୟଣ ଜୟମଲ୍ଲ ତାହାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲା । ସେ ଆକ୍ରମଣରୁ ଉଦ୍ଧାର ପାଇବାପାଇଁ ସଙ୍ଗ ଅଶ୍ୱାରୋହଣରେ ପଳାୟନ କଲେ । ବହୁ ଅନୁସରଣ କରି ମଧ୍ୟ ଜୟମଲ୍ଲ ନିଜର ଦୁରନ୍ତ ଇଚ୍ଛା ପରିତୃପ୍ତ କରି ପାରିଲା ନାହିଁ ।

 

ଏ ଯୁଦ୍ଧସମ୍ବାଦ ରାୟମଲ୍ଲଙ୍କ କାନକୁ ଗଲା, ବୃଦ୍ଧ ରାଣା କ୍ରୋଧାନ୍ଧ ହେଲେ । ସେ ପୃଥ୍ୱୀରାଜଙ୍କୁ ଡକାଇ ଆଣି ରାଜ୍ୟରୁ ବହିଷ୍କୃତ ହେବାର ଆଦେଶ ଦେଇ କହିଲେ, ‘‘ଯୁଦ୍ଧକ୍ଷେତ୍ରରେ ତୋର ରାଜପୁତସୁଲଭ ବୀରତ୍ୱ ଓ ସାହାସିକତା ଶୁଣାଯାଏ, କିନ୍ତୁ ଏ କଣ କରିବାକୁ ଯାଇଥିଲୁ ? କ୍ଷମତାଲାଭ ଆଶାରେ ଗୋପନରେ ଭ୍ରାତୃହତ୍ୟା ! ଏ କି ନୃପତିଯୋଗ୍ୟ ଉଦାରତା ? ଏହି କି ଭ୍ରାତୃଭାବ, ସ୍ନେହ, ପ୍ରେମ-ଯାହା ଘେନି ରାଜପୁତ ପ୍ରାଣ ଚିରକାଳ ଉନ୍ନତ ? ତୋ’ପରି ପାପୀ, ପାଷାଣ୍ଡ ପୁଣି ସିଂହାସନରେ ବସିବାକୁ ସ୍ପର୍ଦ୍ଧା କରେ ! ଏ ପାପର ପ୍ରାୟଶ୍ଚିତ ତୋତେ ଭୋଗିବାକୁ ପଡ଼ିବ । ତୋର ହତ୍ୟାପିପାସୁ ତରବାରୀ ସଙ୍ଗକୁ ଆଜି ନିରୁଦ୍ଧିଷ୍ଟ କରିଅଛି । ତୋ ପରି ଭ୍ରାତୃଦୋହର ଏ ପୁରରେ ସ୍ଥାନ ନାହିଁ । ତୁ ଆଜି ନିର୍ବାସିତ । ଶକ୍ତି ଥିଲେ, ନିଜର ଗର୍ବିତ ଅସୀର ମୁନରେ ନିଜର ଭାଗ୍ୟ ନିଜେ ଗଠନ କରେ ।”

 

ପିତାଙ୍କର ଏ ଦଣ୍ଡ ପୃଥ୍ୱୀରାଜଙ୍କୁ ଆଶୀର୍ବାଦ ପରି ବୋଧ ହେଲା । ରାଜବୀୟ ସକଳ ବନ୍ଧନ ତାଙ୍କ ପ୍ରତି ଆଜି ଛିନ୍ନ–ସେ ବର୍ତ୍ତମାନ ମୁକ୍ତ । ଏହି ମୁକ୍ତି, ଏହି ସ୍ୱାଧିନତାରେ ତାଙ୍କର ରଣରଙ୍ଗିନୀ ଆକାଂକ୍ଷା ପ୍ରଜ୍ୱଳିତ ହୋଇ ଉଠିଲା । ସେ ତରବାରୀର ମୁନରେ ଭାଗ୍ୟ ଗଠନ କରିବାକୁ ଚାଲିଲେ । ସଙ୍ଗରେ ପାଞ୍ଚଜଣ ମାତ୍ର ବିଶ୍ୱସ୍ତ ବନ୍ଧୁ, ବେଳ ପଡ଼ିଲେ ପ୍ରାଣ ଦେବାକୁ ପ୍ରସ୍ତୁତ-। ସମସ୍ତେ ଉତ୍କୃଷ୍ଟ ଯୋଦ୍ଧୃ ଦେଶରେ ସଜ୍ଜିତ ହୋଇ ସଂଗ୍ରାମ ଅଶ୍ୱାରୋହଣ କରି ନଗର ତ୍ୟାଗ କଲେ । ଭାଗ୍ୟପରୀକ୍ଷାର ଏ ଅଭିଯାନରେ ତାଙ୍କର ଦୃଷ୍ଟି ପ୍ରଥମେ ‘ଗଦବାର’ ଉପରେ ପତିତ ହେଲା । ଗଦବାର ପ୍ରଥମେ ମିବାରର ଅନ୍ତର୍ଭୁକ୍ତ ଥିଲା; ପୃଥ୍ୱୀରାଜଙ୍କ ପିତାମହଙ୍କ ସମୟରେ ତିକ୍ରତ୍ୟ ସାମନ୍ତ ରାଜା ବିଦ୍ରୋହ ଘୋଷଣା କରି ନିଜକୁ ସ୍ୱାଧୀନ କରନ୍ତି । ରାୟମଲ୍ଲ ବହୁବାର ଚେଷ୍ଟା କରି ମଧ୍ୟ ସେ ରାଜ୍ୟକୁ ପୁନର୍ବାର ନିଜ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରି ପାରି ନ ଥିଲେ-। ବର୍ତ୍ତମାନ ଗଦବାର ଜଣେ ଦୂର୍ବଳ ସାମନ୍ତଙ୍କ ହସ୍ତରେ ପତିତ ହୋଇ ଠଗ ଦସ୍ୟୁଙ୍କ ଅତ୍ୟାଚାରରେ ଟଳମଳ ହେଉଥିଲା । ପୃଥ୍ୱୀରାଜ ବିଚାରିଲେ, ସେ ଅକ୍ଳେଶରେ ବନ୍ୟଜାତୀୟ ଉପଦ୍ରବକାରିମାନଙ୍କୁ ନିଜର ଅଧୀନରେ ଆଣି ପାରିବେ । ତାହାହେଲେ ଭବିଷ୍ୟତ ଉନ୍ନତିର ପଥ ସେମାନଙ୍କ ସାହାଯ୍ୟରେ ଟିକିଏ ପ୍ରଶସ୍ତତର ହେବ ।

 

ପୃଥ୍ୱୀରାଜ ଗଦବାର ଯାତ୍ରା କଲେ । ଦୀର୍ଘ ପଥଯାତ୍ରାମଧ୍ୟରେ ଖାଦ୍ୟର ଅଭାବ ପଡ଼ିଲା-। କ୍ଲାନ୍ତ ଓ କ୍ଷୁଧାପୀଡ଼ିତ ହୋଇ ସେ ଓଝା ନାମକ ଗୋଟିଏ ବଣିକ ନିକଟରେ ନିଜର ଗୋଟିଏ ଅଙ୍ଗୁରାୟକ ବିକ୍ରୟ କରିବାକୁ ଗଲେ । ସେ ଅଙ୍ଗୁରାୟକଟି ଉକ୍ତ ବଣିକଦ୍ୱାରା ନିର୍ମିତ ହୋଇ ରାଜପୁତ୍ରଙ୍କପାଇଁ କ୍ରୀତ ହୋଇ ଯାଇଥିଲା । ବଣିକ ଅଙ୍ଗୁରାୟକରୁ ରାଜପୁତ୍ରଙ୍କୁ ଚିହ୍ନି ପାରିଲେ-। ସୌଦାଗର ମିବାର ରାଜପୁତ୍ରଙ୍କୁ ନିଜ ଦ୍ୱାରରେ ଅତିଥିରୂପେ ପାଇଁ ନିଜକୁ ପରମ ଭାଗ୍ୟବାନ ମନେ କଲା ଏବଂ ପୃଥ୍ୱୀରାଜଙ୍କ ନିର୍ବାସନ ବୃତ୍ତାନ୍ତ ଆମୂଳଚୂଳ ଶ୍ରବଣ କରି ନିରତଶୟ ଦୁଃଖିତ ହେଲା । ସେ ସେହି ମୁହୂର୍ତ୍ତରେ ପୃଥ୍ୱୀରାଜ ଓଝାଠାରୁ ଗଦବାରର ଅବ୍ୟବସ୍ଥିତ ଶାସନନୀତି, ମୀନରାତ ରାବତଙ୍କ ଦୁର୍ବଳତା ଓ ତାଙ୍କର ସାମରିକ ଶକ୍ତି ସକଳ ତନ୍ନ ତନ୍ନ କରି ବୁଝିନେଲେ-। ଯେତେ ହେଲେ ସେ ସଂଖ୍ୟାରେ ଛ ଜଣ ମାତ୍ର । ରାବତ୍‍ ଯେତେ ଦୁର୍ବଳ ହୁଅନ୍ତୁ; ଏହି ଛ ଜଣ ବିତାଡ଼ିତ ଶକ୍ତିସମ୍ବଳହୀନ ବ୍ୟକ୍ତିଙ୍କର କ୍ଷୀଣ ଶକ୍ତି ତାଙ୍କ ବିରୁଦ୍ଧରେ କଣ କରିପାରେ ?

 

ଶକ୍ତିର ଏହିପରି ଅସାମାନ୍ୟ ପାର୍ଥକ୍ୟ ସ୍ଥଳରେ ବୀରର ଆଶ୍ରୟ ସାହସ, ଧୈର୍ଯ୍ୟ, ରାଜନୀତି ଓ ଚତୁରତା । ଏ କ୍ଷେତ୍ରରେ ପୃଥ୍ୱୀରାଜଙ୍କ ନିଜର ଚତୁରତା ଖେଳାଇବାର ଅବକାଶ ମିଳିଗଲା । ସେମାନେ ନିଜର ପରିଚୟ ଗୋପନ କରି ରାବତଙ୍କ ସୈନ୍ୟବଳ ମଧ୍ୟରେ ପ୍ରବେଶ କରେ । ଦସ୍ୟୁଦମନରେ ଶୀଘ୍ର ପୃଥ୍ୱୀରାଜଙ୍କର ଟିକିଏ ପ୍ରତିପତ୍ତି ହେଲା । ଦିନ ପରେ ଦିନ କାଟିବାକୁ ଲାଗିଲା । ପୃଥ୍ୱୀରାଜ ସୁଯୋଗ ଅପେକ୍ଷାରେ ଆତ୍ମଗୋପନ କରି ରହିଲେ । ଶୁଭଯୋଗ ମିଳିଗଲା–ଶବରୋତ୍ସବ ଉପସ୍ଥିତ । ସୈନ୍ୟ ସାମନ୍ତ ଦାସ ପରିଜନ ସମସ୍ତେ ଏ ଉତ୍ସବର ଉପଭୋଗପାଇଁ ଅବକାଶ ନେଇ ନିଜ ଗ୍ରାମକୁ ଗମନ କଲେ । ଅନ୍ୟାନ୍ୟ ଅନୁଜୀବୀଙ୍କ ପରି ପୃଥ୍ୱୀରାଜ ମଧ୍ୟ ଅବସର ପ୍ରାପ୍ତ ହେଲେ । କିନ୍ତୁ ମୀନରାଜ ରାବତଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ତାଙ୍କର ଅବସର କି ସମ୍ଭବ ? ସୁତରାଂ ଏ ଅବସରହିଁ ତାଙ୍କ ଉଦ୍ଧିଷ୍ଟ ଲୋମହର୍ଷଣ ସମର କାଣ୍ଡ ଅଭିନୟ କରିବାର ଉପଯୁକ୍ତ ସମୟ ବୋଲି ସ୍ଥିରୀକୃତ ହେଲା । ଉପଯୁକ୍ତ ସମୟରେ ସେ ଆପଣାର ଅନୁଗତ ରାଜପୁତମାନଙ୍କୁ ରାବତଙ୍କ ପ୍ରାଣବଧାର୍ଥ ପ୍ରେରଣ କରି ନିଜେ ତୋରଣଦ୍ୱାରରେ ପ୍ରତୀକ୍ଷା କରିବାକୁ ଲାଗିଲେ । ରାଜପୁତମାନେ ହଠାତ ଛଦ୍ମବେଶରେ ରାବତଙ୍କ ରକ୍ଷୀମାନଙ୍କୁ ସଂହାର କରିବାକୁ ଆରମ୍ଭ କଲେ । ଦୁର୍ବଳହୃଦୟ ରାବତ ଭାବିଲେ, ସମ୍ଭବତଃ, ସୈନ୍ୟ ସାମନ୍ତ ବିଦ୍ରୋହୀ ହୋଇ ପୁର ଆକ୍ରମଣ କରିବାକୁ ଆସିଅଛନ୍ତି । ସେ ପ୍ରାଣଭୟରେ ପଳାୟନ କଲେ । ପୃଥ୍ୱୀରାଜ ରାବତଙ୍କ ପ୍ରକୃତି ଅନୁଧ୍ୟାନ କରି ତାହାହିଁ ଆଗରୁ ସ୍ଥିର କରିଥିଲେ । ଗଦବାରର ଅନତିଦୂରରେ ଏକ ପର୍ବତ । ରାବତ ପ୍ରାଣଭୟରେ ନିଜକୁ ଲୁକକାୟିତ ରଖିବା ପାଇଁ ଅଶ୍ୱାରୋହଣରେ ପର୍ବତ ଦିଗରେ ଧାବମାନ ହେଲେ । ଦୂରରୁ ଦେଖିପାରି ପୃଥ୍ୱୀରାଜ ତାଙ୍କର ଅନୁସରଣ କଲେ । ଅଚିରେ ପଥ ମଧ୍ୟରେ ରାବତଙ୍କର ଛିନ୍ନ ମସ୍ତକ ଭୂପତିତ ହେଲା ।

 

ଅବିଳମ୍ବେ ରାଜପୁତମାନେ ନଗରର ଚତୁର୍ଦ୍ଦିଗରେ ଅଗ୍ନି ସଂଯୋଗ କଲେ । ଚାହୁଁ ଚାହୁଁ ପ୍ରଜ୍ଜ୍ଵଳିତ ଅଗ୍ନି ଭୀଷଣ ମୂର୍ତ୍ତିରେ ନଗର ଭସ୍ମୀଭୂତ କଲା । ମୀନମାନେ ସେହି ଲୋମହର୍ଷଣ କାନ୍ଦ ଦେଖି ଇତଃସ୍ତତଃ ପଳାୟନ କଲେ । ଶୀଘ୍ର ସକଳ ବିଦ୍ରୋହ ଦୂରୀଭୂତ ହେଲା । ଦସ୍ୟୁଦଳ ଶାସିତ ହେଲେ । ଅଳ୍ପଦିନ ମଧ୍ୟରେ ନୀତିବଦ୍ଧ ସୁଶାସନର ପ୍ରଜାମଣ୍ଡଳୀ ଆକୃଷ୍ଟ ହେଲେ । ସ୍ୱୀକାର କରିବାକୁ ହେବ, ଓଝାଙ୍କ ଚକ୍ରାନ୍ତ ଓ କର୍ମକୁଶଳତା ପୃଥ୍ୱୀରାଜଙ୍କୁ ଏ ବିଷୟରେ ଯଥେଷ୍ଟ ସାହାଯ୍ୟ କରିଅଛି । ପୃଥ୍ୱୀରାଜ ଗଦବାରର ଶାସନଭାର ଓଝାଙ୍କ ହସ୍ତରେ ଅର୍ପଣ କରି ତାହାକୁ ମିବାରର ଅନ୍ତର୍ଭୁକ୍ତ କଲେ ।

 

ବୀରପ୍ରାଣରେ ବିଜୟପିପାସା ଅନିବାର । ବାରକର ସଫଳତାରେ ସେ ପିପାସାର ନିବୃତ୍ତ ଆସେ ନାହିଁ । ପୃଥ୍ୱୀରାଜଙ୍କ ଆକାଂକ୍ଷା ପ୍ରଜ୍ଜ୍ଵଳିତ ହେଲା । ସେ ପ୍ରତିଜ୍ଞା କଲେ, ପୁଣି ନୂତନ ଦେଶ ଆକ୍ରମଣ କରିବେ–ନିଜର ବୀରତ୍ୱର ଉତ୍କୃଷ୍ଟତର ଅଭିନୟ ଦେଖାଇବେ । ଦୃଷ୍ଟି କର୍ମକ୍ଷେତ୍ର ଖୋଜି ବୁଲିଲା । ସେ ନିଜର ପାଞ୍ଚଜଣ ସଙ୍ଗୀ ଓ ଦରବାରର କେତେଜଣ ରାଜପୁତ ବୀରଙ୍କୁ ସଙ୍ଗରେ ନେଇ ନୂତନ ଅଭିଯାନରେ ବହିର୍ଗତ ହେଲେ । ବାଟରେ ହଠାତ କନିଷ୍ଠଭ୍ରାତା ଜୟମଲ୍ଲଙ୍କର ଅପମୃତ୍ୟୁ ସଂବାଦ ଶୁଣି ପାରିଲେ । ସେହି ମୃତ୍ୟୁ ଖବର ସହିତ ଆଉ ଗୋଟିଏ ଗୂଢ଼ ରହସ୍ୟ ତାଙ୍କ କାନକୁ ଗଲା ।

 

ଶୋଲାଙ୍କିବଂଶୀୟ ରାୟ ଶୂରତାନ ତୋଡ଼ାଟଙ୍କର ରାଜା ଥିଲେ । ତୋଡ଼ାଟଙ୍କର ପ୍ରାଚୀନ ନାମ ତକ୍ଷଶିଳା । ଆଫଗାନ ବୀର ଲୀଳାଙ୍କ ସ୍ୱର ନିଜ ରାଜ୍ୟରୁ ବିତାଡ଼ିତ ହୋଇ ଶୂରତାନ ମିବାରରେ ଆଶ୍ରୟ ନେଇଥିଲେ । ତାଙ୍କର ଏକ ପରମ ରୂପଵତୀ କନ୍ୟା ଥିଲେ । କନ୍ୟାର ନାମ ତାରାବାଈ । ତାର ଅତୁଳ ଗୁଣବତୀ ଶକ୍ତଶାଳିନୀ ବୀରବାଳା । ସ୍ତ୍ରୀମାନଙ୍କର ପରଦାନିବଦ୍ଧ ତରତବିଳାସମୟ ଜୀବନକୁ ସେ ଘୃଣା କରୁଥିଲେ । ପୁରୁଷ ଯାହା କରି ପରେ, ତାଙ୍କର ତାହା କରିବାକୁ ଇଚ୍ଛା । ସେ ଶର ବିନ୍ଧିବେ, ବର୍ଚ୍ଛା କ୍ଷେପଣ କରିବେ, ତରବାରୀ ଚଳାଇବେ, ଦୁର୍ଦ୍ଦାନ୍ତ ଅଶ୍ୱାରୋହଣ କରିବେ, ଏପରି କି ବେଳ ପଡ଼ିଲେ ସମରକ୍ଷେତ୍ରରେ ପଶି ଶତ୍ରୁ ବିନାଶ କରିବେ । ଏହି ଉନ୍ନତ୍ତପ୍ରାଣା ରାଜପୁତ ବାଳାର କୀର୍ତ୍ତିକାହାଣୀ ଗୃହେ ଗୃହେ କୀର୍ତ୍ତିତ ହେବାକୁ ଲାଗିଲା । କାମୂକ ପ୍ରକୃତି ଜୟମଲ୍ଲର ଲାଳସା ପ୍ରଜ୍ୱଳିତ ହେଲା । ତାରାଙ୍କ କୀର୍ତ୍ତିକାହାଣୀ ସେ ଅଗ୍ନିରେ ଘୃତାହୃତି ହେଲା । ତାରାଙ୍କ ପାଣି ପ୍ରାର୍ଥନା କରି ଜୟମଲ୍ଲ ଶୂରତାନଙ୍କ ଗୃହରେ ଉପସ୍ଥିତ ହେଲେ; କିନ୍ତୁ ତାରାଙ୍କର କଠୋର ପ୍ରତିଜ୍ଞା ଥିଲା–"ପିତୃରାଜ୍ୟର ଉଦ୍ଧାର ନ ହେଲେ ମୁଁ ବିବାହ କରିବି ନାହିଁ । ଯେ ପିତୃରାଜ୍ୟ ଉଦ୍ଧାର କରି ପାରିବ, ସେହି କେବଳ ମୋର ବରଣମାଳା ପାଇବାର ଯୋଗ୍ୟ ।” ରାଜପୁତ ବୀର ରମଣୀର ଆଦର କରି ଜାଣେ । ପିତା କନ୍ୟାର ଏ ଗୁରୁ ପ୍ରତିଜ୍ଞାରେ କୌଣସି ବାଧା ଦେଲେ ନାହିଁ । ଜୟମଲ୍ଲ ତୋଡ଼ାଟଙ୍କ ଉଦ୍ଧାର କରିବାକୁ ପ୍ରଥମେ ପ୍ରତିଜ୍ଞା କଲେ, କିନ୍ତୁ ବହୁତ ଚେଷ୍ଟା କରି ମଧ୍ୟ ସିଦ୍ଧକାମ ହୋଇ ପାରିଲେ ନାହିଁ । ଲାଳସାର ମୁର୍ମୁର ଦହନରେ ପ୍ରାଣରୁ ଧୈର୍ଯ୍ୟ ଲୋପ ପାଏ । ଜୟମଲ୍ଲ ଆଉ ଅପେକ୍ଷା କରି ପାରିଲେ ନାହିଁ । ଦିନେ ଜୟମଲ୍ଲ ତାରାଙ୍କ ସଙ୍ଗେ ଦେଖା କରିବାର ଅଧିକାର ପାଇଲେ । ସେ ମୁର୍ହୂତ୍ତ ଦେଖାରେ ଜୟମଲ୍ଲ ସକଳ ପ୍ରତିଜ୍ଞା ବିସ୍ମୃତ ହେଲେ, ବଳାତ୍କାରରେ ମନୋମୋହିନୀ ତାରାଙ୍କୁ ହରଣ କରି ନେଇ ଯିବାକୁ ଉଦ୍ୟତ ହେଲେ । ବୃଦ୍ଧ ସାମନ୍ତ ନିଜର କନ୍ୟା ଓ ନିଜ ପ୍ରତି ଏ ଅସମ୍ମାନ ସହ୍ୟ କରିପାରିଲେ ନାହିଁ, ପ୍ରାଣର ତୀବ୍ର ଉତ୍ତେଜନାରେ ଜୟମଲ୍ଲଙ୍କୁ ସେହିଠାରେ ବିନାଶ କଲେ । ଜୟମଲ୍ଲ ପୁତ୍ରର ମୃତ୍ୟୁସମ୍ବାଦ ବେଶରେ ବ୍ୟଥିତ ନ ହୋଇ ବରଂ ତାହାଙ୍କର ଘୃଣ୍ୟ ବ୍ୟବହାରରେ ଲଜ୍ଜିତ ହୋଇଥିଲେ । ତାରାଙ୍କ ପ୍ରତି ଏ ଅପବ୍ୟବହାର ଓ ଅବମାନନାର ବିନିମୟରେ ସେ ଶୂରତାନଙ୍କୁ ବେଦନାର ପ୍ରଦେଶର ସମଗ୍ର ଭୂମି ବୃତ୍ତ ପ୍ରଦାନ କରିଥିଲେ ।

 

ପୃଥ୍ୱୀରାଜ ଆଜନ୍ମ ରଣପ୍ରିୟ । ନିଜ ବୀର ପ୍ରକୃତିର ଅନୁକୂଳ ତାରାବାଈଙ୍କ ଅଲୌକିକ କାହାଣୀ ଶୁଣି ତାଙ୍କୁ ସ୍ତ୍ରୀରୂପେ ପାଇବାକୁ ପଣ କଲେ । ପୃଥ୍ୱୀରାଜଙ୍କ ସାହସିକ ବୀରତ୍ୱ, ଅଦ୍ଭୁତ ରଣପାଣ୍ଡିତ୍ୟ କଥା ତାରାବାଈ ଓ ତାଙ୍କ ପିତାଙ୍କୁ ଅବିଦିତ ନ ଥିଲା । ପୃଥ୍ୱୀରାଜ ବିଶ୍ୱାସର ଦ୍ୱାହି ଦେଇ ପ୍ରତିଜ୍ଞା କଲେ ଯେ, ସେ ତୋଡ଼ାଟଙ୍କ ଉଦ୍ଧାର କରି ଆଣିଦେବେ । କିନ୍ତୁ ସେ ଯାହାଙ୍କୁ ଜୀବନର ସଙ୍ଗିନୀ କରିବାକୁ ଚାହାନ୍ତି, ତାଙ୍କୁ ସମରସୋହାଗିନୀ ହେବାକୁ ହେବ–ତୋଡାଟଙ୍କ ଉଦ୍ଧାରରେ ସେ ତାଙ୍କୁ ସର୍ବଶ୍ରେଷ୍ଠ ସାହଯ୍ୟକାରିଣୀରୂପେ ବରଣ କରି ନେବେ । ବିବାହ ପୂର୍ବରୁ ସ୍ତ୍ରୀ ପୁରୁଷର ସଙ୍ଗିନୀ ହୋଇ ନ ପରେ । ପୃଥ୍ୱୀରାଜଙ୍କର ସେ ବୀରବାଣୀର ସମସ୍ତ ସନ୍ଦେହ ଦ୍ରଵିଭୂତ ହୋଇଥିଲା । ସେ ସଂଗ୍ରାମ ଆହ୍ୱାନରେ ତାରାଙ୍କ ବୀରପ୍ରାଣ ପୁଲକିତ ହୋଇଉଠିଲା; ସେ ବିବାହରେ ମତ ଦେଲେ, ବିବାହ ହୋଇଗଲା । ପୃଥ୍ୱୀରାଜଙ୍କ ପ୍ରତିଜ୍ଞାବଦ୍ଧ ପ୍ରାଣରେ ମିଳନର ସେ ତରଳ–ସୁକୁମାର ମଧୁଶଯ୍ୟା କଣ୍ଟକମୟ ବୋଧ ହେଲା । ତାରାବାଈଙ୍କର ରଣରଙ୍ଗିନୀ ପ୍ରକୃତି ଅତୃପ୍ତ, ପିତୃରାଜ୍ୟ ଉଦ୍ଧାରରେ ବିଗତକାମ । ତାଙ୍କର ବା ଏ ବିବାହ ଉପଭୋଗ କରିବାକୁ ଅବସର କାହିଁ ? ହସ୍ତଗ୍ରନ୍ଥି ପଡ଼ିଗଲା ସତ୍ୟ କିନ୍ତୁ ପ୍ରତିଜ୍ଞାର ପରିପୂରଣର ସେ ଗ୍ରନ୍ଥି ଦୃଢ଼ ନ ହେଲେ ହୃଦୟମିଳନ କି ସମ୍ଭବ ?

 

ତରୁଣ, ତରୁଣୀ ବିବାହର ପରଦିନଠାରୁ ସମରର ଆୟୋଜନ ଓ କୌଶଳ ଚିନ୍ତାରେ ଲାଗିଗଲେ । ନିକଟରେ ମହରମ ମୁସଲମାନଙ୍କର ଆମୋଦ ପ୍ରମୋଦର ଦିନ । ମୁସଲମାନ ରାଜା, ପ୍ରଜା, ଧନୀ, ଦରିଦ୍ର, ପଣ୍ଡିତ, ମୂର୍ଖ, ଆବାଳବୃଦ୍ଧବନିତା ସମସ୍ତେ ଉତ୍ସବରେ ମାତିବେ । ଏପରି ସମୟରେ ଆକ୍ରମଣ କରି ପାରିଲେ ପ୍ରମୋଦଲିପ୍ତ ମୁସଲମାନ ମାନେ ସେ ଅପ୍ରତ୍ୟାଶିତ ଆକ୍ରମଣରେ ଛିନ୍ନଭିନ୍ନ ହେବେ–ତୋଡ଼ାଟଙ୍କ ଉଦ୍ଧାର ବିଶେଷ କଷ୍ଟକର ହେବ ନାହିଁ । ସ୍ଥିର ହେଲା ପୃଥ୍ୱୀରାଜ ନିଜର ପାଞ୍ଚଜଣ ପ୍ରାଣର ବନ୍ଧୁ ଓ ନବବିବାହିତା ତରୁଣୀ ତାରାଙ୍କୁ ନେଇ ସେ ଭୀଷଣ ତାଣ୍ଡବର ଅଭିନୟ କରିବେ । ଏ ଅଭିଯାନରେ ତାରା ପୁରୁଷବେଶ ଧାରଣ କଲେ । ସୈନ୍ୟସାମନ୍ତମାନଙ୍କୁ ନଗରର ଉପକଣ୍ଠରେ ଲୁକକାୟିତ ଭାବରେ ଅପେକ୍ଷା କରିବାକୁ ଆଦେଶ ଦେଇ ପୃଥ୍ୱୀରାଜ ଛଦ୍ମବେଶରେ ତାରା ଓ ପଞ୍ଚସଖାଙ୍କ ସହ ନଗର ମଧ୍ୟରେ ପ୍ରବେଶ କଲେ ।

 

ସମସ୍ତ ନଗରବାସୀ ଆମୋଦରେ ଉନ୍ମତ୍ତ । ରାଜପୁର ଲୋକାରଣ୍ୟ । ଆଫଗାନ୍‍ ବୀର ଲୀଳା ଗୋଟିଏ ଉଚ୍ଚାସନ ଉପରେ ଦଣ୍ଡାୟମାନ ହୋଇ ଉତ୍ସବ ଅବଲୋକନ କରୁଅଛନ୍ତି; ମଧ୍ୟେ ମଧ୍ୟେ ସାମନ୍ତ, ପରିଜନ, ପ୍ରଜା, କର୍ମଚାରୀ ସମ୍ମୁଖକୁ ଆସି ଲୀଳାଙ୍କୁ ଅଭିବାଦନ କରି ଯାଉଛନ୍ତି । ଗାନବାଦ୍ୟବିଳାସରେ ରାଜପୁରୀ ପୁରି ଉଠୁଛି । ହଠାତ୍‍ ଗୋଟିଏ ଶର ଆସି ଲୀଳାଙ୍କ ବକ୍ଷସ୍ଥଳରେ ବିଦ୍ଧ ହେଲା । ଚାହୁଁ ଚାହୁଁ ପ୍ରାଣଶୂନ୍ୟ ଦେହ ସିଂହାସନରୁ ଭୂତଳକୁ ଖସି ପଡ଼ିଲା । ସେ ଭୀମ ସମ୍ପାତରେ ସହସ୍ର ପ୍ରାଣ ଥରିଗଲା, ଜନସଂଘ ଉଦବେଳିତ ହୋଇ ଉଠିଲା, ଦେଖାଗଲା, ତିନିଜଣ ଜନସଂଘ ଦ୍ୱିଧା କରି ପୁରଦ୍ୱାର ଦିଗରେ ଧାବମାନ ହେଲେ । ଭୀତ ଚକିତ ଲୋକମାନଙ୍କର ବିସ୍ମୟ ଦୂର ହୋଇ ନାହିଁ, ଲୋକେ ନିଜ ନିଜ ଚଷୁକୁ ବିଶ୍ୱାସ କରି ନାହାନ୍ତି, ସେ ତିନିଜଣ ଜନସଂଘର ମଧ୍ୟରେ କେଉଁଆଡ଼େ ଲୁଚିଗଲେ । ଏ ତିନିଜଣ କିଏ ? ଏମାନେ କି ଆତତାୟୀ ନ ଚକ୍ରାନ୍ତକାରୀ–ଲୀଳାଙ୍କ ମୃତ୍ୟରୂପେ ଉତ୍ସବରେ ଆସି ଯୋଗ ଦେଇଥିଲେ ?

 

ସହସ୍ର ପ୍ରାଣ ଉତ୍ତେଜିତ ହୋଇ ଉଠିଲା, ଘୋର ଗଣ୍ଡଗୋଳ ଲାଗିଗଲା । ପୂର୍ବଦ୍ୱାରର ବହିର୍ଦେଶରେ ସଜ୍ଜିତ ତିନିଦଳ ଅଶ୍ଵାରୋହୀ ସୈନ୍ୟ ହତ୍ୟାକାରୀଙ୍କ ଅନୁସରଣରେ ଇତସ୍ତତଃ ଧାବିତ ହେଲେ । ନାୟକବିହୀନ ମୁସଲମାନଙ୍କ ମଧ୍ୟରେ ଶୃଙ୍ଖଳା ବା ନିୟମ ରହିଲା ନାହିଁ । ଏ ତାକୁ ଆଦେଶ ଦେଲା, ସେ ଅପର ଜଣକୁ ଆଦେଶ ଦେଲା, ଚତୁର୍ଦ୍ଦିଗରେ ଘୋର ବିଶୃଙ୍ଖଳା । ଏହି ସମୟରେ ହଠାତ ପୃଥ୍ୱୀରାଜ ଓ ତାରାଙ୍କ ନାୟକତ୍ୱରେ ସଜ୍ଜିତ ଓ ସୁପରିଚାଳିତ ରାଜପୁତ ସେନା ଭୀମ ବିକ୍ରମରେ ଆସି ମୁସଲମାନମାନଙ୍କ ଉପରେ ପତିତ ହେଲେ । ମୁସଲମାନ ସେନା ପୃଷ୍ଠଭଙ୍ଗ ଦେଇ ପୁର ଅଭିମୁଖରେ ଧାବମାନ ହେଲା । ପୁରଦ୍ୱାରରେ ମୁସଲମାନ ସୈନ୍ୟ ଟିକିଏ ଘନୀଭୂତ ହୋଇ ବାଧା ଦେଇଥିଲେ, କିନ୍ତୁ ଚାହୁଁ ଚାହୁଁ ରଣଚଣ୍ଡ ରାଜପୁତ ତରବାରୀର କୁଶଳ ଚାଳନାରେ ଶତ ଶତ ଜୀବନ୍ତ ମସ୍ତକ ଭୂପୃଷ୍ଠରେ ଗଡ଼ିବାକୁ ଲାଗିଲା, ପୁରର ପ୍ରାଙ୍ଗଣରେ ରକ୍ତସ୍ରୋତ ବହିଗଲା, ଯବନ ସେନା ଛିନ୍ନ ଭିନ୍ନ ବିଧ୍ୱସ୍ତ ହେଲା । ଠିକ ସୂର୍ଯ୍ୟାସ୍ତ ପୂର୍ବରୁ ତୋଡ଼ାଟଙ୍କର ରାଜପ୍ରାସାଦରେ ରାଜପୁତ ବିଜୟପତାକା ଉଡ଼ଡୀନ ହେଲା ।

 

ଏହି ଆସନ ମୃତ୍ୟରୁ ପ୍ରାଣ ନେଇ କେତେକ ଜଣ ମୁସଲମାନ ସୈନ୍ୟ ଆଜମିରରେ ଶାସନକର୍ତ୍ତାଙ୍କ ନିକଟରେ ସମ୍ବାଦ ଦେଲେ । ଆଜମିରରେ ସେହିକ୍ଷଣି ତୋଡ଼ାଟଙ୍କ ବିରୁଦ୍ଧରେ ଯାତ୍ରା କରିବାକୁ ସମରସଜ୍ଜା ଲାଗିଗଲା । ପୃଥ୍ୱୀରାଜ ଏହା ଆଗରୁ ଆଶଙ୍କା କରିଥିଲେ ସେ ବିଜୟ ଉପଭୋଗ କରିବାକୁ ଅପେକ୍ଷା ନ କରି ଉପଯୁକ୍ତ ରକ୍ଷକଙ୍କ ତତ୍ତ୍ଵାବଧାନରେ ତୋଡ଼ାଟଙ୍କ ଛାଡ଼ିଦେଇ ସେହିକ୍ଷଣି ଆଜମିର ଅଭିମୁଖରେ ନିଜ ସୈନ୍ୟସାମନ୍ତ ସହ ଧାବମାନ ହେଲେ, ହଠାତ୍‍ କରାଳ କାଳ ପରି ମୁସଲମାନଙ୍କର ଉପରେ ପତିତ ହୋଇ ସକଳ ସମରସଜ୍ଜା ଅଳ୍ପ ଆୟାସରେ ଚୂର୍ଣ୍ଣୀଭୂତ କଲେ । ଏପରି ବିଦ୍ୟୁତବେଗରେ ପୃଥ୍ୱୀରାଜ ଆଜମିର ଆକ୍ରମଣ କଲେ ଯେ, ନଗରବାସୀ ନିଜକୁ ଆକ୍ରମିତ ବୋଲି ଭାବିବାକୁ ସମୟ ପାଇ ନ ଥିଲେ । ଏହିପରି ବିନା ସୈନ୍ୟକ୍ଷୟର ଆଜମିର ପୃଥ୍ୱୀରାଜଙ୍କର ହସ୍ତଗତ ହେଲା, ଯବାନମାନଙ୍କର ରାଜସ୍ଥାନ ପ୍ରଦେଶର ପଥ ରୁଦ୍ଧ ହେଲା ।

 

ପୁତ୍ରର ଏ ବିଜୟଲାଭରେ ପିତୃପ୍ରାଣ ବାତ୍ସଲ୍ୟରେ ପୂର୍ଣ୍ଣ ହେଲା । କନିଷ୍ଠ ପୁତ୍ର ମୃତ, ଜେଷ୍ଠ ନିରୁଦ୍ଦେଶ୍ୟ ! ଆଉ ରାଣା ରାୟମଲ୍ଲ ପୁତ୍ରବିରହ ସହ୍ୟକରି ନ ପରି ମହାସମାରୋହରେ ପୁତ୍ର ଓ ପୁତ୍ରବଧୁଙ୍କୁ ଚିତୋରକୁ ଆମନ୍ତ୍ରଣ କରି ଆଣିଲେ । ପରସ୍ପର ଲୋତକପୂର୍ଣ୍ଣ ଚକ୍ଷୁରେ ପରସ୍ପରକୁ ଆଲିଙ୍ଗନ କଲେ । କିନ୍ତୁ ରାଜପୁରର ବିଳାସମୟ ଜୀବନ ପୃଥ୍ୱୀରାଜଙ୍କୁ ଭଲ ଲାଗିଲା ନାହିଁ । ସେ କମଳମିର ଦୁର୍ଗରେ ଯୋଦ୍ଧାସମ୍ଭାରରେ ଅବସ୍ଥାନ କରିବାକୁ ପିତାଙ୍କଠାରୁ ଅନୁମତି ନେଲେ । ଏହିଠାରେ ଅବସ୍ଥାନ କାଳରେ ପୃଥ୍ୱୀରାଜଙ୍କ ଯଶଃସୌରଭ ଦିଗବିଗ୍‍ ପରିବ୍ୟାପ୍ତ ହୋଇଥିଲା । ଦସ୍ୟୁଦମନ ଦୁର୍ବଳସଂରକ୍ଷଣ ଓ ରାଜ୍ୟର ସୁଶାସନରେ ସେ ପରମ ଖ୍ୟାତି ଅର୍ଜନ କରିଥିଲେ । ଦୁଷ୍ଟ ଦୁର୍ବୁତ୍ତମାନେ ତାଙ୍କର ସମରରଙ୍ଗିଣୀ କରାଳ ବୀରମୂର୍ତ୍ତି ଦେଖି ରାଜ୍ୟର ତ୍ରିସୀମା ସ୍ପର୍ଶ କରିବାକୁ ସାହସ କରୁ ନଥିଲେ । ପୃଥ୍ୱୀରାଜଙ୍କ ଏହି ଗୌରବମୟ ସମୟର ଅଲୌକିକ କୀର୍ତ୍ତିକଳାପ ମୁସଲମାନ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିଅଛି । ସହସ୍ର ଅଶ୍ଵାରୋହୀ ସେନା ସହ ସେ ଏଠାରେ ରହି ଚିତୋରର ଲୁପ୍ତ ଗୌରବ ଉଦ୍ଧାରରେ ଲାଗିଥିଲେ ।

 

ପିତାଙ୍କର ଦୁର୍ବଳ ଶାସନନୀତିର ସେ ଅହରହ ପ୍ରତିବାଦ କରୁଥିଲେ । ଏହି ମତାନ୍ତର ଅନେକ ସମୟରେ ପିତାପୁତ୍ରଙ୍କର ମନୋମାଳିନ୍ୟର କାରଣ ହେଉଥିଲା । ଦିନେ ମାଳବରୁ ଆଗତ ବିଧର୍ମୀ ଯବନରାଜଙ୍କ ଦୂତ ପ୍ରତି ପିତାଙ୍କର ଭଦ୍ରୋଚିତ ବନ୍ଧୁ ବ୍ୟବହାର ଦେଖି ସେ ସହି ପାରିଲେ ନାହିଁ । ସେ ଏହି ବିଷୟ ନେଇ ପିତାଙ୍କୁ ନିରତଶୟ ଆକ୍ରୋଶ କରି କହିଥିଲେ । ପିତା ପ୍ରତ୍ୟୁତ୍ତର ଦେଲେ, ରଣରଙ୍କ ପୃଥ୍ୱୀରାଜଙ୍କୁ ବିଦ୍ରୋହ, ଅଶାନ୍ତି, ସମର ଭୀଷଣ ତାଣ୍ଡବ ସୁଖ ଲାଗି ପାରେ; କିନ୍ତୁ ରାୟମଲ୍ଲ ବୃଦ୍ଧ, ମାଳବର ମୁସଲମାନ ରାଜା ଅଧିକତର ଶକ୍ତିଶାଳୀ । ଏପରି ସ୍ଥଳେ ଦୂତର ଅବମାନନା କରି ଅଯଥା ଶତ୍ରୁସୃଷ୍ଟି କରିବା କେବଳ ଅବିମୁଷ୍ୟକାରିତାର ପରିଚୟ । ପୃଥ୍ୱୀରାଜଙ୍କର ଅହଂକାରରେ ତୀବ୍ର ଆଘାତ ଲାଗିଲା । ସେ ମାଳବ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବାକୁ ପ୍ରତିଜ୍ଞା କଲେ-। କୌଣସି ବାରଣ ନ ମାନି ପୃଥ୍ୱୀରାଜ ନିଜର ସୁଶିକ୍ଷିତ ରାଜପୁତବାହିନୀ ଘେନି ମାଳବରେ ଉପସ୍ଥିତ ହେଲେ । ମୁସଲମାନ ରାଜାମାନଙ୍କର ସମରସଜ୍ଜା ବଡ଼ ବିଚିତ୍ର ଧରଣର-। ମାଳବରାଜାଙ୍କ ସଙ୍ଗେ ପତ୍ନୀ, ଉପପତ୍ନୀ, ଦାସୀ, ପରିଜନ, ସକଳ ପୁରବାସୀ ମହିଳା ଓ ଖଟ, ପଲଙ୍କ, ଗଦି, ଭୋଗବିଳାସର ଉପକରଣ ପ୍ରଭୃତି ଅନ୍ତଃପୁରର ସକଳ ବିଭବସମ୍ଭାର । ସୁତରାଂ ମୁସଲମାନବାହିନୀ ଅତିଶୟ ବିଶାଳ ଦେଖା ଯାଉଥିଲା ।

 

ଦୁଇ ପକ୍ଷର ମିଳନ ହେଲା । ମାଳବରାଜ ଭୋଗବିଳାସାସକ୍ତ, ଦୁର୍ବଳଶକ୍ତି, ଅନ୍ୟ ପକ୍ଷରେ ପୃଥ୍ୱୀରାଜଙ୍କର ରୁକ୍ଷ, କଷ୍ଟସହିଷ୍ଣୁ, ସଂଯତ ବ୍ୟକ୍ତିତ୍ୱ । ମୁସଲମାନବାହିନୀ ବିଶାଳ ସତ, କିନ୍ତୁ ରଣକାଣ୍ଡ ରାଜପୁତ ବୀରତ୍ୱର ସମକକ୍ଷ ହେବାକୁ ତା ଠାରେ ଶକ୍ତି ନ ଥିଲା ।

 

ପୃଥ୍ୱୀରାଜ ପ୍ରଚଣ୍ଡ ବେଗରେ ଆକ୍ରମଣ କରି ମାଳବ ରାଜାଙ୍କୁ ତାଙ୍କ ବିଶାଳ ବାହିନୀରୁ ଭିନ୍ନ କରିଦେଲେ । କିଛି ସମୟ ମଧ୍ୟରେ ରାଜା ସମ୍ପୂର୍ଣ୍ଣ ସହାୟହୀନ ହୋଇ ପୃଥ୍ୱୀରାଜଙ୍କ ହାତରେ ବନ୍ଦୀ ହେଲେ । ମୁସଲମାନବାହିନୀ ଏ ଦୁର୍ଦ୍ଦର୍ଷ ବୀରତ୍ୱ, ଅଲୌକିକ ରଣଚାତୁରୀ କଳ୍ପନା ସୁଦ୍ଧା କରି ନ ଥିଲେ । ପୃଥ୍ୱୀରାଜଙ୍କ ସମରକୁଶଳତା ଦେଖି ମୁସଲମାନମାନେ ବିସ୍ମିତ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ । ଟିକିଏ ପ୍ରକୃତିସ୍ଥ ହୋଇ ଯୁଦ୍ଧର ଉଦଯୋଗ କରିବାକୁ ବିଚାରିଲା ବେଳକୁ ରାଜା ବନ୍ଦୀ ହୋଇ ବହୁଦୂର ନୀତ ହେଲେଣି । ଆଉ କାଳବିଳମ୍ବ ନ କରି ମୁସଲମାନ ସୈନ୍ୟସାଗର କ୍ଷୀପ୍ରଗତିରେ ପୃଥ୍ୱୀରାଜଙ୍କର ଅନୁସରଣ କରିବାକୁ ଲାଗିଲା । ପୃଥ୍ୱୀରାଜ ଭୟଦେଖାଇ କହିଲେ, ‘‘ତୁମ୍ଭେମାନେ ଫେରିଯାଅ । ତାହା ହେଲେ ରାଜାଙ୍କର କିଛି ଅନିଷ୍ଟ ହେବ ନାହିଁ । ମାଳବରାଜା ମିବାର ରାଜାଙ୍କ ପଦ ସ୍ପର୍ଶ କରି ରାଜୋଚିତ ସମାରୋହରେ ଫେରିଆସିବେ । ଆଉ ଯଦି ତୁମ୍ଭେମାନେ ଅନୁସରଣ କର, ତେବେ ରାଜାଙ୍କର ଶିରୋଚ୍ଛେଦ କରିବି ।” ସୈନ୍ୟସାମନ୍ତ ଏଥିରେ ଆଉ ଅଗ୍ରସର ହେବାକୁ ସାହସ ନ କରି ବାହୁଡ଼ି ଗଲେ । କିଛିଦିନ ମଧ୍ୟରେ ପୃଥ୍ୱୀରାଜ ମାଳବ ରାଜାଙ୍କ ସହ ପିତାଙ୍କ ଚରଣତଳେ ଉପବିଷ୍ଟ ହୋଇ ପାଦପୂଜା କଲେ । ପିତା ଯେତେବେଳେ ପୁତ୍ରର ସହଯାତ୍ରୀଙ୍କୁ ମାଳବରାଜା ବୋଲି ଚିହ୍ନି ପଚାରିଲେ, ସେତେବେଳେ ତାଙ୍କର ବିସ୍ମୟର ସୀମା ରହିଲା ନାହିଁ । ପୁତ୍ରର ଏତାଦୃଶ ସାହସିକ ବୀରତ୍ୱ ଓ ବୁଦ୍ଧିମତ୍ତାର ପରିଚୟ ପାଇ ପିତୃହୃଦୟ ଆନନ୍ଦ ଓ ଅତ୍ମଶ୍ଲାଘାରେ ପରିପୂର୍ଣ୍ଣ ହେଲା । ରାୟମଲ୍ଲଙ୍କୁ ଯଥେଷ୍ଟ ଉପଢ଼ୌକନ ଦେଇ ମାଳବରାଜା ବନ୍ଧୁଭାବରେ ବିଦାୟ ଗ୍ରହଣ କଲେ । ଏହି ଘଟନା ପରେ ରାଣାଙ୍କ ପ୍ରଧାନ ପରାମର୍ଶଦାତା ଓ ଦୁଃଖ ବିପଦରେ ପ୍ରଧାନ ଅବଲମ୍ବନ ହେଲେ–ପୃଥ୍ୱୀରାଜ । ଶିଥିଳଶକ୍ତି ରାଣାଙ୍କର ପ୍ରାଣରେ ପୃଥ୍ୱୀରାଜ ଅପାର ଆଶା ଆଶ୍ୱାସନା ଢାଳିଦେଲେ ।

 

ସୂର୍ଯ୍ୟମଲ୍ଲର ବିଶ୍ୱାସ ଥିଲା, ସେ ଦିନେ ଚିତୋର ସିଂହାସନରେ ବସିବେ, କିନ୍ତୁ ତାହା ହେଲା ନାହିଁ । ପୃଥ୍ୱୀରାଜଙ୍କ ଯଶଃସୌରଭ, କ୍ଷମତାର ଅତୁଳନୀୟ ଦୀପ୍ତିରେ କ୍ରମେ ସେ ଆଶା ମଳିନ ପଡ଼ି ଆସିଲା । ବିଦ୍ୱେଷ ଜର୍ଜ୍ଜରିତ ହୋଇ ସେ ପ୍ରକାଶ୍ୟଭାବରେ ସାରଙ୍ଗଦେବ ନାମକ ରାଣୀଙ୍କର ଜଣେ ବଂଶଧରର ସହାୟତାରେ ବିଦ୍ରୋହ ଘୋଷଣା କରି ଗୋଟିଏ ବିସ୍ତୀର୍ଣ୍ଣ ଭୂମିଖଣ୍ଡ ଅଧିକାର କଲେ, ବିଜୟର ଉନ୍ମାଦନାରେ ଚିତୋର ରାଜ୍ୟ ଆସି ଆକ୍ରମଣ କଲେ । ପୃଥ୍ୱୀରାଜଙ୍କ ନିକଟକୁ ସଂବାଦ ପଠାଇ ଦେଇ ରାୟମଲ୍ଲ ଅଳ୍ପସଂଖ୍ୟକ ସେନା ସହ ଗାଈରୀ ନଦୀକୂଳରେ ଶିବର ସନ୍ନିବେଶିତ କଲେ । ଉଭୟ ପକ୍ଷରେ ଘୋର ଯୁଦ୍ଧ ଚାଲିଲା । ଯୁଦ୍ଧରେ ରାୟମଲ୍ଲ କ୍ଷତବିକ୍ଷତ, ରୁଧିରାକ୍ତ ହେଲେ; କ୍ରମଶଃ ସେ ନିର୍ଜୀଵ, ନିସ୍ତେଜ ହୋଇ ପଡ଼ିଲେ । ଇତ୍ୟବସରରେ ପୃଥ୍ୱୀରାଜ କମଳମିରରୁ ସହସ୍ର ଅଶ୍ଵାରୋହୀ ସେନା ନେଇ ସମର କ୍ଷେତ୍ରରେ ଉପସ୍ଥିତ ହେଲେ । କ୍ରୁଦ୍ଧ କେଶରୀ ପରି ସେ ବିପୁଳ ବିକ୍ରମରେ ପିତୃବ୍ୟ ସୂର୍ଯ୍ୟମଲ୍ଲଙ୍କୁ ଅନ୍ୱେଷଣ କରି ବୁଲିଲେ । ସେ ଘୋର ଯୁଦ୍ଧରେ ଉଭୟ ପକ୍ଷର ବହୁସଂଖ୍ୟକ ସୁଶିକ୍ଷିତ ରାଜପୁତ ସୈନିକ ଧରାଶାୟୀ ହେଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଯୁଦ୍ଧ ଅବିଶାନ୍ତ ଚାଲିଲା କିନ୍ତୁ କୌଣସି ପକ୍ଷରେ ଜୟଲାଭ ହେଲା ନାହିଁ । ସେଦିନପାଇଁ ଯୁଦ୍ଧ କ୍ଷାନ୍ତ ରହିଲା, ଯୋଦ୍ଧାମାନେ ନିଜ ନିଜ ଶିବିରକୁ ଫେରିଗଲେ ।

 

ସେହି ରଜନୀରେ ପୃଥ୍ୱୀରାଜ ସୂର୍ଯ୍ୟମଲ୍ଲଙ୍କ ଶିବିରରେ ଅକସ୍ମାତ ଏକାକୀ ଉପସ୍ଥିତ ହୋଇ ପିତୃବ୍ୟଙ୍କୁ କୁଶଳ-ପ୍ରଶ୍ନ କରିଥିଲେ । ରାଜପୁତ ଚରିତ୍ରରେ ସକଳ ଅଦ୍ଭୁତ–ସକଳ ଅଲୌକିକ ! ଯେତେବେଳେ ପୃଥ୍ୱୀରାଜ ଉପସ୍ଥିତ ହୁଅନ୍ତି, ସୂର୍ଯ୍ୟମଲ୍ଲ ଶଯ୍ୟାରେ ଶୟନ କରିଥିଲେ; ଜଣେ ଅନୁଚର କ୍ଷତସ୍ଥାନଗୁଡ଼ିକ ବନ୍ଧନ କରୁଥିଲା । ଯାହାର କଠୋର ଆଘାତରେ ଅଙ୍ଗ ପ୍ରତ୍ୟଙ୍ଗ ଛିନ୍ନ ଭିନ୍ନ, ରାଜ୍ୟଭାର ପଥରେ ଯେ ଏକମାତ୍ର ଅନ୍ତରାୟ, ଯାହାର ଜିଙ୍ଘାସା ଅନୁକ୍ଷଣ ଭୀଷଣ ମୂର୍ତ୍ତି ଧାରଣ କରି ତାହାଙ୍କୁ ପ୍ରକମ୍ପିତ କରୁଥିଲା, ସେହି ପ୍ରତିଦ୍ୱନ୍ଦୀ ଭ୍ରାତୃଷ୍ପୃତ୍ର ପୃଥ୍ଵୀରାଜଙ୍କୁ ସୂର୍ଯ୍ୟମଲ୍ଲ ପୁଣି ରୋଗଶଯ୍ୟାରୁ ଉଠି ସାଦର ସମ୍ଭାଷଣରେ ଅଭ୍ୟର୍ଥନା କରିଥିଲେ, ସ୍ନେହାଲିଙ୍ଗନରେ ବାତ୍ସଲ୍ୟର ପରିଚୟ ଦେଇଥିଲେ । ସେହି ତାତ୍ରୋତଥାନରେ ସୂର୍ଯ୍ୟମଲ୍ଲଙ୍କ ଦେହରୁ ପ୍ରବଳ ବେଗରେ ରୁଧିର କ୍ଷରିତ ହେବାରୁ ପୃଥ୍ଵୀରାଜଙ୍କ ମୁଖରେ କ୍ଳେଶ ଚିହ୍ନ ଦେଖା ଯାଇଥିଲା । ସେ ବ୍ୟାକୁଳ ହୋଇ ପିତୃବ୍ୟଙ୍କ ରୁଧିରକ୍ଷରଣ ନିବାରଣ କରିବାରେ ଲାଗିଗଲେ । ତତ୍ପରେ ଉଭୟେ ଶାନ୍ତି ହୋଇ ଆସନ ଗ୍ରହଣ କଲା ପରେ, ଉଭୟ ମଧ୍ୟରେ ପ୍ରଶ୍ନୋତ୍ତର ଚାଲିଲା । ପୃଥ୍ୱୀରାଜ ପଚାରିଲେ, ‘‘ଆପଣଙ୍କର କ୍ଷତସ୍ଥାନଗୁଡ଼ିକ ଟିକିଏ ଭଲ ଅଛି କି ?” “ବତ୍ସ ! ତୋତେ ଦେଖି ପରମ ପରିତୋଷ ଲାଭ କରିଅଛି । ବର୍ତ୍ତମାନ ଆଦୌ କଷ୍ଟ ବୋଧ ହେଉ ନାହିଁ, ଯେପରି କି ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଅଛି ।”

 

"ମୁଁ ଆଗ ଆପଣଙ୍କୁ ଦେଖିବାକୁ ଆସିଅଛି । ଏପର୍ଯ୍ୟନ୍ତ ପିତାଙ୍କ ପାଖକୁ ଯାଇ ନାହିଁ । ମୋତେ ବଡ଼ କ୍ଷୁଧା ବୋଧ ହେଉଛି, ତମ୍ବୁରେ କିଛି ଖାଦ୍ୟଦ୍ରବ୍ୟ ଅଛି କି ?”

 

ତତକ୍ଷଣାତ୍‍ ଆହାର୍ଯ୍ୟ ଆସିଲା; ଏକାସନରେ ଏକ ପାତ୍ରରେ ପିତୃବ୍ୟ ଓ ଭ୍ରାତୃଷ୍ପୁତ୍ର ଆହାର କରି ବସିଲେ । ବିଦାୟ କାଳରେ ପୃଥ୍ୱୀରାଜ କହିଲେ, ‘‘ଚାଲ ! କାଲି ପୁଣି ଆମେ ଦୁହେଁ ପ୍ରତିଦ୍ୱନ୍ଦୀ ଭାବରେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବା, କାଲି ହେବ ଶେଷ ଯୁଦ୍ଧ ।” “ହଁ ବତ୍ସ ! ତାହା ଠିକ୍‍, ସକାଳୁ ଯୁଦ୍ଧ ଆରମ୍ଭ ହେବ ।”

 

ରଜନୀ ପ୍ରଭାତରେ ପୁନର୍ବାର ଘୋର ଯୁଦ୍ଧ ହେଲା । ସାରଙ୍ଗଦେବ ଶରୀରର ପଂତ୍ରିଂଶ ସ୍ଥାନରେ ଆଘାତ ପାଇଥିଲେ । ତାଙ୍କର ବୀରତ୍ୱ ଦର୍ଶନରେ ଉଭୟପକ୍ଷ ବିସ୍ମିତ ହୋଇଥିଲେ । ଅସଂଖ୍ୟ ମୃତଦେହରେ ରଣଭୂମି ସମାକୀର୍ଣ୍ଣ ହେଲା । ଶେଷରେ ପୃଥ୍ୱୀରାଜ ବିଜୟ ଅର୍ଜନ କଲେ । ସୂର୍ଯ୍ୟମଲ୍ଲ ଓ ସାରଙ୍ଗଦେବ ଯୁଦ୍ଧକ୍ଷେତ୍ର ପରିତ୍ୟାଗ କରି ପଳାୟନ କଲେ । ସେମାନେ ବନମଧ୍ୟସ୍ଥ ଗୋଟିଏ ଦେବୀମନ୍ଦିରର ଦାରୁମୟ ପ୍ରାଚୀରର ଅନ୍ତର୍ଦେଶରେ ଗୁପ୍ତଭାବରେ ଯୁଦ୍ଧବିଷୟରେ କଥୋପକଥନ କରୁଅଛନ୍ତି, ପୃଥ୍ୱୀରାଜ ସେମାନଙ୍କର ଅନୁସରଣ କରି କରି ସେଠାରେ ଉପସ୍ଥିତ ହେଲେ । ସେ ଲମ୍ଫପ୍ରଦାନରେ ପ୍ରାଚୀର ଲଙ୍ଘନ କରି ସହସା କରାଳ କାଳ ପରି ପିତୃବ୍ୟଙ୍କ ନିକଟରେ ଉପସ୍ଥିତ ହେଲା, ତରବାରୀ ଉତଥିତ ହେଲା । ସାରଙ୍ଗଦେବ ବାଧାଦେଇ ନ ଥିଲେ ସେହିଠାରେ ସୂର୍ଯ୍ୟମଲ୍ଲଙ୍କର ଶେଷ ହୋଇଥାନ୍ତା ।

 

ସୂର୍ଯ୍ୟମଲ୍ଲଙ୍କ ଅନୁରୋଧରେ ସେ ଦିନ ପାଇଁ ଯୁଦ୍ଧ କ୍ଷାନ୍ତ ହେଲା । ଭ୍ରାତୃଷ୍ପୁତ୍ରଙ୍କୁ ସମ୍ବୋଧନ କରି ସେ କହିଲେ, ‘‘ବତ୍ସ ଆମ୍ଭେମାନେ ରାଜପୁତ୍ର, ଦେଶଲୁଣ୍ଠନରେ ଜୀବିକାର୍ଜ୍ଜନ କରି ପାରିବା । ମୁଁ ଗଲେ କିଛିମାତ୍ର କ୍ଷତି ନାହିଁ । କିନ୍ତୁ ଭାବି ବିଚାର କର, ତୁ ମଲେ ଚିତୋର ଅଦୃଷ୍ଟରେ କଣ ହେବ । ଲୋକେ ମୋତେ ଅଭିଶାପ ଦେବେ, ନିନ୍ଦାକରିବେ, ମୋର ଆଉ କଳଙ୍କର ଅବଧି ରହିବ ନାହିଁ ।” ଉଭୟେ ଊନ୍ମୁକ୍ତ ତରବାରୀ ନିଜ ନିଜର କୋଷମଧ୍ୟରେ ରଖିଦେଲେ, ଉଭୟେ ଉଭୟଙ୍କୁ ଆଲିଙ୍ଗନ କଲେ, ସ୍ନେହପୂର୍ଣ୍ଣ କଥୋପକଥନ ଚାଲିଲା । ଧନ୍ୟ ରାଜପୁତ ! ବୀରତ୍ୱ ସଙ୍ଗେ ଉଦାରତାର ଏ ବିଚିତ୍ର ସମନ୍ୱୟ କେବଳ ତୋହରିଠାରେ ଦେଖିବାକୁ ମିଳିପାରେ ।

 

ରାତ୍ରି ଶେଷ ହେଲାରୁ ପୁନର୍ବାର ଭୀଷଣ ଯୁଦ୍ଧ । ସାରଙ୍ଗଦେବ ଦେବୀମନ୍ଦିରରେ ବଳିରୂପେ ଅର୍ପିତ ହେଲେ, ସୂର୍ଯ୍ୟମଲ୍ଲ ପ୍ରାଣ ନେଇ ପଳାୟନ କଲେ, ସେ ପୃଥ୍ଵୀରାଜଙ୍କ ଜୀବିତାବସ୍ଥାରେ ଆଉ ଗତି ଫେରାଇ ନାହାନ୍ତି । ବନଖଳ ନାମକ ମହାରଣ୍ୟ ମଧ୍ୟରେ ପଳାୟନ କରୁ କରୁ ସୂର୍ଯ୍ୟମଲ୍ଲ ଦେଖିଲେ, ଗୋଟିଏ ବ୍ୟାଘ୍ରୀ ଗୋଟିଏ ଛାଗ ଶିଶୁକୁ ଆକ୍ରମଣ କରୁଅଛି । ଏହି ଶୁଭ ସଂକେତ ଦେଖି ଯୋଗିନୀଙ୍କର ଭଵିଷ୍ୟଦବାଣୀ ସୂର୍ଯ୍ୟମଲ୍ଲଙ୍କ ମନରେ ଉଦିତ ହେଲା । ସେ ନର ଆଶା ଆଶ୍ୱାସନାରେ ଉଦବୋଧିତ ହେଲେ । ସେଠାରେ ଅତୁଳ ଧୈର୍ଯ୍ୟ ଓ ବୀରତ୍ୱ ପ୍ରକାଶ କରି ଗୋଟିଏ ଦୁର୍ଭେଦ୍ୟ ଦୁର୍ଗ ସ୍ଥାପନ କଲେ । କ୍ରମେ ତାଙ୍କ ନିର୍ମିତ ଦେବଗଡ଼ ଦୁର୍ଗର ଚତୁଃପାର୍ଶ୍ୱସ୍ଥ ସହସ୍ର ସହସ୍ର ଗ୍ରାମ ତାଙ୍କ ଅଧିକାରରେ ଆସିଲା ।

 

ପୃଥ୍ଵୀରାଜଙ୍କର ଏକ ଭଗିନୀ ଶିରୋହିରାଜ ପାଭୁରାୟଙ୍କୁ ବିବାହ କରିଥିଲେ । ସେ ଅହିଫେନସେବୀ, ମାଦକପ୍ରିୟ, ନିଶାରେ ଉନ୍ମତ୍ତ ହୋଇ ପତ୍ନୀ ଉପରେ ଅତ୍ୟଧିକ ଉତ୍ପୀଡ଼ନ କରନ୍ତି-। ପୃଥ୍ୱୀରାଜ ଭଗିନୀର ଦୁର୍ଦ୍ଦଶା ଶ୍ରବଣ କରି ଗୁପ୍ତଭାବରେ ଦିନେ ରଜନୀରେ ହଠାତ ଭଗିନୀର ଶୟନ ପ୍ରକୋଷ୍ଠରେ ଉପସ୍ଥିତ ହୋଇ ତାଙ୍କର ଦୁର୍ଦ୍ଦଶା ସ୍ୱଚକ୍ଷୁରେ ଦେଖିଲେ । ଦେଖି କ୍ରୋଧରେ ପ୍ରକମ୍ପିତ ହୋଇ ତରବାରୀ ଉଠାଇଲେ । ତା କି ହୋଇପାରେ ? ସତପ୍ରାଣା ସତୀ ଭାଇର ଚରଣ ଧରି ପତିପ୍ରାଣ ଭିକ୍ଷା କରି ନେଲେ । ପୃଥ୍ୱୀରାଜ ଭଗିନୀପତିଙ୍କୁ ବହୁତ ଧିକକାର କରି ଆଉ ସେପରି ହୀନ ବ୍ୟବହାର ପୁନର୍ବାର ନ କରିବାକୁ ଶପଥ କରାଇ ନେଲେ । ଭଗୀନିପତିର ଅନୁରୋଧରେ ତାଙ୍କର ବନ୍ଧୁଭାବ ଦର୍ଶନରେ ସନ୍ତୁଷ୍ଟ ହୋଇ ପୃଥ୍ୱୀରାଜ ଶିରୋହି ରାଜ୍ୟରେ ପାଞ୍ଚ ଦିନ ଅବସ୍ଥାନ କଲେ । ଷଷ୍ଠ ଦିନ ସ୍ଵରାଜ୍ୟ ପ୍ରତ୍ୟାଗମନରେ ଆୟୋଜନ ହେଲା । ପାଭୁରାୟ ଏକପ୍ରକାର ସୁସ୍ୱାଦୁ ମୋଦକ ପ୍ରସ୍ତୁତ କରି ଜାଣୁଥିଲେ । ବିଦାୟ ସମୟରେ ଶାଳକଙ୍କୁ କେତୋଟି ମୋଦକ ଉପହାର ଦେଇଥିଲେ ।

 

କମଳମିରରେ ଉପସ୍ଥିତ ହୋଇ କ୍ଷୁଧା ବୋଧ ହେବାରୁ ପୃଥ୍ୱୀରାଜ କେତୋଟି ମୋଦକ ଭକ୍ଷଣ କରି ଜଳପାନ କଲେ । ମୁହୂର୍ତ୍ତ ମଧ୍ୟରେ ତାଙ୍କ ଶରୀର ଅବସନ୍ନ ହୋଇ ପଡ଼ିଲା, ଅଙ୍ଗ ପ୍ରତ୍ୟଙ୍ଗର ସନ୍ଧିବନ୍ଧନ ଶିଥିଳ ହେଲା । ବୁଝି ପାରିଲେ, ନରରାକ୍ଷସ ପାଭୁ ମୋଦକ ସଙ୍ଗେ କାଳକୂଟ ପ୍ରଦାନ କରିଥିଲା । ପ୍ରିୟତମା ତାରାଙ୍କୁ ମରଣ ପୂର୍ବରୁ ଥରେ ମାତ୍ର ଦେଖିବାକୁ ତାଙ୍କର ପ୍ରବଳ ଇଚ୍ଛା ହେଲା; ସେ ଇଚ୍ଛା ପୂର୍ଣ୍ଣ ହେବାକୁ ସମୟ ମିଳିଲା ନାହିଁ । ତାରା ଉପସ୍ଥିତ ହେବା ପୂର୍ବରୁ ପୃଥ୍ଵୀରାଜଙ୍କ ପ୍ରାଣବାୟୁ ଉଡ଼ିଗଲା । ତାରା ପତିଙ୍କ ମୃତ ଦେହ କୋଳରେ ଧରି ଜ୍ୱଳନ୍ତ ଚିତାରେ ପ୍ରବେଶ କଲେ । ବୀରତ୍ୱର ସେ ଅଲୌକିକ ଯୁଗଳ ମୂର୍ତ୍ତି ଲୁଚିଗଲା ।

Image

 

ପାନ୍ନା

 

ପ୍ରବଳପ୍ରତାପ ସଂଗ୍ରାମସିଂହଙ୍କ ମୃତ୍ୟୁ ପରେ ଚିତୋରର ପ୍ରଖ୍ୟାତ ରାଜଦଣ୍ଡ ବିକ୍ରମାଜିତଙ୍କ ହାତକୁ ଆସିଲା । ବିକ୍ରମାଜିତ ମୂର୍ଖ ଓ କାପୁରୁଷ; ଭୋଗବିଳାସହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ, ପ୍ରଜାପୀଡ଼ନ ଦୈନନ୍ଦିନ କର୍ମ । ଯେଉଁ ସରଦାରମାନେ ଆପଦ ବିପଦରେ ମିବାର ରାଜାଙ୍କର ଦକ୍ଷିଣ–ହସ୍ତ ଥିଲେ, ସେମାନେ ବିକ୍ରମାଜିତଙ୍କ ଅତ୍ୟାଚାର ଓ ଅବିମୃଷ୍ୟକାରିତାରେ ଶୀଘ୍ର ଶତ୍ରୁ ହୋଇ ଉଠିଲେ । ସଂଗ୍ରାମସିଂହଙ୍କର ଶିଶୁପୁତ୍ର ଉଦୟସିଂହଙ୍କର ବୟସ ସେତେବେଳକୁ ଛ ବର୍ଷ । ସେହି କେବଳ ରାଜସିଂହାସନର ପ୍ରକୃତ ଅଧିକାରୀ, ତେବେ ସମସ୍ୟା ପଡ଼ିଲା, ଉଦୟସିଂହ ଶିଶୁ ଓ ଅପ୍ରାପ୍ତବୟସ ଥିବାଯାଏ କିଏ ରାଜକାର୍ଯ୍ୟ ପର୍ଯ୍ୟାଲୋଚନା କରିବ ? ସାମନ୍ତ ସର୍ଦ୍ଦାରମାନେ ବାପାଙ୍କ ବଂଶଧରମାନଙ୍କ ଉପରେ ଚକ୍ଷୁ ବୁଲାଇ ଗଲେ । ବିଶାଳ ମିବାର ରାଜ୍ୟର ଗୁରୁଭାଇ ବହନ କରି ପାରିବ, ଏପରି ଉପଯୁକ୍ତ ବ୍ୟକ୍ତି କେହି ଦେଖା ଗଲେ ନାହିଁ । ପୃଥ୍ଵୀରାଜଙ୍କ ପୁଅ ମହାବୀର ବନଵୀର ବୀରତ୍ୱ, ସାହସ, ଶିଷ୍ଟତା ଓ ଦୟା ପ୍ରଭୃତି ସକଳ ପୂଣ୍ୟରେ ଲୋକଦୃଷ୍ଟି ଆକର୍ଷଣ କରି ପାରିଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ଥିଲା–ସେ ପୃଥ୍ୱୀରାଜଙ୍କ ବିବାହିତା ପତ୍ନୀର ପୁତ୍ର ନୁହନ୍ତି । ସେ ଯାହା ହେଉ, ସ୍ଥିର ହେଲା, ଉଦୟସିଂହଙ୍କର ପ୍ରତିନିଧିରୂପେ ତାଙ୍କୁ ରାଜଗାଦିରେ ବସାଇବାକୁ ହେବ । ବିକ୍ରମାଜିତ ବଳପ୍ରୟୋଗରେ ସିଂହାସନଚ୍ୟୁତ ହେଲେ । ମିବାରର ରାଜଛତ୍ର ଅଚିରେ ବନବୀରଙ୍କ ମସ୍ତକୋପରି ଉତ୍ତୋଳିତ ହେଲା ।

 

ଅର୍ଥ ସକଳ ଅନର୍ଥର ମୂଳ । ସିଂହାସନପ୍ରାପ୍ତିର ପର ମୁହୂର୍ତ୍ତଠାରୁ ବନବୀରଙ୍କ ଚରିତ୍ରରେ ଘୋର ପରିବର୍ତ୍ତନ ଦେଖାଗଲା । ସେ ପରୋପକାର, ସେ ଲୋକସେବା, ସେ ସକଳ ସଦଗୁଣ ବନବୀର ହରାଇ ବସିଲେ । ବିଶ୍ୱାସଘାତକତା କୀଟରୂପେ ତାଙ୍କର ପବିତ୍ର ହୃଦୟକୁ କର୍ତ୍ତନ କରିବାକୁ ଲାଗିଲା । ସେ ପ୍ରତିନିଧିପଦକୁ ଦାୟିତ୍ୱପୂର୍ଣ୍ଣ ଗୁରୁଭାର ମନେ ନ କରି କ୍ରମେ କଲ୍ୟାଣମୟ ବର ବୋଲି ବିବେଚନା କଲେ । ଦୁର୍ବାର ଲାଳସାରେ ଭାସିଯାଇ ସେ ଭାବିଲେ– ‘‘ଚିତୋର ସିଂହାସନ ମୋ ହାତରେ, ମୁଁ ଇଚ୍ଛା କଲେ, ମୋର ସୁଖସମ୍ଭୋଗର ପଥ ଚିରଦିନ ଉନ୍ମୁକ୍ତ ରଖି ପାରେ ତେବେ ସେ ପଥରେ ଅପ୍ରତ୍ୟୟ ଶିଶୁ ଉଦୟସିଂହ ଓ ପଦଚ୍ୟୁତ ବିକ୍ରମାଜିତ ଦୁଇଗୋଟି ପ୍ରଧାନ ଅନ୍ତରାୟ । ଏହି ଦୁଇଗୋଟି ବିଷମ କଣ୍ଟକ ଉନ୍ମୁଳିତ ନ କଲେ, ଶାନ୍ତିଲାଭର ଆଶା ନାହିଁ ।” ବର୍ତ୍ତମାନ କଳେ ବଳେ କୌଶଳ ବିକ୍ରମାଜିତ ଓ ଉଦୟସିଂହଙ୍କର ପ୍ରାଣ ବିନାଶ କରିବାକୁ ବନବୀର କୃତସଂକଳ୍ପ ହେଲେ ।

 

ଏଣେ ଅତୁଳ ଚିରବହିଁ ଉଦୟସିଂହଙ୍କର ଶିଶୁଜୀବନକୁ ଆଶଙ୍କାମୟ ଓ ବିପଦ ସଂକୁଳ କଲା । ସେ ପିତୃମାତୃହୀନ ଅରକ୍ଷିତ ଶିଶୁ, ଅନ୍ତଃପୁରର ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ, ଏକମାତ୍ର ଅବଳାପ୍ରାଣୀ ଧାତ୍ରୀର କୋଳରେ ପରିପାଳିତ; ତଥାପି ଧାତ୍ରୀର ଅଭୟକ୍ରୋଡ଼ରେ ଥିବାଯାଏଁ ରାଜପୁତ ନିରାପଦ, ପୁଣି ପାନ୍ନା ଉଦୟସିଂହଙ୍କର ଜନନୀରୁ ଅଧିକ । ଅତୁଳକୀର୍ତ୍ତି ସଂଗ୍ରାମସିଂହଙ୍କର ବୀରରକ୍ତ ଶିଶୁ ପୁତ୍ର ଉଦୟସିଂହଙ୍କ ଶରୀରରେ ବହୁଅଛି; ସେଥିପାଇଁ ପାନ୍ନାଙ୍କ ନିକଟରେ ସେ ଆଜି ଦେବତାଠାରୁ ଅଧିକ । ଶିଶୁଟି ପାଇଁ ସ୍ନେହ, ଭକ୍ତି, ପ୍ରୀତି ଓ ଅତୁଲ୍ୟ ଆଦର ପାନ୍ନାଙ୍କ ଉଦାର ହୃଦୟରେ ଭରା, ରାତି ପହିଲାରୁ ରାତି ଅଧଯାଏ ସେ ଉଦୟସିଂହଙ୍କ ଶୁଶ୍ରୁଷାରେ ବ୍ୟସ୍ତ, ସ୍ନାନ, ପାନ, ଭୋଜନ, ଭୂଷଣ, ପରିଧାନ, ସକଳ ସେ ବୁଝିବେ । ଏପରି କି, ଶିଶୁ ଶୟନରେ ଅଜ୍ଞାନ ଥିବାବେଳେ ମଧ୍ୟ ସେ ନାନା ପୁଷ୍ପ ଗନ୍ଧ ମାଲ୍ୟ ଧୂପ ନୈବେଦ୍ୟ ନେଇ ଭବାନୀଙ୍କର ଆରାଧନାରେ ରାଜା ଓ ରାଜଗାଦିର ମଙ୍ଗଳ କାମନା କରିବେ । ପାନ୍ନାଙ୍କର ଏକମାତ୍ର ଚିନ୍ତା ଉଦୟସିଂହ–ଯଦି କିଛି ସୁଖମୟ କଳ୍ପନା ଥାଏ, ତେବେ ତାଙ୍କର ଆଶଙ୍କାମୟ ଭବିଷ୍ୟତ ।

 

ଦିବାଭାଗ ଅତୀତ, ରାତ୍ରିର ଅନ୍ଧକାର କ୍ରମେ କ୍ରମେ ଜଗତକୁ ଗ୍ରାସ କଲାଣି । ପାନ ଭୋଜନ ସମାପନ କରି ପାନ୍ନା ଉଦୟସିଂହଙ୍କ ନିକଟରେ ବସି ଶୁଶ୍ରୁଷା କରୁଅଛନ୍ତି । କେତେବେଳେ ଅତୀତର କେତେ ସୁଖମୟ ଚିତ୍ର କଳ୍ପନାରେ ଭାସି ଆସୁଅଛି; ସଂଗ୍ରାମସିଂହଙ୍କର ସେ ବୀରତ୍ୱରଞ୍ଜକ ପ୍ରଶାନ୍ତ ପାବନ ବଦନମଣ୍ଡଳ, ସାହସ ଓ ବୀରତ୍ୱରେ କେତେ କେତେ ଅଲୌକିକ ଚିତ୍ର ଚକ୍ଷୁ ସମ୍ମୁଖରେ ନାଚିଯାଇ ଲୋତକଧାରା ଗଡ଼ାଉଅଛି; କେତେବେଳେ ପୁଣି ସମ୍ମୁଖରେ ଉଦୟସିଂହଙ୍କର ସରୋଜବଦନ ଦେଖି ସେ ସବୁ ବିସ୍ମୃତ ହେଉଅଛନ୍ତି; କ୍ଷଣକେ ପୁଣି ନାନା ଆଶା, ଅବିଶ୍ୱାସ ମଧ୍ୟରେ କେତେ ସୁଖମୟ ଭବିଷ୍ୟତ ଗଢ଼ୁଅଛନ୍ତି, କେତେବେଳେ ଶିଶୁର ଚନ୍ଦ୍ରବଦନରେ ଚୁମ୍ବଦାନ କରୁଅଛନ୍ତି, କେତେବେଳେ ବା ଅତୁଲ୍ୟ ସ୍ନେହ ଆଦରରେ ଉଦୟସିଂହଙ୍କର ଶିଶୁହୃଦୟକୁ ନିଜର ବକ୍ଷଦେଶରେ ଚାପି ଧରୁଅଛନ୍ତି । ସୁଖ ଦୁଃଖର ଏ ସବୁ ମଧୁର ଜଟିଳ ଭାବନା ଭ୍ରାନ୍ତି ଶିଶୁଟି ବୁଝିବ କୁଆଡ଼ୁ ? ସେ ପାନ୍ନାଙ୍କର ନିରତଶୟ ଆଦର ଦେଖି କେବଳ କରକର ହୋଇ ହସି ଦେଉଅଛି । ଦେଖୁ ଦେଖୁ ରାଜପୁତ୍ରର ଚକ୍ଷୁରେ ନିଦ୍ରା ଦେଖାଗଲା–ସେ ଘୋର ନିଦ୍ରାରେ ଅଭିଭୂତ ହୋଇ ପଡ଼ିଲେ ।

 

ବର୍ତ୍ତମାନ ନିଦ୍ରିତ ଉଦୟସିଂହଙ୍କୁ ପଲଙ୍କ ଉପରେ ଶୁଆଇ ଦେବାକୁ ଯାଉଅଛନ୍ତି, ପାନ୍ନା ହଠାତ୍‍ ଅନ୍ତଃପୁତ୍ର ମଧ୍ୟରେ ଭୀଷଣ ଆର୍ତ୍ତନାଦ ଶୁଣି ପାରିଲେ । ଯୁଗପତ ଭୟ ଓ ବିସ୍ମୟ ଜାତ ହୋଇ ପାନ୍ନାଙ୍କୁ ସ୍ତମ୍ଭୀଭୂତ କରି ପକାଇଲା । ଠିକ ସେହି ସମୟରେ ଅନ୍ତଃପୁରଚାରୀ ଜଣେ କ୍ଷୌରକାର ଆସି କହିଲା,” ବନବୀର କାରାରୁଦ୍ଧ ବିକ୍ରମାଜିତଙ୍କୁ ନିଷ୍ଠୁରଭାବରେ ହତ୍ୟା କରିଅଛି ।” ଏ ମର୍ମଭେଦୀ ସମ୍ବାଦରେ ଧାତ୍ରୀହୃଦୟ ଉଦବେଳିତ ହୋଇ ଉଠିଲା, ସଙ୍ଗେ ସଙ୍ଗେ ଘୋର ଆଶଙ୍କା ଓ ଭୟ ସେହି ଉଦବେଳିତ ହୃଦୟରେ ଦେଖା ଦେଲା । ବୁଦ୍ଧିମତୀ ପାନ୍ନା ତତକ୍ଷଣାତ୍‍ ବେଶ ବୁଝି ପାରିଲେ–‘‘କେବଳ ବିକ୍ରମାଜିତଙ୍କ ପ୍ରାଣ ବିନାଶ କରି ବନବୀର ଜିଘାଂସା ଶାନ୍ତ ହେବ ନାହିଁ, ସେ ଅବିଳମ୍ବେ ଉଦୟସିଂହଙ୍କର ପ୍ରାଣ ସଂହାର କରିବାକୁ ଉପସ୍ଥିତ ହେବ ।”

 

ରାଜକୁମାର ଉଦୟସିଂହଙ୍କ ପ୍ରାଣରକ୍ଷାପାଇଁ ପାନ୍ନାଙ୍କ ହୃଦୟ ବ୍ୟାକୁଳ ହୋଇ ଉଠିଲା । ସେ ଚକ୍ଷୁ ବୁଲାଇ ଦେଖିଲେ, ଶିବଙ୍କ ଉଦ୍ଦେଶ୍ୟରେ ପୁଷ୍ପ ଓ ବିଲ୍ଵପତ୍ରରେ ସଜ୍ଜିତ ହୋଇ ଗୋଟିଏ ବୃହତ୍‍ ବେଢ଼ା ଥୁଆ ହୋଇଅଛି । ଆଉ କାଳବିଳମ୍ବ ନ କରି ସେ ନିଦ୍ରିତ ଉଦୟସିଂହଙ୍କୁ ବେଢ଼ା ମଧ୍ୟରେ ନେଇ ଶୁଆଇ ଦେଲେ, ତାଙ୍କର ବହୁମୂଲ୍ୟ ଭୂଷଣଗୁଡ଼ିକ କାଢ଼ି ପକାଇଲେ; ପରେ କେତେକ ପୁଷ୍ପ ଓ ବିଲ୍ଵପତ୍ରରେ ବେଢ଼ାଟିକୁ ଆଚ୍ଛାଦିତ କରି ତାହାକୁ ଶୀଘ୍ର ନେଇ ଦୁର୍ଗରୁ ବହିଷ୍କ୍ରାନ୍ତ ହେବାକୁ ସେ କ୍ଷୌରକାରକୁ ଆଦେଶ ଦେଲେ ।

 

କ୍ଷୌରକାର ତାହାହିଁ କଲା–କିଛିମାତ୍ର ତର୍କ ବିତର୍କ ବା ବାକ୍ୟବ୍ୟୟ ନ କରି ସେ ସେହି ମୁହୂର୍ତ୍ତରେ ଧାତ୍ରୀର ଆଦେଶ ଅନୁସାରେ ବେଢ଼ାଟି ମୁଣ୍ଡାଇ ଦୁର୍ଗରୁ ପଳାୟନ କଲା । ଏଣେ ପାନ୍ନା ଆପଣାର ନିଦ୍ରିତ ଶିଶୁପୁତ୍ରକୁ ନେଇ ରାଜକୁମାରଙ୍କ ଶଯ୍ୟାରେ ଶୁଆଇ ଦେଲେ । ପୁତ୍ରର ଅଳଙ୍କାରଗୁଡ଼ିକ କାଢ଼ି ରଖି ରାଜକୁମାରଙ୍କର ଅଳଙ୍କାରଗୁଡ଼ିକ ତାକୁ ପିନ୍ଧାଇ ଦେଲେ । ପିନ୍ଧାଇବା ବେଳେ ଦୁଇ ଚକ୍ଷୁରୁ ଅସମ୍ଭାଳ ଲୋତକଧାରା ବହି ଯାଉଥାଏ । ତତ୍ପରେ ସେ ପୁତ୍ରର କୋମଳ ଗଣ୍ଡଦେଶରେ ଗୋଟିଏ ମାତ୍ର ଚୁମ୍ବନ ଦେଇ ସାଶ୍ରୁଲୋଚନରେ ନିକଟରେ କ୍ଷଣକାଳ ନୀରବରେ ଦଣ୍ଡାୟମାନ ହେଲେ । ତତପରେ ଯେତେବେଳେ ଧୀର ପଦବିକ୍ଷେପରେ ବହିର୍ଗମନର ଉଦଯୋଗ କରୁଅଛନ୍ତି, ଠିକ୍‍ ସେହି ସମୟକୁ ଭୀଷଣମୁର୍ତ୍ତି ବନବୀର ରୁଦ୍ରବେଶରେ ଆସି ଗୃହମଧ୍ୟରେ ଉପସ୍ଥିତ ହେଲା । ଧାତ୍ରୀକୁ ସମ୍ମୁଖରେ ଦେଖି ସେ ଉଦୟସିଂହଙ୍କ କଥା ପଚାରିଲା । ପାନ୍ନାଙ୍କର ପ୍ରାଣ ଜଡ଼ପିଣ୍ଡ ଛାଡ଼ି ଉଡ଼ିଯିବାକୁ ଇଛା କଲା, ମୁହଁରୁ ପଦେ ହେଲେ କଥା ବାହାରିଲା ନାହିଁ; କାଷ୍ଠପୁତ୍ତଳିକାପ୍ରାୟ ଦଣ୍ଡାୟମାନ ରହି ସେ ଅଙ୍ଗୁଳିସଙ୍କେତର ରାଜକୁମାରଙ୍କ ଶଯ୍ୟା ଦେଖାଇ ଦେଲେ । ନୃଶଂସ ବନବୀର ତତକ୍ଷଣାତ୍‍ ଶାଣିତ ଛୁରିକାଘାତରେ ଧାତ୍ରୀନନ୍ଦନର ବକ୍ଷ ବିଦୀର୍ଣ୍ଣ କରି ଚାଲିଗଲା । ମାତାର ଦୃଷ୍ଟି ସମ୍ମୁଖରେ ପ୍ରାଣାଧିକ ପୁତ୍ରର ହୃତପିଣ୍ଡ ଛିନ୍ନ ବିଛିନ୍ନ ହେଲା, ଅଥଚ ଉଦାର ଗମ୍ଭୀର ଭାବରେ ନିଜେ ଗର୍ଭଧାରିଣୀ ମାତା ଏ ଭୀମକାନ୍ତ ଦୃଶ୍ୟ ଅଭିନୟ କରିବାକୁ ଦଣ୍ଡାୟମାନା ! ଧନ୍ୟ ରାଜପୁତ ରମଣୀ ! ଏ ମହାର୍ଘ ହୃଦୟସ୍ପର୍ଶୀ ଚିତ୍ର ତୋ ଛଡ଼ା ଆଉ କିଏ କେବେ ଜଗତକୁ ଦେଖାଇଅଛି ?

 

ପାନ୍ନା ପ୍ରାଣ ଖୋଲି କାନ୍ଦି ପାରିଲେ ନାହିଁ–ହୃଦୟର ବେଦନା ହୃଦୟରେ ଚାପି ରଖି ଧୀର ଗମ୍ଭୀର ଭାବେ ଦୁର୍ଗରୁ ବାହାରି ଆସିଲେ । ସଙ୍ଗେ ସଙ୍ଗେ ସତେ ଅବା ରାଜପୁରୀରୁ ଲକ୍ଷ୍ମୀ ଛାଡ଼ି ଚାଲିଗଲା । ସଂଗ୍ରାମସିଂହଙ୍କର ବଂଶଲୋପ ହେଲା, ଭାବି ଅନ୍ତଃପୁରର ଲଳନାମାନେ ମର୍ମଭେଦୀ ଆର୍ତ୍ତନାଦରେ ରଜନୀତି ମୁଖରିତ କଲେ । ଚାହୁଁ ଚାହୁଁ ଏ ଦୁଃସମ୍ବାଦ ପୂର–ପଲ୍ଲୀ ସର୍ବତ୍ର ବ୍ୟାପ୍ତ ହୋଇ ରାଜ୍ୟକୁ ଗଭୀର ଶୋକରେ ବୁଡ଼ାଇ ଦେଲା । ସାରା ପ୍ରକୃତି ବନବୀରର ଏ ପୈଶାଚିକ କାର୍ଯ୍ୟରେ ଅଭିସମ୍ପାତ ବର୍ଷଣକଲା ।

 

ଚିତୋରର ପଶ୍ଚିମ ପ୍ରାନ୍ତରେ ବୀର ନାମ୍ନୀ ଗୋଟିଏ କ୍ଷୂଦ୍ରନଦୀ । ବିଶ୍ୱାସୀ କ୍ଷୌରକାର ରାଜପୁତ୍ରଙ୍କୁ ନେଇ ସେହି ନଦୀର ତୀରସ୍ଥ ଏକ ବିକୃତ ସ୍ଥାନରେ ପାନ୍ନା ଙ୍କୁ ଅପେକ୍ଷା କରି ରହିଲା । ସୌଭାଗ୍ୟର ବିଷୟ, ସେପର୍ଯ୍ୟନ୍ତ ଉଦୟସିଂହଙ୍କର ନିଦ ଭାଙ୍ଗି ନ ଥିଲା । କ୍ଷୌରକାର ଭାବିଥିଲା, ନିଜ ଶିଶୁପୁତ୍ରକୁ ଘେନି ପାନ୍ନା ଆସି ଉପସ୍ଥିତ ହେବେ, କିନ୍ତୁ ଆଉ ଶିଶୁପୁତ୍ର ଦେବ କିଏ ? ସଙ୍ଗରେ ଶିଶୁପୁତ୍ରକୁ ନ ଦେଖି କ୍ଷୌରକାର ଅତି ବିସ୍ମୟରେ କାରଣ ପଚାରିଲା । ମାତା କ୍ଷୀଣ ସ୍ୱରରେ ଉତ୍ତର ଦେଲେ, ‘‘ପୁତ୍ରମୋର ପ୍ରଭୁର ଜୀବନ ରକ୍ଷା ପାଇଁ ଜୀବନ ଦେଇଅଛି । ସେ ବର୍ତ୍ତମାନ ନିଜର କର୍ତ୍ତବ୍ୟ ସମ୍ପନ୍ନ କରି ସାରି ଅମର ଧାମରେ ବସିଅଛି । ଆମର କର୍ମ ଆମକୁ କରିବାକୁ ହେବ; ରାତ୍ରି ନ ପାହୁଣୁ ଚାଲ ଦୁହେଁ ମିଳି ରାଜପୁତ୍ରଙ୍କୁ କୌଣସି ନିରାପଦ ସ୍ଥାନରେ ବିଶ୍ୱସ୍ତ ଆଶ୍ରୟରେ ରଖି ଦେଇ ଆସିବା, ନୋହିଲେ ରକ୍ଷା ନାହିଁ ।”

 

‘‘ନା, ତା ମୋ ହାତରେ ହେବ ନାହିଁ । ମୁଁ ଆଉ ଏ କାର୍ଯ୍ୟରେ ତୁମକୁ ସାହାଯ୍ୟ କରିପାରିବି ନାହିଁ । କେଉଁ ମାତା ନିଜ ପ୍ରାଣର ଶିଶୁପୁତ୍ରକୁ ରାକ୍ଷସ କବଳରେ ଛାଡ଼ି ଦେଇ ଆସି ପାରେ ? ଗର୍ଭରେ ଦଶମାସ ଧରି କେଉଁ ଜନନୀ ଅକୁଣ୍ଠିତ ଚିତ୍ତରେ ନିଜ ସନ୍ତାନକୁ ଭକ୍ଷଣ କରିପାରେ ? ଯେ ପାରେ, ସେ ମାନଵୀ ନୁହେ–ଯାଦୁକରୀ, ରାକ୍ଷସୀ । ରାକ୍ଷସୀର କର୍ମରେ ସାହାଯ୍ୟ କରି ଜୀବନର କିଛି ମଙ୍ଗଳ ହୋଇପାରେ ନା, ମୁଁ ଆଉ ପାରିବି ନାହିଁ; କ୍ଷମା କରିବେ ।”

 

ବଡ଼ ବିଷମ–ଏ ସଂକଟ ସମୟରେ ନିଃସହାୟ ଅବସ୍ଥାରେ ଏକମାତ୍ର ସହାୟ କ୍ଷୌରକାର ମଧ୍ୟ ସାହାଯ୍ୟ କରିବାକୁ ନାରାଜ ଘୋର ଭର୍ତ୍ସନା କରି ପଳାୟନ କରିବାକୁ ଉଦ୍ୟତ ! କ୍ଷୌରକାରର ଏ ଭାବ ଦେଖି ପାନ୍ନାଙ୍କ ଶୋକସଂତପ୍ତ ମୁଖମଣ୍ଡଳରେ ହାସ୍ୟର କ୍ଷୀଣ ଛିଟା କ୍ଷଣକପାଇଁ ଖେଳିଗଲା । ରାତ୍ରିର ଅନ୍ଧକାରରେ ତାହା କ୍ଷୌରକାର ଦୃଷ୍ଟିରେ ପଡ଼ି ପାରିଲା ନାହିଁ । ପାନ୍ନା କୋମଳ ମଧୁର ସ୍ୱରରେ ବୁଝାଇବାକୁ ଲାଗିଲେ-"ବେଶ ତ ବୁଦ୍ଧି ! ଏପରି ସଂକଟ ସମୟରେ ତୋର ଏ ବାତୁଳତା କାହିଁକି ? ଆଛା ପଚାରୁଛି, କହିଲୁ–ମୋର ଦୋଷ ହୋଇଛି ବା କଣ ? ପୁତ୍ର ବଞ୍ଚିଥିଲେ, ଉଦୟସିଂହଙ୍କ ପାଇଁ ବା ଦେଶ ସକାଶେ ଯୁଦ୍ଧକ୍ଷେତ୍ରରେ ପ୍ରାଣ ଦେଇଥିଲେ, ଧନ୍ୟ ହୋଇଥାନ୍ତା, ଏହି ତ ? ନୋହିଲେ ରାଜପୁତ୍ରର ପ୍ରାଣରକ୍ଷା ପାଇଁ ଶୈଶବରୁ ବଳି ହେଲା ! ଉଭୟ ସମାନ କଥା । ପୁତ୍ର ଯେତେବେଳେ ଅଜ୍ଞାନ ଶିଶୁ, ହିତାହିତ ବୁଝି ପାରୁ ନାହିଁ, ସେତେବେଳେ ତା ଜୀବନର ସୁବ୍ୟବହାର ପାଇଁ ମା ଦାୟୀ । ପୁତ୍ର ବଞ୍ଚିଥିଲେ ମୋର ଦୁର୍ବଳତା ପାଇଁ ଚିରଦିନ ଅଭିସମ୍ପାତ ବର୍ଷଣ କରନ୍ତା । ବର୍ତ୍ତମାନ ସବୁ ଠିକ୍‍ ହୋଇଅଛି । ଏ କ୍ଷେତ୍ରରେ ମାତାର କର୍ତ୍ତବ୍ୟ ମାତା କରିଅଛି–ପୁତ୍ରଜୀବନର ସର୍ବୋତ୍କୃଷ୍ଟ ବ୍ୟବହାର ମଧ୍ୟ ହୋଇଅଛି । ଦୁଃଖ କାହିଁକି ? କର୍ତ୍ତବ୍ୟ କରି ସାରି ଅନୁଶୋଚନା କରିବା ପାପ-ସୁନ୍ଦର ନୁହେ ।” ଅଳ୍ପବୁଦ୍ଧି କ୍ଷୌରକାର ମାତୃ ହୃଦୟର ଏ ଜଟିଳ ବାତ୍ସଲ୍ୟ ବୁଝିବ କୁଆଡ଼ୁ ? ସେ ନିର୍ବାର ନିଷ୍ପଦ ହୋଇ ଠିଆ ହୋଇ ରହିଲା ।

 

ଗଭୀର ନିଶୀଥ–ଚତୁର୍ଦ୍ଦିଗର ଭୀମ ଅରଣ୍ୟ ନିବିଡ଼ ଅନ୍ଧକାରରେ ପରିପୂର୍ଣ୍ଣ ହୋଇ ରହିଥିଲା । ବର୍ତ୍ତମାନ କୃଷ୍ଣାଷ୍ଟମୀର ଅର୍ଦ୍ଧଚନ୍ଦ୍ର ଦିଗବଳୟରେ ଜ୍ୟୋସ୍ନାକାଳ ବିସ୍ତାର କରି ଦେଖା ଦେଲେଣି । ପାନ୍ନା ଆଉ କ୍ଷୌରକାରକୁ ଅପେକ୍ଷା କରି ରହିବା ଠିକ୍‍ ମନେ କଲେ ନାହିଁ, ବେତା ସହିତ ଉଦୟସିଂହଙ୍କୁ ନିଜ ମସ୍ତକରେ ମୁଣ୍ଡାଇ ଭୀମ ବିକ୍ରମରେ ବିପଦସଙ୍କୁଳ ବନପଥ ଦେଇ ଗତି କରିବାକୁ ଲାଗିଲେ । କ୍ଷୌରକର ନିଜ ଚକ୍ଷୁକୁ ବିଶ୍ୱାସ କଲା ନାହିଁ । ସେ ଅସୀମ ସାହାସିକତା, ଅମାନୁଷ ଭାବ ବୁଝିବାପାଇଁ ତାର କ୍ଷୁଦ୍ର ମସ୍ତିଷ୍କରେ ଶକ୍ତି କାହିଁ ? ସେ କେବଳ ତଟସ୍ଥ ହୋଇ ଚାହିଁ ରହିଲା । ଚାହୁଁ ଚାହୁଁ ପାନ୍ନା ଦୃଷ୍ଟିପଥରୁ ଅନ୍ତର୍ହିତ ହୋଇ ଜ୍ୟୋସ୍ନାବିଧୌତ ବନର ଅନନ୍ତ ନୀଳିମା ମଧ୍ୟରେ କ୍ଷଣକେ କେଉଁଆଡ଼େ ମିଶିଗଲେ ।

 

ଚିତୋର ରାଜଭବନରୁ ଦେବଳରାଜ ସିଂହରାଓଙ୍କର 'ଗିରିଦୁର୍ଗ' ନ' ଦଶ କ୍ରୋଶରୁ ଊଣା ନୁହେ । ପଥ ବଡ଼ ବିପଦସଙ୍କୁଳ ଭୀମ ଅରଣ୍ୟ ମଧ୍ୟ ଦେଇ ପ୍ରସାରିତ, ଦିବାଭାଗରେ ମଧ୍ୟ ଏକାକୀ ଯିବାକୁ ସାହସୀ ରାଜପୁତ ସରଦାରମାନଙ୍କର ଭୟ ହୁଏ । କିନ୍ତୁ ପରଦିନ ପ୍ରାତଃକାଳରେ ଦେଖାଗଲା 'ଗିରିଦୁର୍ଗ'ର ସିଂହଦ୍ୱାରରେ ପାନ୍ନା ଓ ଉଦୟସିଂହ ଉଭୟେ ଦାସୀ ଓ ଦାସୀପୁତ୍ର ବେଶରେ ସିଂହରାଓଙ୍କୁ ଅପେକ୍ଷାକରି ରହିଅଛନ୍ତି । ଧନ୍ୟ ପାନ୍ନା ! ଏତେ ଅଳ୍ପ ସମୟ ମଧ୍ୟରେ ଏ ଦୀର୍ଘ ଦୁର୍ଗମ ପଥ କିପରି ଅତିକ୍ରମ କଲେ ? କେଉଁ ଅଜ୍ଞାତ ଶକ୍ତି ତୁମ ଅବଳା ହୃଦୟରେ ସାହସ ଓ ଶକ୍ତି ଜାଳି ଦେଇ ଏ ଅପରିଚିତ ପଥରେ ବାଟ ଦେଖାଇ ଘେନି ଆସିଲା ! ତୁମେ ଦେବୀ, ନ ମାନଵୀ !

 

ଘୋର ଲଜ୍ୟାର କଥା, ବୃଦ୍ଧା ପାନ୍ନାଙ୍କର ଏ ସାହସିକତା ସମ୍ମୁଖରେ ଦେଖି ମଧ୍ୟ ଦେବଳରାଜର ଭୀରୁ ହୃଦୟ ଟିକିଏ ମାତ୍ର ବିଚଳିତ ହେଲା ନାହିଁ । ସେ ବନବୀରର ଭୟରେ ଆଶ୍ରୟ ଦେବାକୁ ଅସମ୍ମତ ହେଲେ । କ୍ଲାନ୍ତ ଶ୍ରାନ୍ତ ପାନ୍ନାଙ୍କର ଚତୁର୍ଦ୍ଦିଗରେ ଜଗତ ଘୂରିବାକୁ ଲାଗିଲା; ତଥାପି ସେ ସାହସ ବାନ୍ଧି ରାଜକୁମାରଙ୍କୁ ଧରି ଦୁଙ୍ଗରପୁରର ସାମନ୍ତ ନୃପତି ଐଶକର୍ଣ୍ଣଙ୍କ ନିକଟକୁ ଗଲେ । ସେ ସ୍ଥଳରେ ମଧ୍ୟ ଅଭୀଷ୍ଟ ସିଦ୍ଧ ହେଲା ନାହିଁ । ଦ୍ୱିତୀୟ ବାର ବିଫଳ ମନୋରଥ ହୋଇ ପାନ୍ନା ଏକାବେଳକେ ଭଗ୍ନ ହୃଦୟ ହୋଇ ପଡ଼ିଲେ, ଲୋତକ ଗଡ଼ାଇ ବ୍ୟାକୁଳ ପ୍ରାଣରେ ଭବାନୀଙ୍କ ସାହାଯ୍ୟ ଭିକ୍ଷା କଲେ । ଭଗ୍ନ ହୃଦୟରେ ପୁନର୍ବାର ସାହସ ଦେଖା ଦେଲା, ଉଦୟସିଂହଙ୍କ ସରୋଜବଦନ ନିରୀକ୍ଷଣ କରି ସେ ସାହସ କ୍ଷଣକେ ପୁଣି ଶତଗୁଣିତ ହୋଇ ଉଠିଲା । ସବତ୍ସା କ୍ଷିପ୍ତା ସିଂହୀ ପରି ଉଦୟସିଂହଙ୍କ ସହ ପାନ୍ନା ବନ୍ୟମୟ ଅନନ୍ତ ଉପତ୍ୟକା ଭୂମି ଦେଇ ଦୂରବର୍ତ୍ତୀ ଗୋଟିଏ ଗିରିଦୁର୍ଗକୁ ଗମନ କରିବାକୁ ଲାଗିଲେ । ସେ ଦୁର୍ଗପତ ମଧ୍ୟ ଉଦୟସିଂହଙ୍କୁ ଆଶ୍ରୟ ଦେବାକୁ ନାରାଜ ହେଲେ ।

 

ଘୃଣା ଓ ଲଜ୍ଜାରେ ସେ ସ୍ଥାନ ପରିତ୍ୟାଗ କରି ପାନ୍ନା ବର୍ତ୍ତମାନ କିଂକର୍ତ୍ତବ୍ୟବିମୂଢ଼ ହେଲେ । ଛି, ସମସ୍ତ ରାଜପୁତ କଣ ତେବେ ହୃଦୟହୀନ ପଶୁ ! କାହାରି ନିଜ ଦେଶ ପ୍ରତି ମମତା, ସମ୍ରାଟଙ୍କ ଆସନ ପ୍ରତି କୃତଜ୍ଞତା ନାହିଁ ! ଚତୁର୍ଦ୍ଦିଗରେ ଏ ଜୀବନଶୂନ୍ୟତା ପ୍ରତ୍ୟକ୍ଷ କରି କ୍ଷୁଦ୍ର ଅବଳାହୃଦୟର ଶକ୍ତି ଉଦ୍ଦୀପିତ ହୋଇ ଉଠିଲା । ପାନ୍ନା ପଣ କଲେ, ‘‘ଏ ଜୀବନ ଥିବାଯାଏ ଉଦୟସିଂହଙ୍କର ଅନିଷ୍ଟ କରିବ କିଏ ?” ଏ ଅଟଳ ପ୍ରଭୁଭକ୍ତି ଗୁରୁ ପ୍ରତିଜ୍ଞାରେ ସ୍ୱର୍ଗ ଭୁବନ ପ୍ରକମ୍ପିତ ହେଲା ! ନିଜେ ବିଧିଙ୍କର ମଧ୍ୟ ଏ କଷ୍ଟ ସହ୍ୟ ହେଲା ନାହିଁ । କାହୁଁ ଦଳେ ପାର୍ବତୀୟ ଭାଇ ହଠାତ ଦେଖା ଦେଇ ପାନ୍ନାଙ୍କ ପ୍ରତି ସହାନୁଭୂତି ଦେଖାଇ ଏବଂ ତାଙ୍କର ଗୁରୁ କାର୍ଯ୍ୟରେ ସହାୟ ହେବାକୁ ପ୍ରତିଜ୍ଞା କଲେ । ପାନ୍ନା ବର୍ତ୍ତମାନ ସ୍ପଷ୍ଟ ଅନୁଭବ କଲେ, ଭବାନୀଙ୍କର ଆନନ୍ଦମୟୀ ଶକ୍ତି ତାଙ୍କର ପଶ୍ଚାଦ୍ଦେଶରେ କାର୍ଯ୍ୟ କରୁଅଛି । ଆଶା ଓ ବିଶ୍ୱାସରେ ହୃଦୟର ଗୁରୁ ବେଦନା ଅନେକ ପରିମାଣରେ ଊଣା ହୋଇଗଲା ଏବଂ ଆଶ୍ଵାସିତ ହୃଦୟରେ ସେ ଭାଇମାନଙ୍କୁ ବହୁ ଆଶୀର୍ବାଦ କଲେ । ଭାଇମାନଙ୍କ ସହ ବହୁ ପରାମର୍ଶରେ ସ୍ଥିର ହେଲା–ଦୂରସ୍ଥ କମଳମିବାର କୁମ୍ଭମେରୁ ପ୍ରଦେଶକୁ ଯିବାକୁ ହେଲା ।

 

ବେଶି ଦୂର ଯାଇ ନାହାନ୍ତି ଜଣେ ପାଗଳ ପାନ୍ନାଙ୍କର ମଧୁର ନାମ କୀର୍ତ୍ତନ କରି କରି ନିକଟରେ ଆସି ଉପସ୍ଥିତ । ପାନ୍ନାଙ୍କୁ ସମ୍ମୁଖରେ ଦେଖି, ପାଗଳଟି ଲୋତକଧାରା ଗଡ଼ାଇ ତାହାଙ୍କ ଚରଣ ତଳେ ଲୋଟିବାକୁ ଲାଗିଲା । ସମସ୍ତେ ଦେଖି ଅବାକ ହେଲେ । ବୋଧ ହେଲା, ଯେପରି ପାନ୍ନାଙ୍କୁ ଦେଖି ଲୋକଟିର ଗୁରୁ ବେଦନା ଅନ୍ତର୍ହିତ ହୋଇଅଛି–ମୁଖଣ୍ଡଳରେ ଅପୂର୍ବ ଆନନ୍ଦ ଖେଳି ଯାଉଅଛି । ଲୋକଟିକୁ ଭୂମିରୁ ଉଠାଇ ପକାଇ ପାନ୍ନା ଅନୁପମ ମାତୃସ୍ନେହରେ ଅଙ୍ଗରୁ ଧୂଳି ଝାଡ଼ିଦେଲେ; ଅପୂର୍ବ ଆନନ୍ଦରେ କୋଳାଗ୍ରତ କରି ଆଶୀର୍ବାଦ କଲେ । ଏ ଲୋକଟି ବୀରାନଦୀତଟରେ ପରିତ୍ୟକ୍ତ କ୍ଷୌରକାର । ସେ ପ୍ରକୃତିସ୍ଥ ହେଲା ପରେ ସମ୍ମୁଖରେ ପାନ୍ନାଙ୍କୁ ନ ଦେଖି ପାଗଳ ପରି ଚିତ୍କାର କରି ଇତସ୍ତତଃ ଧାବିତ ହେଲା । ପରେ ବହୁସ୍ଥାନ ଅନ୍ଵେଷଣ କରି କରି ଆସି ପାନ୍ନାଙ୍କ ସହ ମିଳିତ ହେଲା । ବର୍ତ୍ତମାନଠାରୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ଷୌରକାର ପାନ୍ନାଙ୍କର ପ୍ରଭୁଭକ୍ତିର ଏ ଜୀବନ୍ତ ଶିକ୍ଷା ବିସ୍ମୃତ ହୋଇ ପାରିଲା ନାହିଁ । ସେ ପାନ୍ନାଙ୍କର ପ୍ରଧାନ ସହାୟ, ଉଦୟସିଂହଙ୍କର ବିଶ୍ୱସ୍ତ ଭକ୍ତରୂପେ ଆଜୀବନ ଆବଦ୍ଧ ରହିଥିଲା ।

 

ସମସ୍ତଙ୍କ ସଙ୍ଗେ ପାନ୍ନା 'କୁମ୍ଭମେରୁ' ଦୁର୍ଗରେ ଆସି ଉପସ୍ଥିତ ହେଲେ । ଆଶାଶା ନାମକ ଜୈନଧର୍ମାବଲମ୍ବୀ ଜଣେ ବୀର ସେ ଦୁର୍ଗର ଅଧିକାରୀ । ଆଶାଶା ଦୁର୍ଦ୍ଦାନ୍ତ ବନବୀର ବିରୁଦ୍ଧରେ ଯିବାକୁ ପ୍ରଥମେ ସାହସ କଲେ ନାହିଁ, କିନ୍ତୁ ତାଙ୍କର ଦୟାବତୀ ଜନନୀ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ । ପୁତ୍ରର ଏ ବ୍ୟବହାର ଦେଖି ଜନନୀଙ୍କ ମନରେ ବଡ଼ କଷ୍ଟ ହେଲା । ସେ ଭର୍ତ୍ସନା କରି କହିଲେ, "ତୁ ମିବାର ରାଜ୍ୟର ସାମନ୍ତ ନୃପତି, ଉଦୟସିଂହ ତୋର ପ୍ରଭୁପୁତ୍ର, ପ୍ରଭୁପୁତ୍ରକୁ ଘୋର ବିପଦରେ ଦେଖି ତୁ ସ୍ଥିର ହୋଇ ବସି ରହିବୁ ? ଛି, ଛି, ଏପରି କଳଙ୍କିତ ଜୀବନ ଧରିବାରେ କି ଲାଭ ? ତୋତେ ପ୍ରଭୁପୁତ୍ରଙ୍କୁ ପ୍ରାଣପ୍ରଣେ ରକ୍ଷା କରିବାକୁ ହେବ–ଏ ପୁଣ୍ୟଫଳରେ ଇହଲୋକରେ ଓ ପରଲୋକରେ ତୋର ଇଶ୍ୱର ନିଶ୍ଚୟ ମଙ୍ଗଳ କରିବେ ।” ଆଶାଶା ଜନନୀଙ୍କର ଏ ଉପଦେଶ ଶିରୋଧାର୍ଯ୍ୟ କଲେ, ନିଜର ଭାଗିନେୟ ବୋଲି ପରିଚୟ ଦେଇ ସେ ଉଦୟସିଂହଙ୍କୁ ନିଜ ଦୁର୍ଗରେ ପାଳନ କରିବାକୁ ଲାଗିଲେ । କାଳେ ଅପରିଚିତ ରାଜପୁତ ରମଣୀ ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇପାରେ, ଏହି ଆଶଙ୍କାରେ ପାନ୍ନା ଆଶାଶାଙ୍କୁ ବହୁ ଆଶୀର୍ବାଦ କରି 'କୁମ୍ଭମେରୁ' ଦୁର୍ଗ ଛାଡ଼ି ଚାଲିଗଲେ କିନ୍ତୁ ପାନ୍ନାଙ୍କ ଆଦେଶରେ କ୍ଷୌରକାର ସେଠାରେ ଅବସ୍ଥାନ କଲା ।

 

କ୍ରମେ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ଅତୀତ ହେବାକୁ ଲାଗିଲା । ଵୟୋବୃଦ୍ଧି ସଙ୍ଗେ କ୍ରମେ ଉଦୟସିଂହଙ୍କର ସାହସ, ବୀରତ୍ୱ, ତେଜସ୍ଵିତା ଫୁଟି ଉଠିଲା । ରାଜପୁତ ରକ୍ତର ମହତ୍ୱ ଲୁଚି ରହିବାର ଜିନିସ ନୁହେ । ଉଦୟସିଂହଙ୍କର ବହୁମୁଖୀ ପ୍ରତିଭା ଦେଖି ନାନା ଘଟଣାରେ ଲୋକମାନଙ୍କ ମନରେ ସନ୍ଦେହ ହେଲା । ଦିନେ ଶୋଣିଗୁରୁ ଆଶାଶାଙ୍କ ସହିତ ସାକ୍ଷାତ୍କାର କରିବାକୁ କମଳମିର ଆସିଥିଲେ । ତାହାଙ୍କୁ ଯଥାଯୁକ୍ତ ସତ୍କାର କରିବାକୁ ଉଦୟସିଂହ ନିଯୁକ୍ତ ହୋଇଥିଲେ । କୁମାରର ତେଜସ୍ଵିତା, ଉଚ୍ଚ ଉଦାରଭାବ, ମର୍ଯ୍ୟାଦା ପ୍ରଦର୍ଶନ ପ୍ରଭୃତି ଦେଖି ଶୋଣିଗୁରୁ ଆଶ୍ଚର୍ଯ୍ୟାନ୍ଵିତ ହୋଇଥିଲେ । ସେ ସ୍ପଷ୍ଟ ଜାଣି ପାରିଲେ ଯେ, ରାଜପୁତ ଭିନ୍ନ ଏପରି ବୀର୍ଯ୍ୟବତ୍ତା ଓ ତେଜସ୍ଵିତା ଅନ୍ୟତ୍ର ଅସମ୍ଭବ; ଏ କଦାପି ଆଶାଶାର ଭାଗିନେୟ ହୋଇ ନ ପାରେ । ଜନଶ୍ରୁତି ଶତମୁଖରେ ଏ ସନ୍ଦେହ ରାଜପୁତାନାର ଚତୁର୍ଦ୍ଦିଗରେ ପ୍ରଚାର କଲା । ଚାହୁଁ ଚାହୁଁ ଉଦୟସିଂହଙ୍କର ପ୍ରକୃତ ପରିଚୟ ସର୍ବତ୍ର ରାଷ୍ଟ୍ର ହୋଇଗଲା ।

 

ଶୁଭ ସମ୍ବାଦ ପାଇ ସାମନ୍ତ ଓ ସର୍ଦ୍ଦାରମାନେ ଉତଫୁଲ୍ଲ ହେଲେ । ଉଦୟସିଂହଙ୍କୁ ଅଭିନନ୍ଦନ କରିବାପାଇଁ ନିତ୍ୟ ଶତ ଶତ ବୀର କମଳମିର ଯାତାୟତ କଲେ । ଉପଯୁକ୍ତ ଅବସର ବୁଝି ପାନ୍ନା ଓ କ୍ଷୌରକାର ସର୍ବସମକ୍ଷରେ ପୂର୍ବପର ସକଳ ବୃତ୍ତାନ୍ତ ପ୍ରକାଶ କରିଥିଲେ । କିଛିଦିନ ମଧ୍ୟରେ ଆଶାଶା 'କୁମ୍ଭମେରୁ' ଦୁର୍ଗରେ ଗୋଟିଏ ବଡ଼ ସଭା ବସାଇଲେ । ବହୁସଂଖ୍ୟକ ରାଜପୁତ ବୀର, ସାମନ୍ତ ନୃପତି ଓ ସରଦାରମାନଙ୍କଦ୍ୱାରା ଏ ସଭା ଅଳଙ୍କୃତ ହୋଇଥିଲା । ଆଶାଶା ଉଦୟସିଂହଙ୍କୁ ଆଣି ସର୍ବସମକ୍ଷରେ କୋତାରି ଚୋହାନଙ୍କ ହସ୍ତରେ ସମର୍ପଣ କଲେ । ଉଦୟସିଂହଙ୍କ ଜୀବନର ସମସ୍ତ ଘଟଣା ଆନୁପୂର୍ବୀକ କୋତାରିଓଙ୍କୁ ବିଦିତ ଥିଲା । ସମସ୍ତଙ୍କ ସନ୍ଦେହ ପୂର୍ଣ୍ଣରୂପେ ଦୂର କରି କୋତାରିଓ ଉଦୟସିଂହଙ୍କ ସଙ୍ଗେ ଏକପାତ୍ରରେ ଭୋଜନ କରି ବସିଲେ । ଆଉ କାହାରି ସନ୍ଦେହ ରହିଲା ନାହିଁ–ସଂଗ୍ରାମସିଂହଙ୍କ ପୁତ୍ରକୁ ଲାଭ କରି ରାଜପୁତନା ଆନନ୍ଦରେ ନାଚି ଉଠିଲା । ସର୍ବ ପ୍ରଧାନ ସାମନ୍ତମାନେ ସେହି ସଭାରେ ଉଦୟସିଂହଙ୍କ ଲଲାଟରେ ଚିତୋରର ରାଜଟୀକା ଅଙ୍କିତ କରିଦେଲେ ।

 

ଅଳ୍ପଦିନ ପରେ ଉଦୟସିଂହ ସକଳ ସାମନ୍ତ ସରଦାର ଓ ବହୁ ରାଜପୁତ ବୀରମାନଙ୍କ ସାହାଯ୍ୟରେ ଚିତୋରର ପିତୃସିଂହାସନ ଅଧିକାର କଲେ । ସୌଭାଗ୍ୟର ଗର୍ବରେ ଚିତୋର ବିସ୍ପୋରିତ ହେଲା, କିନ୍ତୁ ସେ ପୂର୍ଣ୍ଣ ସୌଭାଗ୍ୟ ଦେଖିବାକୁ ପାନ୍ନା ଆଉ ଜୀବିତ ନ ଥିଲେ । ଯେଉଁ ଦିନ 'କୁମ୍ଭମେରୁ' ର ସଭାରେ ସକଳ ସରଦାର ମାନେ ଉଦୟସିଂହଙ୍କୁ ସମ୍ରାଟ ବୋଲି ଗ୍ରହଣ କଲେ, ସେହିଦିନ ପାନ୍ନାଙ୍କର ଆନନ୍ଦ ଚରମ ସୀମାରେ ଉପସ୍ଥିତ ହେଲା । ସେ ଅନୁଭୂତ କଲେ, ତାଙ୍କ ଜୀବନର କାର୍ଯ୍ୟ ଶେଷ ହୋଇଅଛି; ଚାହୁଁ ଚାହୁଁ ତାଙ୍କର ଅନ୍ତିମ ବେଳ ଆସି ପହଞ୍ଚିଗଲା–ଭବାନୀଙ୍କର କଲ୍ୟାଣମୟ ନାମ ଜପ କରୁଅଛନ୍ତି, ପାନ୍ନାଙ୍କର ପବିତ୍ର ପ୍ରାଣବାୟୁ ଦୁର୍ବଳ ଶରୀରପିଞ୍ଜର ଛାଡ଼ି ଚାଲିଗଲା । ସଭାରେ ଉପସ୍ଥିତ ସମସ୍ତ ବୀରମଣ୍ଡଳୀ ଭକ୍ତିପୂତ ମନରେ ପାନ୍ନାଙ୍କ ଶବର ସତ୍କାର କରିଥିଲେ । ସକାଳ ତୁଣ୍ଡରୁ ବାହାରୁ ଥିଲା–"ଗୋଟିଏ ଦେବୀ ନିଜର ଅଲୌକିକ କାର୍ଯ୍ୟ ଦେଖାଇବାକୁ ଜଗତକୁ ଆସିଥିଲେ । ଯାଅ ପାନ୍ନା, ଯଥେଷ୍ଟ କରିଅଛି । ତୁମର ତ୍ୟାଗପୂତ ଏ ଜୀବନ୍ତ ଆଦର୍ଶ ଚିରଦିନ ପଥଭ୍ରାନ୍ତ ଦୁର୍ବଳ ପ୍ରାଣରେ ବଳ ଆଣୁ ।”

Image

 

ଚଣ୍ଡଙ୍କ ପ୍ରତିଜ୍ଞା

 

ମିବାରର ରାଣା ଲକ୍ଷସିଂହ ବୃଦ୍ଧ । କଳିଷଠା ଷାଠିଏ ପାର ହୋଇଅଛି । ମସ୍ତକର କେଶ, ମୁଖର ଶ୍ମଶ୍ରୂ ସମ୍ପୂର୍ଣ୍ଣ ଧବଳ ବର୍ଣ୍ଣ ଧାରଣ କଲାଣି । ବାର୍ଦ୍ଧକ୍ୟର ଶୀଥିଳତା କ୍ରମେ ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ଦେଖା ଦେଲାଣି । ଏହିପରି ଅବସ୍ଥାନରେ ଆର୍ଯ୍ୟନୃପତିମାନେ ସଂସାର ତ୍ୟାଗ କରି ତାପସ ବୃତ୍ତ ଅବଲମ୍ବନ କରିଥାଆନ୍ତି । ଲକ୍ଷସିଂହଙ୍କର ଇଚ୍ଛା–ସିଂହାସନର ସମ୍ପୂର୍ଣ୍ଣ ଉପଯୁକ୍ତ ଗୁଣଵାନ ପୁତ୍ର ଚଣ୍ଡଙ୍କୁ ରାଜ୍ୟଭାର ଦେଇ ସେ ଅଳ୍ପ ଦିନରେ ବାନପ୍ରସ୍ଥ ଅବଲମ୍ବନ କରିବେ । ଦିନେ ସେ ପାତ୍ରମିତ୍ର ପରିବେଷ୍ଟିତ ହୋଇ ନିଜର ସେହି ଶାନ୍ତିମୟୀ କଳ୍ପନା ପ୍ରକାଶ କରୁଅଛନ୍ତି, ମାରବାର ରାଜାଙ୍କ ନିକଟରୁ ଗୋଟିଏ ଦୂତ ଆସି ସଭାରେ ଉପସ୍ଥିତ ହେଲା । ରାଜା ଆଦର ସହିତ ଦୂତକୁ ବସିବାକୁ କହିଲେ । ଦୂତ ଶୁଭପରିଣୟ ସୂଚକ ଗୋଟିଏ ନାରିକେଳ ରାଣାଙ୍କ ସମ୍ମୁଖରେ ସ୍ଥାପନ କରି ଉପବେଶନ କଲା ।

 

ମାରବାର ପତି ରଣମଲ୍ଲ ନିଜର ଗୁଣବତୀ ସୁନ୍ଦରୀ କୁମାରୀ ସହିତ ପ୍ରଖ୍ୟାତପଶା କୁମାର ଚଣ୍ଡଙ୍କର ବିବାହ ଇଚ୍ଛା କରି ନାରିକେଳ ପ୍ରେରଣ କରିଥିଲେ । ନିଜର ଗୁଣଵାନ ପୁତ୍ରପାଇଁ ଉପଯୁକ୍ତ ପତ୍ରୀ ଇଶ୍ୱର ଜୁଟାଇଅଛନ୍ତି ଦେଖି ରାଜା ପରମ ଆପ୍ୟାୟିତ ହେଲେ । ଚଣ୍ଡ ସେ ସମୟରେ ସଭାସ୍ଥଳରେ ଉପସ୍ଥିତ ନ ଥିଲେ । ଚଣ୍ଡ ବର୍ତ୍ତମାନ ପିଲା ନୁହନ୍ତି–ପ୍ରାପ୍ତବୟସ୍କ । ବିବାହ ବିଷୟରେ ସେ ନିଜେ ନିଜ ମତ ବ୍ୟକ୍ତ କରିବା ସୁନ୍ଦର । ଏହା ଭାବି ରାଣା ପାରିଷଦବର୍ଗଙ୍କ ସହିତ ଚଣ୍ଡଙ୍କୁ ଅପେକ୍ଷା କରି ବସିଲେ ।

 

ବୃଦ୍ଧ ରାଣା ଟିକିଏ ରଙ୍ଗପ୍ରିୟ । ତାଙ୍କର ଏହି ରଙ୍ଗରସ ମିଷ୍ଟାଳାପ ଯୋଗୁଁ ପାତ୍ର ମିତ୍ର, ବନ୍ଧୁ ସ୍ୱଜନ ବହୁପରିମାଣରେ ତାଙ୍କର ଅନୁରକ୍ତ ଓ ଅନ୍ତରଙ୍ଗ ବନ୍ଧୁ । ରାଣା ମିଷ୍ଟାଳାପ କରୁ କରୁ ହଠାତ୍‍ ପରିହାସ ଛଳରେ କହିଲେ, "ମୋ ପରି ଶ୍ୱେତଶ୍ମଶ୍ରୂତ ଵୃଦ୍ଧର ବି ଗ୍ରାହକ ଅଛନ୍ତି । ଗୁଣଗ୍ରାହୀ ରଣମଲ୍ଲ ନ ହେଲେ ମୋ ପରି ଉପଯୁକ୍ତ ପାତ୍ରର ଆଦର କରନ୍ତା କିଏ ।” ପାତ୍ରମିତ୍ରମାନଙ୍କ ମଧ୍ୟରେ ହାସ୍ୟର ଅବାରିତ ତରଙ୍ଗ ଉଠିଲା । ରାଜା କୃତ୍ରିମ ଗମ୍ଭୀର ଭାବ ଧାରଣ କରି ହାସ୍ୟର ସେ ଉଦବେଳକୁ ଆହୁରି ବଢ଼ାଇ ଦେଲେ ।

 

ହାସ୍ୟର ରୋଳ ସମ୍ପୂର୍ଣ୍ଣ ମଉଳି ନାହିଁ, ସଭାସ୍ଥଳରେ ଚଣ୍ଡ ଆସି ଉପସ୍ଥିତ ହେଲେ । କ୍ଷଣକ ମଧ୍ୟରେ ପିତାଙ୍କର ପରିହାସ ଚଣ୍ଡଙ୍କ କାନକୁ ମଧ୍ୟ ଗଲା । ସେଥିରେ ତାଙ୍କ ପ୍ରାଣରେ ବଡ଼ ଆଘାତ ଲାଗିଲା । ପରିହାସରେ ହେଉ, ପିତା ଯାହାକୁ ନିଜର ସ୍ତ୍ରୀ କରିବେ ବୋଲି ମନରେ କ୍ଷଣିକ କଳ୍ପନା କରିଅଛନ୍ତି; ସେ ସ୍ତ୍ରୀ ମଧ୍ୟ ମାତୃସ୍ୱରୂପା; ସେପରି ସ୍ତ୍ରୀ କୌଣସି ଉପଯୁକ୍ତ ପୁତ୍ରର ଅର୍ଦ୍ଧାଙ୍ଗିନୀ ହୋଇ ନ ପାରେ । ଚଣ୍ଡ ଏହିପରି ଭାବି ପ୍ରତିଜ୍ଞା କଲେ, ବିବାହ କରିବେ ନାହିଁ । ସଭାସ୍ଥଳରେ ପ୍ରକାଶ୍ୟଭାବରେ ନିଜର ଅସମ୍ମତ ଜଣାଇ ଦେଲେ । ସେଥିରେ ଏକା ରାଣା ନୁହନ୍ତି, ପାତ୍ର ମିତ୍ର ସକଳ ପାରିଷଦବର୍ଗ ବିସ୍ମୟରେ ଅଭିଭୂତ ହେଲେ । କିଏ ଜାଣିଥିଲା, ତୁଚ୍ଛା ପରିହାସ ଚଣ୍ଡଙ୍କ ପ୍ରାଣରେ ଏ କଠୋର ରାଗ ଜାଗ୍ରତ କରିବ । ରାଣା ବର୍ତ୍ତମାନ ଉଭୟ ସଂକଟରେ ପଡ଼ିଗଲେ–ଏକଆଡ଼େ ପୁତ୍ରର ଦୃଢ଼ପଣ, ବଦଳି ପାରିବା ସହଜ ନୁହେ; ଅନ୍ୟଆଡ଼େ ନାରିକେଳ ଗ୍ରହଣ ନ କଲେ ମାରବାରରପତିଙ୍କ ଅବମାନନା । କଣ କରିବେ, କିପରି ଉଭୟ ଦିଗ ରକ୍ଷା କରିବେ, କିଛି ସ୍ଥିର କରି ପାରିଲେ ନାହିଁ ।

 

ପୁତ୍ର ବିବାହରେ ପୂର୍ଣ୍ଣ ଅସମ୍ମତ ପ୍ରକାଶ କଲେ ମଧ୍ୟ ରାଣା ନିଜେ ନାରିକେଳ ଗ୍ରହଣ କଲେ । ଦୂତ ମାରବାରକୁ ପ୍ରତ୍ୟାବର୍ତ୍ତନ କଲା । ଲକ୍ଷସିଂହ ଭାବିଥିଲେ-"ପରେ ପୁତ୍ରକୁ ବୁଝାଇ ବିବାହରେ ସ୍ୱୀକୃତ କରାଇବେ । ଯୁବକର ଚପଳ ଉନ୍ମାଦନା କେତେକାଳ ରହିପାରେ ? ଏ ବିବାହରେ ମିବାର ଓ ମାରବାରର ମିତ୍ରତା ରାଜ୍ୟର କଲ୍ୟାଣ ବିଚାରନିପୁଣ ଚଣ୍ଡ ନିଶ୍ଚୟ ବୁଝି ପାରି ମତ ବଦଳାଇବ । କିନ୍ତୁ ବୃଥା ସେ ଆଶା । ଚଣ୍ଡକୁ ଟଳାଇବ କିଏ ? ବହୁତ ଦିନ ଧରି ପିତା ବହୁତ ବୁଝାଇଲେ, ପାତ୍ର ମିତ୍ର ସଭାସଦଗଣ ବହୁତ ଅନୁନୟ ବିନୟ କଲେ; କାହିଁରେ ଚଣ୍ଡଙ୍କର ସେ ଚଣ୍ଡ ପ୍ରତିଜ୍ଞା ଭାଜିଲା ନାହିଁ–ପ୍ରାଣର ସଂକଳ୍ପ ଟଳିଲା ନାହିଁ ।

 

ଯେ ପୁତ୍ର ପିତାର ଅନୁରୋଧ ନ ରଖେ, ସେପରି ପୁତ୍ରର କି ପ୍ରୟୋଜନ ? ଶେଷରେ ଲକ୍ଷସିଂହଙ୍କର ଚଣ୍ଡଙ୍କ ପ୍ରତି ଘୋର ବିରକ୍ତି ଓ ଘୃଣା ଜାତ ହେଲା । କ୍ରୋଧରେ ଅଧୀର ହୋଇ ପ୍ରତିଜ୍ଞା କଲେ-ନିଜେ ମାରବାର ଦୁହିତାର ପାଣିଗ୍ରହଣ କରିବେ । ଆଉ ଚଣ୍ଡଙ୍କୁ କହିଲେ, ‘‘ଯଦି ମାରବାର ଦୁହିତା-ଗର୍ଭରେ ମୋର ପୁତୋତ୍ପତ୍ତି ହୁଏ, ତେବେ ସେ ମିବାର ରାଜସିଂହାସନରେ ବସିବ । ତୁ ଚିରଦିନ ତା ନିକଟରେ ସାମନ୍ତ ହୋଇ ରହିବୁ ।” ଚଣ୍ଡ ତତକ୍ଷଣାତ ଏକଲିଙ୍ଗଙ୍କ ନାମରେ ଶପଥ କରି ସେଥିରେ ସମ୍ମତି ଦେଲେ । ବର୍ତ୍ତମାନ ଶିଥିଳବୃତ୍ତ ବୃଦ୍ଧ ରାଣାଙ୍କୁ ବେଶ୍ୟା ହୋଇ ବିବାହବନ୍ଧନରେ ଆବଦ୍ଧ ହେବାକୁ ପଡ଼ିଲା, ସଂସାରର ମୋହମାୟାରେ ନୂତନ ସଂସାର ନେଇ ଘାଣ୍ଟି ହେବାକୁ ହେଲା । କି ବିଡ଼ମ୍ବନା !

 

ଯଥାକାଳରେ ଏ ଅବୈଧ ବିବାହ ସମାହିତ ହେଲା । ରଣମଲ୍ଲଙ୍କର ସୁନ୍ଦରୀ ରାଜକନ୍ୟା ବିଦଗଧ ହୃଦୟରେ ଵୃଦ୍ଧର ପ୍ରେମଭିଖାରିଣୀ ହେଲେ । କିଛିଦିନ ପରେ ସେହି କନ୍ୟାର ଗର୍ଭରେ ଲକ୍ଷସିଂହଙ୍କର ଗୋଟିଏ ପୁତ୍ର ମଧ୍ୟ ଜାତ ହେଲା, ତାହାର ନାମ ହେଲା ମୁକୁଳ । ଅପ୍ରତ୍ୟୟ ମୁକୁଳଙ୍କୁ ଦେଖୁ ଦେଖୁ ପାଞ୍ଚବର୍ଷ ପାର ହେଲା । ଆଉ ଲକ୍ଷସିଂହଙ୍କୁ ରାଜକାର୍ଯ୍ୟ ସୁଖ ଲାଗିଲା ନାହିଁ-। ଆଜୀବନ ରାଜସିକ ଭାବରେ ଚାଳିତ ହୋଇ କେତେ କୂଟ କପଟର ଆଶ୍ରୟ ନେଇ ନାହାନ୍ତି ! ସୁଖ, ସମ୍ମାନ ବା ରାଜ୍ୟବୃଦ୍ଧି ଆଶାରେ କେତେ ପାପ ଓ ଅନ୍ୟାୟର ପଥରେ ଯିବାକୁ ପଡ଼ି ନ ଥିବ-! ବର୍ତ୍ତମାନ ରାଣାଙ୍କ ସମ୍ମୁଖ ଦେଶରେ ନିକଟାଇବ ଦୃଶ୍ୟନ୍ତେ କୃତାନ୍ତନଗରୀଦ୍ରୁମାଃ’ ଏବଂ ପଶ୍ଚାଦ୍ଦେଶରେ ଅତୀତ ଜୀବନର ଦୁଷ୍କୃତିମୟ ଭୀଷଣ ସ୍ମୃତିରାଜି ! ଏଥିରେ ନଶ୍ୱର ସୁଖସମ୍ଭୋଗ କିପରି ସୁଖକର ହୋଇ ପାରିବ ?

 

ଲକ୍ଷସିଂହ ସ୍ଥିର କଲେ, ତୀର୍ଥ ଯାତ୍ରା ଓ ଧର୍ମାଚରଣରେ ଜୀବନର ଅବଶିଷ୍ଟ ଅଂଶ କଟାଇବେ, ମୁନିବୃତ୍ତ ଅବଲମ୍ବନ କରି ପୂର୍ବକୃତ ପାପର ପ୍ରାୟଶ୍ଚିତ ଓ ଆତ୍ମାର କଲ୍ୟାଣ ସାଧନ କରିବାକୁ ଉଦ୍ୟମ କରିବେ । ତାଙ୍କର ଏ ଇଚ୍ଛା ବଳବତୀ କରିବା ପାଇଁ ରାଣା ଚଣ୍ଡଙ୍କର ସାହାଯ୍ୟ ଭିକ୍ଷା କଲେ । ଚଣ୍ଡଙ୍କ ଅନୁରୋଧରେ ଶିଶୁପୁତ୍ର 'ମୁକୁଳ' ସିଂହାସନରେ ବସିଲା । କନିଷ୍ଠ ଅପ୍ରାପ୍ତବୟସ୍କ ଥିବାଯାଏ ଚଣ୍ଡ ରାଜକାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବାର ଭାର ଆନନ୍ଦରେ ଗ୍ରହଣ କଲେ-। ଚଣ୍ଡଙ୍କୁ ଆଶୀର୍ବାଦ କରି ରାଣା ନିଶ୍ଚିନ୍ତରେ କଠୋର ଆରଣ୍ୟକ ବ୍ରତର ଆଶ୍ରୟ ନେଲେ ।

 

କିପରି ରାଜ୍ୟର ସୁଖ ସଂପଦ ବର୍ଦ୍ଧିତ ହେବ, କିପରି ବୟୋବୃଦ୍ଧି ସଙ୍ଗେ ମୁକୁଳଠାରେ ପିତାଙ୍କର ଅନୁରୂପ ଗୁଣାବଳୀ ଫୁଟି ଉଠିବ, କିପରି ସେ କର୍ତ୍ତବ୍ୟନିଷ୍ଠ ହୋଇ ରାଜାର ଗୁରୁ ଦାୟିତ୍ୱ ବହନ କରି ସମସ୍ତଙ୍କର ପ୍ରଶଂସାଭାଜନ ହେବ, ରାଜକାର୍ଯ୍ୟ ବୁଝିବା ସଙ୍ଗେ ସଙ୍ଗେ ଚଣ୍ଡଙ୍କର ସେ ପିତୃଭକ୍ତି, ଅକପଟ ଭ୍ରାତୃସ୍ନେହ, ଅଲୌକିକ ତ୍ୟାଗ ଓ ଅମାନୁଷିକ ବୀରହୃଦୟ ରାଜ୍ୟର ଆବାଳବୃଦ୍ଧବନିତା ସମସ୍ତଙ୍କୁ ବିସ୍ମୟାଭିଭୂତ କରିଦେଲା । ସମସ୍ତେ ପରମ ପରିତୋଷରେ ଚଣ୍ଡଙ୍କର ଦୀର୍ଘଜୀବନ କାମନା କଲେ ।

 

କିନ୍ତୁ ରାଜ୍ୟର ଏ ସୁଖ ବେଶୀ ଦିନ ରହିଲା ନାହିଁ । କଥା ଅଛି, 'ସ୍ତ୍ରୀବୁଦ୍ଧି ପ୍ରଳୟଂକାରୀ-।' ମୁକୁଳ ଜନନୀଙ୍କର କୁବୁଦ୍ଧି ହିଁ ସକଳ ଅନର୍ଥର ମୂଳ ହୋଇ ଉଠିଲା । ପୁତ୍ର ଅପ୍ରାପ୍ତବୟସ୍କ ଥିବାଯାଏ ରାଜମାତା ରାଜ୍ୟ ଶାସନ ଓ ରାଜକାର୍ଯ୍ୟାନୁଶୀଳନର ଅଧିକାରିଣୀ ହେବାର କଥା । କିନ୍ତୁ ଚଣ୍ଡ ଥିବାରୁ ମୁକୁଳଙ୍କ ଜନନୀ ସେଥିରୁ ବଞ୍ଚିତ ହେଲେ । ଚଣ୍ଡଙ୍କର ମାହାତ୍ମ୍ୟ, ପ୍ରତିଭା, ବୁଦ୍ଧିମତ୍ତା ଓ ଅଦ୍ଭୁତ ରାଜନୀତିପଟୁତାରେ ପ୍ରଜାମାନେ ତାଙ୍କ ପ୍ରତି ଦିନକୁ ଦିନ ବିଶେଷ ଅନୁରକ୍ତ ହେଉଅଛନ୍ତି ଦେଖି ସ୍ଵାର୍ଥପରାୟଣା ପିଶାଚୀର ହୃଦୟରେ ପାପବୁଦ୍ଧି ପ୍ରବେଶ କଲା । ସେ ଆଶଙ୍କାପୂର୍ଣ୍ଣ ହୃଦୟରେ ଚଣ୍ଡଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲେ । ଖାଲି ସେତିକି ନୁହେ, ଚଣ୍ଡଙ୍କୁ ନିଜ ପ୍ରାଣର ପୁତ୍ର ମୁକୁଳର ଭବିଷ୍ୟତ ସୁଖପଥରେ କଣ୍ଟକ ଭାବି ଅବିରତ ତାଙ୍କର ଛିଦ୍ରାନ୍ୱେଷଣରେ ରହିଲେ । ଵିମାତାଙ୍କ ବ୍ୟବହାର, ଭାବଭଙ୍ଗୀ କ୍ରମେ ଚଣ୍ଡଙ୍କ ହୃଦୟରେ ବିଷମ ଘୃଣା ଜାତ କଲା । ଚଣ୍ଡ ଭାବି ପାରିଲେ, ଏପରି ମାୟାବିନୀ କ୍ଷଣକେ ତାଙ୍କ ନାମରେ କଳଙ୍କରଟନା କରି ପାରେ, ପ୍ରାଣନାଶ କରିବାକୁ ବିଷ ପ୍ରଦାନ କରିବା ମଧ୍ୟ ଏପରି ଲୋକ ପକ୍ଷରେ ଅସମ୍ଭବ ନୁହେ । ନାନା ଦୁଶ୍ଚିନ୍ତାରେ କିଛିକାଳ ବ୍ୟତିବ୍ୟସ୍ତ ହୋଇ ଶେଷରେ ଚଣ୍ଡ ଚିତୋର ପରିତ୍ୟାଗ କରି ଚାଲି ଯିବାକୁ ପ୍ରତିଜ୍ଞା କଲେ-

 

ଚଣ୍ଡଙ୍କ ପକ୍ଷରେ ଜନ୍ମଭୂମିର ମମତା ତୁଟାଇ ଚାଲିଯିବା ସହଜ କଥା ନୁହେ । ବନ୍ଧୁ, ସ୍ୱଜନ, ଦେଶବାସୀ ତାଙ୍କର ଚିର ଅନୁରକ୍ତ । ଚଣ୍ଡ ସେମାନଙ୍କୁ ପ୍ରାଣରୁ ଅଧିକ କରି ଦେଖନ୍ତି । ସେମାନଙ୍କର ଭଲ ମନ୍ଦ, ହାନି ଲାଭ ଆଉ ବୁଝିବେ ନାହିଁ, ସେମାନଙ୍କ ସୁଖ ଦୁଃଖରେ ଆଉ ସୁଖ ଦୁଃଖ ଅନୁଭବ କରିବେ ନାହିଁ, ଆବାଲ୍ୟ ପାଇଁ ଆସୁଥିବା ସ୍ନେହ ସୌହାଦ୍ର୍ୟ ଆଉ ପାଇବେ ନାହିଁ, ସେ ସକଳ ପ୍ରୀତିକର ଦୃଶ୍ୟ ମଧୁମୟ ଉନ୍ମାଦନା ତାଙ୍କ ଜୀବନରେ ସ୍ୱପ୍ନ ହେବ । ଚଣ୍ଡଙ୍କର ବିଦାୟ ବେଳରୁ ବେଦନା କିଏ ଚିତ୍ର କରି ପାରିବ ? ସେ ବିମାତାଙ୍କ ପାଦରେ ପ୍ରଣାମ କରି ବିଦାୟ ନେବାକୁ ଗଲେ । କହିଲେ, ‘‘ଶିଶୋଦୀୟା ବଂଶର ମଙ୍ଗଳ ପାଇଁ ଯେପରି ଭଲରୂପେ ବିଚାରିବାକୁ ହେବ ଆଉ ସ୍ନେହରେ ପରିପାଳିତ ପ୍ରଜାମଣ୍ଡଳୀଙ୍କ ପ୍ରତି.... ।” ଏତିକି କହି ଚଣ୍ଡଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା ଆଉ କଥା ଉଚ୍ଚାରିତ ହୋଇ ପାରିଲା ନାହିଁ । କିଛିକାଳ ନୀରବ ରହି ପୁଣି ସେ ଅଶ୍ରୁ ବିସର୍ଜନ କରି କହିଲେ, ‘‘ଜଗଦୀଶ୍ଵରଙ୍କ ନିକଟରେ ପ୍ରାର୍ଥନା ମୁକୁଳର ରାଜ୍ୟରେ ପ୍ରଜାବୃନ୍ଦ ନିରାପଦରେ ବାସ କରନ୍ତୁ । ତେବେ ମୁଁ ବିଦାୟ ନେଉଛି । କିନ୍ତୁ ମୋତେ ସୁସ୍ପଷ୍ଟ ଜଣା ପଡ଼ୁଛି, ଦିନେ ଏହି ଚଣ୍ଡପାଇଁ ଆପଣଙ୍କୁ କାନ୍ଦିବାକୁ ହେବ–ଘୋର ଅନୁତାପରେ ଦଗଧ ହେବାକୁ ପଡ଼ିବ । ତେବେ ଶେଷ ଅନୁରୋଧ, ସମୟରେ ଯଦି ଚଣ୍ଡଠାରେ କିଛି ଦରକାର ପଡ଼େ, ତେବେ ତାହା ଜଣାଇବାକୁ ଯେପରି ସଂକୋଚ ବୋଧ ନ କରନ୍ତି । ଚଣ୍ଡ ମାତାଙ୍କ ଆଜ୍ଞା ପାଳନ କରିବାକୁ, ଭ୍ରାତାର ବିପଦରେ ସହାୟ ହେବାକୁ କେବେ ପଶ୍ଚାପଦ ହେବ ନାହିଁ ।” ସ୍ୱେଦେଶପ୍ରାଣ ଚଣ୍ଡ ଵିମାତାଙ୍କଠାରୁ ବିଦାୟ ନେଇ ଅଶ୍ରୁବିସର୍ଜନ କରି କରି ରାଜ୍ୟ ଛାଡ଼ି ଚାଲିଗଲେ ।

 

ଗୁଣଵାନ ପକ୍ଷରେ ସ୍ୱଦେଶ ବିଦେଶର ଭେଦ ନାହିଁ । ସେ ଯେଉଁଠାକୁ ଯାଉ, ସର୍ବତ୍ର ତାହାର ଆଦର । ଏହି ସମୟରେ ମାନ୍ଦ୍ରରାଜ୍ୟ ଧୀରେ ଧୀରେ ମସ୍ତକ ଉତ୍ତୋଳନ କରି ଜାଗ୍ରତ ହେଉ ଥିଲା । ଶୁଭ ଯୋଗକୁ ଚଣ୍ଡ ଯାଇ ମାନ୍ଦୁ ରାଜାଙ୍କ ପାଖରେ ଉପସ୍ଥିତ ହେଲେ । ଚଣ୍ଡ ସେଠାରେ ଯଥୋଚିତ ସମ୍ମାନ ଲାଭ କରି ରହିଲେ । ତାଙ୍କ ପରି ବିଚକ୍ଷଣ ରାଜନୀତିନିପୁଣ ରାଜପୁତ୍ର ମାନ୍ଦୁରାଜ୍ୟ ପ୍ରତି ଇଶ୍ୱରଙ୍କ ଅନୁଗ୍ରହ ବୋଲି ରାଜା ମନେ କଲେ । ଚଣ୍ଡଙ୍କ ବୀରତ୍ୱ, ଗୁଣାବଳି ଓ ଅମାୟିକ ଉଦାର ହୃଦୟରେ ମାନ୍ଦୁରାଜ ପରମ ଆପ୍ୟାୟିତ ହୋଇ ତାଙ୍କୁ ବୃତ୍ତ ସ୍ୱରୂପ ହଲ୍ଲାର ନାମକ ପ୍ରଦେଶ ପ୍ରଦାନ କଲେ । ଯେତେବେଳେ ଲୋକପ୍ରିୟ ରାଜନୀତିଜ୍ଞ ଚଣ୍ଡଙ୍କ ପରି ଲୋକ ମାନ୍ଦୁରାଜଙ୍କର ପ୍ରଧାନ ଉପଦେଷ୍ଟା, ରାଜ୍ୟଶାସନରେ ଦକ୍ଷିଣ ହସ୍ତ, ସେତେବେଳେ ଆଉ ଅଭାବ କଣ ? ଅଳ୍ପ ସମୟ ମଧ୍ୟରେ ସୁଶାସନ ଓ ନ୍ୟାୟ ବିଚାରରେ ମାନ୍ଦୁରାଜ୍ୟର ସୁଖ ସୌଭାଗ୍ୟ ପରିବର୍ଦ୍ଧିତ ହେଲା; ପ୍ରଜାମଣ୍ଡଳୀ ରାଜାଙ୍କ ପ୍ରତି ଏକାନ୍ତ ଅନୁରକ୍ତ ହୋଇ ଉଠିଲେ ।

 

ଏଣେ ମୁକୁଳଜନନୀଙ୍କ ଦୂରଭିସନ୍ଧି ସିଦ୍ଧ ହେଲା । ଚଣ୍ଡଙ୍କ ରାଜ୍ୟତ୍ୟାଗରେ ତାଙ୍କ ହୃଦୟ ଆନନ୍ଦରେ ଉତଫୁଲ୍ଲ ହେଲା । ପିତୃ କୁଟୁମ୍ବରେ ମଧ୍ୟ ଆନନ୍ଦର ସୀମା ରହିଲା ନାହିଁ । ମୁକୁଳର ମାତାମହ ରଣମଲ୍ଲ, ମାତୁଳ ଯୋଧ ଏବଂ ଅସଂଖ୍ୟ ମୁନ୍ଦରବାସୀ ଆତ୍ମୀୟଗଣ ସ୍ଵରାଜ୍ୟ ତ୍ୟାଗ କରି ଚିତୋରରେ ଆସି ବାସ କଲେ । ଫଳପୁଷ୍ପଭରା ମିବାରର ସରସ ଉପଭୋଗରେ ସେମାନଙ୍କ ହୃଦୟରେ ପରମ ପରିତୋଷ ଦେଖାଗଲା, ଆଉ ନିଜ ରାଜ୍ୟକୁ ଫେରି ଯିବାର କଳ୍ପନା କାହାରି ମନରେ ରହିଲା ନାହିଁ । ନିଜ ରାଜ୍ୟର ସୁଖସମ୍ଭୋଗ ପରିତ୍ୟାଗ କରି ରଣମଲ୍ଲ ପରି ରାଜ୍ୟକୁ ଆସିଲେ କାହିଁକି, କିଏ କହିବ ? କିଏ କହିବ, ଦୌହିତ୍ରକୁ କ୍ରୋଡ଼ରେ ବସାଇ କିପରି ବାପାଙ୍କର ସିଂହାସନରେ ବସିବାକୁ ତାଙ୍କର ସାହସ ହେଲା ? ପାପାତ୍ମାର ଦୂରଭିସନ୍ଧି ଭେଦ କରିବା ସହଜ କଥା ନୁହେ । ପରେ ଏପରି ହେଲା, ଯେତେବେଳେ ମୁକୁଳ ବାଳଚାପଲ୍ୟର ବଶବର୍ତ୍ତୀ ହୋଇ ସ୍ଥାନାନ୍ତରିତ ହେଉଥିଲା ବା ସଙ୍ଗିମେଳରେ କ୍ରୀଡ଼ାନିରତ ରହୁଥିଲା, ସେତେବେଳେ ମିବାରର ରାଜଛତ୍ର ମଧ୍ୟ ରଣମଲ୍ଲଙ୍କ ଶିର ଉପରେ ଶୋଭିତ ହେବାକୁ ଲାଗିଲା ! ଏ ଅଭିସନ୍ଧିର ଗୂଢ଼ ମର୍ମ ଯେ କେହି ବୁଝୁ ନ ଥାନ୍ତି, ତାହା ନୁହେ; କିନ୍ତୁ ପ୍ରକାଶ କରି କହିବାର କ୍ଷମତା କାହାର ନ ଥିଲା ।

 

ହିନ୍ଦୁ ନୃପତିମାନେ ଧାତ୍ରୀକୁ ମାତୃଭାବରେ ଦେଖନ୍ତି–ରାଜପୁରୀରେ ସେମାନଙ୍କର ପରମ ଆଦର, ପରମ ଯତ୍ନ । ରାଜା ଧାତ୍ରୀପୁତ୍ରମାନଙ୍କୁ ମଧ୍ୟ 'ଭାଇ' ସମ୍ବୋଧନ କରିଥାନ୍ତି । ସେମାନେ ରାଜଦତ୍ତ ଚିରନ୍ତନ ଭୂମିବୃତ୍ତ ଭୋଗ କରି ଜୀବନ କଟାନ୍ତି । ବିବାହ ସମ୍ୱନ୍ଧ, ସନ୍ଧିବିଗ୍ରହାଦି ବିଶିଷ୍ଟ କାର୍ଯ୍ୟରେ ଏମାନେ ଦୌତ୍ୟକାର୍ଯ୍ୟ ବିଶ୍ୱସ୍ତଭାବରେ ସମ୍ପାଦନ କରିବାର ଦେଖାଯାଏ । ଶିଶୋଦୀୟ ବଂଶ ପ୍ରତି ଚିରବିଶ୍ୱସ୍ତ ଅନୁରକ୍ତା ଜଣେ ବୃଦ୍ଧା ମୁକୁଳର ଧାତ୍ରୀ ଥିଲେ । ସେ ରାଜକୁମାରର ରକ୍ଷଣାବେକ୍ଷଣ କରନ୍ତି । ଅଳ୍ପଦିନ ମଧ୍ୟରେ ପାପିଷ୍ଠ ରଣମଲ୍ଲର ଦୂରଭିସନ୍ଧି ଏହି ଧାତ୍ରୀର ତୀକ୍ଷଣ ଦୃଷ୍ଟିକି ଏଡ଼ି ପାରିଲା ନାହିଁ । ନାନା ଘଟଣାରେ, ନାନା ସୂତ୍ରରେ ରଣମଲ୍ଲଙ୍କ ହୃଦୟର ପାପକଳ୍ପନା ଧାତ୍ରୀ ବୁଝି ପାରି ବ୍ୟାକୁଳ ହୋଇ ଉଠିଲା । କ୍ରମେ ସେ ରାଜମାତାଙ୍କ ନିକଟରେ ସକଳ କଥା ପ୍ରକାଶ କରି ପ୍ରତିକାରର ଉପାୟ ଶୀଘ୍ର ଚିନ୍ତା କରିବାକୁ କହିଲା ।

 

ରଣମଲ୍ଲ ଜନ୍ମ କଲା ପିତା । ପିତା ହୋଇ କନ୍ୟାର ସର୍ବନାଶ କରିବାକୁ ପ୍ରସ୍ତୁତ, କିଏ ଏହା ବିଶ୍ୱାସ କରି ପାରିବ ? ମୁକୁଳଜନନୀଙ୍କର ପ୍ରଥମେ ପ୍ରଥମେ ଅବିଶ୍ୱାସ ହେଲା, କିନ୍ତୁ ପୁନଃ ପୁନଃ ଧାତ୍ରୀର ବ୍ୟାକୁଳଭାବ ଦେଖି, ଉପଦେଶ ଶୁଣି ହୃଦୟ ସଦଗଧ ହୋଇ ଉଠିଲା । ରାଜ୍ୟ ଲାଭ ପାଇଁ କପଟକୌଶଳ, ଜଘନ୍ୟ ଉପାୟ ଓ ନିକୃଷ୍ଟ ପନ୍ଥା ଗ୍ରହଣ କରିବାକୁ ଅନେକେ ଯେ କୁଣ୍ଠିତ ହୁଅନ୍ତି ନାହିଁ; ମୁକୁଳଜନନୀଙ୍କର କ୍ରମେ କ୍ରମେ ସେ ବିଶ୍ୱାସ ଜନ୍ମିଲା । ସେ ମିଥ୍ୟାନୁସନ୍ଧାନ କରିବାକୁ ଲାଗିଲେ । ଶୀଘ୍ର ସନ୍ଦେହ ସତ୍ୟ ବୋଲି ପ୍ରମାଣିତ ହେଲା । ସେ ବୁଝି ପାରିଲେ, ରଣମଲ୍ଲ ଗୁପ୍ତ କୌଶଳରେ ମୁକୁଳର ପ୍ରାଣ ନାଶ କରି ନିଜେ ଚିତୋର ସିଂହାସନ ଅଧିକାର କରିବାକୁ ଷଡ଼ଯନ୍ତ୍ର କରୁଅଛନ୍ତି ।

 

ବର୍ତ୍ତମାନ ଉପାୟ କଣ ? ରାଜ୍ୟର ପ୍ରଧାନ ପ୍ରଧାନ ବ୍ୟକ୍ତିମାନେ ରଣମଲ୍ଲଙ୍କର ଅନୁଗତ । ମୁନ୍ଦର ରାଜ୍ୟରୁ ତାଙ୍କର ଯେଉଁ ଆତ୍ମୀୟ ସ୍ୱଜନମାନେ ଚିତୋରକୁ ଆଗମନ କରିଥିଲେ, ସେହିମାନେ ହିଁ ବର୍ତ୍ତମାନ ପ୍ରଧାନ ପ୍ରଧାନ ପଦରେ ନିଯୁକ୍ତ । ମୁକୁଳ ପାଇଁ ରଣମଲ୍ଲ ବିରୁଦ୍ଧରେ ଦଣ୍ଡାୟମାନ ହେବ କିଏ ? ସେ କଥା ଛାଡ଼, ଆପଦ ବିପଦରେ ପଦେ ପରାମର୍ଶ ଦେଇ ପାରିବ, ଏପରି ଲୋକ ଜଣେ ମୁକୁଳଜନନୀ ଖୋଜି ପାଇଲେ ନାହିଁ । ବୋଧ ହେଲା, ରାଜ୍ୟର ଚତୁର୍ଦ୍ଦିଗରେ ବିଭୀଷିକାର ଛାୟା ନୃତ୍ୟ କରୁଅଛି–ସେଥିରେ ମୁକୁଳର ଭବିଷ୍ୟତ ଅନ୍ଧକାରାଛନ୍ନ, ଘୋର ଆଶଙ୍କାମୟ ।

 

ଏହିପରି ଅବସ୍ଥାରେ ଆଉ ଗୋଟିଏ ଭୀଷଣ ସମ୍ବାଦ ମୁକୁଳ ଜନନୀଙ୍କ କର୍ଣ୍ଣକୁ ଗଲା । ଚଣ୍ଡଙ୍କର ଦ୍ୱିତୀୟ ସହୋଦର ରଘୁଦେବ କୈଲବାରା ପ୍ରଦେଶରେ ବାସ କରୁଥଲେ । ଦୁରାଚାର ରଣମଲ୍ଲ ତାଙ୍କୁ ଗୋପନରେ ହତ୍ୟା କରିଅଛନ୍ତି । ଗୋଟିଏ ସମ୍ମାନସୂଚକ ରାଜବେଶ ରଘୁଦେବଙ୍କ ନିକଟକୁ ପଠା ହୋଉଥିଲା । ରାଜା ବା ରାଜପରିବାର କର୍ତ୍ତୃକ ଏପରି ପରିଚ୍ଛଦ ପ୍ରେରିତ ହେଲେ, ତାହା ତତକ୍ଷଣାତ ପରିଧାନ କରି ତାହାର ସମ୍ମାନ ରକ୍ଷା କରିବାର କଥା । ସରଳପ୍ରକୃତି ରଘୁଦେବ ତାହାହିଁ କରିଥିଲେ । ପରିଧାନ କରୁ କରୁ ସର୍ବନାଶ ! ରାଜବେଶରେ ଅଭ୍ୟନ୍ତରରେ ସ୍ଥାପିତ ଗୋଟିଏ ଗୁପ୍ତ ଆସି ତାହାଙ୍କ ମସ୍ତକରେ ନିପତିତ ହେଲା । ଚାହୁଁ ଚାହୁଁ ରଘୁଦେବ ପ୍ରାଣଶୂନ୍ୟ ହୋଇ ଧରାଶାୟୀ ହେଲେ । ଏ ପୈଶାଚିକ କାଣ୍ଡର ମୂଳରେ ଯେ ରଣମଲ୍ଲ ରହିଅଛନ୍ତି, ଏହା କାହାରି ବୁଝିବାକୁ ବାକି ରହିଲା ନାହିଁ ।

 

ରୂପ, ଗୁଣ, ସାହସ, ଧର୍ମଭାବ ଓ ସକଳ ବିଷୟରେ ରଘୁଦେବଙ୍କର ସମକକ୍ଷ ଅଳ୍ପ ଲୋକ ମିଳିବେ । ତାଙ୍କର କମନୀୟ ମୂର୍ତ୍ତି ଦର୍ଶନ କଲା ମାତ୍ରକେ ରାଜସ୍ଥାନବାସିଙ୍କର ହୃଦୟ ସ୍ନେହ ଓ ଭକ୍ତିରେ ଆପ୍ଲୁତ ହେଉଥିଲା । ତାଙ୍କର ଏ ଅପମୃତ୍ୟୁରେ ରାଜ୍ୟବାସୀ ଅତିଶୟ ଦୁଃଖିତ ହେଲେ-। ରାଜସ୍ଥାନବାସୀ ପ୍ରତ୍ୟେକଙ୍କ ଗୃହରେ ସେହିଦିନଠାରୁ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେଲା-। ରାଜପୁତ ଜାତି ପ୍ରତିବର୍ଷ ସେହି ରଘୁଦେବଙ୍କ ଉଦ୍ଦେଶ୍ୟରେ ଦୁଇଥର ବିଶେଷ ପୂଜା କରିଆସୁଅଛି-

 

ଘୋର ବିପଦରେ ପତିତ ମୁକୁଳଜନନୀ ବୁଦ୍ଧିଶୂନ୍ୟା ହେଲେ; ଚତୁର୍ଦ୍ଦିଗ ତାଙ୍କୁ ଅନ୍ଧକାରମୟ ଦେଖାଗଲା । ଦୁର୍ମତି ପିତାଙ୍କ ଷଡ଼ଯନ୍ତ୍ରରୁ କିପରି ପ୍ରାଣର ସଙ୍ଖାଳି ମୁକୁଳର ପ୍ରାଣରକ୍ଷା କରିବେ, କିଛି ସ୍ଥିର କରି ପାରିଲେ ନାହିଁ । ଚଣ୍ଡଙ୍କ ପ୍ରଶାନ୍ତ ପାବନ ବଦନମଣ୍ଡଳ ବର୍ତ୍ତମାନ ମନେ ପଡ଼ିଲା । ବିଦାୟକାଳର ସେ ସକଳ ଦାରୁଣ ଚିତ୍ର ଚକ୍ଷୁ ଆଗରେ ଖେଳିଗଲା । ସେ ଅଶ୍ରୁପୁର୍ଣ୍ଣ ଲୋଚନଯୁଗଳ, ମୁକୁଳ ଓ ପ୍ରଜାମଣ୍ଡଳଙ୍କ ପ୍ରତି ସେ ହୃଦୟପୁର୍ଣ୍ଣ ଆଶୀର୍ବାଦ ବାଣୀ, ପ୍ରାଣର ଗୁରୁବେଦନାଜନିତ କଣ୍ଠରୋଧ, ସବୁ ଗୋଟି ଗୋଟି ହୋଇ ନାଚିଯାଇ ମୁକୁଳଜନନୀଙ୍କୁ ଅନୁତାପରେ ଦଗଧିଭୂତ କଲା । ସେ ଘୋର ଲଜ୍ଜାରେ, ବେଦନାରେ ମୁଣ୍ଡ ଟେକି ପାରିଲେ ନାହିଁ । ମାତୃଭୂମି ଚିତୋର ପରିତ୍ୟାଗ କରି ଚଣ୍ଡ ଗଭୀର ଦୁଃଖରେ ଦୀର୍ଘ ନିଶ୍ୱାସ ପକାଉଥିଲେ । ସେହି ଅପରାଧରେ ପରିଣାମରେ ମୁକୁଳର ଏ ଦୁର୍ଦ୍ଦଶା ଉପସ୍ଥିତ ହେଲା କି ? କାହାନ୍ତି ଚଣ୍ଡ ? କନିଷ୍ଠକୁ ନିଜ ବୀର ବାହୁର ଆଶ୍ରୟରେ ରକ୍ଷା କରିବେ, ଅତୀତ ଦୁଷ୍କୃତି ପାଇଁ କ୍ଷମା ଦେଇ ପଥଭ୍ରଷ୍ଟା ବିମାତାଙ୍କୁ ସୁପଥକୁ ଆଣିବେ । ଆଜି ଦୁର୍ଦ୍ଦିନରେ ପଡ଼ି ରାଣୀ ଚଣ୍ଡଙ୍କର ଗୁଣାବଳି ଏହିପରି ଗୁଣି ହେବାକୁ ଲାଗିଲେ । ତାଙ୍କର ମାହାତ୍ମ୍ୟ ପ୍ରବଳଭବରେ ପ୍ରାଣରେ ଅନୁଭୂତ ହେଲା । ପ୍ରତ୍ୟେକ କଥା ଭଲ ଲାଗିଲା । ଏତେ ଦିନ ପରେ ଚଣ୍ଡ ବିମାତୃ ହୃଦୟରେ ଦେବତାର ଆସନ ପାଇଲେ । ମୁକୁଳଜନନୀ ବେଶୀ ବୁଝିଲେ–ଚଣ୍ଡଙ୍କ ଛଡ଼ା ଏ ବିପଦରୁ ଉଦ୍ଧାର ପାଇବାର ଗତି ନାହିଁ ।

 

ଆଉ ବିଳମ୍ବ ନ କରି ରାଜମାତା ହୃଦୟସ୍ପର୍ଶୀ ଭାଷାରେ ନିଜ ଅତୀତ ଅପରାଧର ଅନୁଶୋଚନା ଚିତ୍ର କରି ଚଣ୍ଡଙ୍କଠାକୁ ଖଣ୍ଡିଏ ଦୀର୍ଘ ପତ୍ର ଲେଖିଲେ । ଲେଖିଲେ–କିପରି ନରପିଶାଚ ରଣମଲ୍ଲର ଷଡ଼ଯନ୍ତ୍ରରେ ମୁକୁଳର ପ୍ରାଣ, ତହିଁ ସଙ୍ଗେ ସଙ୍ଗେ ଶିଶୋଦୀୟ ବଂଶର ସମ୍ମାନ ଲୋପ ପାଇବାକୁ ବସିଅଛି । ଶେଷରେ ମୁକୁଳଜନନୀ ଚଣ୍ଡଙ୍କ ହସ୍ତରେ ତାଙ୍କ ପ୍ରାଣର ଭାର ମୁକୁଳ ଓ କୁଳଗୌରବ ସମସ୍ତ ଅର୍ପଣ କରି ଅତୀତର ସମସ୍ତ ଦୁଷ୍କୃତିପାଇଁ କ୍ଷମା ଭିକ୍ଷା କରିଥିଲେ ।

 

ଯଥା ସମୟରେ ପତ୍ର ଖଣ୍ଡିକ ଚଣ୍ଡଙ୍କର ହସ୍ତଗତ ହେଲା । ସେ ଚିରଦିନପାଇଁ ପୈତୃକ ସିଂହାସନରୁ ବଞ୍ଚିତ କ୍ରୁରା ବିମାତାଙ୍କ ଯୋଗୁଁ ବହୁଦିନ ହେଲା ନିଜର ପ୍ରିୟ ଜନ୍ମଭୂମିରୁ ନିର୍ବାସିତ, ରାଜଗୃହର ସକଳ ସୁଖସମ୍ଭୋଗ, ସ୍ୱଦେଶର ସମସ୍ତ ମଧୁ ଉନ୍ମାଦନା ହରାଇ ସେ ଆଜି ପର ଆଶ୍ରୟରେ ପରିପାଳିତ; ତଥାପି ଶିଶୋଦୀୟ ବଂଶ ତ ତାଙ୍କ ନିଜର । ସେ ବଞ୍ଚି ଥାଉ ଥାଉ ସେଥିରେ କଳଙ୍କ ଲାଗିବ, ସେ ସହିବେ କିପରି ? କୁଳର ଗୌରବ ରକ୍ଷାପାଇଁ ଦରକାର ପଡ଼ିଲେ ପିଣ୍ଡ ଚିରି ପ୍ରାଣ ପର୍ଯ୍ୟନ୍ତ ଦେବାକୁ ଚଣ୍ଡ କେବେ ପଶ୍ଚାତ୍ପଦ ନୁହନ୍ତି । ଶିଶୁ ଭ୍ରାତାର ଜୀବନ ସଂକଟମୟ ଓ ପୈତୃକ ସିଂହାସନ ବିପଦସଂକୁଳ ଦେଖି ଚଣ୍ଡ ଅତୀତର ସକଳ ଅପମାନ, ସକଳ ଦୁଃଖ କଷ୍ଟ ବିସ୍ମୃତ ହୋଇ ଚିତୋର ଉଦ୍ଧାରପାଇଁ ଦୃଢ଼ ପଣ କଲେ ।

 

ପ୍ରତ୍ୟୁତ୍ପନ୍ନମତି ଚଣ୍ଡଙ୍କୁ ଉଦ୍ଧାରରେ ନାନା ପନ୍ଥା ଦିଶିଗଲା । ଚିତୋର ପରିତ୍ୟାଗ କରି ମାନ୍ଦୁ ରାଜ୍ୟକୁ ଆସିଲା ବେଳେ ଚଣ୍ଡ ଏକାକୀ ଆସି ନ ଥିଲେ; ସ୍ନେହରେ ବଶୀଭୂତ ଭୀଲ ଜାତୀୟ ଦୁଇଶତ ବୀର ତାହାଙ୍କର ସହଗାମୀ ହୋଇଥିଲେ । ସେମାନଙ୍କ ନିକଟରେ ପିତା, ପାଳକ, ସଙ୍ଗୀ, ସେବକ ସବୁ ଚଣ୍ଡ–ଚଣ୍ଡ ଦେବତାଠାରୁ ମଧ୍ୟ ଅଧିକ । ଚଣ୍ଡ ଆଦେଶ ଦେଲେ, ସେମାନେ ଦ୍ଵିଧାଶୂନ୍ୟ ହୃଦୟରେ ନିଜ ନିଜର ହୃଦୟଶୋଣିତ ଦାନ କରି ପାରିବେ । ପ୍ରାଣର ସ୍ତ୍ରୀ ପୁତ୍ର, ବନ୍ଧୁ ସ୍ୱଜନ ଚିତୋରରେ ପଡ଼ି ରହିଅଛନ୍ତି; ରାଜ୍ୟର ଅରାଜକତାରେ ପଦେ ପଦେ ସେମାନଙ୍କର ଧନ ଓ ଜୀବନରେ ଆଶଙ୍କା; ତଥାପି ସେମାନେ ଚଣ୍ଡଙ୍କୁ ଛାଡ଼ି ଯାଇ ପାରିବେ ନାହିଁ ! ଚଣ୍ଡଙ୍କର ପୌରୁଷୀ ମହିମାରେ କି ମାଧୁରୀ ଥିଲା, କିଏ କହିବ ?

 

ଚଣ୍ଡ ଭୀଲ ବୀରମାନଙ୍କୁ ଚିତୋର ଫେରି ଯାଇ ନିଜ ନିଜ ପରିବାରବର୍ଗଙ୍କ ସହ ବାସ କରିବାକୁ ପରାମର୍ଶ ଦେଲେ, ଚିତୋରର ବର୍ତ୍ତମାନ ଦୂରବସ୍ଥା ବୁଝାଇ ଵିପଦୁଦ୍ଧାରପାଇଁ ପ୍ରସ୍ତୁତ ହେବାକୁ କହିଲେ । କୌଣସି ଦ୍ୱିରୁକ୍ତି ନ କରି ଭାଇମାନେ ଚିତୋରକୁ ଫେରିଗଲେ ଏବଂ କ୍ରମେ କ୍ରମେ ପୂର୍ବପରି ଚିତୋର ଦୁର୍ଗରେ ଦ୍ୱାରରକ୍ଷକ, ରାଜ ନିଯୋଗ ଓ ରାଜକର୍ମଚାରୀରୂପେ ନିଯୁକ୍ତି ହେଲେ । ଏଣେ ଚଣ୍ଡ ମୁକୁଳଜନନୀଙ୍କଠାକୁ ସମ୍ବାଦ ପଠାଇଲେ–ଯେ ସକଳ ଗ୍ରାମ ଚିତୋରର ନିକଟବର୍ତ୍ତୀ, ସେଠାରେ ଅଧିବାସୀମାନଙ୍କୁ ପ୍ରତିଦିନ ଭୋଜନ ଦାନ କରିବାକୁ ହେବ । ମୁକୁଳ ଯେପରି ସେହି ସେହି ଗ୍ରାମମାନଙ୍କୁ ନିଜେ ଗମନ କରେ ଓ ସଙ୍ଗେ ସଙ୍ଗେ ସବୁବେଳେ ବିଶ୍ୱସ୍ତ ରକ୍ଷକ ଓ ଭୃତ୍ୟମାନେ ଯେପରି ରହନ୍ତି । ଗୋଟିଏ ଗ୍ରାମ ପରେ ଆଉ ଗୋଟିଏ ଗ୍ରାମ ତା ପରେ ଅନ୍ୟ ଗ୍ରାମ, ଏହିପରି କ୍ରମେ ଯେପରି ଦୂରବର୍ତ୍ତୀ ଗ୍ରାମମାନଙ୍କୁ ଆସିବାକୁ ହେବ । 'ଦେଓୟାଲୀ' ମହୋତ୍ସବ ନିକଟବର୍ତ୍ତୀ । ଏହି ଦିନ ଚିତୋରଠାରୁ ସାତ ମାଇଲ ଦୂରବର୍ତ୍ତୀ 'ଗୋସୁଦ' ନଗରରେ ମୁକୁଳ ଯେପରି ଆସି ଉପସ୍ଥିତ ଥାଏ ।

 

ଚଣ୍ଡଙ୍କ ପରାମର୍ଶ ଅନୁସାରେ ସକଳ କାର୍ଯ୍ୟ ଚଳିଲା । ଦେଖୁ ଦେଖୁ ଦେଓୟାଲୀ(ଦୀପାବଳି) ମହୋତ୍ସବ ଆସି ପହଞ୍ଚିଲା । ବିଶ୍ୱସ୍ତ ଅନୁଚରମାନଙ୍କୁ ସଙ୍ଗରେ ନେଇ ମୁକୁଳ ଗୋସୁଦ ନଗରରେ ଉପସ୍ଥିତ ହେଲେ । ତତ୍ରତ୍ୟ ଅଧିବାସିମାନଙ୍କୁ ପୂର୍ଣ୍ଣ ଭୋଜନରେ ପରିତୁଷ୍ଟ କରାଗଲା । କୃଷ୍ଣ ଚତୁର୍ଦ୍ଦଶୀର ତାମସୀ ମୂର୍ତ୍ତି କ୍ରମେ ଘୋର ବେଗରେ ସ୍ଥାବର ଜଙ୍ଗମ ସମସ୍ତ ଜଗତ ଅଧିକାର କରି ବସିଲା । କାହିଁ, ଭାଇ କାହାନ୍ତି ? ନୈରାଶ୍ୟ, ଚିନ୍ତା, ଭୟ ଓ ନାନା ଆଶଙ୍କାରେ ମୁକୁଳ ବ୍ୟାକୁଳ ହୋଇ ପଡ଼ିଲେ । ଶେଷରେ ସେ ଶୂନ୍ୟ ହୃଦୟରେ ଚିତୋରକୁ ଫେରି ଯିବାକୁ ବସିଲେ; କିନ୍ତୁ ବେଶୀ ଦୂର ଅଗ୍ରସର ହୋଇ ନାହାନ୍ତି, ହଠାତ ପଶ୍ଚାଦ୍ଦେଶରୁ ଅଶ୍ୱର ପଦଧ୍ୱନି ଶୁଣାଗଲା । ମୁକୁଳ ଚମକିତ ହୋଇ ପଶ୍ଚାଦ୍ଦେଶକୁ ଦୃଷ୍ଟିପାତ କଲେ । ଦେଖୁ ଦେଖୁ ଚାଳିଶ ଜଣ ଭୀଷଣ ଅଶ୍ଵାରୋହୀ ମୁକୁଳଙ୍କ ସମ୍ମୁଖକୁ ଆସି ଅଭିବାଦନ କରି ପୁନର୍ବାର ଅଶ୍ୱ ଆରୋହଣ କଲେ । ସେମାନଙ୍କ ମଧ୍ୟରେ ଅଧିକତର ବିଶାଳକାୟ, ପ୍ରଚଣ୍ଡବିକ୍ରମ ସେନାପତି ମୁକୁଳଙ୍କୁ ରାଜୋଚିତ ସମ୍ମାନ ନ ଦେଖାଇ କେବଳ କରମର୍ଦ୍ଦନ କରି ଅଶ୍ୱ ଆରୋହଣ କଲେ । ବର୍ତ୍ତମାନ ମୁକୁଳଙ୍କୁ ନିରାପଦରେ ଚିତୋରରେ ଛାଡ଼ିଦେଇ ଆସିବାକୁ ସମସ୍ତେ ତାଙ୍କର ଅନୁମତି ମାଗିଲେ । ଭୟଭୀତ ମୁକୁଳ ଟିକିଏ ଇତସ୍ତତଃ ହୋଇ ସଙ୍ଗରେ ଯିବାକୁ ସମ୍ମତି ପ୍ରଦାନ କଲେ ।

 

ଅଶ୍ୱାରୋହିଗଣ ଦୁର୍ଗର ସିଂହଦ୍ୱାରରେ ଉପସ୍ଥିତ ହେଲାକ୍ଷଣି ପ୍ରହରିମାନେ ପରିଚୟ ପଚାରିଲେ । ସେନାପତି ସୈନିକସୁଲଭ ରୁକ୍ଷତା ସହିତ ଜବାବ ଦେଲେ, ‘‘କାହିଁକି ? ଆମେମାନେ ନଗରସନ୍ନିହିତ ପ୍ରଦେଶରେ ବାସ କରୁଁ । ଆମେ ଚିତୋର ରାଜ୍ୟର ଅଧୀନ ସରଦାର; ଗୋସୁଦ ନଗରର ମହୋତ୍ସବ ଦର୍ଶନ କରିବାକୁ ଆସିଥିଲୁଁ । ରାତ୍ରି ହୋଇଅଛି ଦେଖି ରାଜକୁମାରଙ୍କୁ ଦୁର୍ଗପ୍ରାସାଦରେ ଛାଡ଼ିଦେଇ ଯିବାକୁ ଆସିଅଛୁଁ ।” ଏ ଉତ୍ତର ଶୁଣି ସମସ୍ତେ ଚୁପ ହୋଇଗଲେ–କେହି ଆଉ ବିଶେଷ ପଚାରିବାକୁ ଇଚ୍ଛା କଲେ ନାହିଁ । ବିନା ଆପତ୍ତିରେ ଅଶ୍ୱାରୋହଣ ଦୁର୍ଗମଧ୍ୟରେ ପ୍ରବେଶ କଲେ ।

 

ମୁକୁଳଜନନୀଙ୍କର ଗୋଟିଏ ପରମ ରୂପବତୀ ସହଚରୀ ଥିଲା । ନର–ରାକ୍ଷସ ରଣମଲ୍ଲର କାମୁକ କଳ୍ପନା ସେହି ସୌନ୍ଦର୍ଯ୍ୟ ପ୍ରତି ଆତ୍କୃଷ୍ଟ ହେଲା । ଦିନେ ନିଶୀଥି ସମୟରେ ସେହି ସହଚରୀ ରଣମଲ୍ଲଙ୍କ ଆଜ୍ଞାରେ ତାଙ୍କ ଶୟନକକ୍ଷରେ ଉପସ୍ଥିତ ହେଲା । ଦୁରାତ୍ମା କାମାନଳରେ ଅସ୍ଥିର ହୋଇ ବଳପୂର୍ବକ ସୁନ୍ଦରୀର ସତୀତ୍ୱ ନାଶ କରିବାକୁ ଉଦ୍ୟମ କଲା । ସତୀତ୍ୱ ରାଜପୁତ ରମଣୀର ସର୍ବସ୍ୱ–ଜୀବନର ସର୍ବୋତ୍କୃଷ୍ଟ ଧନ; ସେହି ସତୀତ୍ୱପାଇଁ ସେ ଜ୍ୱଳନ୍ତ ଅନଳରେ ନିଜ ଜୀବନକୁ ଆହୁତି ଦେଇ ପାରେ । ଗଭୀର ନିଶାକାଳ, କକ୍ଷ ମାନଵସଂଚାରଶୂନ୍ୟ; ଉନ୍ମତ୍ତ ରଣମଲ୍ଲ ନିକଟରେ କ୍ଷୁଦ୍ର ଅବଳାପ୍ରାଣୀର ଶକ୍ତି ସାମର୍ଥ୍ୟ ବା କେତେ ? ତଥାପି ସତୀର ଅସାଧ୍ୟ କଣ ଅଛି ? ଦ୍ରୌପଦୀ କାତରୋକ୍ତିରେ ବୈକୁଣ୍ଠ ଟଳମଳ ହୋଇ କମ୍ପିଥିଲା । ସୀତାଙ୍କର ନୟନବାରିରେ ସ୍ୱର୍ଣ୍ଣଲଙ୍କା ଚୂର୍ଣ୍ଣ ହୋଇ ଯାଇଥିଲା । ବର୍ତ୍ତମାନ ସତୀ ରାକ୍ଷସର ଜଘନ୍ୟ ଭାବଭଙ୍ଗୀ ଦେଖି ଭୀଷଣ ଗର୍ଜନରେ କହିଲେ,” କି ରେ, ଚିତୋର ରାଜଗାଦିର କୁତ୍ତା ! ତୋର ଟିକିଏ ଭୟନାହିଁ । ମାନ ସମ୍ଭ୍ରମ ବିଚାର ନାହିଁ । ରାଜପୁତକଳଙ୍କ ତୁ କନ୍ୟାପ୍ରତିମ କନ୍ୟାସହଚରୀର ସତୀତ୍ଵ ନାଶ କରିବାକୁ ଉଦ୍ୟତ ! ଆଉ ରକ୍ଷା ନାହିଁ–ତୋର ଶେଷ ଅତି ନିକଟବର୍ତ୍ତୀ । ପ୍ରଚଣ୍ଡବିକ୍ରମ ଚଣ୍ଡ ! କେଉଁଠାରେ ରହିଲ ? ତୁମର ପବିତ୍ର ପିତୃଗୃହରେ ଏ କଳଙ୍କ କି ତୁମର ସହ୍ୟ ହେବ ।” ବାକ୍ୟ ଶେଷ ହୋଇ ନାହିଁ, ସୁନ୍ଦରୀ ମୂର୍ଚ୍ଛିତା ହୋଇ ଭୂପତିତା ହେଲେ ।

 

ସେହି ମୁହୂର୍ତ୍ତରେ ସମସ୍ତ ରାଜପୁରୀ ପ୍ରକମ୍ପିତ କରି ଭୀମ ରଣଶିଙ୍ଗା ବାଜି ଉଠିଲା । ଦେଖୁ ଦେଖୁ ଶୟନକକ୍ଷର ଦ୍ୱାର ଭାଙ୍ଗି ପଡ଼ିଲା । କ୍ରୁଦ୍ଧ କେଶରୀ ପରି ମହାବିକ୍ରମଶାଳୀ ଚଣ୍ଡ ହଠାତ୍‍ ରଣମଲ୍ଲର ସମ୍ମୁଖରେ ଉପସ୍ଥିତ ହେଲେ । ନିକଟରେ ଅପରୂପ ସୁନ୍ଦରୀ ରମଣୀ ମୂର୍ଚ୍ଛିତା ହୋଇ ପଡ଼ିଅଛି । ରମଣୀର ଏ ଯନ୍ତ୍ରଣା ଚଣ୍ଡଙ୍କୁ ଉତକ୍ଷିପ୍ତ କରି ପକାଇଲା । ସେ ଆଉ ସହି ପାରିଲେ ନାହିଁ, ନିଜର ଉନ୍ମୁକ୍ତ କରବାଳରେ ରଣମଲ୍ଲର ଶିରଶ୍ଚେଦନ କଲେ । ରାକ୍ଷସକବଳରୁ ସତୀର ସତୀତ୍ୱ ଉଦ୍ଧାର ପାଇଲା ।

 

ଆଜି ସେନାପତି ବେଶରେ ଚଣ୍ଡ ଦୁର୍ଗ ମଧ୍ୟରେ ପ୍ରବେଶ କରିଥିଲେ । ସଙ୍ଗରେ ଚାଳିଶ ଜଣ ପରୀକ୍ଷିତ ଭୀଲ ଯୋଦ୍ଧା ମଧ୍ୟ ଆସିଥିଲେ । ଜଳଦଗମ୍ଭୀର ଶିଙ୍ଗାନାଦରେ ପୁରୀ ପ୍ରକମ୍ପିତ କରି ଚଣ୍ଡ ଦୁର୍ଗ ଆକ୍ରମଣ ଆରମ୍ଭ କରିଦେଲେ । ସଙ୍ଗେ ସଙ୍ଗେ ଦ୍ୱାରରକ୍ଷକ ରୂପେ ନିଯୁକ୍ତ ଛଦ୍ମବେଶୀ ବୀରମାନେ ମଧ୍ୟ ଏ ଯୁଦ୍ଧରେ ଆସି ଯୋଗ ଦେଲେ । ଯୁଦ୍ଧରେ ଚଣ୍ଡଙ୍କର ସମ୍ମୁଖୀନ ହେବ, ଏପରି ବୀର ଚିତୋରରେ ପ୍ରାୟ ନ ଥିଲେ । ଦେଖୁ ଦେଖୁ ଶତ ଶତ ରାଠୋର, ଅସଂଖ୍ୟ ଦୁର୍ଗରକ୍ଷକ ଧରାଶାୟୀ ହେଲେ । ଶତ୍ରୁ ଶବରେ ଦୁର୍ଗାଙ୍ଗନା ପୂର୍ଣ୍ଣ ହେଲା–ରକ୍ତସ୍ରୋତ ବହିଲା । ରାତ୍ରିର ଅନ୍ଧକାର ସଙ୍ଗେ ସଙ୍ଗେ ଚିତୋର ଦୁର୍ଭାଗ୍ୟ କାଳିମା ଅନ୍ତର୍ହିତ ହେଲା ।

 

ଶିଶୋଦିୟ ବଂଶ ବର୍ତ୍ତମାନ ଶତ୍ରୁଶୂନ୍ୟ, ଚିତୋର ଆଜି ନିଷ୍କଣ୍ଟକ, କିନ୍ତୁ ଚଣ୍ଡଙ୍କର ଅଟଳ ପ୍ରତିଜ୍ଞା ଟଳିବାର ନୁହେ । ସେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁକୁଳର ଅଧୀନ କର୍ମଚାରୀ ଅପେକ୍ଷା ଅଧିକତର ସମ୍ମାନ କେବେ ଗ୍ରହଣ କରି ନାହାନ୍ତି । ଚିରକୌମାର ଅବଲମ୍ବନ କରି ଚଣ୍ଡ ମୁକୁଳର ଅଧୀନ ସାମନ୍ତରୂପେ ପ୍ରାଣତ୍ୟାଗ କରିଥିଲେ । ଆଜୀବନ ନିଜର ପ୍ରତିଜ୍ଞା ରଖି ପାରିଛନ୍ତି, ଏହି ସନ୍ତୋଷରେ ଜୀବନର ଶେଷ ମୁହୂର୍ତ୍ତରେ ପବିତ୍ର ସ୍ୱର୍ଗୀୟ ଆଭା, ବୋଧ ହୁଏ, ତାଙ୍କ ମୁଖମଣ୍ଡଳରେ ଖେଳି ଯାଉଥିଲା ।

Image

 

Unknown

ପ୍ରଣୟର ପ୍ରତିଦାନ

 

ବୈଶାଖ ମାସ । ସୂର୍ଯ୍ୟ ଅଳ୍ପକ୍ଷଣ ହେଲା ଅସ୍ତ ହୋଇଛନ୍ତି, ପଶ୍ଚିମାକାଶର ରକ୍ତିମା ସମ୍ପୂର୍ଣ୍ଣ ଦୂର ହୋଇ ନାହିଁ । ଏଣେ ପୂର୍ଣ୍ଣିମାର ବର୍ତ୍ତୁଳ ଚନ୍ଦ୍ର ପୂର୍ଵାକାଶରେ ରକତ ଚନ୍ଦ୍ରିକା ଢାଳି ଦେବାକୁ ଆରମ୍ଭ କଲାଣି ।' ରକତ–ସାଗର' ର ରକତ–ସ୍ୱଚ୍ଛ, ବକ୍ଷରେ ଉତ୍ତର କୂଳରୁ ବାହାରି ଗୋଟିଏ ସୁନ୍ଦର ଲୀଳାତରି ଦକ୍ଷିଣ ଦିଗକୁ ଗତି କରିବାକୁ ଲାଗିଲା । ତରୀଟିର ସାଜସଜ୍ଜା ବଡ଼ ମନୋହର–ନାନାବର୍ଣ୍ଣର ଆଲୋକବୃକ୍ଷ ସବୁ ସ୍ଥାନେ ସ୍ଥାନେ ଦୋଳାୟତ, ଚତୁର୍ଦ୍ଦିଗରେ ବହୁମୂଲ୍ୟ ଝାଲର ଓ ପୁଷ୍ପମାଳା । ଦୀପାଲୋକ ଜରିର ଝାଲର ଓ ସରୋବରର ବକ୍ଷରେ ପ୍ରତିଫଳିତ ହୋଇ କି ଅପୂର୍ବ ଜ୍ୟୋତି ବିଞ୍ଚି ଦେଉଅଛି । ଏ ସକଳ ସୌନ୍ଦର୍ଯ୍ୟସମ୍ଭାର ମଧ୍ୟରେ ତରୀଟି ଦେବବିମାନ ପରି ଭାସି ଭାସି ଚାଲିଅଛି ।

 

ତରୀଟିର ମଧ୍ୟସ୍ଥଳରେ ଗୋଟିଏ ବହୁମୁଖୀ ଆସନରେ ଜଣେ ଯୁବକ ଆସୀନ । ଦେଖିବାକୁ ବଳିଷ୍ଠ ଓ ସୁନ୍ଦର–ସୁନ୍ଦର କୃଷ୍ଣ ଶ୍ମଶ୍ରୃ ମଧ୍ୟରେ ମୁଖର ଉଜ୍ଜ୍ୱଳ ଜ୍ୟୋତି ଫୁଟି ଦିଶୁଅଛି । ନିକଟରେ କେତେକ ଜଣ ବନ୍ଧୁ । କେତେକ ଜଣ ଗାୟକ ମଧୁରକଣ୍ଠରେ ଲଳିତ ମନୋହର ମୂର୍ଚ୍ଛନା ଦେଇ ସଙ୍ଗୀତ ଗାନ କରୁଅଛନ୍ତି । ସେ ମୂର୍ଚ୍ଛନା ସଙ୍ଗେ ସେତାର, ମୃଦଙ୍ଗ ମିଳାଇ ବାଦକମାନେ ମଧ୍ୟ ନିରକ୍ଷଣ ଭାବରେ ବଜାଉଅଛନ୍ତି । ଏ ସକଳ ମଧୁମୟ ଅଭିନୟ ମଧ୍ୟରେ ଥାଇ ମଧ୍ୟ ଯୁବକଟିର ମୁଖ ଗମ୍ଭୀର । ହର୍ଷର କ୍ଷୀଣ ଛଟା ବେଳେ ବେଳେ କ୍ଷଣପ୍ରଭାର ଝଟକ ପରି ମୁଖମଣ୍ଡଳରେ ଖେଳିଯାଇ ସେହି ସ୍ୱାଭାବିକ ଗମ୍ଭୀରତାରେ ଲୁଚି ଯାଉଅଛି । ହଠାତ୍‍ ଜଣେ ଗାୟକ ସ୍ୱରଚିତ ଗୋଟିଏ ମଧୁର ସଙ୍ଗୀତ ଗାନ କରିବାକୁ ଆରମ୍ଭ କଲେ । ସଙ୍ଗୀତଟି ଗୋଟିଏ ଆସନ୍ନଯୌବନା ରାଜପୁତକୁମାରୀର କମନୀୟ ରୂପବର୍ଣ୍ଣନାରେ ରସାଣିତ । ସୌନ୍ଦର୍ଯ୍ୟ ସଙ୍ଗେ ସଙ୍ଗେ ସୁନ୍ଦରୀର ଗୁଣଗରିମା ମଧ୍ୟ ଯଥେଷ୍ଟ ଫୁଟି ଉଠୁଥିଲା । ବର୍ଣ୍ଣନାକୁ ବୋଧ ହେଲା, ସୌନ୍ଦର୍ଯ୍ୟ ଓ ସକଳ ଗୁଣର ଆଧାର ସୀତା ପୁଣି ଅବତୀର୍ଣ୍ଣ ହୋଇଅଛନ୍ତି କି ?

 

ସଙ୍ଗୀତଟି ଶୁଣି ଯୁବକ ବଡ଼ ବିମୋହିତ ହେଲେ । ସେଥି ସଙ୍ଗେ ପୁଣି ଚତୁର୍ଦ୍ଦିଗର ବିମଳ ଜ୍ୟୋତ୍ସ୍ନା, ମୃଦୁ ଶୀତଳ ପରିମଳ ସଙ୍ଗୀତର ମଧୁର ସ୍ୱରଲହରୀ ସଙ୍ଗେ ମିଶି ଯୁବକର ଯୌବନସୁଲଭ ସରସତାକୁ ଆଘାତ କଲା; ହୃଦୟରେ ପ୍ରେମର ସକଳ ଦ୍ୱାର ଖୋଲିଗଲା । ଗମ୍ଭୀର ବିସ୍ମୟରେ ଯୁବକ ପ୍ରଶ୍ନ କଲେ,–‘‘ଏ ଚିତ୍ର କଣ କଳ୍ପନାର ଚାତୁରୀ, ନା, ଏପରି ଅପରୂପ ଚିତ୍ର କେତେ ଏ ସୃଷ୍ଟିରେ ସମ୍ଭବ ହୋଇଥିଲା ?” ଗାୟକ ଟିକିଏ ଅପ୍ରତିଭ ହୋଇ ଉତ୍ତର ଦେଲେ,” ମହାରାଜ, ବାଳିକାଟି ଏବେ ମଧ୍ୟ ଜୀବିତା, ଅବିବାହିତା ରହିଅଛି । ରାଜପୁତରାଜ ପର୍ବତସିଂହଙ୍କ କନ୍ୟା ଲାଲା ଅପୂର୍ବ ସୁନ୍ଦରୀ । ସେ ସୌନ୍ଦର୍ଯ୍ୟ, ସେ ପ୍ରୀତିକର ଗୁଣାବଳୀର ପଟାନ୍ତର ନାହିଁ । ସଙ୍ଗୀତ ତାହାର କିଛିମାତ୍ର ପ୍ରକାଶ କରି ନ ପାରେ ।” ଯୁବକର ସନ୍ଦେହ ଓ ବିସ୍ମୟ ବଢ଼ିଗଲା ।

 

ସେ ପ୍ରତିବାଦ କରି ଗମ୍ଭୀର ଭାବରେ କହିଲେ, ‘‘ଏହା କେବେ ସମ୍ଭବ ହୋଇ ନ ପାରେ । ବାଳିକା, କଳିକା;–କଳିକାରେ ପୁଷ୍ପର ମନମୋହକର ସୌନ୍ଦର୍ଯ୍ୟ ଫୁଟିବ କୁଆଡ଼ୁ ? କବି ସବୁବେଳେ ମିଥ୍ୟାବାଦୀ–ଅଚିରଞ୍ଜନହିଁ ତାଙ୍କର ଆଶ୍ରୟ । ହେଉ, ଏ ବର୍ଣ୍ଣନା ଯଦି ଠିକ୍‍ ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ତୁମେ ଉପଯୁକ୍ତ ପୁରସ୍କାର ପାଇବ, ଆଉ ମିଥ୍ୟା ହେଲେ, ତୁମର ଏ ଜିଦପାଇଁ ଶିରଶ୍ଚେଦ ଦଣ୍ଡ ।” ଯୁବକଙ୍କର ଏହି ଭୀଷଣ ବାଣୀରେ ସମସ୍ତେ ବ୍ୟସ୍ତ ହେଲା ପରି ବୋଧ ହେଲା । ଯୁବକ ନୀରବ ହେଲେ ସତ୍ୟ, ହୃଦୟର ଗଭୀର ଚିନ୍ତା କିନ୍ତୁ ମୁଖମଣ୍ଡଳରୁ ନିଭିଲା ନାହିଁ । ତା ପରେ ତରୀଟି କ୍ରମେ କ୍ରମେ କୂଳକୁ ଆସି ଲାଗିଥିଲା । ଯୁବକ ସ୍ଥାନ ତ୍ୟାଗ କରି ଯିବା ପରେ ସମସ୍ତେ ତାଙ୍କର ଅନୁସରଣ କରିଥିଲେ ।

ସରୋବରଟିର ବିଶାଳତା ଏ ରକତ–ସ୍ୱଚ୍ଛ ଜଳରୁ ସମ୍ଭବତଃ ତାର ନାମ 'ରକତସାଗର' ଥିଲା । ଚତୁର୍ଦ୍ଦିଗରେ ପ୍ରସ୍ତରନିର୍ମିତ ବିସ୍ତୀର୍ଣ୍ଣ ପାବଚ୍ଛଶ୍ରେଣୀ । ପାବଚ୍ଛଶ୍ରେଣୀର ଠିକ୍‍ ଉପରକୁ ଦୂର୍ବାଦଳ ପରିଶୋଭିତ ୪|୫ ହାତ ବିସ୍ତାର ବିଶିଷ୍ଟ ଗୋଟିଏ ସମତଳ କ୍ଷେତ୍ର ପୁଷ୍କରିଣୀର ଚତୁର୍ଦ୍ଦିଗରେ ଘୂରିଅଛି । ନିଦାଘକାଳର ସୂର୍ଯ୍ୟାସ୍ତ ସମୟରେ ଅନେକ ଲୋକ ଏହି ସ୍ଥାନରେ ଆସି ବସନ୍ତି–ରକତ–ସାଗରର ବିମଳ ପ୍ରଶାନ୍ତ ଦୃଶ୍ୟ ଦେଖନ୍ତି । ସେ ବିମଳ ଜଳରାଶି ଉପରେ ପ୍ରବାହିତ ଶୀକର ଶୀତ ସମୀରଣରେ ହୃଦୟର ସକଳ ବେଦନା ଦୂର ହୁଏ–ପ୍ରାଣ ମନ ଉତଫୁଲ୍ଲ ହୋଇ ଉଠେ । ଏହି ସମତଳ କ୍ଷେତ୍ରର ଏକହାତ ଉଚ୍ଚରେ ଗୋଟିଏ ପ୍ରସ୍ତରନିର୍ମିତ ସୁଦୃଢ଼ ଭ୍ରମଣପଥ ରହିଅଛି । ଏହି ରାସ୍ତା ଉପରେ ଭ୍ରମଣ କରି ରକତସାଗରର ପ୍ରଶାନ୍ତ ସୁନ୍ଦର ଦୃଶ୍ୟ ଦେଖିଲାବେଳେ ଏ ସୃଷ୍ଟି ଏକ ଅନାବିଳ ଅମରଧାମ ପରି ଅନୁଭୂତ ହୁଏ ।

 

ଉତ୍ତର ପାର୍ଶ୍ୱରେ ଠିକ ଭ୍ରମଣପଥକୁ ଲାଗି କରି ମୁସଲମାନ ସମ୍ରାଟ ଅହମ୍ମଦଶାହଙ୍କର ସ୍ଫଟିକନିର୍ମିତ ଉତ୍ତୂଙ୍ଗ ଗ୍ରୀଷ୍ମଭବନ ମସ୍ତକ ଉତ୍ତୋଳନ କରି ଠିଆ ହୋଇଅଛି । ଭବନଟିର ନାମ 'ହିମକୁଟୀର' । କୁଟୀରରେ ତ୍ୟାଗପୂତ ଆର୍ଷ ବିଭବର ସତ୍ତା–ପର୍ଯ୍ୟନ୍ତ ନାହିଁ । ନାମଟି ' ହିମକୁଟୀର' ନ ହୋଇ 'ବ୍ୟସନ ପ୍ରାସାଦ' ହୋଇଥିଲେ ଅନେକ ପରିମାଣରେ ସାର୍ଥକ ହୋଇଥାଆନ୍ତା । ସେ ଯାହା ହେଉ, ସମ୍ରାଟ ବର୍ତ୍ତମାନ କେତେକ ଦିନ ହେଲା ଏହି କୁଟୀରରେ ଅବସ୍ଥାନ କରୁଅଛନ୍ତି । ଗ୍ରୀଷ୍ମର ଅଧିକାଂଶ ସମୟ ସମ୍ରାଟ ଏହି ଗ୍ରୀଷ୍ମଭବନରେ କଟାନ୍ତି । ଭୋଜି, ଉଚ୍ଛବ, ନାଟ, ତାମସା ପ୍ରଭୃତି ନାନା ସୁଖମୟ ଆମୋଦ ପ୍ରମୋଦର ଧୁମ ଲାଗେ । ପ୍ରବଳ ପ୍ରତାପଶାଳୀ ସମ୍ରାଟ–କେଉଁ ସାମଗ୍ରୀର ଅଭାବ ଅଛି ?

 

ଆଜି ଗ୍ରୀଷ୍ମଭବନରେ ଗୋଟିଏ ବଡ଼ ଭୋଜି ହୋଇଥିଲା ନାନା ଭଦ୍ରବ୍ୟକ୍ତି ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଆମନ୍ତ୍ରିତ ହୋଇ ଆସିଥିଲେ । ଦୂରବର୍ତ୍ତୀ ଦେଶରୁ ଖ୍ୟାତନାମା ଗାୟକ ବାଦକମାନଙ୍କୁ ଡକା ହୋଇଥିଲା । ସାରାଦିନ ବହୁପ୍ରକାର ଆମୋଦ ଉଚ୍ଛବ ପରେ, ସନ୍ଧ୍ୟା ସମୟରେ ସମ୍ରାଟ ଲୀଳାତରୀରେ ବସି ରକତସାଗରର ଶୀତଳ ପବନ ଉପଭୋଗ କରିବାକୁ ବାହାରିଥିଲେ । ଭ୍ରମଣରୁ ଫେରି ସେ ଆଜି ଗଭୀର ଚିନ୍ତାରେ ମଗ୍ନ । ରାତିରେ ଆଉ ସୁଖନିଦ୍ରା ହେଲା ନାହିଁ ।

 

ପରଦିନ ଶଯ୍ୟା ତ୍ୟାଗ କରି ସମ୍ରାଟ ନିଜର ସର୍ବୋତ୍କୃଷ୍ଟ ପରାମର୍ଶଦାତା ପ୍ରଶାନ୍ତ ବିଦ୍ୟାନିଧିଙ୍କୁ ଡକାଇ ଆଣିଲେ, ଏକାନ୍ତରେ ତାଙ୍କୁ ପର୍ବତସିଂହଙ୍କ କନ୍ୟା ଲାଲାଙ୍କ କଥା ପଚାରିଲେ-। ବିଦ୍ୟାନିଧିଙ୍କର ପର୍ବତସିଂହଙ୍କ ପୁରକୁ ଯାତାୟାତ ଥିଲା । ସେଠାରେ ସେ ନିଜର ପାଣ୍ଡିତ୍ୟ, ବିଦ୍ୟାବୁଦ୍ଧି, ଇଶ୍ୱରନିଷ୍ଠାପାଇଁ ଯଥେଷ୍ଟ ଆଦର ସମ୍ମାନ ପାଇଥାନ୍ତି । ଲାଲାଙ୍କର କୌଣସି କଥା ବିଦ୍ୟାନିଧିଙ୍କୁ ଅଜ୍ଞାତ ନ ଥିଲା; ସେ ଲାଲାଙ୍କର ଗୁଣଗାରିମା, ଶାନ୍ତ ସୁଶୀଳ ବ୍ୟବହାର ଏବଂ ଶେଷରେ ସେହି ଅଲୌକିକ ସୌନ୍ଦର୍ଯ୍ୟର ସବିବେଶ ବର୍ଣ୍ଣନା କଲେ । ସକଳ କି ? ରକତସାଗର ଉପରେ ଗୀତ ସଙ୍ଗୀତର ମଧୁମୟ ବର୍ଣ୍ଣନା ସଙ୍ଗେ ସବାଂଶରେ ମିଳିଗଲା । ବର୍ତ୍ତମାନ ଅହମ୍ମଦଙ୍କର ସକଳ ଅବିଶ୍ୱାସ ଦୂର ହେଲା–ପ୍ରାଣ ଲାଲାଙ୍କ ଭାବନାରେ ଏକାବେଳକେ ଅସ୍ଥିର ହୋଇ ଉଠିଲା । ସେ ପ୍ରତିଜ୍ଞା କଲେ, ଯେ କୌଣସି ପ୍ରକାରେ ଲାଲାଙ୍କୁ ନିଜର ଅର୍ଦ୍ଧାଙ୍ଗିନୀ କରିବେ ।

 

ଅନବିଳମ୍ବରେ ଅହମ୍ମଦ ନିଜର ଏ ସୁଖମୟ କଳ୍ପନା ପର୍ବତସିଂହଙ୍କୁ ଜଣାଇ ପଠାଇଲେ-। ଏପରି ସରଳଭାବରେ ଜଣେ ରାଜପୁତ ରାଜା ନିଜର ପରମରୂପବତୀ କନ୍ୟାଙ୍କୁ ପବନହସ୍ତରେ ଅର୍ପଣ କରିଦେବା ନିମନ୍ତେ ଅସମ୍ଭବ । କ୍ଷମତାହଙ୍କାରୀ ଅହମ୍ମଦର ମନରେ ଏ କଳ୍ପନା ପର୍ଯ୍ୟନ୍ତ ଦେଖା ଦେଲା ନାହିଁ । ଅବଶ୍ୟ ଏହା ପୂର୍ବରୁ ଅନେକ ରାଜପୁତକୁଳାଙ୍ଗାର ଅର୍ଥ ଓ କ୍ଷମତା ଲୋଭରେ ମୁସଲମାନ ରାଜା ଓ ସମ୍ରାଟଙ୍କ ହସ୍ତରେ କନ୍ୟା ସମର୍ପଣ କରିଥିଲେ । ପର୍ବତସିଂହ କିନ୍ତୁ ସେ ଶ୍ରେଣୀର ରାଜପୁତ ନୁହନ୍ତି, ସେ ସାମାନ୍ୟ ନରପତି ହେଲେ କଣ ହେବ, ନଶ୍ୱର ବିଭବ, ପାଶଚିକ କ୍ଷମତା ଅପେକ୍ଷା ପବିତ୍ର କୁଳଗୌରବ ତାଙ୍କ ନିକଟରେ ଅଧିକତର ମୂଲ୍ୟବାନ । ଧର୍ମ ଓ ଆତ୍ମସମ୍ମାନ ଅପେକ୍ଷା ସମ୍ରାଟ ସିଂହାସନ ପର୍ବତସିଂହଙ୍କ ଦୃଷ୍ଟିରେ କେତେବେଳେ ବଡ଼ ନ ଥିଲା । ଝିଅ ସମ୍ରାଙ୍ଗୀ ହେଉ, ଇନ୍ଦ୍ରାଣୀ ହେଉ, ମୁସଲମାନ ବିବାହ କଲେ ଯେ କୂଳର ରକ୍ତରେ କଳଙ୍କ ଲାଗିବ–ସେ ଜାତିଚ୍ୟୂତ ଓ ଧର୍ମଭ୍ରଷ୍ଟ ହେବ ।

 

ଏ ପ୍ରସ୍ତାବ ଶ୍ରବଣ କରି ପର୍ବତସିଂହ କ୍ରୋଧରେ ଉନ୍ମତ୍ତ ହୋଇ ଉଠିଲେ । ସମ୍ରାଟଙ୍କ ପ୍ରତି ତାଙ୍କର ଭୟଙ୍କର ଘୃଣା ଜାତ ହେଲା, ତେବେ କଥା ସମ୍ପୂର୍ଣ୍ଣରୂପେ ଭାଙ୍ଗିଦେବା ସହଜ ନୁହେ । ସେ ଯେ ସମ୍ରାଟ ! କଥାରେ ନ ହେଲେ, ପ୍ରବଳ ଶକ୍ତିପ୍ରୟୋଗ ଚଳିବା ଅସମ୍ଭବ ନୁହେ । ବାହାରେ ଏକପ୍ରକାର ଭାବି–ଅନୁମୋଦନର ଆଭାସ ଦେଇ, ଧୀର ବିଚାର ସକାଶେ ପର୍ବତସିଂହ କିଛିଦିନ ଅବସର ମାଗିନେଲେ । କିନ୍ତୁ ଭିତରେ ଭିତରେ ଉଦ୍ୟମ ଅନ୍ୟପ୍ରକାର ଚାଲିଲା । ସେ ନିଜର ସୈନ୍ୟସାମନ୍ତ ଦାସୀ ପରିଜନ ସହ ସୁଦୃଢ଼ ଗିରିଦୁର୍ଗ ‘ଆହୋରକୁ' ପ୍ରସ୍ଥାନ କଲେ । ଲାଞ୍ଛନା, ଅବମାନନାରୁ କନ୍ୟାସହ ଉଦ୍ଧାର ପାଇବାପାଇଁ ସେ ନିଜ ବନ୍ଧୁବାନ୍ଧବ ଓ ଅନ୍ୟାନ୍ୟ ରାଜପୁତ ବୀରମାନଙ୍କର ସାହାଯ୍ୟ ଭିକ୍ଷା କଲେ । ସମସ୍ତେ ସେହି ଗିରିଦୁର୍ଗରେ ସମ୍ମିଳିତ ହେବାକୁ ଲାଗିଲେ-

 

କଥା ସହଜରେ ଲୁଚାଇ ହୁଏ ନାହିଁ, ପ୍ରକୃତ କଥା ଲୋକତୁଣ୍ଡରେ କ୍ରମେ ଅହମ୍ମଦଙ୍କ କାନକୁ ଗଲା । ସେ ଅଳ୍ପ ସମୟ ମଧ୍ୟରେ ଦଶସହସ୍ର ବଳିଷ୍ଠ ସୈନ୍ୟ ନେଇ 'ଆହୋର' ଆକ୍ରମଣ କରିବାକୁ ବାହାରିଲେ । ଗୋଟିଏ ସାମାନ୍ୟ ଗିରିଦୁର୍ଗ ପ୍ରତି ଏଡ଼େ ସୈନ୍ୟସମାରୋହ ! ବୋଧ ହେଲା, 'ଆହୋର' ଧୂଳିସାତ କରି ଅହମ୍ମଦ ଲାଲାଙ୍କୁ ଛଡ଼ାଇ ଆଣିବେ । ଗୋଟିଏ ବିଶାଳ ହସ୍ତୀପୃଷ୍ଠରେ ରୌପ୍ୟହାଉଦାରେ ବସି ସେ ସୈନ୍ୟମାନଙ୍କର ସେନାପତିରୂପେ ଗତି କରୁଅଛନ୍ତି । ନାନାଭୂଷଣ ମଣ୍ଡିତ ଆଉ ଗୋଟିଏ ବିଶାଳ ହସ୍ତୀ ହାଉଦା ପୃଷ୍ଠରେ ବହନ କରି ସଙ୍ଗେ ସଙ୍ଗେ ଚାଲିଅଛି । ଏଥିରେ ସେ ରାଜନନ୍ଦିନୀ ଲାଲାଙ୍କୁ ଅଭ୍ୟର୍ଥନା କରି ଆଣିବେ । ଏହିପରି ଦଳବଳ ସହିତ ଦୁର୍ଗର ନିକଟବର୍ତ୍ତୀ ହୋଇ ଅହମ୍ମଦ ପ୍ରବେଶ ଦାବିକଲେ । ହଠାତ୍‍ ଗୋଟିର ତୀକ୍ଷଣ ଶର ଅଵ୍ୟର୍ଥ ଲକ୍ଷ୍ୟରେ ଆସି ଅହମ୍ମଦଙ୍କର ମୁକୁଟ ଭେଦ କରି ହାଉଦାରେ ଲାଗି ରହିଲା । ଦେଖାଗଲା, ଶରର ପ୍ରାନ୍ତଦେଶରେ ଖଣ୍ଡିଏ କାଗଜ ଲଗ୍ନ ରହିଅଛି । ଲେଖାଅଛି–‘‘ଯେଉଁ ଧନୁର୍ଦ୍ଧର ମସ୍ତକ ଉପରିସ୍ଥ ମୁକୁଟ ବିଦ୍ଧ କରି ପାରେ, ସେ ମଧ୍ୟ ଯେଉଁ ମର୍କଟବଦନ ଅସଭ୍ୟ ଅହମ୍ମଦ ଲାଲାଙ୍କୁ ବଳପ୍ରୟୋଗରେ ନେବାକୁ ଆସିଅଛି, ତାହାର ମସ୍ତକ ଲକ୍ଷ୍ୟ କରି ଶର ବିଦ୍ଧ କରି ପାରନ୍ତା, କିନ୍ତୁ ଅହମ୍ମଦ ରାଜପୁତ ଦ୍ୱାରରେ ଅତିଥି । ସୁତରାଂ ସାବଧାନ କରାଗଲା, ଆଉ ବିଶେଷ ଅମଙ୍ଗଳ ଘଟିବା ପୂର୍ବରୁ ପଳାୟନ କରିବା ଉଚିତ ।”

 

ରାଜପୁତଙ୍କ ବିବାହରେ ବରଗୃହରୁ କନ୍ୟାଗୃହକୁ ପ୍ରଥମେ ଖଣ୍ଡିଏ ନବବସ୍ତ୍ର ପଠାଯାଏ । ଅହମ୍ମଦ ଲାଲାଙ୍କ ପାଇଁ ସ୍ୱର୍ଣ୍ଣଜରିଯୁକ୍ତ ଖଣ୍ଡିଏ ମୂଲ୍ୟବାନ ପଟ୍ଟବସ୍ତ୍ର ପଠାଇଥିଲେ । ରାଜପୁତମାନେ ଘୃଣାରେ ସେ ପଟ୍ଟବସ୍ତ୍ରକୁ ପଦଦଳିତ କରି ଅହମ୍ମଦଙ୍କ ହସ୍ତୀ ପଦତଳକୁ ଫିଙ୍ଗି ଦେଲେ । ସେ ଅହମ୍ମଦ ଘୋର ଅବମାନନା ବୋଧ କଲେ । ରାଜପୁତମାନେ ଭୀଷଣ ବେଗରେ ଶରଜାତ ବର୍ଷଣ କରି ପାରନ୍ତି । ସେମାନଙ୍କ ଅଵ୍ୟର୍ଥ ଲକ୍ଷ୍ୟରୁ ରକ୍ଷା ପାଇବା ସହଜ କଥା ନୁହେ । ଅହମ୍ମଦ ମୁକ୍ତ ସ୍ଥାନରୁ ଅଧିକତର ନିରାପଦ ସ୍ଥାନକୁ ସୈନ୍ୟମାନଙ୍କୁ ନେଇ ଗଲେ । ଗମନର ବ୍ୟଗ୍ରତାରୁ ଅନ୍ତରର ଭୟ ପରିସ୍ଫୁଟ ହେଉଥିଲା । ସେହି ଗୋଟିଏ ମାତ୍ର ଶରରେ ଅହମ୍ମଦଙ୍କର ଅହଂକାର ଅନେକ ପରିମାଣରେ ସଂକୁଚିତ ହେଲା ।

 

ଅହମ୍ମଦ ମନେ କରିଥିଲେ, ସେ ସସୈନ୍ୟରେ ଦୁର୍ଗର ଦ୍ୱାରସ୍ଥ ହେଲାକ୍ଷଣି ପର୍ବତସିଂହ ଆଦରରେ କନ୍ୟା ସଂପ୍ରଦାନ କରିବେ । ସମ୍ରାଟ ନିଜେ ଦ୍ୱାରକୁ ଆସିଲେ କେଉଁ ଅଧୀନ ରାଜା ନିଜକୁ ସମ୍ମାନିତ ମନେ ନ କରିବ ? ପୁଣି ସମ୍ରାଟ ଅଯୋଚିତ ଭାବରେ ଯାହାର କନ୍ୟାକୁ ଅଙ୍କଲକ୍ଷ୍ମୀ କରିବା ପାଇଁ ସ୍ୱତଃ ସମାଗତ, ତାର ତ ଶୁଭ ଭାଗ୍ୟ ବୋଲିବାକୁ ହେବ । ଅହମ୍ମଦଙ୍କର ସେ ମୋହ ହଠାତ୍‍ ଭାଜିଗଲା, ପ୍ରେମଜନିତ ହୃଦୟରେ ସରସତା କ୍ରମେ ରୁକ୍ଷଭାବ ଧାରଣ କଲା । ସେ ପ୍ରତିଜ୍ଞା କଲେ–ଦୁର୍ଗପତିର ଗର୍ବ ଚୂର୍ଣ୍ଣ କରି ଲାଲାଙ୍କୁ ବଳାତ୍କାରରେ ଅପହରଣ କରିବାକୁ ହେବ ସେଥିପାଇଁ ଦୁର୍ଗ ଭୀଷଣଭାବରେ ଅବରୁଦ୍ଧ ହେବାକୁ ଲାଗିଲା ।

 

‘ଆହୋର' ଗୋଟିଏ ସାମାନ୍ୟ ଗିରିଦୁର୍ଗ ନୁହେ; ତିନି ହଜାର ସାହସୀ ବୀରଙ୍କ ଦ୍ୱାରା ଏହା ଅବିରତ ସୁରକ୍ଷିତ । ଏଥିରେ ପୁଣି ଯୁଦ୍ଧପାଇଁ ପୂର୍ବରୁ ସଜ୍ଜିତ ହୋଇ ଟିକିଏ ଦୃଢ଼ତର ହୋଇ ଯାଇଅଛି । ବହୁ ଅର୍ଥବ୍ୟୟରେ ଉପଯୁକ୍ତ ଅସ୍ତ୍ର ଶସ୍ତ୍ର ବହୁତ କିଣା ହୋଇ ରଖା ଯାଇଅଛି । ଦୁର୍ଗର ଏକଦିଗ ଗୋଟିଏ ତୁଳପର୍ବତଦ୍ୱାରା ଦୁର୍ଗମ । ପର୍ବତ ନିକଟରେ ଥିବାରୁ ଶତ୍ରୁଦଳନ ନିମନ୍ତେ ବୃହତ ପ୍ରସ୍ତରଖଣ୍ଡମାନ ପ୍ରାଚୀର ଉପରେ ରଖା ଯିବାର ବିଶେଷ ସୁବିଧା । ସ୍ଥୂଳତଃ, ଅହମ୍ମଦ ଯେ ପ୍ରତିଜ୍ଞା କରିଅଛନ୍ତି, ଦୁର୍ଗର ପ୍ରାକୃତିକ ଅବସ୍ଥିତି, ସମ୍ମିଳିତ ଶକ୍ତି ଓ ଉଦ୍ୟମ ଦେଖିଲେ, ତାହା ପୂର୍ଣ୍ଣ ହେବା ସେତେ ସହଜ ବୋଧ ହେଉ ନାହିଁ ।

 

ପ୍ରଥମେ ମୁସଲମାନ ସୈନ୍ୟ ପ୍ରାଚୀର ଲଙ୍ଘନ କାରିବାର ଉଦ୍ୟମ କଲେ । ସେମାନେ ପ୍ରାଚୀରର ନିକଟବର୍ତ୍ତୀ ହେଉ ହେଉ ରାଜପୁତ ବୀରମାନଙ୍କର ଅଵ୍ୟର୍ଥ ଶରସନ୍ଧାନରେ ଶତ ଶତ ପତିତ ହେବାକୁ ଲାଗିଲେ । ପ୍ରାଚୀର ଉପରୁ ବିଶାଳ ଶିଳାଖଣ୍ଡମାନ ପତିତ ହେଉଥିବା ଦେଖି ସେମାନେ ଏକାବେଳକେ ହତବୁଦ୍ଧି ହୋଇ ବସିଲେ । ସ୍ଥାନେ ସ୍ଥାନେ ନିଃଶ୍ରେଣୀସାହାଯ୍ୟରେ ପ୍ରାଚୀରଲଙ୍ଘନ ଚେଷ୍ଟା ମଧ୍ୟ ହୋଇଥିଲା । ଦୀର୍ଘ ଯଷ୍ଟି ମାନଙ୍କର ଭୀଷଣ ଆଘାତରେ ସେ ଉଦ୍ୟମ ମଧ୍ୟ ବିଫଳ ହେଲା । ଏହିପରି ବହୁବଳ କ୍ଷୟ କରି ଅହମ୍ମଦ ବାରମ୍ବାର ବିଫଳ ମନୋରଥ ହେଲେ-। ବର୍ତ୍ତମାନ ଦୁର୍ଗର ପ୍ରାଚୀର ଭଗ୍ନ ବା ଲଙ୍ଘନ କରିବାର ଉଦ୍ୟମ ତ୍ୟାଗ କରି ମୁସଲମାନ ସୈନ୍ୟ କେବଳ ଦୁର୍ଗ ଅବରୋଧ କରି ବସି ରହିଲେ ।

 

ଦୁର୍ଗର ଅଧିକାର ମୁସଲମାନଙ୍କ ହାତରୁ ଯାଇ ସମୟର ହାତରେ ରହିଲା । 'ବସି ଖାଇଲେ ନଈ ବାଲି ସରେ'–ଦୁର୍ଗର ସାମାନ୍ୟ ଖାଦ୍ୟର ବା କିଛି ସହସ୍ର ଲୋକ କେତେ ଦିନ ଚଳନ୍ତେ ? ଦୁଇ ତିନି ମାସ ପରେ ଦୁର୍ଗର ଖାଦ୍ୟ ଶେଷ ହେବାକୁ ବସିଲା । ସମ୍ରାଟଙ୍କର ପ୍ରବଳ ବାହିନୀ ଭେଦ କରି ବାହାରୁ ଖାଦ୍ୟଦ୍ରବ୍ୟ ଆଣି ପାରିବ ସହଜ କଥା ନୁହେ । ଅନ୍ନାଭାବର କରାଳ ମୃତ୍ୟୁ ରାଜପୁତମାନେ ସମ୍ମୁଖରେ ଦେଖି ପାରିଲେ । ଏତେବେଳେ ମଧ୍ୟ ଯଦି ପର୍ବତସିଂହ କନ୍ୟାଦାନରେ ସମ୍ମତି ଦିଅନ୍ତି; ତେବେ ଅହମ୍ମଦ ତାଙ୍କୁ ବନ୍ଧୁଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ; କିନ୍ତୁ ଶତ୍ରୁ ନିକଟରେ ଅବନତ ହୋଇ ସୁଖସୌଭାଗ୍ୟରେ ଭାସିବା ଅପେକ୍ଷା ମୃତ୍ୟକୁ ଆଲିଙ୍ଗନ କରିବାରେ ରାଜପୁତ ଅଧିକତର ସୁଖ, ସମ୍ମାନ ଦେଖେ । ସନ୍ଧିପ୍ରସ୍ତାବ ଏବେ ମଧ୍ୟ ଘୃଣାର ସହିତ ପରିତ୍ୟକ୍ତ ହେଲା ! କି ଅଟଳ ପ୍ରତିଜ୍ଞା–ମରିବି, କେବେ ହେଲେ ପବନର ଅଧୀନତା ସ୍ୱୀକାର କରିବି ନାହିଁ !

 

ସମ୍ମୁଖ ସଂଗ୍ରାମରେ ପ୍ରାଣଦାନ ଦୁର୍ଗରେ ରାଜପୁତ ବୀରମାନଙ୍କୁ ସହଜ ଓ ସୁଖମୟ ବୋଧ ହେଲା । ଦିନେ ପ୍ରାତଃକାଳରେ ସମସ୍ତେ ଜୀବନର ଅନ୍ତିମ ଉପାସନା କରି ବସିଲେ, ଦୁର୍ଗ ପୂର୍ଣ୍ଣ ନୀରବତା ଧାରଣା କଲା । ପ୍ରତି ମୁଖମଣ୍ଡଳରେ ଅପୂର୍ବ ସ୍ୱର୍ଗୀୟ ଜ୍ୟୋତି, ଗଣ୍ଡଦେଶରେ ରକ୍ତର ପବିତ୍ର ଲୋତକଧାରା ଖେଳିବାକୁ ଲାଗିଲା; ପରେ ସମସ୍ତ ହୃଦୟର ଭେଦ କରି ବିଭୁସ୍ତୁତିର ଗଭୀର ପରମ ଧ୍ୱନି ଉଚ୍ଛ୍ୱସିତ ହୋଇ ଉଠିଲା । ସେ ଧ୍ୱନି ବାୟୁର ତରଙ୍ଗେ ତରଙ୍ଗେ ଖେଳିଯାଇ ଚତୁର୍ଦ୍ଦିଗରେ ପବିତ୍ରତା ଢାଳିଦେଲା । ଦୁର୍ଗ କେତେକ ସମୟପାଇଁ ଅନାବିଳ ସ୍ୱର୍ଗର ଛବି ଧାରଣା କରି କି ଆମର ବିଭୂତିରେ ପରିପୂର୍ଣ୍ଣ ହେଲା ।

 

ତତ୍ପରେ ବୀରମାନଙ୍କର ମୃତ୍ୟୁର ସାଜ; ସେ ସାଜ ମଧ୍ୟ ଅଲୌକିକ । ସମସ୍ତେ ଉଷ୍ମୀଷରେ ତୁଳସୀ, ଗଳଦେଶରେ ପବିତ୍ର ଶାଳଗ୍ରାମଶିଳା ଧାରଣ କଲେ । ପ୍ରତ୍ୟେକେ ପୀତାମ୍ବର; ମସ୍ତକରେ ଗୋଟିଏ ଗୋଟିଏ ବିବାହ-ମୁକୁଟ । ରାଜପୁତ ପ୍ରତି ଯୁଦ୍ଧଯାତ୍ରା ଗତିର ବିବାହ ଉତ୍ସବ । ତାଙ୍କର ବିଶ୍ୱାସ, ଏହି ଉତ୍ସବରେ ଯଦି ମୃତ୍ୟୁ ଆସେ, ତେବେ ସେ ବଡ଼ ସୁଖର ମୃତ୍ୟୁ; ମଲେ, ଅମରଲୋକକୁ ଯାଇ ସୁରସୁନ୍ଦରୀଙ୍କ ସହ ଅନନ୍ତ ଶୁଖ ସମ୍ପଦ ଉପଭୋଗ କରିବେ ! ଏହା କବିକଳ୍ପନା ନୁହେ–-ଐତିହାସିକର ପ୍ରତ୍ୟକ୍ଷ ସତ୍ୟ ବର୍ଣ୍ଣନା ।

 

ସୂର୍ଯ୍ୟୋଦୟ ପୂର୍ବରୁ ୨୫୦୦ ରାଜପୁତ ବୀର ଦୁର୍ଗକୁ ଶୂନ୍ୟ କରି ଦ୍ୱାରଦେଶରେ ଆସି ରୁଣ୍ଡ ହେଲେ, ପରସ୍ପରକୁ ଜୀବନର ଶେଷ ସମୟ ପାଇଁ ଆଲିଙ୍ଗନ କରି ନେଲେ । ତତ୍ପରେ ଦୁର୍ଗଦ୍ୱାର ପୂର୍ଣ୍ଣ ଉନ୍ମୁକ୍ତ ହେଲା । ରାଜପୁତ ସୈନ୍ୟ ଦୁର୍ଗରୁ ବହିର୍ଗତ ହୋଇ ମୁସଲମାନ ବାହିନୀର କେନ୍ଦ୍ରସ୍ଥାନ ଆଡ଼କୁ ଗତି କରିବାକୁ ଆରମ୍ଭ କଲେ । ସମସ୍ତଙ୍କ ଅଗ୍ରରେ କିନ୍ତୁ ପର୍ବତସିଂହ, ତାଙ୍କର ବୀରପୁତ୍ର ରାମସିଂହ । କେନ୍ଦ୍ରସ୍ଥଳରେ ଅହମ୍ମଦସାହଙ୍କର ନୀଳପତାକାଶୋଭିତ ରେଶମ ନିର୍ମିତ ବହୁମୂଲ୍ୟ ଶିବିର । ସେହି ଶିବିରହିଁ ବର୍ତ୍ତମାନ ସମସ୍ତ ରାଜପୁତମାନଙ୍କର ଲକ୍ଷ୍ୟ ।

 

ଯୁଦ୍ଧକୁ ଯିବା ପୂର୍ବରୁ ରାଜପୁତ ସକଳ ମାୟା ମମତା, ସଂସାର ସକଳପ୍ରକାର ମୋହନ ଆକର୍ଷଣ ଛିନ୍ନ କରି ଯାଇଥାଏ । ବର୍ତ୍ତମାନ ସମସ୍ତେ ମରିବାପାଇଁ ପ୍ରସ୍ତୁତ । ମୃତ୍ୟୁର ନିକଟରେ ସମସ୍ତେ ସମାନ–ସେଠାରେ ରାଜା ପ୍ରଜା ମଧ୍ୟରେ ଭେଦ ନାହିଁ, କି ପଣ୍ଡିତ ମୂର୍ଖ ମଧ୍ୟରେ ସମ୍ମାନର ପାର୍ଥକ୍ୟ ନାହିଁ । ରାଜପୁତରାଜା ପର୍ବତସିଂହ ଯେଉଁ ବେଶରେ ଗତି କରୁଅଛନ୍ତି, ସାଧାରଣ ସୈନିକ ମଧ୍ୟ ସେହି ଗତି କରୁଅଛି । ସମସ୍ତେ ପଦଚାରୀ; ଵିଶେଷତ୍ୱ କେବଳ–ପର୍ବତସିଂହଙ୍କ ମସ୍ତକୋପରି ଗୋଟିଏ ବହୁମୂଲ୍ୟ ରାଜଛତ୍ର, ସୂର୍ଯ୍ୟଲାଞ୍ଛିତ ଗୋଟିଏ ବୃହତ୍‍ ପତାକା ଉତ୍ତୋଳିତ ରହି, ତାହାଙ୍କୁ ସୂର୍ଯ୍ୟବଂଶର ରାଜା ବୋଲି ଚିହ୍ନାଇ ଦେଉଅଛି ।

 

ଯୁଦ୍ଧକ୍ଷେତ୍ରରେ ଏପରି ପାର୍ଥକ୍ୟ ବଡ଼ ସାଙ୍ଘାତିକ; ରାଜଛତ୍ରଙ୍କୁ ଲକ୍ଷ୍ୟ କରି ସବୁ ଦିଗରୁ ଶତ୍ରୁସୈନ୍ୟ ଆକ୍ରମଣ କରିବାକୁ ଆସି ପାରନ୍ତି । ଆସନ୍ତୁ, ଭଲ କଥା । ଯୁଦ୍ଧର ଭୟଙ୍କରତା ନା ବଢ଼ିଲେ ସାହସର ପୂର୍ଣ୍ଣବିକାଶ, ସମରପିପାସର ନିବୃତ୍ତ ହେବ ନାହିଁ । ସମସ୍ତେ ତ ପ୍ରାଣପଣ କରି ଆସିଛନ୍ତି । ତେବେ କିଏ ଆଗ ମରିବ, କିଏ ଅବା ଟିକିଏ ପଛେ ମରିବ, ଏତିକିମାତ୍ର ପ୍ରଭେଦ । ସେଥିପାଇଁ ଉନ୍ନତ ରାଜଛତ୍ର ଅବନତ ହେବ ବା କାହିଁକି ? ଏପରି ଭୟଙ୍କର ମୃତ୍ୟଯାତ୍ରୀମାନଙ୍କୁ ବାଧାଦେବା କାହାର ସାଧ୍ୟ ?

 

ମୁସଲମାନ ସୈନ୍ୟ ମୂର୍ତ୍ତିକା ନିର୍ମିତ ଗୋଟିଏ ପ୍ରାଚୀରର ଉଢ଼ାଳରେ ଶତ୍ରୁମାନଙ୍କଠାରୁ ଅନେକ ପରିମାଣରେ ରକ୍ଷିତ ଥିଲେ । ସହସା ଅନାଶଙ୍କିତଭାବରେ ଆକ୍ରମଣ କରି ରାଜପୁତମାନେ ବହୁସ୍ଥାନରେ ଏ ପ୍ରାଚୀର ଭାଙ୍ଗି ପକାଇଲେ, ଶାଣିତ ତରବାରିର ଚପଳ ଚାଳନାରେ ପଥ ପରିଷ୍କାର କରି ଅହମ୍ମଦଙ୍କ ଶିବିର ଉଦ୍ଦେଶ୍ୟରେ ସମସ୍ତେ ଧାବମାନ ହେଲେ । ଦେଖୁ, ଦେଖୁ, ରାଜପୁତମାନେ ମୁସଲମାନ ବାହିନୀର ମଧ୍ୟସ୍ଥଳରେ, କ୍ଷଣକେ ତୁମୁଳ ଯୁଦ୍ଧ ଲାଗି ଆସିଲା । ଅହମ୍ମଦ ଆଉ କାଳବିଳମ୍ବ ନ କରି ନିଜର ବିଶାଳ ହସ୍ତୀ ଆରୋହଣ କଲେ । ରାଜାଙ୍କର ରକ୍ଷା ଲାଗି ଚତୁର୍ଦ୍ଦିଗରୁ ନିଜର ସୈନ୍ୟସମୁଦ୍ର ମାଡ଼ି ଆସିଲା ।

 

ରାଜପୁତମାନଙ୍କର କରାଳ ତରବାରି ନିକଟରେ ପଶିବା ସହଜ କଥା ନୁହେ । ଚକ୍ଷୁର ନିମିଷରେ ଶତ ଶତ ମୋଗଲ ମୁଣ୍ଡ ଝଡ଼ି ପଡ଼ିଲା–ମୁସଲମାନ ସେନା ପୃଷ୍ଠଭଙ୍ଗ ଦେବାକୁ ବସିଲେ-। କିନ୍ତୁ ଅହମ୍ମଦଙ୍କର ବୀର ହୃଦୟ ସେଥିରେ ବିଚଳିତ ହେବାର ନୁହେ । ସେ ଜାଣୁଥିଲେ, ଶତ୍ରୁସୈନ୍ୟ ମୁଷ୍ଟିମେୟ–ଜୀବନର ଆଶା ପରିତ୍ୟାଗ କରି ଯୁଦ୍ଧ କରିବାକୁ ବାହାରିଅଛନ୍ତି, ଏପରି କେତେକ୍ଷଣ ସେମାନେ ବା ଯୁଦ୍ଧ ଚଳାଇ ପାରିବେ । ସେ ନିର୍ଭୟରେ କେତେବେଳେ ସୈନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଲାଗିଲେ, କେତେବେଳେ ଅଙ୍ଗଭଙ୍ଗୀରେ ବିଚକ୍ଷଣ ସେନାପତି ପରି ଗତିବିଧି ନିର୍ଦ୍ଦେଶ କଲେ, କେତେବେଳେ ବା ସ୍ୱୟଂ ନିଜର ଆମୋଘ ଶରଜାଲରେ ଶତ୍ରୁସେନା କ୍ଷୟ କରୁଅଛନ୍ତି । ଏତେ କଲେ ମଧ୍ୟ ବର୍ତ୍ତମାନ ଅହମ୍ମଦଙ୍କ ଜୀବନ ଆଶଙ୍କାପରିପୂର୍ଣ୍ଣ । ତାଙ୍କର ରକ୍ଷିଦଳ ଚତୁର୍ଦ୍ଦିଗରେ ରାଜପୁତମାନଙ୍କ ଶସ୍ତ୍ରାଘାତରେ ଟଳି ପଡ଼ୁଅଛନ୍ତି, ନୂତନ ସୈନ୍ୟମାନେ ସେମାନଙ୍କ ସ୍ଥାନ ପରିପୂର୍ଣ୍ଣ କଲେ ମଧ୍ୟ କେହି ରାଜପୁତ ସମକ୍ଷରେ ଥୟ ଧରି ପାରୁନାହାନ୍ତି-ବାରଣ କରିବା ତ ଦୂରର କଥା । ରାଜପୁତସେନା ସମସ୍ତ ପ୍ରତିବନ୍ଧକ ଲଘଂନ କରି ଦେଖୁ ଦେଖୁ ଅହମ୍ମଦଙ୍କ ସମ୍ମୁଖଦେଶରେ ଉପସ୍ଥିତ ହେଲେ । ଶର ଓ ଅସ୍ତ୍ରଶସ୍ତ୍ରରେ ଅହମ୍ମଦଙ୍କର ହାଉଦା ଆଚ୍ଛାଦିତ ହୋଇ ପଡ଼ିଲା ।

 

ହଠାତ ରାଜପୁତ୍ର ରାମସିଂହ ହସ୍ତୀର ନିକଟବର୍ତ୍ତୀ ହୋଇ ହାଉଦାର ବନ୍ଧନରଜ୍ଜୁ କର୍ତ୍ତନ କରି ପକାଇଲା । ଅହମ୍ମଦଙ୍କ ସହ ହାଉଦାଟି ଭୂତଳରେ ନିପତିତ ହେଲା । ଅହମ୍ମଦ ଧୂଳିରାଶିରେ ବିଲୁଣ୍ଠିତ ହେଲେ । ସଙ୍ଗେସଙ୍ଗେ ସିଂହ ମୃଗରାଶିକୁ ଆକ୍ରମଣ କଲା ପରି ରାମସିଂହ ଅଗ୍ରଗାମୀ ଆଉ ଦୁଇଜଣ ରାଜପୁତଙ୍କ ସହ ଅହମ୍ମଦଙ୍କ ଉପରକୁ ଡେଇଁ ପଡ଼ିଲେ । ଏହିଠାରେ ଅହମ୍ମଦଙ୍କର ଶେଷ ହୋଇ ଥାଆନ୍ତା, କିନ୍ତୁ ମୁହୂର୍ତ୍ତମାତ୍ର ବିଳମ୍ବ ହୋଇଗଲା; ଶୁଭଯୋଗକୁ ସେ ହଠାତ୍‍ ଦଣ୍ଡାୟମାନ ହୋଇ ତରବାରିର ଅଦ୍ଭୁତ ଚାଳନାରେ ଆତ୍ମରକ୍ଷା କରିବାକୁ ଲାଗିଲେ । ତାଙ୍କର ଏ ମୃତ୍ୟସଂକଟ ଦେଖି ସାହସୀ ମୁସଲମାନ ଯୋଦ୍ଧାମାନେ ପ୍ରବଳବେଗରେ ମାଡ଼ି ଆସିଲେ । ଯୁଦ୍ଧ ତୁମୁଳତର ହୋଇ ଉଠିଲା ।

 

ବହୁସମୟ ପର୍ଯ୍ୟନ୍ତ ଯୁଦ୍ଧର ଗତିରେ ବିଶେଷ କିଛି ପରିବର୍ତ୍ତନ ଲକ୍ଷିତ ହେଲା ନାହିଁ । ଚତୁର୍ଦ୍ଦିଗରେ ମୁସଲମାନ ସୈନ୍ୟସାଗର, ମଧ୍ୟରେ ଅଳ୍ପସଂଖ୍ୟକ ରାଜପୁତ ବୃତ୍ତାକାରରେ ଅବସ୍ଥାନ କରି ଯୁଦ୍ଧ କରୁଅଛନ୍ତି । ରାଜପୁତର ରଣପାଣ୍ଡିତ୍ୟ, ଭୀଷଣ ଶକ୍ତି, ଅଦ୍ଭୁତ ଲଘୁହସ୍ତତା ଓ ଅଲୌକିକ ଶସ୍ତ୍ରଚାଳନାରେ ଶତ୍ରୁପକ୍ଷ ବିସ୍ମିତ ହୋଇ ଯାଉଅଛନ୍ତି । ତରବାରିର ନିରବଛିନ୍ନ ଘୂର୍ଣ୍ଣନରେ ଗୋଟିଏ ଗୋଟିଏ ବୃତ୍ତାକାର ଲୌହପରିଧି ମଧ୍ୟରେ ରାଜପୁତମାନେ ସଂପୂର୍ଣ୍ଣ ଲୁଚି ଯାଉଅଛନ୍ତି । ତଥାପି କଣ ହେବ ? ଏପରି ଯୁଦ୍ଧ କେତେକାଳ ଚାଲି ପାରେ ? ମୁଷ୍ଟିମେୟ ରାଜପୁତ ଶତ୍ରୁ– ସମୁଦ୍ର ବିରୁଦ୍ଧରେ ଦଣ୍ଡାୟମାନ ରହିବା ଅସମ୍ଭବ । କ୍ରମେ ରାଜପୁତସଂଖ୍ୟା ହ୍ରାସ ପାଇବାକୁ ଲାଗିଲା । ବୃତ୍ତାକାର ରାଜପୁତବ୍ୟୁହର ପରିଧି ସଂକୁଚିତ ହୋଇ ଆସିଲା । ତରବାରିରେ ତରବାରି ବାଜି ଭାଙ୍ଗି ଯାଉଅଛି, ବହୁ ତରବାରିର ଧାର ବକ୍ର ହୋଇ ଗଲାଣି; ଶସ୍ତ୍ରର ଅବିଶ୍ରାନ୍ତ ଚାଳନାରେ ରାଜପୁତଙ୍କର ହସ୍ତ ଶିଥିଳ ହୋଇ ପଡ଼ୁଅଛି । ସେମାନେ ସାଂଘାତିକ ଆକ୍ରମଣରେ ଶତ୍ରୁ ସେନା ଧ୍ୱଂସ କରିବା ଛାଡ଼, ବହୁ ସମୟରେ ଆତ୍ମରକ୍ଷା କରୁଅଛନ୍ତି । ଏହିପରି ବିଷମ ଅବସ୍ଥାରେ ପଡ଼ି ରାଜପୁତ–ରତ୍ନ ଗୋଟି ଗୋଟି ହୋଇ ଢଳି ପଡ଼ିଲେ ।

 

ଏତେବେଳେ ମଧ୍ୟ ପର୍ବତସିଂହଙ୍କର ରାଜଛତ୍ର ଉନ୍ନତ–ସୂର୍ଯ୍ୟଲାଞ୍ଛିତ ପତାକା ସଗର୍ବରେ ଆକାଶ ଦେଶରେ ଉଡ଼ୁଅଛି । ମୁସଲମାନ ବୀରମାନଙ୍କର 'ଆଲ୍ଲା ହୋ ଆକବର' ଧ୍ୱନିରେ ଦିଗବିଦିଗ କମ୍ପିତ ହୋଇ ଉଠୁଅଛି । ଆଉ ଶରୀର ରକ୍ଷା କରିବାକୁ ରକ୍ଷିଦଳ ନାହାନ୍ତି । ନିଜର ପରୀକ୍ଷିତ ଯୋଦ୍ଧାମାନେ ଚତୁର୍ଦ୍ଦିଗରେ ଚିରନିଦ୍ରାରେ ନିଦ୍ରିତ–ସକଳ ଆଶାଭରସା ଶୂନ୍ୟ । ଚତୁର୍ଦ୍ଦିଗରେ ଏ କରାଳ ଅଭିନୟ ମଧ୍ୟରେ ପର୍ବତସିଂହ ପର୍ବତ ପରି ଅବିଚଳିତ । କେତେ ମୁସଲମାନ ସାହସିକ ଯୋଦ୍ଧା ତାଙ୍କୁ ବନ୍ଦ କରିବାର ଉଦ୍ୟମ କରୁଅଛନ୍ତି, କେତେ ଅସ୍ତ୍ର ଶସ୍ତ୍ର ତାଙ୍କ ମସ୍ତକ ଉଦ୍ଦେଶ୍ୟରେ ଚାଳିତ ହେଉଅଛି; ତଥାପି ଦୃପ୍ତ ସିଂହ ନିକଟରେ ଥୟ ଧରିବ କିଏ ? ପର୍ବତସିଂହଙ୍କ ହସ୍ତର ଭୀମ ଆଘାତରେ ଶତ ଶତ ମୁସଲମାନ ନିଜ ନିଜର ରଣକଣ୍ଡୁ ନିବାରଣ କରି ଧରାଶାୟୀ ହେବାକୁ ଲାଗିଲେ । ଜଣକର ଚତୁର୍ଦ୍ଦିଗରେ ଶତ ଯୋଦ୍ଧା, ଗୋଟିଏ ତରବାରିର ବିରୁଦ୍ଧରେ ସହସ୍ର ଅସ୍ତ୍ର ଶସ୍ତ୍ର; ତଥାପି କରାଳ କାଳମୂର୍ତ୍ତି ପରି ସମସ୍ତେ ନିଜ ନିଜର ସମ୍ମୁଖରେ ପର୍ବତସିଂହଙ୍କୁ ଦେଖୁଅଛନ୍ତି । ଏପରି ତରବାରିର ଅଦ୍ଭୁତ ଯୁଦ୍ଧ ମଧ୍ୟରେ ହଠାତ୍‍ ଗୋଟିଏ ତୀକ୍ଷଣ ଶର ଆସି ପର୍ବତସିଂହଙ୍କର ବକ୍ଷୋଦେଶ ବିଦ୍ଧ କଲା–ବୀରବର ଉନ୍ନତ ରାଜଛତ୍ର ତଳେ ଢଳି ପଡ଼ିଲେ ।

 

ପର୍ବତସିଂହ ଟଳି ପଡ଼ିଲେ, ଅଥଚ ରାଜଛତ୍ର ଅବନତ ହେଲା ନାହିଁ । ପିତାଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ରାମସିଂହ ଆସି ତାଙ୍କ ସ୍ଥାନ ଅଧିକାର କଲେ । ପୁଣି ନିର୍ବାପିତ ଯୁଦ୍ଧ ଭୀଷଣତର ହୋଇ ଜଳି ଉଠିଲା । ଚତୁର୍ଦ୍ଦିଗରେ ଶତ୍ରୁସୈନ୍ୟ ତ୍ରସ୍ତ ଓ ଚକିତ ହୋଇ ବାଳକର ସାହସ, ଶକ୍ତିମତ୍ତା ଓ ରଣପାଣ୍ଡିତ୍ୟ କେବଳ ଦେଖିବାକୁ ଲାଗିଲେ । ହଠାତ୍‍ ଶତ୍ରୁତରବାରିର ଆଘାତରେ ରାମସିଂହଙ୍କ ତରବାରିଟି ଭାଙ୍ଗିଗଲା, ଚାହୁଁ ଚାହୁଁ ବୀରବର ନିକଟବର୍ତ୍ତୀ ଗୋଟିଏ ପ୍ରତିଯୋଦ୍ଧା ହସ୍ତରୁ ତରବାରିଟି ଛଡ଼ାଇ ଆଣିଲେ । ନୂତନ ଶସ୍ତ୍ର ପାଇ ବୀରବର ଶତ୍ରୁ ମର୍ଦ୍ଦନରେ ମାତିଗଲେ । ଏକପକ୍ଷରେ ସହସ୍ରସଂଖ୍ୟାରେ ମୁସଲମାନ ଯୋଦ୍ଧା, ଅନ୍ୟ ପକ୍ଷରେ ନିଃସହାୟ ଗୋଟିଏ ମାତ୍ର ବାଳକ ! ତଥାପି ରାଜପୁତ ବାଳକର ଅଲୌକିକ ରଣପାଣ୍ଡିତ୍ୟ ଦେଖି ଶତ୍ରୁମୁଖରେ କି ପ୍ରଶଂସାଧ୍ୱନି ଶୁଣାଗଲା–ମୁସଲମାନମାନଙ୍କର ବିଜୟଗୌରବର ଦୀପ୍ତି ମନ୍ଦୀଭୂତ ହେଲା । ରାମସିଂହଙ୍କର ଏ ବୀରତ୍ୱ ଦେଖିଲେ ମହାଭାରତର ଅଭିମନ୍ୟୁଙ୍କ କଥା ମନେ ପଡ଼େ । ଗର୍ବିତ ପତାକା ଆକାଶରେ ଉଡ଼ୁଅଛି, ମସ୍ତକ ଉପରେ ରାଜଛତ୍ର ସେହିପରି ଉନ୍ନତ ରହିଅଛି, ରାଜପୁତକୁଳଚନ୍ଦ୍ରମା ସମ୍ମୁଖ ସଂଗ୍ରାମରେ ଢଳି ପଡ଼ିଲେ ।

 

ବର୍ତ୍ତମାନ ଭୀଷଣ ଯୁଦ୍ଧର ଅବସାନ । ରାଜପୁତର 'ହର ହର ମହାଦେବ' ଧ୍ୱନି ଆଉ ନାହିଁ । ମୁସଲମାନମାନଙ୍କର 'ଆଲ୍ଲା ହୋ ଆକବର' ଧ୍ୱନି ସହସ୍ର ପ୍ରାଣ ନଚାଇ ଚତୁର୍ଦ୍ଦିଗରେ ଉଛୁଳି ଉଠୁଅଛି । ପାଞ୍ଚ ସହସ୍ର ଜୀବନ ବଳି ଦେଇ ଅହମ୍ମଦ ବିଜୟ ଅର୍ଜନ କଲେ । ବିଜୟର ଉଦ୍ଦାମ ଉଲ୍ଲାସରେ ଅହମ୍ମଦ ଦୁର୍ଗମଧ୍ୟରେ ପ୍ରବେଶ କରି ଗୃହେ ଗୃହେ ପରାଣପ୍ରତିମା ଲାଲାଙ୍କର ଅନ୍ୱେଷଣ କଲେ । କାହାନ୍ତି ଲାଲା ? ଦୁର୍ଗ ଯେ ଶୂନ୍ୟ–ମହାଶୂନ୍ୟ । ମାନବମୂର୍ତ୍ତି ଛାଡ଼, ଗୋଟିଏ ମାର୍ଜାରଶାବକ ସୁଦ୍ଧା ଯେ ଦେଖିବାକୁ ନାହିଁ । ତେବେ କଣ ଏତେ ଶ୍ରମ, ଏତେ ରକ୍ତପାତ ସକଳ ବୃଥା ? ଦୁର୍ଗାଙ୍ଗନରେ କାଳାଳେ ପରି ଏ କି ଭୀଷଣ ଅନଳ ଜଳୁଅଛି ?

 

ଯେତେବେଳେ ରାଜପୁତବୀରମାନେ ସମ୍ମୁଖ ସଂଗ୍ରାମରେ ପ୍ରାଣ ଦେବାର ନିଶ୍ଚୟ କଲେ, ସେତେବେଳେ ଦୁର୍ଗର ସ୍ତ୍ରୀ କନ୍ୟା ଓ ଶିଶୁ ସନ୍ତାନମାନଙ୍କର କର୍ତ୍ତବ୍ୟ ମଧ୍ୟ ସ୍ଥିର ହୋଇଥିଲା-। ସେମାନେ କଣ ବିଧର୍ମୀମାନଙ୍କ ଦ୍ୱାରା ଲୁଣ୍ଠିତ ହୋଇ ବିଳାସସାମଗ୍ରୀରୂପେ ବ୍ୟବହୃତ ହୁଅନ୍ତେ-? ତାହା ତ ହୋଇ ନ ପାରେ–ଏ କଳଙ୍କ ରାଜପୁତ ପ୍ରାଣରେ ବଡ଼ ଆଘାତ ଦିଏ । ସବୁ ସମୟରେ, ସବୁ ଯୁଗରେ ସତୀର ଆଶ୍ରୟ, ସତୀତ୍ୱର ପରୀକ୍ଷାସ୍ଥଳ–ପବିତ୍ର ଅନଳ । ସ୍ଥିର ହେଲା–ଶତ୍ରୁ ଯଦି କେବେ ଦୁର୍ଗରେ ପ୍ରବେଶ କରନ୍ତି, ଦେଖିବେ, ପରାଭବ ଦେବାକୁ ଦୁର୍ଗରେ ମାର୍ଜାରଶାବକ ସୁଦ୍ଧା ନାହିଁ; ଦେଖିବେ ପବନର ଦାସୀ ହେବା ଅପେକ୍ଷା ରାଜପୁତରମଣୀର ବିଶେଷ ଆନନ୍ଦ, ବିଶେଷ ଗୌରବ ଅନଳ ମଧ୍ୟରେ ।

 

କ୍ଷଣକେ ରାଜପୁତରମଣୀମାନେ ଜହରର ଭୀଷଣ ଅଭିନୟ କରିବାକୁ ପ୍ରସ୍ତୁତ ହେଲେ-। ମାତା ନିଜର ଶିଶୁସନ୍ତାନମାନଙ୍କର ବେଶବିନ୍ୟାସ କରିବାକୁ ବସିଲା; ଭଗିନୀ ଭଗିନୀକୁ ବିଚିତ୍ର ଭୂଷଣପରିପାଟିରେ ମୁଣ୍ଡାଇ ଦେଲା; କେତେକ ବୀରବାଳା ନିଜ ନିଜର ପତି, ଭ୍ରାତା ବା ପିତାଙ୍କ ସଙ୍ଗେ ରଣରଙ୍ଗରେ ପ୍ରାଣ ବିସର୍ଜନ କରିବାକୁ ସମରସାଜରେ ସଜ୍ଜିତ ହେବାକୁ ଲାଗିଲେ । କାହାର କିଛିମାତ୍ର ଦୁଃଖ ନାହିଁ, ବିଷାଦ ନାହିଁ–ଦୁର୍ଭାବନାର କ୍ଷୀଣ ରେଖା ମଧ୍ୟ କାହାରି ସରସ ସରୋଜ ମୁଖମଣ୍ଡଳକୁ ସ୍ପର୍ଶ କରି ପାରି ନାହିଁ । ତେଣୁ ଯେପରି ଆଜି ସ୍ୱର୍ଗ ଅମୃତମୟ ଆବାହନ ।

 

ଚାହୁଁ ଚାହୁଁ ରଜନୀର ଗାଢ଼ ଅନ୍ଧକାର ଭେଦ କରି ଦୁର୍ଗାଙ୍ଗନରେ ଭୀଷଣ ଅନଳ ନିଜର ସହସ୍ର ଜିହ୍ୱା ଟେକି ଜଳି ଉଠିଲା । ରମଣୀମାନେ ନିଜ ନିଜର ଶିଶୁସନ୍ତାନମାନଙ୍କୁ ଧରି ପ୍ରଜ୍ଵଳିତ ଅଗ୍ନିର ଚତୁର୍ଦ୍ଦିଗରେ ଆସି ରୁଣ୍ଡ ହେଲେ । ତା ପରେ ଦୁର୍ଗର ମଣି ମୁକ୍ତା ଏବଂ ପ୍ରବାଳ କାଞ୍ଚନ, ସକଳ ସମ୍ପଦର ସାମଗ୍ରୀ ସେହି ଅଗ୍ନି ମଧ୍ୟରେ ଆସି ନିକ୍ଷିପ୍ତ ହେଲା । ଏ ପ୍ରଣୟ–ଅଭିନେତ୍ରୀମାନଙ୍କର ଅଗ୍ରଣୀ ଥାଇ ପର୍ବତସିଂହଙ୍କ ପତ୍ନୀ ସକଳ ସୁସମାହିତ କଲେ । ତା ପରେ ସେ ସୁସ୍ଥ ସରସ ବଦନରେ ପତିଙ୍କ ପାଖରୁ ବିଦାୟ ଆଣିବାକୁ ଗଲେ; କହିଲେ; ‘‘ନାଥ ! ସକଳ ଯଥାବିହିତ କରା ହୋଇଅଛି । ଏବେ ଅନୁମତି ଦିଅନ୍ତୁ, ଆମ୍ଭେମାନେ ଅଗ୍ନିରେ ପ୍ରବେଶ କରୁଁ ସ୍ୱର୍ଗଧାମକୁ ଯାଇ ପୂର୍ବପୁରୁଷମାନଙ୍କ ସହ ମିଳିତ ହେଉଁ । ସେହିଠାରେ କେବଳ ଆପଣମାନଙ୍କୁ ଅପେକ୍ଷା କରି ରହିବା ସୁନ୍ଦର ହେବ । ତେବେ ବିଦାୟ !” ଯଦି ହସ ହସ ମୁଖରେ କୀର୍ତ୍ତିମତୀଙ୍କୁ ଶେଷ ଆଲିଙ୍ଗନ ଓ ଚୁମ୍ବନ ଦେଇ ବିଦାୟ ଦେଲେ ।

 

କୀର୍ତ୍ତିମତି ଅଗ୍ନିନିକଟକୁ ଆସିଲେ, ସମସ୍ତଙ୍କୁ ଜଣ ଜଣ କରି ଆଲିଙ୍ଗନ କଲେ; ତତ୍ପରେ ସମସ୍ତେ ଏକସ୍ୱରରେ ଜହରର ଉନ୍ମାଦନାମୟ ଭୀଷଣ ସଙ୍ଗୀତ ଗାଇ ଗାଇ ଅଗ୍ନି ପ୍ରଦକ୍ଷିଣ କରିବାକୁ ଲାଗିଲେ । କି ଭୀଷଣ, କି ଅଲୌକିକ ସେ ଅଭିନୟ ! ଚାହୁଁ ଚାହୁଁ ସେହି ସଙ୍ଗୀତ ଗାଇ ଗାଇ କୀର୍ତ୍ତିମତୀ କ୍ରୀଡ଼ାକୌତୁକରେ ଅଗ୍ନି ମଧ୍ୟରେ ପ୍ରବେଶ କଲେ । ଟିକିଏ ଭୟ ନାହିଁ ବେଦନାର ଚିହ୍ନ ନାହିଁ ! ଅଗ୍ନି ମଧ୍ୟରୁ କି ସଙ୍ଗୀତର ସ୍ୱର ଶୁଭୁଅଛି । ତା ପରେ ଅନ୍ୟମାନଙ୍କର ସେହି ଅଭିନୟ ଆରମ୍ଭ ହେଲା । ମାତା ନିଜର ଶିଶୁସନ୍ତାନକୁ ବକ୍ଷରେ ଧରି ଭଗିନୀ ଭଗିନୀକୁ କୋଳ କରି, ଯୁବତୀ ବୃଦ୍ଧର ହସ୍ତ ଧରି ଅଗ୍ନି ମଧ୍ୟରେ ପ୍ରବେଶ କଲେ । କ୍ଷଣକେ ଦୁର୍ଗ ଅବଳାଶୂନ୍ୟ ହୋଇଗଲା-! ଶିଶୁମାନଙ୍କର ମଧୁର ସରସ ବଦନ କେଉଁଆଡ଼େ ଲୁଚିଗଲା !

 

ଅହମ୍ମଦ ଉଆସରେ ଉତ୍ତୁଙ୍ଗ ଚୂଡ଼ାରୁ ହଠାତ ଅତଳ ପାତାଳକୁ ଖସି ପଡ଼ିଲେ । ଲାଲାଙ୍କୁ ନ ପାଇ ଜୀବନ ନୀରସ ବୋଧ ହେଲା । ଶୂନ୍ୟ ହୃଦୟରେ ଅହମ୍ମଦ ଭାବିଲେ, ‘‘ସତେ ପ୍ରାଣର ପ୍ରାଣ ଲାଲା ମୋର ଏ ହୃଦୟରେ ଅଗ୍ନି ଜାଳିଦେଇ ଅଗ୍ନିରେ ପଶି ଅନ୍ତର୍ହିତ ହେଲା । ତାର ଶ୍ମଶାନ-ଭସ୍ମ ଦେଖିବାକୁ କି ଏ ଦଗଧ ହୃଦୟରେ ବ୍ୟାକୁଳତା–ନା, ପ୍ରଣୟର ଉତ୍ତାଳ ତରଙ୍ଗ ଉଠିଥିଲା । ପିତୃଘାତୀ, ଭ୍ରାତୃଘାତୀ, ଘୃଣ୍ୟ ଅହମ୍ମଦ ପ୍ରତି କିପରି ବା ସୁକୁମାରୀର ଶୁଷ୍କ ହୃଦୟ ଆକୃଷ୍ଟ ହୋଇ ପାରନ୍ତା ?

 

ଅହମ୍ମଦ ଅହଙ୍କାରର ମାତ୍ର ଟିକିଏ ବେଶି, ବେଶି ହେବାର ମଧ୍ୟ ଯଥେଷ୍ଟ କାରଣ ଅଛି । ଭାରତର ଅଧିକାଂଶ ରାଜ୍ୟ ଅହମ୍ମଦଙ୍କ ରାଜଦଣ୍ଡର ଅଧୀନରେ; ଯେ କେତୋଟି ସ୍ୱାଧୀନ ରାଜ୍ୟ ଅଛି, ସେଗୁଡ଼ିକ ମଧ୍ୟ ତାଙ୍କର ଦୁର୍ଦ୍ଦଣ୍ଡ ପ୍ରତାପ ନିକଟରେ ଥରୁଅଛି ! ଅତୁଳ ସମ୍ରାଟ ବିଭବ ସଙ୍ଗେ ସୁନ୍ଦର ରୂପଲାବଣ୍ୟ, ବିପୁଳ ଶାରୀରିକ ବଳ ସମ୍ମିଳିତ ହୋଇଅଛି; ଏକା ଏତିକି ନୁହେ–କବିତ୍ୱ, କଳାକୁଶଳତା, ରଣପାଣ୍ଡିତ୍ୟ, ଧୀଶକ୍ତି, ଅନ୍ତର ବାହାରର ସକଳ ଗୁଣରେ ତାଙ୍କ ସ୍ଥାନ ଅତି ଉଚ୍ଚରେ-। ଶତ ଶତ ପ୍ରକାଶ ପଣ୍ଡିତ ଏହିସବୁ ଗୁଣରେ ଆକୃଷ୍ଟ ହୋଇ ରାଜସଭା ମଣ୍ଡିତ କରିଅଛନ୍ତି-। ଶତମୁଖରେ ପ୍ରଶାସନ ମଧୁମୟ ଗୁଞ୍ଜନ ଅବିରତ ଅହମ୍ମଦଙ୍କ କର୍ଣ୍ଣରେ ବାଜୁଅଛି । ତାଙ୍କର ଗର୍ବ ଅହଙ୍କାର ବା ନ ହେବ କାହିଁକି ?

 

ତେବେ ଆଉ ଗୋଟିଏ କଥା; ଅହମ୍ମଦ ଭାବୁଥିଲେ–ନିଜର ଦୁର୍ଦ୍ଦଣ୍ଡ ପ୍ରତାପ ଓ ଅତୁଳ ବିଭବ ବଳରେ ସେ ସମସ୍ତ ଜଗତକୁ ନିଜର କରି ନେବେ-ତାଙ୍କର ଅସାଧାରଣ ମହତ୍ତ୍ୱ ଓ ଉତ୍ତୁଙ୍ଗ ସମ୍ରାଟ ଆସନ ଚୁମ୍ବକ ପରି ନିଖିଳ ମାନବତାକୁ ଆକର୍ଷଣ କରି ଆଣିବ, ତାଙ୍କ ପରି ଲୋକଠାରୁ ଆଦର ସମ୍ମାନ ପାଇବା ଓ ହୃଦୟରେ ହୃଦୟ ମିଳାଇ ପ୍ରାଣର ମହତ୍ତ୍ୱ ଅବବୋଧ କରିବା ଯେପରି ପରକଲ୍ୟାଣମୟ ତପସ୍ୟାର ଫଳ । କିନ୍ତୁ ଆଜି ହଠାତ୍‍ ସେ ସ୍ୱପ୍ନ ଭାଙ୍ଗିଗଲା–ହିନ୍ଦୁ ଅବଳାର ଅଲୌକିକ ଆତ୍ମୋତ୍ସର୍ଗ ଦେଖି ଅହମ୍ମଦଙ୍କର ସେ ଅହଂକାର ସମ୍ପୂର୍ଣ୍ଣରୂପେ ଚୂର୍ଣ୍ଣ ବିଚୂର୍ଣ୍ଣ ହେଲା । ଆତ୍ମଗ୍ଲାନିରେ ବୁଡ଼ି ଅହମ୍ମଦ ଅନୁଭବରେ ନୁହେ, ଯେପରି କି ସ୍ପଷ୍ଟ ଶୂନ୍ୟବାଣୀ ଶୁଣିପାରିଲେ–

 

"ଅହମ୍ମଦ, ତୋର ଏ ଅହଂକାର କାହିଁକି ? ଯେ ତୋର ପ୍ରାଣର ପ୍ରାଣ, ଅଶାର ଉନ୍ମାଦନା, କଳ୍ପନାର ବିଳାସ, ହୃଦୟର ଉପାସ୍ୟ ଦେବତା, ସେ ମଧ୍ୟ ତୋର ନିଜର ନୁହେ । ଶକ୍ତି, ସାମର୍ଥ୍ୟ, ବିଭବ, ଉଚ୍ଚପଦ, ଏ ଗୁଡ଼ାକ ସଂସାରର ଅସାର ଜିନିଷ–ସଂସାର ସଙ୍ଗେ ସଙ୍ଗେ ଶେଷ ହେବ, ଏ ପବିତ୍ର ମାନବାତ୍ମାକୁ ଆକର୍ଷଣ କରିବ କିପରି ? ହୃଦୟର ଚିର ଅଶାନ୍ତି, ପ୍ରାଣର ଅନନ୍ତ ପିପାସା ଏଥିରେ କି ପରିତୃପ୍ତ ହୋଇ ପାରେ ? ଭ୍ରାନ୍ତ ଅହମ୍ମଦ ! ଲାଲାର ପବିତ୍ର ପ୍ରାଣ ଆକର୍ଷଣ କରିବାକୁ ତୋ ଠାରେ କି ବିଭବ ଅଛି ? ତ୍ୟାଗପୂତ ରାଜପୁତ ଅବଳା ନିକଟରେ ଲାଳସାକଳୁଷିତ ଅହମ୍ମଦ କି ଦୀନ, କି ହୀନ !” ଘୃଣାରେ ଅହମ୍ମଦଙ୍କ ହୃଦୟ ସଙ୍କୁଚିତ–ପ୍ରବଳ ତରଙ୍ଗର ଗତି ଫେରି ଆସିଲା; ସେ ଚତୁର୍ଦ୍ଦିଗ ଶୂନ୍ୟ-ମହାଶୂନ୍ୟ ଦେଖିଲେ ।

 

(୨)

 

ଥରେ ମାତ୍ର ଅନୁଭୂତିରେ ଦୁର୍ବଳ ମନୁଷ୍ୟ ସାବଧାନ ହୋଇ ପାରେ ନାହିଁ । ପ୍ରଣୟବିପାକର ସେ ମହୋପଦେଶ ଅଳ୍ପଦିନ ମାତ୍ର ଅହମ୍ମଦଙ୍କ ପ୍ରାଣକୁ ଭୁଲାଇ ପାରିଥିଲା; କିନ୍ତୁ ଯେତେବେଳେ ସେ ଗୁପ୍ତଚରଠାରୁ ଶୁଣି ପାରିଲେ ଯେ, ପ୍ରାଣପ୍ରତିମା ଲାଲା ଜହରର ଭୀଷଣ ଅଭିନୟରେ ପ୍ରାଣ ବିସର୍ଜ୍ଜନ କରି ନାହିଁ–ଜୀବିତ ଅଛି; ଦୁର୍ଗର ଅବରୋଧ ପୂର୍ବରୁ ନିଜର ଗୋଟିଏ ଶିଶୁଭ୍ରାତା ସହ ପର୍ବତସିଂହଙ୍କର ଜଣେ ବିଶ୍ୱସ୍ତ ବନ୍ଧୁଙ୍କ ନିକଟକୁ ପ୍ରେରିତ ହୋଇଅଛି, ସେତେବେଳେ ସେ ଶୁଷ୍କ ହୃଦୟ କ୍ଷଣକେ ପଞ୍ଚବିତ ହୋଇ ଉଠିଲା–ସେ ପୁନର୍ବାର ନିଜର ଅତୃପ୍ତ ପ୍ରାଣକୁ ଅନନ୍ତ ଆଶାରେ ଭସାଇ ଦେଲେ; କାଳବିଳମ୍ବ ନ କରି ଲାଲାଙ୍କୁ ସମର୍ପଣ କରିବାପାଇଁ ସେ ପର୍ବତସିଂହଙ୍କ ବନ୍ଧୁ ବିନୋଦସିଂହଙ୍କୁ କହି ପଠାଇଥିଲେ ।

 

ବିଶ୍ୱାସ ଓ ପ୍ରତିଜ୍ଞାପାଳନ ରାଜପୁତ ଜୀବନର ବିଶେଷତ୍ୱ । ବିନୋଦ କି ଛାର ପ୍ରାଣଭୟରେ ସେ ବିଶେଷତ୍ୱ ହରାଇ ବିଶ୍ୱାସ ଭଗ୍ନ କରି ପାରନ୍ତେ ? ବିନୋଦ ପ୍ରତିଜ୍ଞା କଲେ-ପ୍ରାଣ ଦେବେ, କିନ୍ତୁ ଲାଲାଙ୍କୁ ଦେଇ ବିଶ୍ୱାସ ହରାଇବେ ନାହିଁ । ବର୍ତ୍ତମାନ ଲାଲା ବିନୋଦଙ୍କ ସେ ସୁଖ ସ୍ଵର୍ଗରେ ଭଗାରି ହେଲେ । ସେ କହିଲେ, ‘‘ସମ୍ରାଟ ଯେବେ ମୋତେ ବିବାହ କରିବାକୁ ଏତେଦୂର ଦୃଢ଼ପ୍ରତିଜ୍ଞ, ମୁଁ ତାଙ୍କର ସେ ଇଚ୍ଛା ପୂର୍ଣ୍ଣ ହେବାକୁ ଦେବି । ଲାଳସାର ତୀବ୍ର ବେଦନାରେ ସେ ଆଉ ବେଶିଦିନ ପୋଡ଼ିହେବା ସୁନ୍ଦର ନୁହେ ।” ଖାଲି ଯେ ଲଲା ବିବାହର ସ୍ୱୀକୃତ ହେଲେ, ତାହା ନୁହେ, ଵିଵାହଦିବସରେ ପରିଧାନ କରିବାପାଇଁ ସେ ଅହମ୍ମଦଙ୍କ ଉଦ୍ଦେଶ୍ୟରେ ଗୋଟିଏ ମଣିମୁକ୍ତାଖଚିତ ବହୁମୂଲ୍ୟ ପରିଚ୍ଛଦ ନିଜ ହସ୍ତରେ ପ୍ରସ୍ତୁତ କରିବାକୁ ଲାଗିଲ । ଲାଲାଙ୍କର ଏ ଅଭିଳାଷ ଶୀଘ୍ର ରାଷ୍ଟ୍ର ହୋଇଗଲା, ଶତମୁଖରେ ତାଙ୍କର କଳଙ୍କ ରଟିତ ହେଲା-"ଲାଲା ଭସ୍ମା, ପବିତ୍ର ରାଜପୁତକୁଳର କଳଙ୍କ ! ସେ ଐହିକ ସୁଖଲାଳସାରେ ପବନର ପ୍ରଣୟାକାଙକ୍ଷିଣୀ । ଧିକ ଲାଲା, ତୁ ନ ମଲୁ କାହିଁକି ।” ଏହିପରି ଲୋକତୁଣ୍ଡରେ କେତେ ଅଭିଶାପ କେତେ ବ୍ୟଙ୍ଗ ବିଦ୍ରୂପ ଚାଲିଲା; ତଥାପି ଲାଲା ନିଜ ପ୍ରତିଜ୍ଞାରୁ ଟିକିଏ ହେଲେ ଟଳିଲେ ନାହିଁ । ଲାଲା କି ମୋହରେ ଭାସୁଥିଲେ, କିଏ କହିବ ?

 

ରକତସାରର କୂଳ ଲୋକାରଣ୍ୟ । ସମ୍ରାଟ୍‍ 'ହିମକୁଟିର'ର ସ୍ପଟିକ-ଅଳିନ୍ଦରେ ଆଜି ବିବାହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ । ରାଜନୈତିକ ବା ବ୍ୟକ୍ତିଗତ ଯେ କୌଣସି ଭାବରେ ଦେଖିବାକୁ ଗଲେ ମଧ୍ୟ, ଏପରି ଉଦ୍ଦେଶ୍ୟପୂର୍ଣ୍ଣ ଉତ୍ସବ ଅହମ୍ମଦଙ୍କ ଜୀବନରେ ନୂତନ ବୋଲି ବୋଧ ହୁଏ । ଏହା କେବଳ ଲାଳସା ପରିତୃପ୍ତି ପାଇଁ ନୁହେ–ଏଥିରେ ଅହମ୍ମଦ ହିନ୍ଦୁ ମୁସଲମାନଙ୍କର ହିତକର ମିଳନ କଳ୍ପନା କରିଅଛନ୍ତି । ତାଙ୍କର ବିଶ୍ୱାସ, ଏ ଵିଵାହମିଳନରେ ଭାରତର ସକଳ ଭେଦ ଛିଣ୍ଡିଯିବ–ଆଉ ଅନର୍ଥକ ରକ୍ତପାତ ଦେଖା ଦେବ ନାହିଁ ।

 

ଅନେକ ରାଜପୁତ ରାଜା ବନ୍ଧୁଭାବରେ ନିମନ୍ତ୍ରିତ ହୋଇଅଛନ୍ତି । ଅଧୀନ ରାଜା, ସାମନ୍ତ, ପ୍ରଜାମଣ୍ଡଳୀ, ସମସ୍ତେ ଯଥାଯୁକ୍ତ ଉପଢ଼ୌକନ ଘେନି ଉପସ୍ଥିତ । ଏ ବିବାହରେ ପୁଣି ଆଉ ଗୋଟିଏ ବିଚିତ୍ର ରହସ୍ୟ ଘଟିବାର ବିଧାନ ହୋଇଛି–ବୈଦିକ ମନ୍ତ୍ର ଉଚ୍ଚାରିତ ହୋଇ ବାର କନ୍ୟାଙ୍କର ହସ୍ତଗ୍ରନ୍ଥି ପଡ଼ିବ ସକଳ ଆନୁଷଙ୍ଗିକ ଅନୁଷ୍ଠାନରେ ହିନ୍ଦୁରୀତି ଅବଲମ୍ବନ କରାଯିବ । ସେଥିପାଇଁ ସହସ୍ର ସହସ୍ର ଦେବତା ବ୍ରାହ୍ମଣ ବହୁ ଦୂର ଦେଶରୁ ଆମନ୍ତ୍ରଣ ପାଇ ମଧ୍ୟ ଆସିଅଛନ୍ତି । ଖାଦ୍ୟ ପେୟ, ଆମୋଦ ପ୍ରମୋଦ, ଗାନ ବାଜଣା, ନାଟ ତାମସା, ମଙ୍ଗଳ ବାଦ୍ୟରୋଳ ପ୍ରକୃତିରେ ସମୁଦାୟ ରାଜପୁରୀକୁ ନେଇ ରକତସାଗରର ଚତୁର୍ଦ୍ଦିଗ ଉଛୁଳି ଉଠୁଅଛି ।

 

ଆଜି ଅହମ୍ମଦଙ୍କର କି ସୁଖର ଦିନ । ଚିରଶୋଷିତ ବାଞ୍ଛା ଆଜି ପରିପୂର୍ଣ୍ଣ ହେବ–ଏତେ କାଳର କଳ୍ପନାବିଳାସିନୀ ଲାଲା ତାଙ୍କୁ ପତିରୂପେ ଗ୍ରହଣ କରିବେ । ବର କନ୍ୟା ଉଭୟେ ଵିଵାହବେଶରେ ସଜ୍ଜିତ ହୋଇଅଛନ୍ତି । ସ୍ଵଭାଵସୁନ୍ଦରୀ ଲାଲା ଆଜି ସମ୍ରଙ୍ଗୀଭୂଷଣରେ ସୁରସୁନ୍ଦରୀଙ୍କି ମଧ୍ୟ ଧିକକାର କରୁଅଛନ୍ତି । ଅହମ୍ମଦ ଲାଲାଙ୍କ ନିର୍ମିତ ପୋଷାକ ପରିଧାନ କରି ନିଜକୁ ପରମ ଭାଗ୍ୟବାନ ମନେ କରୁଅଛନ୍ତି । ଏଣେ ଵିଵାହବେଦୀରେ ବରକନ୍ୟାଙ୍କ ପାଇଁ ସୁବର୍ଣ୍ଣ ଆସନ ପଡ଼ିଗଲାଣି । ପୁରୋହିତମାନେ ବୈଦିକ ବିଧାନ ଅନୁସାରେ ବିବାହର ଉପକରଣ ସବୁ ସଂଗ୍ରହ କରିବାରେ ବ୍ୟସ୍ତ । ହଠାତ ଲାଲା ରକତସାଗରକୂଳର ଜନତା ଦେଖାଇ ଦେଇ କହିଲେ, ‘‘ସମ୍ରାଟ, ରାଜଭକ୍ତ ପ୍ରଜାମାନେ ଆମ ଦୁହିଁଙ୍କର ମିଳନ ଦେଖିବାକୁ ବହୁଦୂରରୁ ଆସିଅଛନ୍ତି; ଏଇ ଦେଖନ୍ତୁ, କିପରି ଉଦଗ୍ରୀବ ହୋଇ ଚାହିଁ ରହିଅଛନ୍ତି । ଟିକିଏ ଉନ୍ମୁକ୍ତ ସ୍ଥାନରେ ଛିଡ଼ା ହେଲେ ସେମାନେ ପୂର୍ଣ୍ଣ ପ୍ରାଣରେ ଆମ୍ଭମାନଙ୍କୁ ଦେଖି କୃତାର୍ଥ ହେବେ ।” ଲାଲାଙ୍କ କଥା ରକ୍ଷା କରି ଅହମ୍ମଦ ରକତସାଗରର ପାବଚ୍ଛଶ୍ରେଣୀ ଉପରେ ଆସି ଦଣ୍ଡାୟମାନ ହେଲେ । ଦଣ୍ଡାୟମାନ ହୋଇ, ଉଭୟେ ଚତୁର୍ଦ୍ଦିଗର ଜନତା ପ୍ରତି ଦୃଷ୍ଟି ପକାଇଲେ । ହଠାତ ଜୟଧ୍ୱନି ଓ ଆନନ୍ଦକୋଳାହଳରେ ଦିଗବିଦିଗ ପ୍ରକମ୍ପିତ ହୋଇ ଉଠିଲା ।

 

ଅହଂକାରରେ ଅହମ୍ମଦ ଆଜି ଭାଜି ପଡ଼ୁଅଛନ୍ତି । ଦୃଷ୍ଟି ଯେତେ ଦୂର ଯାଇ ପାରେ, କେବଳ ଅଧୀନ ରାଜା ଓ ପ୍ରଜାମଣ୍ଡଳୀ, ଗୃହ ଗ୍ରାମ ବନ ଉପତ୍ୟକା ସାଗର ପର୍ବତ ଏବଂ ଯାହା ଚତୁର୍ଦ୍ଦିଗରେ ଦେଖୁଅଛନ୍ତି, ସେ ସବୁରେ ନିଜେ ସର୍ବେସର୍ବା । ସବୁଠାରୁ ଅଧିକ ଅହଂକାରର କଥା, ନିଜ ବାହୁର ଜୋରରେ ଅପସରାପ୍ରତିମା ରାଜବାଳା ଲାଲାଙ୍କୁ ଅଙ୍କଲକ୍ଷ୍ମୀ କରିବାପାଇଁ ଶତ୍ରୁମାନଙ୍କଠାରୁ ଛଡ଼ାଇ ଆଣିଅଛନ୍ତି । ଅହମ୍ମଦଙ୍କର ଏ ଭାବ, ବୁଦ୍ଧିମତୀ ଲାଲା ଠିକ ବୁଝିପାରୁଅଛନ୍ତି । ମୂର୍ତ୍ତି ବଡ଼ ଗମ୍ଭୀର; ଗମ୍ଭୀର ଭାବରେ କହିବାକୁ ଲାଗିଲେ, ‘‘ସମ୍ରାଟ, ସୌଭାଗ୍ୟମଦରେ ଏତେ ଉନ୍ନତ୍ତ କାହିଁକି ? ମନୁଷ୍ୟର ଚରମ ସୌଭାଗ୍ୟ ଦେବତାମାନଙ୍କର ମଧ୍ୟ ଅସହ୍ୟ ହୁଏ–ସେ ତାହା ଭୋଗ କରିପାରେ ନାହିଁ । ପୂର୍ଣ୍ଣ ସ୍ୱାସ୍ଥ୍ୟ, ନବୀନ ଯୌବନ, ପ୍ରଗାଢ଼ ପ୍ରଣୟ ଦିନକରେ କାହିଁକି, ଦଣ୍ଡକରେ ମିଛ ହୋଇ ପାରେ । ଏତେ ବିସ୍ଫାରିତ ହେବା ଠିକ ନୁହେ ।” ଲାଲାଙ୍କ ଏ କଥାରେ ଅହମ୍ମଦ ସସ୍ମିତ ସମ୍ମତି ଜଣାଇଲେ । ହୃଦୟର ଏ କୂଟ ଭତ୍ସନା ମଧ୍ୟ ତାଙ୍କୁ ଆଜି ମଧୁରତର ବୋଧ ହେଲା ।

 

ଅଳିନ୍ଦ ଉପରୁ ପାରିଷଦବର୍ଗ, ପାବଚ୍ଛଶ୍ରେଣୀର ଉପରୁ ସମସ୍ତ ଜନତା ଉତଚକ୍ଷୁ ନେତ୍ରରେ ସମ୍ରାଟ ସମ୍ରାଜ୍ଞୀଙ୍କ ବିଚିତ୍ର ଯୁଗଳ ମୂର୍ତ୍ତି ଦେଖୁଅଛନ୍ତି, ଲାଲାଙ୍କ ପରିଚ୍ଛଦ ପରିଧାନ କରି ସମ୍ରାଟ ଦେବରାଜ ପରି ବିରାଜୁଅଛନ୍ତି, ସୂର୍ଯ୍ୟତେଜ ସ୍ପର୍ଶରେ ପୋଷାକଖଚିତ ମଣିମୁକ୍ତାଗୁଡ଼ିକ ଅଗ୍ନି ଉଦଗିରଣ କଲା ପରି ବୋଧ ହେଉଅଛି; ଅହମ୍ମଦଙ୍କର ଦକ୍ଷିଣ ସ୍କନ୍ଦରେ ହଠାତ ଗୋଟିଏ ପ୍ରକୃତ ଅଗ୍ନି ଶିଖା ଦେଖାଗଲା । ଦର୍ଶକବୃନ୍ଦ ଭୀତ ଓ ଆଶ୍ଚର୍ଯ୍ୟାନ୍ଵିତ ହେଲେ; ପ୍ରଥମେ ଚକ୍ଷୁକୁ ବିଶ୍ୱାସ ହେଲା ନାହିଁ । କିଏ ଭାବିଥିଲା, ସେହି ଭୀଷଣ ଅଗ୍ନି କଣାଟି ଦେଖୁ ଦେଖୁ ଅହମ୍ମଦଙ୍କର ଚିତାଗ୍ନି ରଟନା କରିବ ।

 

ଲାଲାଙ୍କ ନିର୍ମିତ ପୋଷାକରେ ଭୟଙ୍କର ହଳାହଳ ପ୍ରଲିପ୍ତ ଥିଲା । ପୋଷାକର ଦକ୍ଷିଣ ସ୍କନ୍ଧ ନିକଟରେ ମଣି ସ୍ଥଳରେ ଖଣ୍ଡିଏ ବିଷମ ସ୍ଥୂଳମଧ୍ୟ କାଚ ସନ୍ନିବେଶିତ ହୋଇଥିଲା । ସୂର୍ଯ୍ୟକିରଣସ୍ପର୍ଶରେ ପ୍ରଲିପ୍ତ ବିଷ ଅହମ୍ମଦଙ୍କ ଦେହରେ କାର୍ଯ୍ୟ କରିବାକୁ ଆରମ୍ଭ କଲା–ସ୍ଥୂଳମଧ୍ୟ କାଚରୁ ଅଗ୍ନି ବହିର୍ଗତ ହୋଇ ସେଥିରେ ଯୋଗ ଦେଲା । ଯୁଦ୍ଧ ବେଳେ ଆମ୍ଭେମାନେ ଅହମ୍ମଦଙ୍କର ଅଦ୍ଭୁତ ସାହସ ଦେଖିଅଛୁ; କିନ୍ତୁ ସେ ଯେତେବେଳେ ଜାଣି ପାରିଲେ ଯେ, ଯେଉଁ ରମଣୀଠାରେ ସେ ପ୍ରାଣ ମନ ଢାଳି ଦେଇଥିଲେ–ଯାହାର ପ୍ରେମରେ ପାଗଳ ହୋଇ ନିଜର ହିତାହିତ ଜ୍ଞାନ ପର୍ଯ୍ୟନ୍ତ ହରାଇ ବସିଥିଲେ, ସେହି ବିଷମ ସୁନ୍ଦରୀ ଲାଲା ତାଙ୍କର ପ୍ରାଣହନ୍ତ୍ରୀ, ସେତେବେଳେ ତାଙ୍କର ଧୈର୍ଯ୍ୟ ଏକାବେଳକେ ବିଲୁପ୍ତ ହେଲା । ସେ ସରଳ ବାଳକ ପରି କେବଳ ମାତ୍ର ଚିତ୍କାର କରି ଇତସ୍ତତଃ ଧାବିତ ହେଲେ, ଦଗଧ ଚର୍ମ ଉପରୁ ପୋଷାକଟି ଛିନ୍ନ କରି ଫିଙ୍ଗି ଦେବାକୁ ବାରଂବାର ଚେଷ୍ଟା କଲେ ସତ, କିନ୍ତୁ ସେ ସକଳ ବୃଥା ଚେଷ୍ଟା । ମୃତ୍ୟୁମୁଖରୁ ଛଡ଼ାଇ ଆଣିବାର ଶକ୍ତି କାହାର ଅଛି ? ମୁହୂର୍ତ୍ତ ମଧ୍ୟରେ ଅଗ୍ନି ଶିଖାଟି ବିଦ୍ୟୁତ ପରି ସମୁଦାୟ ଶରୀରରେ ଖେଳିଗଲା-। କ୍ଷଣକେ ଚର୍ବି ବିସ୍ଫାରିତ ଯବନ ସମ୍ରାଟ ସେ ବିଷମ ଅଗ୍ନିରେ କେଉଁଆଡ଼େ ଲୁଚିଗଲେ-

 

ଇତି ମଧ୍ୟରେ ଲାଲା ଧୀର ମନ୍ଥର ଗତିରେ ରକତସାଗର କୂଳକୁ ଅଗ୍ରସର ହୋଇ ସେଠାରେ ଅହମ୍ମଦଙ୍କର ମୃତ୍ୟୁଯନ୍ତ୍ରଣା ଧୀର ଗମ୍ଭୀର ଭାବରେ ଅଵଲୋକନ କରୁଥିଲେ । ଅହମ୍ମଦଙ୍କ ଶେଷ ଦେଖିଲେ, ଭ୍ରାତୃହତ୍ୟା ଓ ପିତୃହତ୍ୟାର ପୂର୍ଣ୍ଣ ପ୍ରତିଶୋଧ ନେଇ ପାରିଲେ, ଏହା ଭାବି ସେ ଟିକିଏ ଉତଫୁଲ୍ଲ ହେଲାପରି ବୋଧ ହେଲା । ତାଙ୍କ ମୁଖମଣ୍ଡଳର ଦୀପ୍ତି ସହସା ପ୍ରଜ୍ଵଳିତ ହୋଇ ଉଠିଲା । ଦର୍ଶକମାନେ ତାଙ୍କର ଅପୂର୍ବ ଜ୍ୟୋତି ଦେଖି ଦେବୀ ବୋଲି ଭାବିଲେ । ଚାହୁଁ ଚାହୁଁ ରକତସାଗରର ରକତ–ସ୍ୱଚ୍ଛ ଜଳମଧ୍ୟରେ ସେ ମୂର୍ତ୍ତିଟି କେଉଁଆଡ଼େ ଅନ୍ତର୍ହିତ ହୋଇଗଲା–ଲୋକେ ସ୍ତମ୍ଭୀଭୂତ ହୋଇ ଚାହିଁ ରହିଲେ ।

Image

 

କୁସୁମକୁମାରୀ

 

ସୃଷ୍ଟିର ଚତୁର୍ଦ୍ଦିଗରେ କେତେ କୁସୁମ ଦୃଷ୍ଟିରେ ପଡ଼େ ନାହିଁ । କେବଳ କୁସୁମ ବନ ଜଙ୍ଗଲ, ପାହାଡ଼ ଉପତ୍ୟକା, ଅଙ୍ଗନ ଉପବନ, ବାଟ ଘାଟ ଚାରିଆଡ଼େ ପ୍ରସ୍ଫୁଟିତ ହୋଇ ନିଜ ସୌନ୍ଦର୍ଯ୍ୟରେ କ୍ଷଣିକ ସୁବାସରେ ମନଃପ୍ରାଣ ମୁଗଧ କରି ଅନ୍ତର୍ହିତ ହୁଏ । କିନ୍ତୁ କିଏ ସେଗୁଡ଼ିକର ହିସାବ ରଖେ ? ହିସାବ ରଖିବାର ବା ଆବଶ୍ୟକତା କଣ ଅଛି ? ଗୋଲାପ, ସେବତୀ, କଦମ୍ବ, ମାଳତୀ, କୁମୁଦ, କମଳ, ହେନାର ପ୍ରଭୃତି ପ୍ରକୃତିର ବିଚିତ୍ର କୁସୁମସମ୍ଭାର ନିଜ ନିଜର ମନୋହାରିତାରେ ପ୍ରାଣ ମନ ଆକର୍ଷଣ କରିଥାଏ । କିନ୍ତୁ ସେ ଆକର୍ଷଣର ମାନଵପ୍ରକୃତି ଉପରେ କୌଣସି ସ୍ଥାୟୀ ପ୍ରଭାବ ଥାଏ କି ? ଦୃଷ୍ଟିପାତ ମାତ୍ରକେ ଲୋକ ଉନ୍ମାଦନାରେ ବସି ଯାଏ, ଦୃଷ୍ଟିହୀନ ଲାଳସା ଜଳି ଉଠେ; କିନ୍ତୁ ସେ କ୍ଷଣିକ ତୃପ୍ତି କ୍ଷଣକେ ଅନ୍ତର୍ହିତ ହୋଇଯାଏ । ମନୁଷ୍ୟ ସେଗୁଡ଼ିକରେ ଆତ୍ମହରା ହୋଇ ପାରେ, କିନ୍ତୁ ଆତ୍ମଦୃଷ୍ଟି ପରିସ୍ଫୁଟ କରିବାରେ ସେଗୁଡ଼ିକର ଚିନ୍ତା ପ୍ରାୟ ନାହିଁ କହିଲେ ଚଳେ । ପାଠକେ, ଆମ୍ଭମାନଙ୍କର ଏ କୁସୁମ କିନ୍ତୁ ବିଧାତାର ଅଲୌକିକ ସୃଷ୍ଟିରୂପରେ ଗୁଣରେ ଅଦ୍ୱିତୀୟ; ସୌନ୍ଦର୍ଯ୍ୟ, ସରସତା, ପବିତ୍ରତା, ମନୋହାରିତା, ସକଳ ଆକର୍ଷଣ ଗୁଣମାନଙ୍କର ଜୀବନ୍ତ ପ୍ରତିମୂର୍ତ୍ତି । ଏପରି ଅପରୂପ କୁସୁମ କିଏ ଦେଖିଛ, କାହା ଭାଗ୍ୟରେ ଘଟିଛି ? ଯେ ଭାଗ୍ୟବାନ, ସେହି କେବଳ ଚକ୍ଷୁକୁ ସାର୍ଥକ କରି ସେ ମୂର୍ତ୍ତି ଅବଲୋକନ କରିଅଛି–ସେହି ଜୀବନପ୍ରଭାବରେ ଆସି ଧନ୍ୟ ହୋଇଅଛି ।

 

ଆମ୍ଭମାନଙ୍କର ଦୁର୍ଭାଗ୍ୟକୁ ସେ କୁସୁମଟି ଏ ଭାରତଭୂମିରେ ନାହିଁ–ଝଡ଼ି ପଡ଼ିଅଛି; କିନ୍ତୁ ଏପର୍ଯ୍ୟନ୍ତ ତାର ସୁବାସ ସମୀରଣର ହିଲ୍ଲୋଳେ ହିଲ୍ଲୋଳେ ଖେଳି ବୁଲିଅଛି, ଲୋପ ପାଇ ନାହିଁ । ସେ ଭୌତିକ ବିଗ୍ରହ ଏ ମାଟିରେ ମାଟି ହୋଇଅଛି, ସତ, କିନ୍ତୁ ସେ ଗୁଣାବଳୀ, ସେ ତ୍ୟାଗପୂତ ଗୌରବମୟ ଆଧ୍ୟାତ୍ମିକ ମୂର୍ତ୍ତି ଲୋପ କରି ପାରେ କିଏ ? ପ୍ରାଣେ ପ୍ରାଣେ ଉନ୍ମାଦାନର ଉତ୍ତପ୍ତ ତରଙ୍ଗ ଉଚ୍ଛ୍ୱସିତ କରି ସେ ଅନନ୍ତ କାଳ ସେହିପରି ଜାଗ୍ରତ ଥିବ । କିନ୍ତୁ ଏ ଉନ୍ମାଦନା ସଙ୍ଗେ ଅସ୍ଥିର ଉଶୃଙ୍ଖଳତାର ଲେଶ ନାହିଁ–ଏଥିରେ ପ୍ରାଣ ଶୃଙ୍ଖଳିତ ହୁଏ, ପରାଣ ଶାନ୍ତିରେ ପଲ୍ଲବିତ ହୋଇ ଉଠେ । ଏ କୁସୁମର ଗୋଟିଏ ବିଶେଷତ୍ୱ–ମଉଳି ପଡ଼ିବା ସଙ୍ଗେ ସଙ୍ଗେ ତାର ସୌନ୍ଦର୍ଯ୍ୟ, ତାର ସୁବାସ ବେଳକୁ ବେଳ ବୃଦ୍ଧି ପାଉଅଛି । ସେ ସୌରଭରେ ଶତ ପ୍ରାଣ ଶକ୍ତି ସୌନ୍ଦର୍ଯ୍ୟରେ ଜାଗ୍ରତ ହେଉଅଛି । ଏବେ କହି ପାରିବ କି, ଏ କୁସୁମଟି କିଏ ? ନିଜର ପବିତ୍ର ଦୀପ୍ତିରେ ମିବାର ରାଜଗୃହ ଆଲୋକିତ କରି ଦିନେ ଏ କୁସୁମଟି ପ୍ରସ୍ଫୁଟିତ ହୋଇଥିଲା । ମିବାର ରାଜରାଣୀହିଁ ଏହାର ପ୍ରସୁତି ।

 

କନ୍ୟାଟିର ନାମ କୃଷ୍ଣକୁମାରୀ । ନାମଟିରେ କିନ୍ତୁ ମନ ମାନିଲା ନାହିଁ । କୃଷ୍ଣ ନାମର ପ୍ରାଣପରିତୋଷିଣୀ ସରସତା ଭକ୍ତପ୍ରାଣକୁ ସୁଖ ଲାଗି ପାରେ, ସେ ନବଘନଶ୍ୟାମଙ୍କ ବଙ୍କିମ ତ୍ରିଭଙ୍ଗୀ ଠାଣିରେ ପ୍ରେମର ନିର୍ଝର ଦେଖି ପ୍ରେମିକ ଭାବବିହ୍ୱଳ ହୋଇ ପାରେ; କିନ୍ତୁ ଏ ନାମରେ ଆମ୍ଭମାନଙ୍କ ମନ ମାନିବ ନାହିଁ । 'କୃଷ୍ଣ' ନାମ ରାଜପୁରୀରେ ଦାସୀ ପରିଜନ କାହାକୁ ଭଲ ଲାଗିଲା ନାହିଁ । ସମେସ୍ତ କନ୍ୟାଟିକୁ 'ରାଜସ୍ଥାନ–କୁସୁମ' ବୋଲି ଡାକିଲେ । କ୍ରମେ 'କୃଷ୍ଣକୁମାରୀ' ରୁ 'କୁସୁମକୁମାରୀ' ହିଁ ରହିଲା । ସେଥିରୁ ଡାକ ନାମ ହେଲା 'କୁସୁମ' ।

 

ଦିନ ଥିଲା–ଯେବେ ମିବାର ଶତ ଶତ ବୀରଶୂରଙ୍କୁ ବକ୍ଷରେ ଧାରଣ କରି ନିଜକୁ ଗୌରବାନ୍ୱିତ ମନେ କରୁଥିଲା; ଯେବେ ଅଟଳ ପ୍ରତିଜ୍ଞା ପ୍ରତାପଙ୍କର ଦୁର୍ଦ୍ଧଷ ପ୍ରତାପରେ, ରାଜସିଂହଙ୍କର ଅଦ୍ଭୁତ ରଣପାଣ୍ଡିତ୍ୟ ଓ ରାଜନୀତିରେ ମୋଗଲ ବାଦଶାହଙ୍କର ସିଂହାସନ ପର୍ଯ୍ୟନ୍ତ ଟଳମଳ ହେଉଥିଲା; ଯେବେ ରାଜାଙ୍କର ଆଦେଶ ପାଇ ଲକ୍ଷ ଲକ୍ଷ ବୀର ଜୀବନର ସକଳ ମମତା ବିସ୍ମୃତ ହୋଇ ମାତୃଭୂମିର କଲ୍ୟାଣ, ନିଜର ନିଷ୍କଳଙ୍କ କୁଳଗୌରବର ଉଦ୍ଧାରପାଇଁ ଅପୂର୍ବ ଉଦବୋଧନରେ ଜୀବନ ଆହୁତି ଦେଉଥିଲେ । ମିବାରର ସେ ଗୌରବାବହ ସୁଦିନ ଚିରଦିନ ସକାଶେ ଯାଇଅଛି । ଘୋର ଦୁର୍ଦ୍ଦିନରେ 'କୃଷ୍ଣକୁମାରୀ'ଙ୍କର ଜନ୍ମ । ଭୀରୁତା, ଆଳସ୍ୟ ଓ ବିଳାସରେ ଯେତେବେଳେ ରାଜଗାଦି କଳଙ୍କିତ, ଦେଶ ଯେତେବେଳେ ରାଜପୁତର ସେ ଜୀବନ୍ତ ବୀରତ୍ୱ, ସେ ତ୍ୟାଗପୂତ ଆତ୍ମବଳି ଭୁଲି ଯାଇ ପ୍ରାଣରଙ୍କ ଦାସପ୍ରକୃତିକ ଅଧମମାନଙ୍କୁ ଘେନି ଦୂରିତ ଦୁର୍ଗନ୍ଧମୟ ନରକର ଛବି ଧରିଅଛି, ଯେତେବେଳେ ଚତୁର୍ଦ୍ଦିଗରୁ ମୋଗଲ, ମରହଟ୍ଟା, ଶିଖମାନେ ପ୍ରବଳ ଆକ୍ରମଣରେ ମିବାରର ନାମ ପର୍ଯ୍ୟନ୍ତ ଲୋପ କରି ଦେବାକୁ ବସିଅଛନ୍ତି, ସେହି ଅନ୍ଧକାରମୟ ସମୟରେ 'କୃଷ୍ଣକୁମାରୀ' ଜନ୍ମ ହେଲେ । ଅନବସରରେ କୁସୁମ ପ୍ରସ୍ଫୁଟିତ ହୋଇ ଯଥାଯୁକ୍ତ ଆଦର, ସମ୍ଭାବନା ପାଇ ପାରିଲା ନାହିଁ ।

 

ପୂତିଗନ୍ଧମୟ ନରକ ମଧ୍ୟରୁ ରତ୍ନର ଉଜ୍ଜ୍ୱଳ ଜ୍ୟୋତି ବିକୀର୍ଣ୍ଣ ହୋଇ ପାରେ, ତୁଳସୀର ବର୍ଦ୍ଧନ ସଙ୍ଗେ ସଙ୍ଗେ ଶ୍ମଶାନଭୂମିର ମହତ୍ତ୍ୱ ବଢ଼ିଯାଏ । କୁସୁମ କ୍ରମେ ଚନ୍ଦ୍ରକଳା ପରି ପରିବର୍ଦ୍ଧିତା ହେବାକୁ ଲାଗିଲା । ଅପୂର୍ବ ସୌନ୍ଦର୍ଯ୍ୟ ସଙ୍ଗେ ସଙ୍ଗେ ସ୍ନେହ, ଦୟା, ତ୍ୟାଗ, ସରଳତା, ସ୍ଵଜାତି ଓ ସ୍ୱଧର୍ମ ପ୍ରତି ଅକୃତ୍ରିମ ଅନୁରାଗ ପ୍ରଭୃତି ସୁସ୍ଥ ସୁନ୍ଦର ସକଳ ଗୁଣାବଳୀରେ କୁସୁମ ବାଲ୍ୟକାଳରୁ–କଳିଟି ପ୍ରସ୍ଫୁଟିତ ନ ହେଉଣୁ ମଧ୍ୟ ସୌରଭ ବିକିରଣ କରିବାକୁ ଲାଗିଲା । କ୍ରମେ ପଲକଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ କୁସୁମ ପ୍ରାଣେ ପ୍ରାଣେ ଶାନ୍ତି, ପବିତ୍ରତା ଢାଳିଦେଲା । କ୍ରମେ ଯୌବନର ପୂର୍ବରୁ କୁସୁମର ନବୀନ ସୌନ୍ଦର୍ଯ୍ୟ ତରଙ୍ଗ ଉଛୁଳି ପଡ଼ିଲା । ସେ ଅଲୌକିକ ସୌନ୍ଦର୍ଯ୍ୟକାହାଣୀ ପୁରୀରୁ ପୁରପଲ୍ଲୀ, କ୍ରମେ ସମଗ୍ର ରାଜ୍ୟରେ ଜନମୁଖରେ କୀର୍ତ୍ତିତ ହେଲା ।

 

କୁସୁମ ମିବାରର ରାଣା ଭୀମସିଂହଙ୍କର ଏକମାତ୍ର କନ୍ୟା । ଘୋର ଦୁର୍ଦ୍ଦିନରେ ମଧ୍ୟ କୁସୁମର ସରୋଜବଦନ ଦେଖି ରାଜରାଣୀ ସକଳ ଦୁଃଖ କଷ୍ଟ ବିସ୍ମୃତ ହେଉଥିଲେ । ସାମୟିକ ଚିନ୍ତା ଓ ଅଶାନ୍ତି ବିଦୁରିତ କରି କୁସୁମ ପ୍ରାଣରେ ଶାନ୍ତି ଢାଳି ଦେଉଥିଲା । ଏପରି ଆଦରର ଧନ ଗୋଟିଏ ଉପଯୁକ୍ତ ହସ୍ତରେ ଅର୍ପଣ କରିବାକୁ ପିତା ମାତା ଯେ ବ୍ୟାକୁଳ ହେବେ, ସେଥିରେ ବା ବୈଚିତ୍ର୍ୟ କଣ ଅଛି ? କେବଳ ଭୀମସିଂହ ନୁହେ, ପାତ୍ର ମିତ୍ର, ଅମାତ୍ତ୍ୟ ପରିଷଦ, ସାମନ୍ତ ସେନାପତି, ରାଜ୍ୟର ସମସ୍ତ ପ୍ରଜାମଣ୍ଡଳୀଙ୍କର ଦୃଷ୍ଟି କୁସୁମପାଇଁ ଉପଯୁକ୍ତ ମଧୁପର ଅନ୍ୱେଷଣରେ ବହୁକାଳ ଚତୁର୍ଦ୍ଦିଗରେ ଖେଳିଲା । ଶେଷରେ ମାରବାରର ରାଜା କୁସୁମର ଉପଯୁକ୍ତ ପାତ୍ର ବୋଲି ବିବେଚିତ ହେଲେ । କିନ୍ତୁ ତାଙ୍କ ମନ୍ଦ ଭାଗ୍ୟକୁ କୁସୁମପରି ସ୍ତ୍ରୀଲାଭ ଘଟିଲା ନାହିଁ । ତାଙ୍କର ଅକାଳମୃତ୍ୟୁରେ ମାରବାର ସିଂହାସନ ମାନସିଂହଙ୍କ ହାତକୁ ଗଲା । ମାନସିଂହ କିନ୍ତୁ କୁସୁମ ପରି କନ୍ୟାର ପତ୍ର ନୁହନ୍ତି । ତା ପରେ ଜଗତସିଂହଙ୍କ ସଙ୍ଗେ ବିବାହ କଥା ଉଠିଲା ।

 

ସୌନ୍ଦର୍ଯ୍ୟ ମଧ୍ୟରେ ଯେତେ ପବିତ୍ର ମାଧୁରୀ ଥାଉ ପଛକେ, ପାପକଳୁଷିତ ପ୍ରାଣ ଚିରଦିନ ସୌନ୍ଦର୍ଯ୍ୟରେ ଯୋଡ଼ିଛି । ସେହି ସୌନ୍ଦର୍ଯ୍ୟ ମୋହରେ ପଡ଼ି ଲୋପ ପାଇଛି–ସ୍ଵର୍ଣ୍ଣଲଙ୍କା ଭାଙ୍ଗି ଚୂରି ଛାରଖାର ହୋଇଛି । କୁସୁମର ଏ ଅଲୌକିକ ସୌନ୍ଦର୍ଯ୍ୟ ଯୋଗୁଁ ମଧ୍ୟ କେତେଦିନ ଧରି ମିବାରରେ ଭୀଷଣ ତାଣ୍ଡବ ଅଭିନୀତ ହେବାକୁ ଲାଗିଲା । ସେ ସୌନ୍ଦର୍ଯ୍ୟକାହାଣୀ ଜନମୁଖରେ ଶୁଣି ମାରବାରର ନୂତନ ରାଜା ଦାବି କଲେ–ଆଗ ରାଜାଙ୍କର ରାଜ୍ୟ ଯେପରି ପାଇଛନ୍ତି, କୁସୁମଙ୍କୁ ସେହିପରି ପାଇବେ; ରାଜ୍ୟସୂତ୍ରରେ କୁସୁମଙ୍କ ଉପରେ ତାଙ୍କର ନ୍ୟାଯ୍ୟ ଅଧିକାର । ସିନ୍ଧିଆ ଜଗତସିଂହଙ୍କର ଶତ୍ରୁ, କିନ୍ତୁ ମାନସିଂହଙ୍କର ମିତ୍ର । ମିତ୍ରର ପକ୍ଷ ନେଇ ସେ ଭୀମସିଂହଙ୍କୁ କହି ପଠାଇଲେ–ଜଗତସିଂହଙ୍କ ସମ୍ପର୍କ ପରିତ୍ୟାଗ କରି ମାନସିଂହଙ୍କ ସଙ୍ଗେ କନ୍ୟାର ବିବାହ ଦେବାକୁ ହେବ । ଖାଲି କଥାରେ ନୁହେ, ସିନ୍ଧିଆ ନିଜର ସୈନ୍ୟବଳ ନେଇ କିଛି ସମୟ ମଧ୍ୟରେ ମିବାରରେ ଉପସ୍ଥିତ ହେଲେ । ତାଙ୍କ ହୁକୁମ ଅମାନ୍ୟ କରିବାକୁ ରାଣା ଭୀମସିଂହଙ୍କର କ୍ଷୁଦ୍ର ଶକ୍ତି ଅସମର୍ଥ । ବାଧ୍ୟ ହୋଇ ସେ ଜଗତସିଂହଙ୍କ ପ୍ରସ୍ତାବ ତ୍ୟାଗ କଲେ ।

 

ଜଗତସିଂହ ସାମାନ୍ୟ ରାଜା ନୁହନ୍ତି । ସେ ବା ଏ ଅପମାନ ସହିବେ କାହିଁକି ? ଅମ୍ବରର ଭୀଷଣ ସୈନ୍ୟବଳ ନେଇ ସେ ଏକଦିଗରୁ ମିବାର ଆକ୍ରମଣ କରିବାକୁ ଗଲେ । ଅନ୍ୟ ଆଡ଼ୁ ସିନ୍ଧିଆ ଓ ମାନସିଂହଙ୍କର ସମ୍ମିଳିତ ବିପୁଳ ବାହିନୀ । ମିବାରର ଚତୁର୍ଦ୍ଦିଗରେ ସମରର ପ୍ରଳୟ ଅନଳ ପ୍ରଜ୍ଵଳିତ ହେବାକୁ ବସିଲା; ପ୍ରଜାଙ୍କ ଦୁଃଖ କଷ୍ଟର ସୀମା ରହିଲା ନାହିଁ; ଏ ଦୁର୍ବିପାକରେ ମିବାରର ଯେ କିଛି ଅବଶିଷ୍ଟ ରହିବ, ବୋଧ ହେଲା ନାହିଁ ।

 

ରାଣାଙ୍କର ଶକ୍ତି ନାହିଁ, ସାମର୍ଥ୍ୟ ନାହିଁ, ଅର୍ଥବଳ ମଧ୍ୟ ତାଦୃଶ ନାହିଁ । ଆଉ ପୂର୍ବର ସାମନ୍ତ, ସେନାପତି, ସାହସିକ ଯୋଦ୍ଧାମାନେ ସ୍ୱାର୍ଥପର ଓ ନିସ୍ତେଜ–ରାଜ୍ୟରକ୍ଷାପାଇଁ ବାହାର ପ୍ରବୃତ୍ତି ନାହିଁ । ଭୀମସିଂହ ଏକପ୍ରକାର ବୁଦ୍ଧିଶୂନ୍ୟ । କୁଳପାଂଶୁଳ ନିରାଶୟ ମନ୍ତ୍ରୀମାନଙ୍କୁ ନେଇ ଭୀମସିଂହ ମନ୍ତ୍ରଣାସଭାରେ ବସିଲେ । ବିଚାର ପଡ଼ିଲା । ଭୀରୁ ରାଜପୁରୁଷମାନେ କହିଲେ, ‘‘କୁସୁମକୁ ଘେନି ସକଳ ଅନର୍ଥ–ସାମାନ୍ୟ ବାଳିକାପାଇଁ ରାଜର ସର୍ବନାଶ ଆସି ଉପସ୍ଥିତ ହେଲା । ତେବେ ସେ ବାଳିକାରେ ଆଉ କି କାର୍ଯ୍ୟ ? ରାଜ୍ୟପାଇଁ ବାଳିକାକୁ ବଳି ଦେବାହିଁ ଏ କ୍ଷେତ୍ରରେ ସୁନ୍ଦର । କି ସୁନ୍ଦର ବ୍ୟବସ୍ଥା ! ମିବାର ଭାଗ୍ୟରେ ଏପରି ବିଚକ୍ଷଣ ମନ୍ତ୍ରୀ, ଏପରି ଦୟାଦୂତ ମହନୀୟ ବ୍ୟବସ୍ଥାପକ ପୁଣି ଲେଖାଥିଲେ । ଭୀମସିଂହଙ୍କର ବାତ୍ସଲ୍ୟପରିପୂର୍ଣ୍ଣ ନିରୁପାୟ ପିତୃହୃଦୟ ରାଜ୍ୟର ଅମଙ୍ଗଳ ଆଶଙ୍କାରେ ଶିଳାସମ କଠୋର ହୋଇ ଉଠିଲା । ସେ ବାଧ୍ୟ ହୋଇ ଏ କଠୋର ପ୍ରସ୍ତାବରେ ସମ୍ମତି ଦେଲେ ।

 

ହତ୍ୟା ଗୁପ୍ତରେ ସାଧିତ ହେବ । କୁସୁମ ପରି ସୁନ୍ଦରୀ ସୁକୁମାରୀ ନିରପରାଧୀ ବାଳିକାର ପ୍ରାଣ ବିନାଶ କରିବାକୁ କାହାର ହାତ ଯିବ ? ପବିତ୍ରତା ଓ ସୌନ୍ଦର୍ଯ୍ୟର ଜୀବନ୍ତ–ସମାବେଶ କୁସୁମର ପ୍ରାଣ ନେବାକୁ କାହାର ମନ ବଳିବ ? ମାନବସୁଲଭ କୋମଳତା, ଦୟା, ମାୟା ଯାହା ପ୍ରାଣକୁ ଲେଶ ମାତ୍ର ସ୍ପର୍ଶ କରିଛି, ସେ ଯେଡ଼େ ନିଷ୍ଠୁର ହେଲେ ମଧ୍ୟ ଏ କାର୍ଯ୍ୟ କରି ପାରିବ ନାହିଁ । ବ୍ୟବସ୍ଥା ଦିଆଗଲା, କିନ୍ତୁ କେହି ଏପରି ହୃଦୟହୀନ କାର୍ଯ୍ୟକୁ ବାହାରିଲେ ନାହିଁ ।

 

ଯୌବନ ଦାସ ରାଣାଙ୍କର ନିକଟ ସମ୍ପର୍କୀୟ ଜଣେ ଭାଇ । ଖାଲି ଭାଇ ନୁହେ–ଭୀମସିଂହଙ୍କର ସତପ୍ରାଣ ସଖା, ଦୁଃଖ ବିପଦରେ, ଯୁଦ୍ଧ ବିଗ୍ରହରେ ଦକ୍ଷିଣ ହସ୍ତ, ସକଳ କ୍ଷେତ୍ରରେ, ସକଳ ସମୟରେ ପ୍ରଧାନ ଅବଲମ୍ବନ । ଯୌବନ ଦାସ ଯେପରି ସାହସୀ, ସେପରି ନ୍ୟାୟନିଷ୍ଠ । କିନ୍ତୁ ଏ ଦୁର୍ଦ୍ଦିନରେ ପଡ଼ି ତାଙ୍କର ସେ ମହାପ୍ରାଣତା ମଳିନ ହୋଇଗଲା । ପ୍ରବର୍ତ୍ତନାରେ ପରିଚାଳିତ ହୋଇ ରାଜ୍ୟର ମଙ୍ଗଳ କାମନାରେ ସେ ଏ ଗୁପ୍ତ ହତ୍ୟା ରୂପ ଭୀଷଣ କର୍ମ ନିଜ ହସ୍ତରେ ଗ୍ରହଣ କଲେ । କବି ଠିକ ଗାଇଛନ୍ତି–

 

‘ସ୍ୱଧର୍ମ ପାପୀଏ ଧର୍ମ ଆଚରିଲେ, ସେ ଧର୍ମ ପାପକୁ ବଳେ ।'

 

ଯୌବନ ଦାସଙ୍କ ଧର୍ମଗତ ପ୍ରାଣ ଏପରି ଜଘନ୍ୟ କାର୍ଯ୍ୟକୁ କର୍ତ୍ତବ୍ୟ ବୋଲି ଗ୍ରହଣ କଲା-। ତେବେ ଦେଖାଯାଉ, ଯୌବନ ଦାସ ମନୁଷ୍ୟ ତ !

 

ରାତ୍ରି ପ୍ରାୟ ଦୁଇ ଘଡ଼ି ହେବ । ଯୌବନ ଦାସ ନିଜ ଶୟନକକ୍ଷରେ ଆସୀନ । ଗମ୍ଭୀରିର ଏକ ପ୍ରାନ୍ତରେ ଗୋଟିଏ କାଷ୍ଠନିର୍ମିତ ପଲଙ୍କ, ପଲଙ୍କଟି ନିରାଡ଼ମ୍ବର, ଅଥଚ ସୁରୁଚିସମ୍ପନ୍ନ-। ଗୋଟିଏ ଉଜ୍ୱଳ ଆଲୋକ କକ୍ଷଟିକୁ ଆଲୋକିତ କରି ରଖିଅଛି । ନିକଟରେ ଦୁଇ ତିନି ଗୋଟି କାଷ୍ଠାସନ–ଏ ପାଖେ ସେପାଖେ ଦୁଇ ଚାରିଖଣ୍ଡ ବୃହତ ଦର୍ପଣ, ଉପରେ ଭିତ୍ତଦେହରେ ସ୍ଥାନେ ସ୍ଥାନେ କେତେଖଣ୍ଡି ସୁନ୍ଦର ଚିତ୍ରପଟ ସଜ୍ଜିତ ରହିଅଛି–କାହିଁରେ ପ୍ରତାପ ତୃଣଶଯ୍ୟାରେ ବସି ଯୁଦ୍ଧବିଷୟ ଚିନ୍ତା କରୁଅଛନ୍ତି, କେଉଁଠାରେ ପ୍ରତାପଙ୍କ ସହିତ ଶକ୍ତିଙ୍କ ମିଳନ ଉଦାର ସୁନ୍ଦର ଭାବରେ ଚିତ୍ରିତ ରହିଅଛି, କେଉଁଠି ଅଟଳ ପ୍ରତିଜ୍ଞା ଭୀଷ୍ମଦେବ ଶରଶଯ୍ୟାରେ ଶାୟିତ, ଆଉ କେଉଁଠାରେ ତୁଳିକାଚାଳନାର ଅଦ୍ଭୁତ ପଟୁତା ଦେଖାଇ ଦ୍ରୌପଦୀଙ୍କର ସ୍ୱୟଂବର ସଭା ଫୁଟି ଦିଶୁଅଛି । ଏ ସମସ୍ତ ମଧ୍ୟରେ ବୃଦ୍ଧ ଯୌବନ ଦାସ ନିର୍ବାକ ନିସ୍ପଦ ହୋଇ ବସି ରହିଅଛନ୍ତି । କୁଞ୍ଚିତ ମୁଖମଣ୍ଡଳରେ ଦୁର୍ଭାବନାର ଘନ କୃଷ୍ଣରେଖା ସ୍ପଷ୍ଟ ଦେଖାଯାଇ ପୁଣି ଅନ୍ତର୍ହିତ ହେଉଅଛି; କେତେବେଳେ ସେ ଅଧୋବଦନରେ ବସି ରହୁଅଛନ୍ତି, ପୁଣି କେତେବେଳେ ଉତ୍ତଦେହରେ ଚିତ୍ରପଟସବୁ ନିବିଷ୍ଟ ମନରେ ଦେଖି ଦେଖି ଦୀର୍ଘନିଶ୍ୱାସ ପରିତ୍ୟାଗ କରୁଅଛନ୍ତି । ହଠାତ ଉନ୍ମୁକ୍ତ ଦ୍ୱାରପଥ ଦେଇ ନିଜର ଅଲୌକିକ ସୌନ୍ଦର୍ଯ୍ୟରେ ମୁହଁକୁ ଉଜ୍ଜଳତର କରି ଗୋଟିଏ ଆସନ୍ନଯୌବନା ବାଳିକା କ୍ରୀଡ଼ାସୁଲଭ ଚପଳତାରେ ଆସି ବୃଦ୍ଧଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲା-

 

ଏପରି ସୌନ୍ଦର୍ଯ୍ୟ କି ମର୍ତ୍ତ୍ୟରେ ସମ୍ଭବ ହୋଇପାରେ ! ବର୍ତ୍ତୁଳ ବଦନମଣ୍ଡଳରୁ ଶରଚନ୍ଦ୍ରର ବିମଳ ଆଭା ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହୋଇ ପଡ଼ୁଅଛି । ହୃଦୟର ଅବ୍ୟକ୍ତ ଆନନ୍ଦ ପରିବ୍ୟକ୍ତ କରି ପ୍ରବାଳନିନ୍ଦୀ ଓଷ୍ଠଦ୍ୱୟ ମଧ୍ୟରେ ଉଜ୍ଜ୍ୱଳ ମୁକ୍ତାପଂକ୍ତି ପରି ଅର୍ଦ୍ଧସ୍ଫୁଟ ଦନ୍ତଗୁଡ଼ିକ ବିକଶିତ ରହିଅଛି । ମୃଗାକ୍ଷୀର ସୁନ୍ଦର ଚକ୍ଷୁ ଦିଓଟି ଉପରେ ଭ୍ରୂଲତାଦ୍ୱୟ ତୁଳିରେ ଚିତ୍ରିତ ହେଲା ପରି ବୋଧ ହୁଏ । ପଶ୍ଚାଦେଶରେ ଲମ୍ବିତ ଅବିନ୍ୟସ୍ତ ସୁଦୀର୍ଘ କେଶପାଶ । ଲଜ୍ଜାରଞ୍ଜିତ କୀଟଳିମା ଉନ୍ନତ ଗଣ୍ଡଦେଶରେ ମଧ୍ୟେ ମଧ୍ୟେ ଖେଳି ଯାଉଅଛି । ସୁବର୍ଣ୍ଣସୁନ୍ଦର ଶରୀରରେ ସୁଗୋଲ ଅଙ୍ଗଯଷ୍ଟି ଗୁଡ଼ିକର ଗଠନପରିପାଟୀ ଆହୁରି ରମଣୀୟ; ଆହୁରି ଚିତ୍ତାକର୍ଷକ । ଉନ୍ନତ ବକ୍ଷ, କ୍ଷୀଣ କଟୀ, ଉଭୟେ ଉଭୟର ଗୌରବବର୍ଦ୍ଧନ ପାଇଁ ସତେ ଅବା ସୃଷ୍ଟ । ବେଶଭୂଷଣରେ ଆଡ଼ମ୍ବର ନାହିଁ–ଗୋଟିଏ ଦିଓଟି ମାତ୍ର ରତ୍ନହାର । ହସ୍ତ ଓ କର୍ଣ୍ଣରେ ସାମାନ୍ୟ ଧରଣର ଖଣ୍ଡିଏ ଦୁଇଖଣ୍ଡି ଗହଣା । ନୀଳ ରେଶମର ଗୋଟିଏ କାଞ୍ଚଲା, ତା ଉପରେ ଖଣ୍ଡିଏ ରକ୍ତବର୍ଣ୍ଣ ଶାଢ଼ୀ ପରିହିତ । ତେବେ ହେଲେ ମଧ୍ୟ ସେ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ । ପ୍ରାକୃତ ସୌନ୍ଦର୍ଯ୍ୟ ନିକଟରେ ଅତିଭୂଷଣ ଆବଶ୍ୟକ କଣ ? ଅଳଂଙ୍କାର ସୌନ୍ଦର୍ଯ୍ୟହୀନତା ଘୋଡ଼ାଇବା ପାଇଁ ଆବଶ୍ୟକ ହୁଏ ସିନା ! ଧୀର ମନ୍ଥର ଗତି, ସରଳ ସରସ ଠାଣି, ମୃଦୁ ମଧୁର ହାସ, ନିରଭିମାନୀର ଅନ୍ତରର ଅମାୟିକତା ପରିବ୍ୟକ୍ତ କରି ଯେପରି ଯୌବନ ଦାସ ଆଗରେ ଦେଖା ଦେଲା । ସମ୍ମୁଖରେ ଲକ୍ଷ୍ମୀ ସତେ ଅବା ଗୃହ ଆଲୋକିତ କରି ଦଣ୍ଡାୟମାନ ହେଲେ । ଏ ଆମ୍ଭମାନଙ୍କର ସେହି ବିକୋଶୋନ୍ମୁଖ କୁସୁମ । ହଠାତ୍‍ କୁସୁମ ନିଜର ବୀଣାକିତା ସ୍ୱରରେ ପଚାରିଲେ, ‘‘ଆଜି ଯେ ଅତି ଅପୂର୍ବ ଦାଦା, ମୋତେ ଆପଣ ଡାକି ପଠାଇଥିଲେ ? ମୋତେ କହିବାକୁ ବା ମୋ ସଙ୍ଗରେ ବିଚାର କରିବାକୁ କଣ ଅଛି କହନ୍ତୁ । ଗୋପନରେ କୁସୁମ ପରି ବାଳିକା ସଙ୍ଗେ ବିଚାର, ଜୀବନରେ ଯେ ନୂତନ । କୁସୁମର ପରମ ଭାଗ୍ୟ !”

 

ବୃଦ୍ଧ ଆସନରୁ ଉଠି ଦଣ୍ଡାୟମାନ ହେଲେ । ଆହା ! କି ସୁନ୍ଦର ଏ ସରଳ ହାସ୍ୟଯୁକ୍ତ ମୁଖମଣ୍ଡଳ ! କୋକିଳର ସ୍ୱରଠାରୁ ମଧୁରତର ଏ ସ୍ୱର ସଙ୍ଗେ ପୁଣି ଆହୁରି ମଧୁରତର, ଆହୁରି ହୃଦୟସ୍ପର୍ଶୀ ଦାଦା ଡାକ ! ଵୃଦ୍ଧର ପ୍ରାଣ ବିଚଳିତ ହେଲା–ଚକ୍ଷୁ ଦିଓଟିରୁ ଲୋତକ ନୁହେ, ରକ୍ତ ଗଡ଼ିବାକୁ ଲାଗିଲା, ଶରୀର ଅଶ୍ୱତଥ ପତ୍ର ପରି ଥରଥର କମ୍ପିତ ହେଲା । ଓଃ ! କି ଭୀଷଣ ! ହଠାତ୍‍ ବସ୍ତ୍ର ମଧ୍ୟରୁ ଗୋଟିଏ ଶାଣିତ ଛୁରିକା ଝଣତକାର କରି ଭୂପୃଷ୍ଠରେ ପତିତ ହେଲା । ସରଳା ବାଳିକା ତଟସ୍ଥ; ଚମକିତ ହୋଇ ପଚାରିଲା, ‘‘ଏ କଣ ଦାଦା ? ଏପରି ଥରୁଛ କାହିଁକି ? ଏ ଛୁରିକା କି ଉଦ୍ଦେଶ୍ୟରେ ?”

 

ବୃଦ୍ଧ ଆଉ ଥୟ ଧରି ରହି ପାରିଲେ ନାହିଁ, 'ଭୋ' କରି କାନ୍ଦି ପକାଇଲେ ।” ଆଉ ମୋତେ ସେ କଥା ପଚାର ନା, ମା ! ମୁଁ ପାଷାଣ, ମୁଁ ରାକ୍ଷସ, ରାକ୍ଷସଠାରୁ ମଧ୍ୟ ହୀନ ! ଏ ଛୁରି–କଣ କହିବି ଝିଅ, –ତୋରି ବକ୍ଷରେ ବସାଇବାକୁ ଆଣିଥିଲେ ।” ବିସ୍ମୟ ବିସ୍ପୋରିତ ଚକ୍ଷୁରେ କୁସୁମ ଦାଦାଙ୍କ ଆଡ଼କୁ ଚାହିଁ ରହିଲେ । କିଛିକ୍ଷଣ ପରେ ଧୀର ମଧୁର ସ୍ୱରରେ ପଚାରିଲେ, ‘‘ମୋରି ବକ୍ଷରେ ଛୁରିକା ବସାଇବେ–ଆପଣ ପୁଣି ନିଜ ହାତରେ ! କାହିଁକି ଦାଦା–ମୁଁ ଏପରି କଣ କରିଛି-! ଏ ଚରଣଦାସୀର ପ୍ରାଣରେ ଏପରି କି ଲୋଡ଼ା ।”

 

ବୃଦ୍ଧ ଉତ୍ତର କଲେ, ‘‘ତୁ ଯେ ସମୁଦାୟ ମିବାର ରାଜ୍ୟର କାଳ ହୋଇଛୁ ଝିଅ–ତୋର ଏ ଅନୁପମ ରୂପରାଶିରେ ମିବାର ଯେ ପୋଡ଼ି ଛାରଖାର ହେବାକୁ ବସିଛି । ତୋତେ ନେବା ପାଇଁ ଅମ୍ବର ଆସୁଅଛି-ସିନ୍ଧିଆର ସାହାଯ୍ୟ ପାଇ ମାରବାର ମଧ୍ୟ ଆସୁଅଛି । ସେଥିରେ ପୁଣି ଦେଖୁଛୁ ତ, କିପରି ଏ ଦେଶ ନିରନ୍ତର ମରହଟ୍ଟା ଓ ଶିଖାଙ୍କର ଅତ୍ୟାଚାରରେ ଟଳମଳ । ଏ ଯେଉଁ ପ୍ରଳୟର ଆଶଙ୍କା କରାଯାଏ, ସେଥିରେ ଦୁଇ ପ୍ରଚଣ୍ଡ ଶକ୍ତିର ଭୀମ ସଂଘର୍ଷରେ ମିବାର ଏକାବେଳକେ ଯେ ଶେଷ ହୋଇଯିବ । ଅନ୍ୟଦିଗରେ ମହାରାଣାଙ୍କର ଯେପରି ବଳ ନାହିଁ–ପ୍ରତୀକାର କରିବାର ଅନ୍ୟ କୌଣସି ଉପାୟ ମଧ୍ୟ ନାହିଁ । ଆଉ ଉପାୟ ନ ଦେଖି ଶେଷକୁ କିଏ ତାଙ୍କୁ ପରାମର୍ଶ ଦେଇଛି–ତୁହି ଗଲେ ମିବାରର ସକଳ ଆପଦ ଚାଲିଯିବ ! ଆଃ ! ସେହି ଭୀଷଣ ଆତତାୟିର ଭାର ନିଷ୍ଠୁର ପ୍ରାଣ ମୋରି ଉପରେ ଥିଲା ! ତୋରି ଏ ନବନୀତ ବିଗ୍ରହରେ ବସାଇବା ପାଇଁ ପୁଣି ଏ ଛୁରିକା ! ରାକ୍ଷସ ନ ହେଲେ, ଏ ଭାର କିପରି ବହନ କରିଥାନ୍ତି, ମା ?”

 

କୁସୁମର ମୁଖମଣ୍ଡଳରେ ମଧୁର ପାବନ ସରସତା ଖେଳିଗଲା । ‘‘ଏଇ କଥା, ଏଇ କଥା ? ଏଥିପାଇଁ ଏତେ ଚିନ୍ତା, ଏତେ ଛଦ୍ମ କାହିଁକି ? ମୁଁ ଏପରି ଗୋଟିଏ ବା କି ବଡ଼ ଜିନିଷ ? ମୁଁ ଯିବା ସଙ୍ଗେ ସଙ୍ଗେ ଯଦି ମିବାରର ଦୁଃଖ ଦୁର୍ଦ୍ଦଶା ଘୁଞ୍ଚିଯାଇ ପାରେ, ଦିଅନ୍ତୁ ନ ବିଦ୍ଧ କରି, ଏହି ବକ୍ଷଦେଶରେ ସେ ଛୁରିକା । ଆଉ ବିଳମ୍ବ କାହିଁକି ? ଏଇ ସାମାନ୍ୟ କଥାପାଇଁ ଭାବୁଛନ୍ତି କଣ ? ଗୋଟିଏ ନଗଣ୍ୟ ବାଳିକାର ପ୍ରାଣ ଦାନରେ ଯଦି ମାତୃଭୂମିର ଉଦ୍ଧାର ହୋଇ ପାରେ, ଦେଶରେ ଶକ୍ତି ସୌଭାଗ୍ୟ ବିରାଜିତ ହେବାର ଆଶା ହୁଏ, ତେବେ ଏ ତ ବଡ଼ ସୁଖର କଥା–କୁସୁମର ଏ ମରଣ ତ ବଡ଼ ସୁଖର ମରଣ । ଆପଣ ବୀରଶ୍ରେଷ୍ଠ । ଯୁଦ୍ଧର କେତେ ଭୀଷଣ ଝଟିକା ସହି ସହି ଶରୀର ବଜ୍ରସମ ଦୃଢ଼ । ଆଜନ୍ମ ଯୁଦ୍ଧ କରି କରି ମସ୍ତକରେ କେଶସବୁ ଶୁକ୍ଳ ହୋଇଗଲାଣି; ସାମାନ୍ୟ ବାଳିକାଟି ନିକଟରେ–ନିଜ ଝିଅ ପାଖରେ ଥରୁଛନ୍ତି; ଦାଦା ! ବଡ଼ ଲାଜ ମାଡ଼ୁଛି ।”

 

ବୃଦ୍ଧ ଚମକିତ ହୋଇ ପଛକୁ ଘୁଞ୍ଚିଗଲେ । କହିଲେ, ‘‘ନାହିଁ ମା, ତା କଦାପି ହେବ ନାହିଁ-। ରାଜ୍ୟ ଯାଉ–ଦେଶ ଯାଉ–ସବୁ ଯାଉ, ମୋର ଏ ହାତରେ ସେ କାର୍ଯ୍ୟ ହେବ ନାହିଁ ।”

 

"ଭଲ, ତୁମ ହାତରେ ନ ହେଲା, ତେବେ ମୁଁ ନିଜ ହାତରେ ଛୁରି ନେଇ ବକ୍ଷରେ ବିଦ୍ଧ କରୁଛି । ମିବାର କନ୍ୟା ମିବାରର ମଙ୍ଗଳପାଇଁ ମରିବାରେ କେବେ ପଶ୍ଚାତ୍ପଦ ହୁଏ କି ? ମରିବାକୁ ମୁଁ ଡରିବି ? ଛି ଛି, ତା କି ହୋଇପାରେ ?” ଏହି କଥା କହି କୁସୁମ ନିଜର ଚମ୍ପକ ଵିନିନ୍ଦିତ ଆଙ୍ଗୁଳିରେ ଛୁରିଟି ତଳୁ ଗୋଟାଇ ନେଇ ଧଇଲେ । ବୃଦ୍ଧ ତତକ୍ଷାଣାତ୍ ଦ୍ରୁତବେଗରେ ଛୁରିଟି ଛଡ଼ାଇ ନେଲେ ।

 

"ନା, ମା ! ନା, ମା !! ବର୍ତ୍ତମାନ ନୁହେ–ମୋ ସମ୍ମୁଖରେ ନୁହେ–ମୋର ଏ ଛୁରିରେ ନୁହେଁ ଥା' ମା, ବର୍ତ୍ତମାନ ହେବ ନାହିଁ । ମୁଁ ରାଣାଙ୍କ ନିକଟକୁ ଯାଏଁ–ଏଇ ଯାଉଛି; ସେ ଯାହା କହିବେ, ତା କରିବୁ । ତୋତେ ମୋ ରାଣ, ରାଣାଙ୍କ ଆଦେଶ ନ ପାଇବାଯାଏଁ ତୁ କିଛି କରିବୁ ନାହିଁ-।”

 

ବୃଦ୍ଧ ପାଗଳ ପରି କ୍ଷିପ୍ର ଗତିରେ ପଳାୟନ କଲେ । ଯାଅ ଯୌବନ ଦାସ, ଏ ବୃଦ୍ଧ ବୟସରେ ସତେ କି ମହାପାପ କରିବାକୁ ବସି ନ ଥିଲେ ! ତୁମ୍ଭର ଧର୍ମପୁତ ସରଳ ପ୍ରାଣରେ ଏ କଳଙ୍କ ସୁନ୍ଦର ଦିଶନ୍ତା ନାହିଁ ।

 

ପୁନର୍ବାର ମନ୍ତ୍ରଣାସଭା ଆହୁତ ହେଲା–ପୁନର୍ବାର ବିଚାର ପଡ଼ିଲା–ପୁନର୍ବାର ଉଦାର ଉନ୍ନତ ରାଜପୁତ ଜଗତ ସମକ୍ଷରେ ପ୍ରକାଶ୍ୟଭାବରେ ଘୋରତର ପାପ କରିବାକୁ ଅଗ୍ରସର ହେଲା-! ସ୍ଥିର ହେଲା, ସମସ୍ତଙ୍କ ଜ୍ଞାତସାରରେ ବିଷ ଦେଇ ଶିରୀଷ ସୁକୁମାରୀ ସରଳା କୁସୁମର ପବିତ୍ର ପ୍ରାଣ ବିନାଶ କରିବାକୁ ହେବ । ମହାନୁଭବ, ଉଦାରପ୍ରାଣ ରାଜପୁତ, ତୁ ପୁଣି ଏତେ ଉଚ୍ଚରୁ ଏତେ ତଳକୁ ଆସି ପାରୁ !

 

ଏ କଥା ଶୁଣି ରାଣୀ ବଜ୍ରାହତ ହେଲେ, ପାଗଳିନୀ ପରି ଧୂଳିରାଶିରେ ଗଡ଼ିବାକୁ ଲାଗିଲେ । ସ୍ନେହର ସଙ୍ଗୀ ସଖୀମାନେ, ଅନ୍ତଃପୁରର ଅବଳାମାନେ କୁସୁମକୁ ଘେରି ମର୍ମଭେଦୀ ସ୍ୱରରେ କ୍ରନ୍ଦନ କଲେ । ସେମାନଙ୍କର ବିକଳ କିଏ କହିବ ? କୁସୁମକୁ ଟିକିଏ ବିଷଣ୍ଣ ଦେଖିଲେ ଯେଉଁମାନେ ପାନାହାର ତ୍ୟାଗ କରି ବସନ୍ତି, ସେମାନେ କୁସୁମର ଏ ପରିଣାମ କି ଧୀର ହୋଇ ବହନ କରି ପାରନ୍ତେ ? ଘୋର ଗଣ୍ଡଗୋଳ ଲାଗିଗଲା–ହୃଦୟ ଭେଦି ଆର୍ତ୍ତନାଦରେ ଅନ୍ତଃପୁର ପ୍ରକମ୍ପିତ ହେଲା ।

 

କୁସୁମ ଚଡ଼ ପ୍ରମାଦ ଗଣିଲେ । କହିଲେ,"ଛି ଛି ! ତୁମ୍ଭେମାନେ ଏପରି ହେଉଛ କାହିଁକି-? ମିବାରର ମଙ୍ଗଳପାଇଁ ଏକମାତ୍ର ଅବଳା ମରିବ–ଏଇଥିପାଇଁ ଏତେ କାନ୍ଦ, ଏତେ ଗଣ୍ଡଗୋଳ-! ଛି ଛି, ବଡ଼ ଲଜ୍ଜ୍ୟାର କଥା ! ଏଇ ମିବାରର ଅବଳାମାନେ ପରା ହସି ହସି ଜ୍ୱଳନ୍ତ ଅନଳରେ ପ୍ରବେଶ କରନ୍ତି–ଶାଣିତ ତରବାରୀ ହସ୍ତରେ ଭୀଷଣ ରଣକ୍ଷେତ୍ରକୁ ଡେଇଁ ପଡ଼ନ୍ତି, ତୁମେମାନେ କି ସେଇ ମିବାରର ଅବଳା ? ବାହାରେ ଜଣେ ହେଲେ ରାଜପୁତ ନାହିଁ; ପୁରୁଷ ପ୍ରାଣରୁ ବୀରତ୍ୱର କ୍ଷୀଣ ଆଭା ମଧ୍ୟ ଲୁଚି ଯାଇଅଛି–ଚତୁର୍ଦ୍ଦିଗ ଶୂନ୍ୟ ! ଏତେବେଳେ ଅନ୍ତଃପୁର କଣ ରମଣୀ ଶୂନ୍ୟ ହେବ ? ରାଜପୁତ ରମଣୀ–ଯାହାର କଟାକ୍ଷପାତରେ ଶତ ପ୍ରାଣ, ସହସ୍ର ପ୍ରାଣ ରଣୋନ୍ନାଦରେ ମାରୁ ଉଠୁଥିଲା, ସେ କଣ; ଆଜି ହୀନ ଭାବରେ ଏଇ ମହାଶୂନ୍ୟତା ବଢ଼ାଇବ ? ପଦ୍ମିନୀ ପ୍ରଭୃତି ଅସ୍ତ୍ରମାନଙ୍କର ପିତାମହୀ ପ୍ରପିତାମହୀମାନେ ସ୍ୱର୍ଗରୁ ତାଙ୍କର କୁଳକାମିନୀମାନଙ୍କର ଏ ହୀନଦଶା ଦେଖି କଣ ଭାବୁ ନ ଥିବେ ? ଛି ଛି, ଅତି ଅସୁନ୍ଦର କଥା, ଆଉ କାନ୍ଦ ନାହିଁ-ହସି ହସି ମୋତେ ବିଦାୟ ଦିଅ । ପ୍ରାଣର ସଙ୍ଗିନୀ ସୋଦରୀମାନେ ମୋର ତୁମମାନଙ୍କର ହସହସ ମୁଖ ଦେଖି, ତୁମମାନଙ୍କର ଆଦରରେ କୁସୁମ–ମିବାରର କନ୍ୟା ମିବାର ମଙ୍ଗଳରେ ପ୍ରାଣ ଆହୁତି ଦେଉ-।”

 

କୁସୁମର ଏ ଉନ୍ମାଦନା ବାଣୀ ଶୁଣି ସହଚରୀମାନେ ନୀରବ ହେଲେ । ହଠାତ୍‍ ଲୋତକରଞ୍ଜିତ ସହସ୍ର ବଦନମଣ୍ଡଳରେ ଲଜ୍ଜାର ଚରମ ଆଭା ଖେଳିଗଲା–ସମସ୍ତେ ମସ୍ତକ ଅବଗତ କଲେ । ଭାବିଲେ, ଠିକ୍‍ କଥା, ଠିକ୍‍ କଥା ! ରାଜପୁତ କନ୍ୟା ଦେଶ ସକାଶେ ପ୍ରାଣ ଦେବାକୁ ଯାଉଛି, ଏହା ତ ଗୌରବର କଥା, ଏ ମରଣ ତ ଆନନ୍ଦର ମରଣ–ଏଥିରେ କାନ୍ଦିବାର କଣ ଅଛି ?”

 

ରାଣୀ ମା ଏକାବେଳକେ ଶଜ୍ଞାଶୂନ୍ୟା । କୁସୁମ ମା' ଙ୍କ ନିକଟକୁ ଗଲେ; କରୁଣସ୍ୱରରେ କର୍ଣ୍ଣ ନିକଟରେ ଡାକିଲେ, ‘‘ମା, ମା, ଉଠ ମା, ମୁଁ ତୋର କୁସୁମ, ଠାରେ ମୋ ଆଡ଼କୁ ଚାହଁ ମା । ମୋର ଯେ ଯିବାର ସମୟ ଆସିଲା; ଏ କର୍ଣ୍ଣ ଯେ ଆଉ ତୋର ସ୍ନେହମୟ ମଧୁର କଥା ଶୁଣିବ ନାହିଁ, ତୋର ଏ ଅମୃତବୋଳା ରୂପ ଯେ ମୋ ପ୍ରତି ସ୍ୱପ୍ନହେବ–ତୁ ମୋତେ ଯେ ଆଉ ଦେଖି ପାରିବୁ ନାହିଁ ।” ରାଣୀଙ୍କର ହୃଦୟ ଫାଟିଗଲା; ସେ ଗଭୀର ଆର୍ତ୍ତନାଦ କରି କୁସୁମକୁ ବକ୍ଷ ଦେଶରେ ଦୃଢ଼ଭାବରେ ଯାକି ଧରିଲେ । କୁସୁମ ନିଜ ମନକୁ ମାୟାମୋହର ଅପର ପାରରେ ଥୋଇଥିଲେ । ଏଥିରେ ବିଚଳିତ ନ ହୋଇ ସେ ମାତାଙ୍କ ବ୍ୟଥିତ ପ୍ରାଣକୁ ନିଜର ମଧୁର ବଚନରେ ଉଦବୋଧିତ କରିବାକୁ ଚେଷ୍ଟା କଲେ ।

 

‘‘ମା, ତୁ ପୁଣି ବୀରର କନ୍ୟା–ବୀର ଘରେ ଜନ୍ମିଛୁ ! ଏପରି ଅବସ୍ଥା, ଏ କାନ୍ଦ କଣ ତୋତେ ମାନୁଛି ? ରାଜପୁତ କନ୍ୟା ଆମେ, ଏହିପରି ମରିବା ତ ଆମର ନିତ୍ୟକର୍ମ–ରାଜପୁତ ରମଣୀର ବିଶେଷତ୍ୱ । ଯୁଦ୍ଧରେ ମରିବା, ଅଗ୍ନିରେ ମରିବା, ବିଷରେ ମରିବା, ଛୁରିକାଘାତରେ ମରିବା–ମରିବା ତ ନିଶ୍ଚୟ ! ସବୁ ପାର ହୋଇ ବୁଢ଼ି ହେବା ପର୍ଯ୍ୟନ୍ତ ବସିରହିବା କେତେ କଣ ରାଜପୁତ ରମଣୀଙ୍କ ଭାଗ୍ୟରେ ଘଟିଛି, ମା ? ଆଜି ଯଦି ବିଧର୍ମୀ ତୁର୍କୀମାନେ ରାଜ୍ୟ, ରାଜପୁରୀ ଦଖଲ କରିବାକୁ ଆସନ୍ତେ, ତେବେ କଣ ଆମେ ସମସ୍ତେ ଦଳ ବାନ୍ଧି ଜହର-ଅଗ୍ନିରେ ଝାସ ଦିଅନ୍ତେ ନାହିଁ ! ଆଜି ଯଦି ରଣଚଣ୍ଡୀଙ୍କର ଆବାହନ ଆସନ୍ତା, ଆମେମାନେ କଣ ଖଣ୍ଡା ତଲଵାର ହସ୍ତରେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ମାରାଙ୍‍ମୁଖ ହୁଅନ୍ତେ ? ଆଜି ଯଦି ମୋର ପତି ସ୍ଵଦେଶର ଗୌରବ ରକ୍ଷା କରୁ କରୁ ବୀରଶଯ୍ୟାରେ ଶାୟିତ ହୁଅନ୍ତେ, ତାଙ୍କ ଚିତାରେ କଣ ମୁଁ ଆନନ୍ଦରେ ଦଣ୍ଡାୟମାନ ହୁଅନ୍ତି ନାହିଁ ? ହସ ହସ ମୁଖରେ ତୁ କଣ ମୋତେ ଆଶୀର୍ବାଦ ନ କରି, ଏପରି କାନ୍ଦି କାନ୍ଦି ଧୂଳିରେ ଗଡ଼ୁଥାନ୍ତୁ ? ସେ ସବୁ ଅପେକ୍ଷା ଆଜିର ଏ ମରଣ ! ମିବାର ଛାରଖାର ହେବାକୁ ବସିଅଛି; ସାମାନ୍ୟ ମୋ ପରି ଗୋଟିଏ ବାଳିକା ବିଷ କହି ପ୍ରାଣ ହରାଇଲେ ବିପଦ ଦୂର ହେବ–ଦେଶ ରକ୍ଷା ପାଇବ, ଏ ଉପଲକ୍ଷରେ ମରିବା ତ ରାଜପୁତ ନାରୀର ଆନନ୍ଦମୟ ଉତ୍ସବ–-ସୁଖମୟ ଖେଳ । ଖେଳିବାକୁ ସଂସାରକୁ ଅସିଥାଇଁ । ଦିନ କାଳ ଆସିଲେ, ଏହିପରି ଖେଳି ଖେଳି ସଂସାରକୁ ବିଦାୟ ନେବା । ଏଇ ମରଧାମକୁ ଆସି ତମ୍ବା ମୁଣ୍ଡ ବାନ୍ଧି କିଏ ବା ଚିରକାଳ ଆମର ହୋଇ ବସିଛି, ମା ? କାହିଁକି ଏତେ ସକାଶେ ଏତେ କାନ୍ଦ ! ଉଠ, ମା, ହସହସ ମୁଖରେ ଝିଅକୁ ସଜାଡ଼ି ଦେ । ତୋର ଝିଅ–ଆଦରର ଧନ ଦେଶ ସକାଶେ ପ୍ରାଣ ଦେଇ ସ୍ୱର୍ଗାଧାମକୁ ଯିବାକୁ ବସିଛି; ଆନନ୍ଦରେ ତାକୁ ବିଦାୟ ଦେ–ଆଶୀର୍ବାଦ କର ମା ।” କୁସୁମ, କୁସୁମ ! ତୁ କଣ ଉତ୍ତେଜନାର, ତ୍ୟାଗର, ନ ପରବିଦ୍ୟାର ଜୀବନ୍ତ ପ୍ରତିମୂର୍ତ୍ତି ? ଏଇ ଯେ ଅମୃତ ଢାଳି ଦେଲୁ ତା ତ ମକରନ୍ଦ ନୁହେ–ମୃତ୍ୟୁସଞ୍ଜିବନୀ ।

 

ରାଣୀମାଆଙ୍କର ମୋହ ଅନେକ ପରିମାଣରେ ଅପସାରିତ ହେଲା । କେତେକ ପରିମାଣରେ ଆଶ୍ୱସ୍ତ ହୋଇ ସେ ଧୀରେ ଧୀରେ କହିଲେ, ‘‘ସୁଖରେ ହସିବାକୁ କହୁଚୁ ଗଣ୍ଠିଧନ ! ମିବାର ଭୀଷଣ ଅନଳରେ ପୋଡ଼ିଯିବାକୁ ବସିଛି, ଜଣେ ହେଲେ ବୀର ତରବାରୀ ଧରିଲା ନାହିଁ–ଜଣେ ହେଲେ ଦେଶଭକ୍ତ ତାର ହୃଦୟର ରକ୍ତ ଢାଳି ଏ ଅଗ୍ନିକୁ ନିଭାଇବାକୁ ଚେଷ୍ଟା କଲା ନାହିଁ । ଆଉ ମୋର ଦୁଃଖୀର ସଙ୍ଖାଳି, ଅନ୍ଧର ଲଉଡ଼ି, ବିକଚ କୁସୁମ ପରି ସୁନ୍ଦର ପ୍ରୀତିପଦ କୁସୁମ, ପିଲା ଝିଅ ତୁ, ତୋତେ ନିର୍ମମଭାବରେ ଏ ଅଗ୍ନିରେ ଫିଙ୍ଗି ଦେବାକୁ ସମସ୍ତେ ପ୍ରସ୍ତୁତ ! ରାଜପୁତ ନାମରେ ଆଉ ଏହାଠାରୁ ଅଧିକ କି କଳଙ୍କ ଲାଗି ପରେ ମା ! ଭାବିଲେ ହୃଦୟ ଫାଟି ଯାଉଛି–ଏଥିରେ ମୁଁ ହସିବି ? ଆଜି ଯଦି ଦେଖନ୍ତି, ମିବାରର ବୀରମାନେ ଦେଶରକ୍ଷା ପାଇଁ ଉନ୍ମତ୍ତ ହୋଇଛନ୍ତି–ପାଗଳ ହୋଇ ମରିବାକୁ ଇତସ୍ତତଃ ଧାଉଁଛନ୍ତି, ଯଦି ଶୁଣନ୍ତି, ଚତୁର୍ଦ୍ଦିଗରେ ଅସ୍ତ୍ରଶସ୍ତ୍ର ଝଣତକାର, ଯୁଦ୍ଧର ଭୀଷଣ ହୁଁ ହୁଁ, ମାର ମାର ଧ୍ୱନି, ଜୟ ଜୟ ରବରେ ଆକାଶ କମ୍ପୁଛି, ତେବେ କଣ ଆଜି ପ୍ରାଣରେ ଏ କଷ୍ଟ, ଏ ବ୍ୟଥା, ଏ ମର୍ମଭେଦୀ ଯାତନା ଥା' ନ୍ତା ? ଯଦି ଶୁଣୁଥାନ୍ତି, ବୀର ପରେ ବୀର–ରାଜପୁତ ପରେ ରାଜପୁତ ଯୁଦ୍ଧ କରୁ କରୁ ଆନନ୍ଦରେ ବୀରଶଯ୍ୟାରେ ରକ୍ତମୟ ଯୁଦ୍ଧଭୂମିରେ ସୋଇ ପଡ଼ୁଛନ୍ତି; ଯଦି ଦେଖୁଥାନ୍ତି, ବୀରରକ୍ତରେ ମିବାର ଦେଶ ଆଜି ଭାସୁଛି, ତେବେ କି ମା, ମୁଁ ଆଜି କାନ୍ଦନ୍ତି ? –ମୋର ଏଇ ହାତରେ ତୋତେ ଯୋଦ୍ଧାର ବେଶ ପିନ୍ଧାଇ ଦିଅନ୍ତି, ଏଇ ହାତରେ ଶାଣିତ ତରବାରୀ ଧରାଇ ଦିଅନ୍ତି, ହାତ ଧରି ଅଶ୍ୱପୃଷ୍ଠରେ ମୋ ଧନମାଳୀକି ବସାଇ ଦେଇ ହସି ହସି, ନାଚି ନାଚି ତା ସଙ୍ଗେ ଯୁଦ୍ଧ କରିବାକୁ ବାହାରି ପଡ଼ନ୍ତି । ଅସ୍ତ୍ରର ଆଘାତରେ ତୋର ମୃତ ଦେହ ଭୂତଳରେ ପଡ଼ିବାର ଦେଖିଲେ କୁସୁମ, ଆନନ୍ଦରେ ତୋର ଏଇ ମାଆ ଜୟ ଜୟକାର କରନ୍ତା । ଆଉ ଯଦି ଜହରରେ ମରିବାକୁ ପଡ଼ନ୍ତା, ତେବେ ନିଜ ହାତରେ ରକ୍ତବସନ ପିନ୍ଧାଇ ଦିଅନ୍ତି; ତୋର ଏ ନବଘନଶ୍ୟାମ ସୁନ୍ଦର ବେଣୀ ସୁନ୍ଦରତର କରି ବାନ୍ଧି ଦିଅନ୍ତି; ବହୁମୂଲ୍ୟ ଅଳଙ୍କାରରେ ମୋ ମା'ର ଏ ଶରୀରଟି–ଚାରୁ ଅଙ୍ଗଯଷ୍ଟି ଗୁଡ଼ିକ ମଣ୍ଡାଇ ଦିଅନ୍ତି, ତାପରେ ମୋ ମା'କୁ ବକ୍ଷରେ ଘେନି ଅଗ୍ନି ମଧ୍ୟକୁ ଡେଇଁ ପଡ଼ନ୍ତି–ଆହା, କି ସୁଖର ମରଣ ସେ ! କାହିଁ ସେପରି କିଛି ତ ମିବାରରେ ଦେଖୁ ନାହିଁ କିଛି ତ ସେପରି ମିବାରରେ ଶୁଣୁ ନାହିଁ । ରଣରଙ୍କ ଦୁର୍ଦ୍ଦଷ ରାଜପୁତ ଆଜି ଅବଳାପ୍ରାଣୀ ଠାରୁ ହୀନତର ହୋଇ ଗୃହକୋଣରେ ବସି ରହିଛନ୍ତି; ଆଉ ଉପାୟ ନ ପାଇ, ପଥ ନ ଦେଖି, ମୋର ଏକମାତ୍ର ଚକ୍ଷୁର ପିତୁଳା ତୁ–ଦୁଃଖ ବିପଦରେ ସାନ୍ତ୍ଵାନାର ପ୍ରତିମୂର୍ତ୍ତ–ଅନ୍ଧକାର ମଧ୍ୟରେ ଏକମାତ୍ର କ୍ଷୀଣ ଜ୍ୟୋତିରେଖା–ତୋତେ ଆଜି ବଳି ଦେବାକୁ ବସିଛନ୍ତି ! ସମସ୍ତେ ମିଳି ମିଶି ପୁଣି ଏ ବିଚାର ସ୍ଥିର କରିଛନ୍ତି । କିପରି ଧେର୍ଯ୍ୟ ଧରି ପାରିନି ମା ? ଏ କି ସହି ପାରିବାର କଥା ?”

 

ମାତାଙ୍କର ଏ ଖେଦୋକ୍ତି ଶୁଣି କୁସୁମର ସୁକୁମାରୀ ଗଣ୍ଡଦେଶ ଦେଇ ଲୋତକଧାରା ଗଡ଼ିବାକୁ ଲାଗିଲା । ଲୁହ ପୋଛି ସେ ପୁଣି କହିଲେ, "ଥାଉ ସେ କଥାଗୁଡ଼ାକ କହି ଯିବାବେଳେ ପ୍ରାଣରେ କଷ୍ଟ ଦିଅ ନା, ମା ! ମିବାର ଯାଇଛି, ଆଉ ଉଠିବ କି ନାହିଁ ସନ୍ଦେହ । ସେ ଦିନ ଯଦି ଥାନ୍ତା ସେପରି ଯୋଦ୍ଧା, ସେପରି ଦେଶଭକ୍ତ ଯଦି ମିବାରରେ ଥାନ୍ତେ, ତେବେ କି ଆଜି ମିବାରର ଏ ଦଶା ହୋଇଥାନ୍ତା ? ଛାଡ଼ ସେ କଥା, ଯାହା ହେବାର ହୋଇଛି, ସେ ସବୁ ହୃଦୟବିଦାରକ କଥା ଗୁଡ଼ାକ ଭାବି ବସିଲେ କି ଫଳ ଅଛି, ମା ? ମିବାରର କନ୍ୟା ଆମେମାନେ, ମିବାରର ଯେଉଁ ଟିକକ ଗୌରବ ରଖି ପାରିବା, ତା ରଖିବା ନାହିଁ କାହିଁକି ? ଦେଶପାଇଁ ମରିବାର ଡାକ ଆସିଛି-କୁସୁମର ଶୁଭ ଭାଗ୍ୟ ବୋଲିବାକୁ ହେବ–ବିବାହ ଉତ୍ସବଠାରୁ ଅଧିକତର ସୁଖପ୍ରଦ ସେ ମରଣ–ହସିହସି ମରିବି ନାହିଁ କାହିଁକି ? ତୁ ବା ହସି ହସି, ଆଶୀର୍ବାଦ କରି କାହିଁକି ବିଦାୟ ନ ଦେବୁ ?”

 

"ଯା ତେବେ ମାଁ, ମାତାର ଆଶୀର୍ବାଦ ନେଇ ହସି ହସି ସ୍ୱର୍ଗଧାମକୁ ଚାଲିଯା–ଦେଶପାଇଁ ତୋର ଅମୂଲ୍ୟ ପ୍ରାଣ ବଳି ଦେଇ ଧନ୍ୟ ହୁଅ; ଦେବତାଗଣ, କୁସୁମ, ତୋର ଏ ପଥରେ କୁସୁମ ବୃଷ୍ଟି କରନ୍ତୁ । ତୋର ଏ ଅଭୟ ଆଦର୍ଶ ମୃତ ରାଜପୁତପ୍ରାଣରେ ଆଜି ଉତ୍ସାହ ଆଣୁ, ଜୀବନ ଶକ୍ତି ସଞ୍ଚାରିତ କରୁ–ବାଳିକାର ଏ ସରଳ ସୁକୁମାର ପ୍ରାଣଦାନରେ ମିବାର ପାପର ପୂର୍ଣ୍ଣ ପ୍ରାୟଶ୍ଚିତ୍ତ ହେଉ ।”

 

ବିଷ ଆସିଲା; ବିଷପାତ୍ର ହସ୍ତରେ ଧରି କୁସୁମ ପଲଙ୍କ ଉପରେ ଯାଇ ବସିଲେ । ସଙ୍ଗୀ ସଖୀମାନେ ସେ ଶେଷ ଶଯ୍ୟାକୁ ବିଚିତ୍ର କୁସୁମ ରାଶିରେ ମଣ୍ଡାଇ ଦେଲେ । ମିବାରର ସେ ଶୋଚନୀୟ ଅବସ୍ଥା ଭାବି କୁସୁମର ସରୋଜବଦନରୁ ଅଶ୍ରୁଧାରା ଗଡ଼ିବାକୁ ଆରମ୍ଭ କଲା । ଲୋତକ କଷ୍ଟରେ ନିବାରଣ କରି କୁସୁମ ଚକ୍ଷୁ ମୁଦ୍ରିତ କଲେ । ମୁଖରୁ ଇଷ୍ଟ–ଦେବୀଙ୍କର ପ୍ରାର୍ଥନା ଗମ୍ଭୀରଭାବରେ ବହିର୍ଗତ ହେଲା–"ମା, ସହସ୍ରଭୁଜା ! କେତେକାଳ ଧରି ମିବାରର ପୁତ୍ରମାନେ, ମିବାରର କନ୍ୟାମାନେ କେତେ ଜୀବନ ଆହୁତି ନ ଦେଲେ,–କେତେ ରକ୍ତ ନ ଢାଳିଲେ । ତେବେ ହେଲେ ମଧ୍ୟ ଏ ବିକଳ ମୂର୍ତ୍ତି ଏ କୁତ୍ସିତ ବେଶ କାହିଁକି ? ଏପରି କି ପାପ କରିଛୁ ଯେ, ତାର ଏପର୍ଯ୍ୟନ୍ତ ପ୍ରାୟଶ୍ଚିତ୍ତ ହେଲା ନାହିଁ, ମା ? କୃପା କରି କହ ମା, କହ, ନ କହିଲେ ଜ୍ଞାନହୀନା ଏ ବାଳିକା ସେ ରହସ୍ୟ ବୁଝିବ କୁଆଡ଼ୁ ? ମୋର ଏ କ୍ଷୁଦ୍ର ପ୍ରାଣଦାନରେ କି ସେ ପାପ ଘୁଞ୍ଚିବ-ସେ ଭାର ଲଘୁ ହେବ ? ସେ ଯାହା ହେଉ, ଯାହା ମୋ ମନରେ ଥାଉ, ଏ ଅଭାଗା କନ୍ୟାକୁ ପାଦତଳେ ସ୍ଥାନ ଦେ, ମା–ଏ କ୍ଷୁଦ୍ର ପ୍ରାଣଦାନରେ ମିବାରର ଏ ଦୁର୍ଦ୍ଦିନ ଚିରଦିନ ପାଇଁ ଘୁଞ୍ଚିଯିବ ।”

 

ଇଷ୍ଟଦେବୀଙ୍କୁ ସ୍ମରଣ କରି କୁସୁମକୁମାରୀ ନିଜ ମୁଖରେ ବିଷ ଢାଳିଦେଲେ ! ପ୍ରାଣ ଗଲା ନାହିଁ ! ଆଉଥରେ ବିଷ ଆସିଲା, ଆଉ ଥରେ ବିଷ ଖାଇବାକୁ ହେଲା; ତେବେ ହେଲେ ମଧ୍ୟ ପ୍ରାଣ ଗଲା ନାହିଁ । ମୃତ୍ୟୁ ସତେ ଅବା କୁସୁମର ପବିତ୍ର ଅଙ୍ଗ ଗ୍ରାସ କରିବାକୁ ଭୟ କଲା ! ପୁନର୍ବାର ଖୁବ୍‍ କଡ଼ାବିଷ, ହଳାହଳ ଆସିଲା; ଏକାଗ୍ର ଚିତ୍ତରେ କୁସୁମ ମରଣକୁ ବ୍ୟାକୁଳ ଆବାହନ କରି ମୁଖରେ ବିଷ ଢଳିଦେଲେ । ବର୍ତ୍ତମାନ ମୃତ୍ୟୁ କୁସୁମର ବ୍ୟାକୁଳ ପ୍ରାଣକୁ ଗ୍ରହଣ କରି ଧନ୍ୟ ହେଲା–ରାଜସ୍ଥାନରୁ ସୌରଭମୟ କୁସୁମଟି ଅକାଳରେ ଝଡ଼ି ପଡ଼ିଲା–ମିବାରର ଅନଳ ନିର୍ବାପିତ ହେଲା, ଦୁର୍ଦ୍ଦଶା ଘୁଞ୍ଚିଲା ।

 

ହାହା, କୁସୁମ ! ଏତେ ଶୀଘ୍ର ଚାଲିଗଲ ! କ୍ଷୁଦ୍ର ଜୀବନର ଅନନ୍ତ ବିଭୂତିରେ ପ୍ରସ୍ପୁଟିତ ହୋଇ, ଶତ ପ୍ରାଣ ଅପୂର୍ଣ୍ଣ ରଖି, ଅକାଳ କୁସୁମ ଅକାଳରେ ମଉଳି ପଡ଼ିଲା ! ପାଠକେ, ବିଚଳିତ ହେଲେ କି ? ଦେଖ ତ, ଏ ଉନ୍ମାଦନାରେ ଉଚ୍ଛୃଙ୍ଖଳତା ଅଛି, କି ? କାହିଁକି ? ଏ କୁସୁମରେ ସ୍ୱର୍ଗୀୟ ସୌରଭ ପୁରି ରହିଅଛି, କିନ୍ତୁ ସେ ସୌରଭରେ, ସେ ମନୋହାରିତାରେ ରୋଗ-ଜନନ-ପ୍ରବଣତା ନାହିଁ ।

Image

 

ବୀର ବିଭବ

 

ଜଗତବିଖ୍ୟାତ ହଳଦୀଘାଟର ବିଷମ ସମର ଶେଷ ହୋଇଅଛି । ବୀରଚୁଡ଼ାମଣି ପ୍ରତାପଙ୍କର ଅବସ୍ଥା ଦିନକୁ ଦିନ ଶୋଚନୀୟତର । ନିଜ ଭ୍ରାତୃଷ୍ପୁତ୍ର, ଧର୍ମଭ୍ରଷ୍ଟ ମହାବତ ଖାଁ ପିତୃରାଜଧାନୀ ଉଦୟପୁର ଅଧିକାର କଲେ । ଅନ୍ୟ ଦୁଇଗୋଟି ଦୁର୍ଗ ମାନସିଂହଙ୍କର ଦୁର୍ଦ୍ଦଣ୍ଡ ଶକ୍ତି ନିକଟରେ ଅବନତ ହେଲା । ଶେଷରେ ଫରିଦ ଖାଁ ଶେଷ ଆଶ୍ରୟ ଚୌନ୍ଦ ଆକ୍ରମଣ କଲା । ଏକା ସେତିକି ନୁହେ, ପରମ ବନ୍ଧୁ ଭୀଲମାନେ ଯେଉଁ ପଥ ଦେଇ ଚୌନ୍ଦ ଦୁର୍ଗକୁ ଯାତାୟାତ କରନ୍ତି ଓ ଖାଦ୍ୟ ପେୟ, ଅର୍ଥ, ଅସ୍ତ୍ର ଶସ୍ତ୍ର ପ୍ରଭୃତି ଯୁଦ୍ଧୋପକରଣ ପ୍ରତାପଙ୍କୁ ଯୋଗାନ୍ତି, ସେ ପଥ ମଧ୍ୟ ରୁଦ୍ଧ ହେଲା । ମୋଗଲ ସେନାପତି ଅମିସାହ ସେହି ପଥରେ ସୈନ୍ୟଶିବିର ସ୍ଥାପନ କଲେ । ଦୁର୍ଗସ୍ଥ କୂପଜଳ ଶତ୍ରୁକର୍ତ୍ତୃକ ବିଷପ୍ରୟୋଗରେ ଅପେକ୍ଷା ହେଲା । ଭାଗ୍ୟବିପାକରେ ପଡ଼ି ରାଜାଧୀରାଜ ପ୍ରତାପ ଦୁର୍ଗବାସ ଛାଡ଼ି ଭୀମ ଅରଣ୍ୟରେ ଆଶ୍ରୟ ନେବାକୁ ବାଧ୍ୟ ହେଲେ ।

 

ଚତୁର୍ଦ୍ଦିଗରେ ମୋଗଲ ସୈନ୍ୟ, ପଥ ଘାଟ ସକଳ ମୋଗଲମାନଙ୍କ ଦୌରାତ୍ମ୍ୟରେ ଏକାବେଳକେ ରୁଦ୍ଧ । ନିଜର ରାଜ୍ୟ ଯାଇଛି; ଶକ୍ତି, ସାମର୍ଥ୍ୟ, ସହାୟ ସର୍ବସ୍ୱ ଯାଇଛି, ଅଛି କେବଳ ନିଜର ପରିବାର ଓ କେତେଜଣ ପ୍ରାଣର ବନ୍ଧୁ । ଚୌନ୍ଦ ତ୍ୟାଗ କରି ପ୍ରତାପ ସେହିମାନଙ୍କ ସହ ନିକଟବର୍ତ୍ତୀ ଭୀମ ପାର୍ବତ୍ୟ ଅରଣ୍ୟାନି ମଧ୍ୟରେ ବୁଲିବାକୁ ଲାଗିଲେ । ସର୍ବତ୍ର ମୋଗଲ ସେନା ପ୍ରତାପଙ୍କ ଅନୁସନ୍ଧାନରେ ବୁଲୁଛନ୍ତି; ପାଇଲେ, ଆବଦ୍ଧ କରି ବାଦଶାହଙ୍କୁ ଉପହାର ଦେବେ–ବୀରତ୍ୱର, ବିଚକ୍ଷଣତାର ଚୂଡାନ୍ତ ଦେଖାଇ ବୀର ଶାଢ଼ୀ ବାନ୍ଧି ଦେବେ । କିନ୍ତୁ ଏହାକି ସମ୍ଭବ ? ପ୍ରତାପଙ୍କୁ ଧରିବ କିଏ ? ସମସ୍ତ ଯାଇଛି, କିନ୍ତୁ ସେ ଅଟଳ ହୃଦୟ ତ ଏପର୍ଯ୍ୟନ୍ତ ଟଳି ନାହିଁ, ଜ୍ୱଳନ୍ତ ସାହାସ ତ ସେପରି ଜଳୁଛି, ସେ ବୀରବାହୁ ତ ଏପର୍ଯ୍ୟନ୍ତ ଜୀବନଶୂନ୍ୟ ନୁହେ ।

 

ନିଜ ପରିଜନ ସହ ପର୍ବତରୁ ପର୍ବତରେ, ଗୁହାରୁ ଗୁହାରେ, ଜଙ୍ଗଲରୁ ଜଙ୍ଗଲରେ ବୁଲି ପ୍ରତିଦିନ ନୂତନ ଆଶ୍ରୟ ନେବାକୁ ହେଉଅଛି । ଶତ୍ରୁମାନେ କାଳେ ସନ୍ଧାନ ପାଇପାରିବେ, ଏହି ଆଶଙ୍କାରେ ପ୍ରତାପ ନିଜ ପରିଜନଙ୍କ ସହ ଏକତ୍ର ନ ରହି ଦଳ ଦଳ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ରହୁଅଛନ୍ତି । ତେବେ ହେଲେ ମଧ୍ୟ କୌଣସି କ୍ଷୁଦ୍ର ଶତ୍ରୁସେନା ପ୍ରତାପଙ୍କ ଦୃଷ୍ଟିପଥରେ ଆସି ପତିତ ହେଲେ, ସେ ବୀର ପ୍ରାଣ ବୀରମଦରେ ମାତି ଉଠୁଛି ସଙ୍କେତ ମାତ୍ରକେ ଯେ କେତେ ଜଣ ବନ୍ଧୁ ପରିଜନ ନିଜ ନିଜ ଗୁପ୍ତ ଆଶ୍ରୟରୁ ବହିର୍ଗତ ହୋଇ ଶତ୍ରୁମାନଙ୍କ ଉପରେ ଭୀମ ବିକ୍ରମରେ ପତିତ ହେଉଅଛନ୍ତି; ଚାହୁଁ ଚାହୁଁ ଦୁର୍ବୁତ୍ତମାନଙ୍କର ସର୍ବନାଶ ହେଉଅଛି–ସେ ସମ୍ବାଦ ନେବାକୁ ଅବଶିଷ୍ଟ ମଧ୍ୟ କେହି ରହୁ ନାହିଁ । ଏହିପରି ଭୀମ ଅରଣ୍ୟ ମଧ୍ୟରେ ଯୁଦ୍ଧ ପରେ ଯୁଦ୍ଧ, ବିବାଦ ପରେ ବିବାଦ ଚାଲିଅଛି । ମୋଗଲ ଛାଡ଼ୁ ନାହାନ୍ତି, କି ପ୍ରତାପ ଧରା ପଡ଼ିବା ସହଜ ନୁହେ । ପ୍ରତାପଙ୍କ ପୂର୍ବ ପଣ ସେହିପରି ଅଛି–ପ୍ରାଣଯାଉ, ଧନ ଯାଉ, ସର୍ବସ୍ୱ ଯାଉ,–ମାନ ଥାଉ । ପ୍ରାଣ ଥିବାଯାଏଁ ମିବାରର ରାଣା ମୋଗଲଙ୍କ ନିକଟରେ ମସ୍ତକ ନତ କରିବେ ନାହିଁ–ମାତୃସ୍ତନ୍ୟରେ କଳଙ୍କ ବୋଳିବେ ନାହିଁ ।

 

ଦୁଃଖ କଷ୍ଟର ସୀମା ନାହିଁ । ମାସ ପରେ ମାସ, ବର୍ଷପରେ ବର୍ଷ କଟି ଯାଉଛି; ରହିବାର ସ୍ଥାନ ସ୍ଥିର ହୋଇ ରହୁ ନାହିଁ, ଆହାର ନିଦ୍ରାର ନିୟମ ନାହିଁ । ସଙ୍ଗରେ ସ୍ତ୍ରୀ, ଆଉ କେତେଗୁଡ଼ିଏ ଶିଶୁ ପୁତ୍ର କନ୍ୟା । ସର୍ବଦା ଭୟ–କାଳେ ସେମାନେ ମୋଗଲମାନଙ୍କ ହାତରେ ପଡ଼ିବେ । ଅନେକ ବୁଲି ବୁଲି ବହୁ କଷ୍ଟ ପରେ ଗୋଟିଏ ବିଶ୍ରାମସ୍ଥଳ ମିଳିଛି, ଖାଦ୍ୟପେୟ ପ୍ରସ୍ତୁତ ହେଉଛି, ପୁତ୍ର କନ୍ୟାଗୁଡ଼ିକ କ୍ଷୁଧାରେ ବ୍ୟାକୁଳ ହୋଇ ପଡ଼ିଛନ୍ତି; ଏପରି ସମୟରେ ହୁଏ ତ ସମ୍ବାଦ ମିଳିଲା–ମୋଗଲ ସେନା ଆସୁଛନ୍ତି । ଅତି ଆଦରର ସେହି ଖାଦ୍ୟ ପେୟ ସେହିପରି ଅର୍ଦ୍ଧସିଦ୍ଧା ଅବସ୍ଥାରେ ପଡ଼ିଅଛି; ଆଉ କାଳବିଳମ୍ବ ନ କରି ଦାରୁଣ କ୍ଷୁଧା ତୃଷାପପୀଡ଼ିତ ସୁପ୍ତ ପୁତ୍ର କନ୍ୟାଙ୍କୁ ନେଇ ପ୍ରତାପ ଦ୍ରୁତ ଗତିରେ ପଳାଇବାକୁ ଲାଗିଲେ । ଭୀଲମାନେ ଅନେକ ସମୟରେ ପ୍ରତାପଙ୍କ ପୁତ୍ରକନ୍ୟାଙ୍କୁ ବଡ଼ ବଡ଼ ଟୋକେଇରେ ପୂରାଇ ଶତ୍ରୁମାନଙ୍କଠାରୁ ରକ୍ଷା କରିବାକୁ ବୃକ୍ଷଡାଳରେ ଝୁଲାଇ ରଖୁଥୁଲେ । ଏତେ କଷ୍ଟ; ଅଟେ ଲାଞ୍ଛନା, ତେବେ ହେଲେ ମଧ୍ୟ ପ୍ରତାପ ମୁହୂର୍ତ୍ତକ ସକାଶେ ଉନ୍ମୋତ୍ସାହ, ନିରୁଦ୍ୟମ ନୁହନ୍ତି । ଦୁଃଖଦୁର୍ବିପାକ, ଲାଞ୍ଛନା, ବିପଦ ତେବେ କଣ ଵୀରର ବିଭବ ? ବୀରତ୍ୱର ବିକାଶପାଇଁ ଏଇଗୁଡ଼ାକ କଣ ଅବଲମ୍ବନ ?

 

କ୍ରମେ ପ୍ରତାପଙ୍କର ଦୃଢ଼ ଅଧ୍ୟବସାୟ ଓ ଅତୁଳନୀୟ ସହିଷ୍ଣୁତାର କଥା ବାଦଶାହ ଆକବରଙ୍କ କାନକୁ ଗଲା । ଆକବର ବିସ୍ମୟରେ ଏକାବେଳକେ ବୁଡ଼ିଗଲେ; ପ୍ରଥମେ କଥାରେ ବିଶ୍ୱାସ ଆସିଲା ନାହିଁ । ଭାବିଲେ ରକ୍ତମାଂସର ଦେହ କି ଏତେ ସହ୍ୟ କରି ପରେ ? ସୁଖରେ ପରିପାଳିତ, ଭୋଗବିଳାସରେ ପରିବର୍ଦ୍ଧିତ ରାଜକଳେବରରେ କି ଏତେ କଠୋରତା ସମ୍ଭବ ? ନା, ଏଗୁଡ଼ାକ ଏକାବେଳକେ ଅସମ୍ଭବ । ତତକ୍ଷଣାତ ସତ୍ୟାସତ୍ୟ ଜାଣିବାକୁ ପ୍ରତାପଙ୍କ ଉଦ୍ଦେଶ୍ୟରେ ଗୁପ୍ତଚର ପଠାଗଲା ।

 

ଘୋର ଅରଣ୍ୟାନୀ ମଧ୍ୟରେ ସାମନ୍ତପାରିଷଦ ପରିବେଷ୍ଟିତ ହୋଇ ପ୍ରତାପ ଗୋଟିଏ ବିଶାଳ ପାଦପ ତଳେ ବସି ଅଛନ୍ତି । ନିଜର ଭକ୍ଷ୍ୟାବଶିଷ୍ଟ କଟୁ ତିକ୍ତ ଫଳମୂଳାଦି ସାମନ୍ତ ସର୍ଦ୍ଦାରମାନଙ୍କୁ ବିତରଣ କରୁଅଛନ୍ତି; ସେହି ରାଜପ୍ରାସାଦକୁ ପରମ ଆଦରରେ ଗ୍ରହଣ କରି ସେମାନେ ନିଜ ନିଜକୁ କୃତାର୍ଥ ମଣୁଅଛନ୍ତି । ସମ୍ରାଟଙ୍କ ଗୁପ୍ତଚର ଏ ସମସ୍ତ ସ୍ଵଚକ୍ଷୁରେ ଦର୍ଶନ କଲା–ବିସ୍ମୟରେ ସ୍ତମ୍ଭିତ ହେଲା; ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୀ ସମ୍ରାଟଙ୍କ ଦରବାରରେ ଲୋକ ସାଧାରଣରେ ଅନୁପୂର୍ବିକ ବର୍ଣ୍ଣନା କରି ପୁନଃ ପୁନଃ ପ୍ରତାପଙ୍କ ପ୍ରଶଂସା କରିବାକୁ ଲାଗିଲା ।

 

ଆକବର ପ୍ରତାପଙ୍କର ଭୀଷଣ ଶତ୍ରୁ । ଏକମାତ୍ର ପ୍ରତାପ ତାଙ୍କର ସମସ୍ତ ଅଶାନ୍ତିର ମୂଳ–ବହୁବର୍ଷବ୍ୟାପୀ ଅବିଶ୍ରାନ୍ତ ଯୁଦ୍ଧ ବିଗ୍ରହ ଓ ରକ୍ତପାତର କାରଣ । ସମସ୍ତ ହିନ୍ଦୁ ରାଜା ପଦାନତ ହୋଇଅଛନ୍ତି, ହିନ୍ଦୁବିଭବ ଧ୍ୱଂସ ପାଇଅଛି–ଏକା ପ୍ରତାପଙ୍କ ଯୋଗୁଁ ଆକବରଙ୍କର ଏକାଙ୍ଗଚକ୍ରବର୍ତ୍ତୀ ହେବା କଳ୍ପନା, ଏପର୍ଯ୍ୟନ୍ତ ପୂର୍ଣ୍ଣ ହେଲା ନାହିଁ । ସୁଖର ପଥରେ ଏକମାତ୍ର କଣ୍ଟକ ପ୍ରତାପ–ସକଳ ଶାନ୍ତିଶାୟୀ କଳ୍ପନାର ମୂଳରେ ଏକମାତ୍ର ପ୍ରତାପହିଁ କାଳ । ହୁଅନ୍ତୁ ଆକବର ମହାଶତ୍ରୁ, ଶତ୍ରୁର ତ ହୃଦୟ ଅଛି ? ହୃଦୟ ଥିଲେ ହୃଦୟ ନିଶ୍ଚୟ ତରଳି ଯିବ । ହୃଦୟର ମହତ୍ତ୍ୱ ଦେଖିଲେ, ହୃଦୟ ସମ୍ମାନ ନ କରି, ପୂଜା ନ କରି ରହି ପାରିବ ନାହିଁ । ଆକବର ପ୍ରତାପଙ୍କର ଦେବତ୍ୱ ଅନୁଭବ କରି ବିମୁଗଧ ହେଲେ । ପ୍ରତାପ ଆଜି ଆକବରଙ୍କର ଶତ୍ରୁ ନୁହନ୍ତି, ସେ ତାଙ୍କ ନିକଟରେ ଦେବତା–ହୃଦୟର ଅନ୍ତରତମ ସ୍ଥାନର ସମ୍ରାଟ । ସେ ଉତ୍ତୁଙ୍ଗ ମହତ୍ତ୍ୱ ଅନୁଭବ କରି ଆକବର ନିଜକୁ ନୀଚାଦପି ନୀଚ ମନେ କଲେ, ସକଳ ମାନ ସମ୍ଭ୍ରମ ଲୁପ୍ତ ହେଲା; ଉନ୍ମୁକ୍ତ ହୃଦୟରେ ସମସ୍ତଙ୍କ ସମକ୍ଷରେ ସେ ପ୍ରଶଂସା କରିବାକୁ ଲାଗିଲେ– "ଧନ୍ୟ ପ୍ରତାପ ! ତୁମେ ଦୁନିଆର କ୍ଷୁଦ୍ର ମନୁଷ୍ୟ ନୁହଁ, ରାଣା ନୁହଁ, ସମ୍ରାଟ ନୁହଁ; ଏ ସମସ୍ତଙ୍କଠାରୁ ତୁମର ଆସନ ଆହୁରି ଉଚ୍ଚରେ–ଅତି ଉଚ୍ଚରେ । ତୁମେ ଦେବତା–ଦେବତାମାନଙ୍କର ଆଦରର ଧନ । ମାନବର ଆତ୍ମରାଜ୍ୟରେ ତୁମର ଅଧିକାର; ମୋର ବହୁମୂଲ୍ୟ ସମ୍ରାଟ–ମୁକୁଟଠାରୁ ପ୍ରତାପ ! ତୁମର ଦାରିଦ୍ର୍ୟ ଶ୍ଳାଘ୍ୟତର–ତୁମର ମୂଲ୍ୟ ବହୁତ ବେଶୀ । ଯଦି କେବେ ତୁମକୁ ପାଏ, ଅଧୀନ ରାଜାରୂପେ ନୁହେ–ହୃଦୟର ଦେବତା ରୂପେ, ସମ୍ରାଟର ମୁକୁଟ ରୂପେ ଚିରକାଳ ମସ୍ତକରେ ତୁମକୁ ଧରି ରଖିବି ।”

 

ଆଉ ଯେଉଁ ରାଜପୁତକୁଳାଙ୍ଗାରମାନେ ସ୍ଵଧର୍ମରେ ଜଳାଞ୍ଜଳି ଦେଇ ଯବନଦ୍ୱାରରେ ପ୍ରସାଦର୍ଥୀ ହୋଇଥିଲେ, ଏପର୍ଯ୍ୟନ୍ତ ଏକମାତ୍ର ପ୍ରତାପଙ୍କର ଶିର ଉନ୍ନତ୍ତ ଦେଖି ଯେଉଁମାନଙ୍କର ଈର୍ଷା ହେଉଥିଲା, ପ୍ରତାପଙ୍କ ଗୌରବରେ ଯେଉଁମାନେ ନିଜ ନିଜର ଅହଙ୍କାର ସଙ୍କୁଚିତ ବୋଧ କରୁଥିଲେ, ଆଜି ସମ୍ରାଟଙ୍କ ସଙ୍ଗେ ସେମାନେ ଶତ ମୁଖରେ ପ୍ରତାପଙ୍କର ପ୍ରଶଂସା କରିବାକୁ ଲାଗିଲେ, ଏପରି କି, ଦିଲ୍ଲୀ ଦରବାରର ପ୍ରଧାନ ସାମନ୍ତ ଖାନାନା ଖାଁ ପ୍ରତାପଙ୍କ ଗୁଣ କୀର୍ତ୍ତନ କରି ଗୋଟିଏ କବିତା ଲେଖିଥିଲେ । ତାର ମର୍ମ–

 

ପୃଥିବୀର ସମସ୍ତ କ୍ଷଣଭଙ୍ଗୁର । ରାଜ୍ୟ କହ, ଧନ କହ, ମାନ କହ, ରୂପ କହ, ଉଚ୍ଚପଦ କହ, ଭୋଗବିଳାସ ଯାହା କହ, ସମସ୍ତ ଦିନେ ହେଲେ ଶେଷ ହେବ–କାହାର କିଛି ଚିରକାଳ ରହିବ ନାହିଁ । କିନ୍ତୁ ପ୍ରତାପ ! ତୁମ୍ଭର ଏ କୀର୍ତ୍ତି, ଏ ଯେ ମହତ୍ତ୍ୱ, ଏହି ଯେ ମନୁଷ୍ୟ–ପଣିଆ, ରାଜାର ଏହି ଯେ ଉନ୍ନତ ଗୌରବ ଦେଖାଇଛ, ତାହା କେବେ ହେଲେ ନଷ୍ଟ ହେବ ନାହିଁ; ଆଉ ଯାହାର ଯାହା କିଛି ଦେଖୁଅଛ, ସବୁ ସିନେ ହେଲେ ଚାଲିଯିବ; ଯିବ ନାହିଁ କେବଳ ପ୍ରତାପଙ୍କର ମହିମା, ଅବିନଶ୍ୱର କୀର୍ତ୍ତିରାଜି, ଜ୍ୱଳନ୍ତ ଜୀବନ୍ତ ମନୁଷ୍ୟତା ।

 

ଦିନେ ପ୍ରତାପଙ୍କର ପତ୍ନୀ ଓ ପୁତ୍ରବଧୁ ତୃଣବୀଜ ଚୂର୍ଣ୍ଣ କରି କେତେ ଖଣ୍ଡ ପିଷ୍ଟକ ପ୍ରସ୍ତୁତ କରିଥିଲେ; ସେଥିରୁ ଅର୍ଦ୍ଧେକ ବାଳକ ବାଳିକାଙ୍କୁ ବାଣ୍ଟି ଦେଲେ । ବାଳକ ବାଳିକାଙ୍କର କ୍ଷୁଧାର ପୂର୍ଣ୍ଣ ନିବୃତ୍ତି ହେଲା ନାହିଁ । ପ୍ରତାପଙ୍କ ଛୋଟ କନ୍ୟାଟି କହିଲା, ‘‘ମା, ଆଜି କଣ ରାତିରେ ଖାଇବାକୁ ମିଳିବ ନାହିଁ ? ଖାଇଲେ ତ ପେଟ ପୁରିଲା ନାହିଁ, କିପରି ରହିବୁ ?” “ମିଳିବ ଧନମାଳି ! ଖଣ୍ଡିଏ ରୁଟି ରଖିଥିବି ଯେ, ସମସ୍ତେ ବାଣ୍ଟିକରି ଖାଇବ ।” ରାଣୀ ସେ ଦିନ କିଛି ନ ଖାଇ ନିଜ ରୁଟି ଖଣ୍ଡିକ ପୁତ୍ରକନ୍ୟାଙ୍କ ପାଇଁ ଭବିଷ୍ୟତକୁ ରଖି ଦେଲେ । ବାଳିକାଟି ରୁଟି ଆଡ଼କୁ ଚାହିଁ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲା । ଅନତିଦୂରରେ ତୃଣଶଯ୍ୟାରେ ଶୟନ କରି ପ୍ରତାପ ଆପଣାର ଦୁର୍ଭାଗ୍ୟ ବିଷୟ ଭାବୁଥିଲେ–ଭବିଷ୍ୟତ ଯୁଦ୍ଧର ଜଟିଳ କଳ୍ପନା ମଧ୍ୟେ ମଧ୍ୟେ ମନରେ ଖେଳି ଯାଉଥିଲା । ହଠାତ୍‍ ନିଜ କନ୍ୟାଟି ମର୍ମଭେଦୀ ଚିତ୍କାର କରି ଉଠିଲା । ପ୍ରତାପଙ୍କ ଧ୍ୟାନ ଭାଙ୍ଗିଗଲା, କଳ୍ପନା ଜଳ୍ପନା କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ଚକ୍ଷୁ ବୁଲାଇ ଦେଖିଲେ–ଗୋଟିଏ ଘନ୍ୟ ବିଡ଼ାଳ ପିଷ୍ଟକ ଖଣ୍ଡିକ ନେଇ ପ୍ରସ୍ଥାନ କରୁଅଛି; ସେଥିପାଇଁ ସୁକୁମାରୀ ବାଳିକାର ମର୍ମଭେଦୀ ଆର୍ତ୍ତନାଦ ।

 

ଆଉ ସହ୍ୟ ହେଲା ନାହି, ଥରେ ବିଡ଼ାଳ ଆଡ଼କୁ, ଥରେ ନିଜର ପ୍ରିୟ କନ୍ୟା ଆଡ଼କୁ ଚାହିଁଲେ, ଚାହିଁ ହେଲା ନାହିଁ–ଚକ୍ଷୁ ଫାଟି ଲୋତକ ବହିର୍ଗତ ହେଲା, ଜଗତ ଶୂନ୍ୟ ଦେଖାଗଲା । ଭାବିଲେ, ‘‘ଧିକ ମୋର ଅହଙ୍କାରକୁ ! ଯାହାର ପୁତ୍ର କନ୍ୟା ଖାଦ୍ୟାଭାବରେ ଦାଣ୍ଡର କାଙ୍ଗାଳଠାରୁ ମଧ୍ୟ ହୀନ, ଖଣ୍ଡିଏ ରୁଟି ପାଇଁ ଯାହାର ଶିଶୁକନ୍ୟା ଏପରି ବ୍ୟାକୁଳ ହୋଇ ପାରେ, ସେ ପୁଣି ରାଜା ବୋଲି ଗର୍ବ କରି ବସିଚି ? ନିଜ ଦାରିଦ୍ର୍ୟ ଦୋଷରୁ ଯେ ପତିବ୍ରତା ସ୍ତ୍ରୀ ଓ ପ୍ରାଣର ସନ୍ତାନ ସନ୍ତତିଙ୍କୁ ଖାଦ୍ୟାଭାବରେ ଶୁଖାଇ ଶୁଖାଇ ମାରି ପାରେ, ତାର ରାଜା ବୋଲି ଗର୍ବ କରିବାର–ପିତା ବୋଲି, ପତି ବୋଲି ଗର୍ବ କରିବାର କି ଅଧିକାର ଅଛି ? ନା, ଆଉ ହେବ ନାହିଁ–ଏ ଦୁଃଖଯନ୍ତ୍ରଣା ଆଉ ସହି ପାରିବି ନାହିଁ । ଆକବର, ଏତେ ଦିନରେ ତୁମ ଅଭିଳାଷ ସିଦ୍ଧ ହେଲା । ଏହା ତୁମର ବୀରବାହୁର କାର୍ଯ୍ୟ ନୁହେ, ଆକବର ! ଏହା ପ୍ରତାପର ଦୂରଦୃଷ୍ଟ–ଅନ୍ନାଭାବହିଁ ପ୍ରତାପର ଶେଷରେ ଭଗାରୀ ହେଲା । ରଣକ୍ଷେତ୍ରରେ ମୁମୂର୍ଷ ଅବସ୍ଥାରେ ପଡ଼ି ପ୍ରତାପ ଯାହା କଳ୍ପନା କରିବାକୁ ମଧ୍ୟ ଘୃଣା ବୋଧ କରୁଥିଲା, ପୁତ୍ର କନ୍ୟାମାନଙ୍କର କଷ୍ଟ ଦେଖି, ସେହି ପ୍ରତାପ ଆଜି ଯବନର ଅଧୀନତା କରଣ କରିବାକୁ ଯାଉଅଛି । ଧିକ ପ୍ରତାପ ! ଧିକ ତୋହର ଅହଙ୍କାର, ନା, ଆଉ ସହି ହେବ ନାହିଁ–ଆକବର ସଙ୍ଗେ ମିଳିବାକୁ ହେବ–ପ୍ରାଣର ପୁତ୍ରକନ୍ୟାଙ୍କର ଏ ଦୁର୍ଦ୍ଦଶା ଘୁଞ୍ଚାଇବାକୁ ହେବ ।”

 

ପ୍ରତାପ ସେହିକ୍ଷଣି ନିଜର ଦୁର୍ଦ୍ଦଶା ଜଣାଇ ମିତ୍ରତା ପ୍ରାର୍ଥନାକରି ଆକବରଙ୍କଠାକୁ ଖଣ୍ଡିଏ ପତ୍ର ଲେଖି ବସିଲେ-ଲୋତକସ୍ରୋତରେ ପତ୍ରଟି ବୁଡ଼ିଗଲା, ଆଉ ଲେଖି ହେଲା ନାହିଁ । ପୁନର୍ବାର ଆଉ ଗୋଟିଏ ପତ୍ର ଲେଖିଲେ; ତାହା ମଧ୍ୟ ଓଦା ହୋଇଗଲା । ତୃତୀୟ ପତ୍ରରେ 'ମିତ୍ରତା ଆବଶ୍ୟକ' କେବଳ ଏତିକିମାତ୍ର ଲେଖି, ସ୍ଵାକ୍ଷର କରି ପତ୍ର ମୁଦ୍ରିତ କଲେ ।

 

ଆକବରଙ୍କ ହୃଦୟ ଆନନ୍ଦରେ ନୃତ୍ୟ କରୁଅଛି । ବହୁଦିନର ଅପୂର୍ଣ୍ଣ କାମନା ଆଜି ପୂର୍ଣ୍ଣ–ଏତେ ଦିନର ବହୁ ରକ୍ତପାତ, ଭୀଷଣ ଯୁଦ୍ଧ ପରେ ଏକାଙ୍ଗଚକ୍ରବର୍ତ୍ତୀ ହେବା–ସେହି ସୁଖମୟ କଳ୍ପନା କାର୍ଯ୍ୟରେ ପରିଣତ ହେଲା । ରାଜ୍ୟ ଆଜି ଶାନ୍ତିମୟ–ରାଜତ୍ୱ ଆଜି ଶତ୍ରୁତାଶୂନ୍ୟ । ମହାପରାକ୍ରମଶାଳୀ ପ୍ରତାପ ଆଜି ଶତ୍ରୁ ନୁହନ୍ତି, ସେ ବାଦଶାହଙ୍କର ବିପୁଳ ବୀରତ୍ୱ ଅର୍ଜିତ ବନ୍ଧୁ–ଆପଦ ବିପଦରେ ଦକ୍ଷିଣ ହସ୍ତ । ଆକବରଙ୍କର ସୌଭାଗ୍ୟ ଆଜି ଚରମ ସୀମାରେ ଉପସ୍ଥିତ । ନଗରରେ ସର୍ବତ୍ର ନୃତ୍ୟ, ଗୀତ, ଆମୋଦ ପ୍ରମୋଦର ଧୂମ ଲାଗିଗଲା; ବାଟ ଘାଟ, ସୌଧ, କୁଟୀର,ସର୍ବତ୍ର ଆନନ୍ଦସ୍ରୋତ ଭାସିଲା–ଆବାଳବୃଦ୍ଧବନିତା ସେହି ସ୍ରୋତରେ ଉନ୍ମତ୍ତପ୍ରାୟ ହେଲେ ।

 

ପୃଥ୍ୱୀରାଜ ବିକାନିରପତି ରାୟସିଂହଙ୍କର ଭ୍ରାତା । ଭାଗ୍ୟ-ଚକ୍ରରେ ପଡ଼ି ସେ ଆକବରଙ୍କ ନିକଟରେ ବନ୍ଦୀ । ବନ୍ଦୀ ହେଲେ ମଧ୍ୟ୍ୟ ପୃଥ୍ୱୀରାଜଙ୍କର ଉଦାର ଉନ୍ନତ ହୃଦୟ ବୀରତେଜରେ ସମୁତ୍ତେଜିତ । ତାଙ୍କର ଅସାଧାରଣ କବିତ୍ୱଚଳରେ ସେ ସମୟର କବିମାନଙ୍କୁ ସେ ପରାଜିତ କରିଥିଲେ । ଏହି ଗୁଣ ଦେଖି ଆକବର ପୃଥ୍ୱୀରାଜଙ୍କୁ ଆନ୍ତରିକ ସୁଖ ପାନ୍ତି । ଆଜି ସେ ପ୍ରତାପଙ୍କ ପତ୍ରଖଣ୍ଡିକ ପୃଥ୍ୱୀରାଜଙ୍କୁ ଦେଖାଇଲେ । ପତ୍ର ପାଠ କରି ଦାରୁଣ ବେଦନାରେ ପୃଥ୍ୱୀରାଜଙ୍କ ମୁଖ ମଳିନ ହୋଇଗଲା । କ୍ଷଣକେ କେତେ କଣ ଭାବିଗଲେ- ‘‘ଏ କଣ, ପ୍ରତାପ, ପ୍ରତାପସିଂହ, ଆର୍ଯ୍ୟତ୍ୱର, ହିନ୍ଦୁତ୍ୱର ଏକମାତ୍ର ଆଶ୍ରୟପାଦପ–ଭାରତର ଶେଷ ଆଶା ଭରସା ପ୍ରତାପ, ସତେ କି ତୁମେ ଟଳି ପଡ଼ିଲ ! ଏ ସତ୍ୟ, ନା ଭାନ୍ତି ? ନା, ନା, ଏ ଚିନ୍ତା ସ୍ଵପ୍ନରଜ୍ୟର ମଧ୍ୟ ବହୁଦୂରରେ ! ସତେ କଣ ହିନ୍ଦୁରାଜ୍ୟ ଲୁପ୍ତ କରି ପ୍ରତାପ ଯବନର ଦାସ ହେଲେ ! ଏ କଣ ହେଲା ! ପୃଥିବୀର ଏ କଣ ଆଜି ଶେଷ ଦାନ ? ଚନ୍ଦ୍ର ସୂର୍ଯ୍ୟ କଣ ଖସି ପଡ଼ିଲେ-ପୃଥିବୀର କଣ ମାନବଧର୍ମ ଉଠିଗଲା ?”

 

ହୃଦୟର ଭାବ ହୃଦୟରେ ଚାପି କହିଲେ, ‘‘ନା, ବାଦଶା, ଏହା କଦାପି ସମ୍ଭବ ହୋଇ ନ ପାରେ–ଏ ପତ୍ର ନିଶ୍ଚୟ ଜାଲ । ମୁଁ ପ୍ରତାପଙ୍କୁ ବିଲକ୍ଷଣ ଚିହ୍ନଅଛି–ଦେବତା ଜ୍ଞାନରେ ହୃଦବେଦୀରେ ପୂଜା କରୁଅଛି । ଆପଣଙ୍କର ସମ୍ରାଟ ମୁକୁଟ କାଢ଼ି ପ୍ରତାପଙ୍କ ମସ୍ତକରେ ପିନ୍ଧାଇବାକୁ ଯାନ୍ତୁ, ସେ ଏପରି ଅନୁଗ୍ରହ ଉପରେ ପଦାଘାତ କରିବେ । ମହାମାନୀ ପ୍ରତାପ ପୁଣି ସ୍ଵେଚ୍ଛାପ୍ରଣୋଦିତ ହୋଇ ଯବନଦ୍ୱାରରେ ଭିକାରୀ ହେବେ ! ରାମ ରାମ, ସକଳ ମିଥ୍ୟା-ସକଳ ଜାଲ । ଆପଣ କଦାପି ବିଶ୍ୱାସ କରନ୍ତୁ ନାହିଁ । ଯଦି ଅନୁମତି ଦିଅନ୍ତି, ମୁଁ ପତ୍ର ଲେଖି ପ୍ରତାପଙ୍କଠାରୁ ପ୍ରକୃତ ଉତ୍ତର ଆଣିଦେବି ।”

 

ପୃଥ୍ୱୀରାଜ ଜାଣି ପାରିଥିଲେ, ଘୋର ଯନ୍ତ୍ରଣାରେ ପଡ଼ି ପ୍ରତାପଙ୍କ ଅଟଳ ହୃଦୟ ଟଳିଅଛି; କିନ୍ତୁ ତାଙ୍କର ବିଶ୍ୱାସ ନିଜର ଉଦ୍ଦୀପନାମୟୀ ଭାଷା ପ୍ରତାପଙ୍କ ହୃଦୟରେ ପୁନର୍ବାର ବିଦ୍ୟୁତ ଜାଳିଦେବ-ନବଶକ୍ତି, ନବତେଜ ଜାଗ୍ରତ କରିବ । ସେ ଆକବରଙ୍କ ନିକଟରୁ ବିଦାୟ ନେଇ ପ୍ରତାପଙ୍କ ନିକଟକୁ ତଳଲିଖିତ ମର୍ମରେ ପତ୍ର ଲେଖି ବସିଲେ--

 

"ହିନ୍ଦୁ ଭିନ୍ନ ହିନ୍ଦୁର ଆଶା ଭରସା କିଏ ହୋଇ ପାରେ ? ହୀନ ସ୍ୱାର୍ଥ ଲାଗି ସମସ୍ତ ହିନ୍ଦୁରାଜା ଆଜି ଯବନର ଦାସ ହୋଇଅଛନ୍ତି-ଅଛନ୍ତି କେବଳ ଏକମାତ୍ର ପ୍ରତାପ । ମୋଗଲର ଗୋଲାମ ହୋଇ ସମସ୍ତଙ୍କର ତେଜ ଯାଇଛି, ବୀର୍ଯ୍ୟ ଯାଇଛି ମାନ ଇଜ୍ଜତ ସତେ ଯାଇଛି–ସମଗ୍ର ରାଜସ୍ଥାନରେ ସଂଗ୍ରାମଙ୍କ ଉପଯୁକ୍ତ ବଂଶଧର ଏକମାତ୍ର ପ୍ରତାପଙ୍କ ଗର୍ବିତ ମସ୍ତକ ସେହିପରି ଉନ୍ନତ ରହିଅଛି । ସେହି କେବଳ ହିନ୍ଦୁର ମାନ, ରାଜପୁତର ଗୌରବ ଏପର୍ଯ୍ୟନ୍ତ ଜୀବନ୍ତ ରଖିଅଛନ୍ତି । ରାଜପୁତଵଂଶରୂପ ବିଶାଳ ବିସଣିରେ ଏକଜଣ ମାତ୍ର କ୍ରେତା, କିଏ ସେ କ୍ରେତା ? ଆକବର ସାହା-। ସମସ୍ତେ କ୍ରୀତ ହୋଇଅଛନ୍ତି; ଅବଶିଷ୍ଟ ରହିଅଛନ୍ତି କେବଳ ଉଦୟସିଂହଙ୍କ ପୁତ୍ର ପ୍ରତାପ–ପ୍ରତାପ ଅମୂଲ୍ୟ ! କେଉଁ ଗୁଣ ଘେନି ପ୍ରତାପ ଆଜି ଏଡ଼େ ଅମୂଲ୍ୟ ? ତାଙ୍କର ରାଜ୍ୟ ନାହିଁ, ଧନ ନାହିଁ, ଘର ନାହିଁ, ଅନ୍ନ ବସ୍ତ୍ର କିଛି ନାହିଁ; ତେବେ କାହା ଘେନି ଆଜି ପ୍ରତାପଙ୍କର ଏଡ଼େ ବଡ଼ ଟେକ ? ଉତ୍ତର–ମହାପ୍ରାଣତା, ଉଦାର ଉନ୍ନତ ହୃଦୟ, ବୀରବାହୁ, ନିଷ୍କୋସିତ ତରବାରୀ । ମାନବର ସକାଳ ବଳଠାରୁ ଯେ ବଳ ବଡ଼, ପ୍ରତାପ ସେଥିରେ ବଳୀୟାନ ଥିଲେ; ସେହି ବଳରେ ପ୍ରତାପ ଏପର୍ଯ୍ୟନ୍ତ କ୍ଷତ୍ରିୟର ଗୌରବ ରଖି ଆସୁଥିଲେ । ଆଜି କ'ଣ ସେ ବଳ ଶେଷ ହେଲା ? ଯେଉଁ ବଳରେ ପ୍ରତାପ ଆଜି ଉଚ୍ଚାଦପି ଉଚ୍ଚ, ହିନ୍ଦୁର ଆରାଧ୍ୟ ଧନ ପ୍ରତାପ ଆଜି ଦେବତା-ଦେବତାଠାରୁ ମଧ୍ୟ ଅଧିକ, ଯେଉଁ ଜ୍ୟୋତିମୟ ଆସନ ନିକଟରେ ସମ୍ରାଟର ହୀନ ଆସନ ଏକାବେଳକେ ହୀନପ୍ରଭ, ସେହି ଉନ୍ନତ ବଳ, ସେହି ପ୍ରଭାମୟ ସିଂହାସନ ଛି, ଛି, ସାମାନ୍ୟ ଦୁଃଖ କଷ୍ଟରେ; ପ୍ରତାପ, ତୁମ୍ଭେ ହରାଇବାକୁ ବସିଅଛ ? ଯାହାଦ୍ୱାରା ହିନ୍ଦୁର ଆଶା–ଦିନେ ସେ ନିଜର ଗୌରବ ଫେରି ପାଇବ, ଯାହାର ମୁଖ ଦେଖି ସମସ୍ତ ଦେଶ ଆଶା ଭରସା ବାନ୍ଧୁଅଛି, ସେହି ପ୍ରତାପଙ୍କୁ କି ଆଜି ଆକବର କିଣି ନେବେ ? ଆହା ! ଆକବରଙ୍କଠାରେ ଏପରି କି ଧନ ଅଛି ଯେ, ସେ ଆଜି ଭାରତର ଅମୂଲ୍ୟ ରତ୍ନ–ହିନ୍ଦୁର ସର୍ବସ୍ୱ ପ୍ରତାପଙ୍କୁ କିଣି ପାରିବେ ?”

 

ଏ ଉତ୍ତେଜନାମୟୀ ଭାଷା ପ୍ରତାପଙ୍କ ହୃଦୟରେ ପୁନର୍ବାର ଅଗ୍ନି ଜାଳିଦେଲା । ପ୍ରାଣର ଉତ୍ତେଜନାରେ ଗର୍ଜ୍ଜନ କରି କହିଲେ; ନା, ‘‘ମସ୍ତକ କଦାଚ ଅବନତ କରିବି ନାହିଁ-ଯବନ ନିକଟରେ ପ୍ରାଣ କଦାପି ବିକ୍ରୟ କରିବି ନାହିଁ । ପ୍ରାଣର ପୁତ୍ରକନ୍ୟାମାନେ ଆଖି ଆଗରେ କାନ୍ଦୁଛନ୍ତି, କାନ୍ଦନ୍ତୁ; ନ ଖାଇ ମରିଯିବେ, ମରନ୍ତୁ; ତେବେ ହେଲେ ମଧ୍ୟ ବିଧର୍ମର ଅନ୍ନ ଏମାନଙ୍କ ମୁଖରେ ଦେବି ନାହିଁ । ଏମାନେ ମରନ୍ତୁ, ଦିନେ ତ ନିଶ୍ଚୟ ମରିବେ, ତେବେ ନିଜର ରକ୍ତ କଳଙ୍କିତ କରି ମରିବେ ବା କାହିଁକି ? ସବୁ ଯାଉ-ମାନ ରହୁ, ଧର୍ମ ରହୁ । କିଛି ନଥିଲେ ନ ଥାଉ–ଧର୍ମ ଥିଲେ, ମାନ ଥିଲେ ମନୁଷ୍ୟର ସବୁ ଅଛି । ମାତୃବକ୍ଷରେ କଳଙ୍କ ବୋଳି ପାରିବି ନାହିଁ । ଦେଶ ମୋତେ ଯେବେ ଚାହିଁ ବସିଛି, ମୁଁ ତାକୁ ଛାଡ଼ି ପାରିବି ନାହିଁ–ପ୍ରାଣ ଗଲେ ମଧ୍ୟ ଦେଶର ଗୌରବ ବୁଡ଼ାଇବି ନାହିଁ ।”

 

ଏହିଥର ଯେଉଁ ଅଗ୍ନି ପ୍ରତାପଙ୍କ ହୃଦୟରେ ଜଳିଲା, ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଉ ହୀନପ୍ରଭା ହୋଇ ନାହିଁ । ଶୁଭଯୋଗରେ ପିତୃମନ୍ତ୍ରୀ ଭୀମାଶାଙ୍କଠାରୁ ପ୍ରତାପ ପ୍ରଚୁର ଅର୍ଥବଳ ପାଇଲେ । ସେହି ଅର୍ଥବଳ ପାଇ ପ୍ରତାପ ବୀରବିକ୍ରମରେ ସୈନ୍ୟବଳ ସଂଗ୍ରହ କଲେ । ଦେଖୁ ଦେଖୁ କମଳମିର ସହ ୩୨ଟି ଦୁର୍ଗ ପ୍ରତାପଙ୍କ ଅଧିକାରକୁ ଆସିଲା । କାଳାନ୍ତକ ଯମ ପରି ପ୍ରତାପଙ୍କୁ ଯୁଦ୍ଧ କରିବାର ଦେଖି ମୋଗଲସୈନ୍ୟ ସହସ୍ର ପୃଷ୍ଠଭଙ୍ଗ ଦେଲେ; ନିଜେ ଆକବର ଇତସ୍ତତଃ ହୋଇ ପ୍ରତାପଙ୍କ ବିରୁଦ୍ଧରେ ଯିବାକୁ ସାହସ କଲେ ନାହିଁ–ତାଙ୍କୁ ଦେବତା ଭାବି ଯୁଦ୍ଧରୁ ନିରସ୍ତ୍ର ହେଲେ । ଖାଲି ଚିତୋର ଛଡ଼ା ଚାହୁଁ ଚାହୁଁ ପ୍ରତାପ ସକଳ ପିତୃରାଜ୍ୟ ଉଦ୍ଧାର କଲେ; ତେବେ ହେଲେ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତରେ 'ଚିତୋର ରହିଗଲା, ପିତୃରାଜ୍ୟ ଉଦ୍ଧାର କରି ପାରିଲି ନାହିଁ-ଏହି ଦୁଃଖ !

Image

 

Unknown

ଛିନ୍ନହସ୍ତା

 

ପୁଗଳ ଯଶୁଳୀ ରାଜ୍ୟର ଗୋଟିଏ ଜନପଦ । ଭଟ୍ଟ ସର୍ଦ୍ଦାର ରଣଙ୍ଗଦେବ ପୁଗଳର ଶାସନକର୍ତ୍ତା । ତାଙ୍କର ଏକମାତ୍ର ପୁତ୍ର ସାଧୁ ସାଧୁ ମହାବୀର୍ଯ୍ୟବାନ, ଅଦ୍ଭୁତକର୍ମା; ସମରବିଳାସୀ । ଦିନେ ସାଧୁର ପ୍ରବଳ ପରାକ୍ରମ ନାଗୋରଠାରୁ ସିନ୍ଧୁନଦୀର ତୀର ପର୍ଯ୍ୟନ୍ତ ସମସ୍ତ ମରୁପ୍ରଦେଶ ପ୍ରକମ୍ପିତ କରୁଥିଲା । ସାଧୁର ନାମ ଶ୍ରବଣ ମାତ୍ରକେ ଲୋକେ ଭୀତ, ଚକିତ ହେଉଥିଲେ । ଏକ ସମୟରେ ଗୋଟିଏ ରୁଦ୍ଧ ନଗର ଆକ୍ରମଣ କରି ବହୁ ଧନରତ୍ନ, ଅଶ୍ୱ ହସ୍ତୀ ସହ ପ୍ରତ୍ୟାଗମନ କରିବା ସମୟରେ ଅକସ୍ମାତ ଖଣ୍ଡିଏ ପତ୍ର ତାଙ୍କର ହସ୍ତଗତ ହେଲା ହେଲା । ପତ୍ରଖଣ୍ଡି ମୋହିଲ ରାଜାଙ୍କ କନ୍ୟା କର୍ମଦେବୀଙ୍କ ସ୍ଵହସ୍ତଲିଖିତ । ସେଥିରେ ସେ ନିଜ ହୃଦୟର ଗଭୀର ଭକ୍ତି ଓ ପ୍ରଣୟ ଜଣାଇ ନିଜ ପିତ୍ରାଳୟରେ ଦିନେ ମାତ୍ର ଅତିଥି ହୋଇ ଯିବାକୁ ସାଧୁଙ୍କୁ ଆମନ୍ତ୍ରଣ କରିଥିଲେ ।

 

କର୍ମଦେବୀ ଯେପରି ସୁନ୍ଦରୀ, ସେହିପରି ଗୁଣବତୀ; ଆଜନ୍ମ ସୁଖ–ସମ୍ପଦର ସୁକୋମଳ କୋଳରେ ପରିପାଳିତା, ତଥାପି ବୀରଭାଵାପନ୍ନା, ବୀରସୋହାଗିନୀ, ଆଦର୍ଶ ରାଜପୁତ-କୁମାରୀ । ମରୁସ୍ଥଳୀ ମଧ୍ୟରେ କର୍ମଦେବୀଙ୍କ ପରି ସର୍ବଲକ୍ଷଣସମ୍ପନ୍ନା ଲୀଳାବତୀ ରମଣୀ ଆଉ ନ ଥିଲେ । ବିବାହ ବୟସ ଉପସ୍ଥିତ ହେବାରୁ ପିତା ମାଣିକରାୟ ରାଠୋରପତି ବୀର-ଚୂଡ଼ାମଣି ଚଣ୍ଡଙ୍କ ପୁତ୍ର ଅରଣ୍ୟକମଳଙ୍କ ସହିତ କର୍ମଦେବୀଙ୍କର ବିବାହ ସ୍ଥିର କରିଥିଲେ । ବିବାହର ଆୟୋଜନ ହେବାକୁ ଲାଗିଲା, ମାତ୍ର ସେ ସମ୍ୱନ୍ଧରେ କର୍ମଦେବୀଙ୍କର ଆଦୌ ମତ ନ ଥିଲା । ବୀରବାଳା ବୀରତ୍ୱର ଆଦର କରି ଜାଣେ । ଅଦ୍ଭୁତକର୍ମା ସାଧୁଙ୍କର ବୀରତ୍ୱକାହାଣୀ ସଙ୍ଗିନୀମାନଙ୍କ ମୁଖରୁ ଶୁଣି ସେ ଶତବାର ଉନ୍ମାଦିତ ହୋଇଥିଲେ, ସହସ୍ରବାର ଅଜସ୍ର ସାଧୁବାଦ ଅର୍ପଣ କରିଥିଲେ । କିଏ ଜାଣିଥିଲା, ସେହି ସାଧୁବାଦ ସେହି ଉନ୍ମାଦନାର ଅନ୍ତରାଳରେ ଅଲକ୍ଷିତ ଭାବରେ ସାଧୁଙ୍କ ପ୍ରତି ଗଭୀର ପ୍ରଶୟ ଅଙ୍କୁରିତ, ପରିବର୍ଦ୍ଧିତ ହେଉଥିଲା ?

 

ସାଧୁ ମାଣିକରାୟଙ୍କ ଦ୍ୱାରରେ ଅତିଥିରୂପେ ଉପସ୍ଥିତ । ପ୍ରଖ୍ୟାତଯଶା ମହାବୀର ସାଧୁଙ୍କୁ ଅତିଥିରୂପେ ପାଇ କିଏ ଆନନ୍ଦିତ ନହେବ ? ସମସ୍ତ ପୁରବାସିଙ୍କ ସହ ମାଣିକରାୟ ଏଥିରେ ନିଜକୁ ମହାସମ୍ମାନିତ ମନେ କଲେ । ମହାସମାରୋହରେ ପାନ ଭୋଜନର ଆୟୋଜନ ଚାଲିଲା । ଏଣେ ମାଣିକରାୟ ସାଧୁଙ୍କ ସଙ୍ଗେ ନାନା ଗଳ୍ପ କରିବାକୁ ଲାଗିଲେ । ଗଳ୍ପଛଳରେ ଜୀବନବ୍ୟାପୀ ଅଦ୍ଭୁତ ବୀରତ୍ୱକାହାଣୀ ଗୋଟି ଗୋଟି ହୋଇ ସାଧୁଙ୍କ ମୁଖରୁ ବହିର୍ଗତ ହେଲା । ଶ୍ରୋତୃବର୍ଗ କେତେବେଳେ ବିସ୍ମିତ, କେତେବେଳେ ଆହ୍ଲାଦିତ ହେବାକୁ ଲାଗିଲେ । କର୍ମଦେବୀ ସେଠାରେ ଉପସ୍ଥିତ ଥାଆନ୍ତି । ସେ ସାଧୁଙ୍କୁ ପତିରୂପରେ ବରଣ କରି ଗୁପ୍ତ ଆବାହନ କରିଥିଲେ, ନିଜ ତରଳ ହୃଦୟର ତରଳ ଭାବରାଶି ଘୋଡ଼ାଇ ରଖିବାକୁ ବହୁ ଯତ୍ନ କରିଥିଲେ, କିନ୍ତୁ ଯେତେବେଳେ ଚକ୍ଷୁ ତୃପ୍ତ କରି ଚିରବାଞ୍ଛିତକୁ ଦେଖିଲେ; କର୍ଣ୍ଣରେ ଅମୃତମୟ ଜୀବନକାହାଣୀ ଶୁଣିଲେ, ହୃଦୟର ସକଳ ବନ୍ଧ ଭାଙ୍ଗିଗଲା । ସେ ପ୍ରକାଶ୍ୟଭାବରେ ସହଚରୀମାନଙ୍କ ମେଳରେ ନିଜର ଅଟଳ ଇଚ୍ଛା ଜଣାଇ ଦେଲେ । ବର୍ତ୍ତମାନ ଏତେ ଏତେ ସକଳ ସହଚରୀ ବଂଶଗରିମା, ସିଂହାସନ ଓ ବିଶାଳ ବିଭବର ନାନା ପ୍ରଲୋଭନ ଦେଖାଇ, ଆଉ ପିତୃନିର୍ବାକ ଜଣାଇ ବହୁତ ପ୍ରକାର ବୁଝାଇବାକୁ ଲାଗିଲେ । କର୍ମଦେବୀଙ୍କୁ କିନ୍ତୁ କୌଣସି କଥା ପ୍ରବୋଧ ହେଲା ନାହିଁ । ସେ ଗମ୍ଭୀରଭାବରେ କହିଲେ–ଛି, ତୁଚ୍ଛ ସିଂହାସନର ଆଭାରେ ରାଜପୁତ ଲାଳନା ପ୍ରଲୋଭିତ ହେବ, ସତୀତ୍ୱ ଭୁଲିଯିବ ? ଉଚ୍ଚ ରାଠୋରକୁଳର ପୁତ୍ରବଧୂ ହେଲେ ବା କି ବିଶେଷ ସୁଖ ଅଛି ? ଯାହାଠାରେ ପ୍ରାଣ ମନ ସମର୍ପଣ କରିଅଛି, ତାଙ୍କର ଦାସୀ ହୋଇ ରହିବା ବରଂ ଭଲ, ତଥାପି ପରର ମହିଷୀ ହେବାକୁ ଇଚ୍ଛା କରିବା ମଧ୍ୟ ଅତି ଘୃଣା ଓ ଲଜ୍ଜାର କଥା ।”

 

ହିନ୍ଦୁଲଳନାର ସର୍ବୋତକୃଷ୍ଟ ସମ୍ପଦ ପତି, ଆଉ ସର୍ବଶ୍ରେଷ୍ଠ ଭୂଷଣ ସତିତ୍ୱ–ପତିପରାୟଣତା । ମାଣିକରାୟ ପିତା ହୋଇ କିପରି କନ୍ୟାର ଏ ସ୍ୱର୍ଗପଥରେ ଅନ୍ତରାୟ ହେବେ-? ହୁଅନ୍ତୁ ଚଣ୍ଡ ଦୁର୍ଦ୍ଦଷ ରାଠୋରପତି, ଥାଉ ତାଙ୍କର ଉତ୍ତୁଙ୍ଗ ସମ୍ରାଟ–ସିଂହାସନ, ଏ ସକଳ ରାଜପୁତ ନାରୀର ସତୀର ନିକଟରେ ବଡ଼ ନୁହେଁ । ପିତା ଅରଣ୍ୟକମଳଙ୍କ ସହିତ ବିବାହରେ ମତ ଦେଇଥିଲେ ସତ, କିନ୍ତୁ ସେଥିରେ କନ୍ୟାର ହୃଦୟ ନ ଥିଲା । ହୃଦୟ ହୃଦୟର ମେଳ ନ ହେବାଯାଏଁ ବିବାହ ଅସମ୍ଭବ, "ଥରେ ମିଳିତ ହେଲେ, ଆଉ ସେ ମିଳନର ବିଚ୍ଛେଦ ନାହିଁ ।

 

ପାନ ଭୋଜନ ଶେଷ ହେଲା । ମାଣିକରାୟ ସାଧୁଙ୍କ ନିକଟରେ କର୍ମଦେବୀଙ୍କ ପ୍ରତିଜ୍ଞା ଜଣାଇଲେ । ଆଉ ମଧ୍ୟ ଜଣାଇ ଦେଲେ, ସେ ପଥରେ କି ଭୀମ ପ୍ରତିବନ୍ଧ ରହିଅଛି–ଏ କନ୍ୟାଦାନରେ ରାଠୋର ଉତ୍ତ୍ୟକ୍ତ ହୋଇ ପାରନ୍ତି, ଏ ସତ୍ୟଭଙ୍ଗର ଅବମାନନା, ଅନାଦର ଧୌତ କରିବାକୁ ରକ୍ତସ୍ରୋତ ବହି ପାରେ । ସାଧୁଙ୍କ ଗର୍ବୋନ୍ନତ ପ୍ରାଣରେ କୌଣସି ଦୁର୍ବଳତା, ଭୀତିର ସ୍ଥାନ ନାହିଁ । ସେ ମୃଦୁହାସ ସହ ଉତ୍ତର ଦେଲେ, ‘‘ଆପଣମାନଙ୍କ ଆଶୀର୍ବାଦରୁ ଏ ସାଧୁ ସେଥିରେ ନିତାନ୍ତ ଅପରିଚିତ ନୁହେ । ଆବଶ୍ୟକ ହେଲେ ଏ ହସ୍ତ ମଧ୍ୟ ତୁଲ୍ୟ ଯିବାପରେ ଶସ୍ତ୍ରଚାଳନା କରି ପରେ । ଆପଣ ନିଶ୍ଚିନ୍ତ ରୁହନ୍ତୁ । ବିବାହ-ନାରିକେଳ ପୁଗଳକୁ ଯଦି ପ୍ରେରିତ ହୁଏ, ତେବେ ସାଦରେ ଗୃହୀତ ହେବ ।” ଅବିଳମ୍ବେ ନାରିକେଳ ଯଥା–ବିଧାନରେ ପ୍ରେରିତ ହେଲା । ଯଥା ସମାରୋହରେ ବରଯାତ୍ରୀ ଦଳ ଔରନ୍ତି ନଗରରେ ଉପସ୍ଥିତ ହେଲେ । ଶୁଭଲଗ୍ନରେ ପରିଣୟକ୍ରିୟା ସମାପିତ ହେଲା । ଏ ବିବାହରେ ସାଧୁ ବିପୁଳ ଯୌତୁକ ପ୍ରାପ୍ତ ହେଇଥିଲେ । ବହୁମୂଲ୍ୟ ମଣିରତ୍ନ, ବିବିଧ ସୁବର୍ଣ୍ଣ ଓ ରଜଚ ପାତ୍ର, ଗୋଟିଏ ସୁବର୍ଣ୍ଣ ବୃଷଭ ଏବଂ ତ୍ରୟୋଦଶ ରାଜପୁତ ରମଣୀ ସହିତ ନବ ଦମ୍ପତି ମହାସାଗରରେ ପୁଗଳ ଯାତ୍ରା କଲେ ।

 

ଅରଣ୍ୟକମଳଙ୍କ ତରୁଣ ଅନୁରାଗ ପ୍ରଥମେ କର୍ମଦେବୀଙ୍କ ପ୍ରତି ଢଳିଥିଲା । ସେ ଭାବିଥିଲେ, ଉନ୍ନତ ରାଠୋରକୁଳ, ସମ୍ରାଟ-କ୍ଷମତାର ଆକର୍ଷଣ କମ ନୁହେ । ବିବାହନିର୍ବନ୍ଧରେ ସେ ପୁଣି ଦୃଢ଼ତର ହେଲା । ସୁନ୍ଦରୀଲଲାମଭୂତା କର୍ମଦେବୀଙ୍କୁ ନେଇ ନାନା ସୁଖସ୍ୱପ୍ନ ଦେଖି ବସିଲେ । ସାଧୁଙ୍କ ବିବାହସମ୍ବାଦରେ ହଠାତ୍‍ ସେ ସକଳ ସୁଖସ୍ୱପ୍ନ ଭାଜିଗଲା–କ୍ରୋଧ ଓ ଜିଘଂସାରେ ସେ ଉତ୍ତେଜିତ ହୋଇ ଉଠିଲେ । ଚାରି ସହସ୍ର ରାଠୋର ସୈନ୍ୟ ନେଇ ଅରଣ୍ୟକମଳ ଏ ଚାରୁ ଅବମାନନାର ସମୁଚିତ ପ୍ରତିଫଳ ଦେବାକୁ ସାଧୁଙ୍କ ପଥରୋଧ କରି ଦଣ୍ଡାୟମାନ ରହିଲେ । ଶ୍ୱଶୁର ସାଧୁଙ୍କ ସହିତ ଚାରି ସହସ୍ର ମୋଗଲସୈନ୍ୟ ପଠାଇବାକୁ ଇଚ୍ଛା କରିଥିଲେ, କିନ୍ତୁ ସାଧୁ ତାହା ଗ୍ରହଣ କଲେ ନାହିଁ । ସମଭିବ୍ୟାହାରୀ ସପ୍ତଶତ ଭଟ୍ଟି ସୈନ୍ୟ ଓ ନିଜର ପ୍ରଚଣ୍ଡ ଭୁଜବଳ ଉପରେ ସାଧୁଙ୍କର ପୂର୍ଣ୍ଣ ବିଶ୍ୱାସ । ନବ ପ୍ରଣୟିନୀଙ୍କ ଅତିଶୟ ଆଗ୍ରହରୁ ସେ କେବଳ ନିଜ ଶାଳକ ମେଘରାଜ ଓ ଚନ୍ଦ୍ରଧୀନ ପଞ୍ଚଶତ ସୈନିକଙ୍କୁ ମାତ୍ର ସଙ୍ଗରେ ଆସିବାକୁ ଅନୁମତି ଦେଇଥିଲେ ।

 

ଏହି ମୁଷ୍ଟିମୟସେନାଙ୍କ ସହିତ ଭଟ୍ଟି ବୀର ସାଧୁ ଚନ୍ଦନ ନାମକ ସ୍ଥାନରେ ଶାନ୍ତି ଦୂର କରୁଅଛନ୍ତି, ହଠାତ ପ୍ରବଳ ରାଠୋରବାହିନୀ ଘେନି ଉତ୍ତ୍ୟକ୍ତ ରାଜକୁମାର ସେଠାରେ ଦେଖା ଦେଲେ । ଦର୍ଶନ ମାତ୍ରକେ ସେ ପ୍ରତିହିତଙ୍କ ସହ ଦ୍ୱନ୍ଦଯୁଦ୍ଧର ଅଭିଳାସ ପ୍ରକାଶ କଲେ । ଏପରି ଅକସ୍ମାତ ବିପତପାତ ସାଧୁଙ୍କ ଜୀବନରେ ନୂତନ ନୁହେ । ସେ ତିଳେମାତ୍ର ବିଚଳିତ ହେଲେ ନାହିଁ । କ୍ଷଣକାଳ ବିଶ୍ରାମ ପରେ ଉଭୟ ପକ୍ଷ ରଣକ୍ଷେତ୍ରରେ ଅବତୀର୍ଣ୍ଣ ଦେଲେ । ସର୍ବପ୍ରଥମେ ଭଟ୍ଟ ବୀର ପାହୁ ଏବଂ ରାଠୋର ପକ୍ଷର ଚୋହାନବୀର ଘୋଟ ଦ୍ୱନ୍ଦଯୁଦ୍ଧପାଇଁ ପରସ୍ପରର ସମ୍ମୁଖୀନ ହେଲେ । ଉଭୟ ଅଶ୍ୱ ପରସ୍ପର ପ୍ରତିକୂଳରେ ନକ୍ଷତ୍ରବେଗରେ ଚାଳିତ ହେଲେ । ଉଭୟଙ୍କ ହସ୍ତରେ ଦୁଇଧାର ଶାଣିତ ଅସି । ଘାତ–ପ୍ରତିଘାତଜନିତ ଭୀମ ସଂଘର୍ଷରେ ଅଗ୍ନିସ୍ପୁଲିଙ୍ଗ ଉଦଗାର କରି କରି ଆସି ଯୁଗଳ ତଡିଲ୍ଲତା ପରି ଶୂନ୍ୟରେ କ୍ରୀଡ଼ା କରିବାକୁ ଲାଗିଲା । ଅରଣ୍ୟକମଳ ଓ ସାଧୁ ପାଶରେ ଦଣ୍ଡାୟମାନ ହୋଇ ସେ ଅଦ୍ଭୁତ ଦ୍ଵନ୍ଦଯୁକ୍ତ, ବିଚିତ୍ର ଶସ୍ତ୍ରଚାଳନା ପରିପାଟି ପ୍ରଶଂସାବ୍ୟଞ୍ଜୀ ପ୍ରଫୁଲ୍ଲ ବଦନରେ ଅବଲୋକନ କରୁଥିଲେ । କ୍ରମେ ଯୁଦ୍ଧ ଭୀଷଣରୁ ଭୀଷଣତର ହେବାକୁ ଲାଗିଲା । ହଠାତ ପାହୁ ଏକ ବିକଟ ଚିତ୍କାର କରି ଅଶ୍ୱସହ ଘୋଟ ଉପରେ ପ୍ରଚଣ୍ଡ ଲମ୍ଫ ପ୍ରଦାନ କଲା । ଦର୍ଶକବୃନ୍ଦ ବିମୋହିତ, ସ୍ତମ୍ଭିତ ହେଲେ । ଘୋଟ ଯେ ବେଗ ପ୍ରତିରୋଧ କରି ନ ପାରି ଅଶ୍ୱସହ ଭୂମିଶାୟୀ ହେଲା । ପାହୁର ପ୍ରଚଣ୍ଡ ଆସି ଆଘାତରେ କ୍ଷଣକେ ତାହାର ପ୍ରାଣବାୟୁ ଉଡ଼ିଗଲା । ପାହୁ ବର୍ତ୍ତମାନ ବିଜୟରେ ଉନ୍ନତ୍ତ, ସେହି ଶୋଣିତାକ୍ତ ଅସି ଧରି ଶତ୍ରୁ ପକ୍ଷରେ ନିଜର ଉପଯୁକ୍ତ ପ୍ରତିଦ୍ୱନ୍ଦୀ ଅନ୍ୱେଷଣ କରିବାକୁ ଲାଗିଲା । କ୍ରମେ ଏକରୁ ଦୁଇ, ଦୁଇରୁ ତିନି ରାଠୋର ବୀର ପାହୁଙ୍କ ସହ ଦ୍ଵନ୍ଦଯୁଦ୍ଧରେ ପତିତ ହେଲେ । କ୍ରମେ ବିପ୍ଳବ ଭୟଙ୍କର ହୋଇ ଉଠିଲା, ଦ୍ଵନ୍ଦଯୁଦ୍ଧରୁ ଦଳଯୁଦ୍ଧର ଆରମ୍ଭ ହେଲା ।

 

ବୃଥା ରକ୍ତପାତ ନିରୋଧ କରି ସାଧୁ ଓ ଅରଣ୍ୟକମଳ ପରସ୍ପର ଦ୍ଵନ୍ଦଯୁଦ୍ଧର ଅଭିଳାସ ପ୍ରକାଶ କଲେ । ନିଜର ଅଲୌକିକ ସୌନ୍ଦର୍ଯ୍ୟ ଚତୁର୍ଦ୍ଦିଗରେ ଖେଳାଇ ଦେଇ କର୍ମଦେବୀ, ଅଦୂରରେ ରଣାଭିନୟ ପର୍ଯ୍ୟବେକ୍ଷଣ କରୁଥିଲେ । ସାଧୁ ବିଦାୟ ନେବାପାଇଁ ନିକଟରେ ଆସି ଉପସ୍ଥିତ । ରଣ–ଆହ୍ୱାନ କ୍ଷତ୍ରିୟ ପ୍ରତି ସ୍ୱର୍ଗର ଆବାହନ, ବିରଙ୍ଗନା କର୍ମଦେବୀ ସେଥିରେ ବିମର୍ଷ ହେବେ କାହିଁକି ? ପ୍ରଶାନ୍ତ ଗମ୍ଭୀର ସ୍ୱରରେ ଦେବୀ ପ୍ରାଣପତିଙ୍କୁ ସମ୍ବୋଧନ କରି କହିଲେ- "ନାଥ, ଯାଆନ୍ତୁ, ଆପଣ କର୍ମ–କ୍ଷେତ୍ରରେ ଅବତୀର୍ଣ୍ଣ ହୁଅନ୍ତୁ । ମୁଁ ରଥ ଉପରୁ ଆପଣଙ୍କ ଯୁଦ୍ଧାଅଭିନୟ ଦର୍ଶନ କରିବି । ଆଉ, ଯଦି ଯୁଦ୍ଧରେ ଆପଣଙ୍କର ପତନ ହୁଏ, ତାହା ହେଲେ ସ୍ୱର୍ଗର ପଥରେ ମୁଁ ମଧ୍ୟ ଆପଣଙ୍କର ସାଥୀ ହୋଇ ଯିବି ।”

 

ଏହି ବୀରତ୍ୱଗର୍ଭକ ବାକ୍ୟରେ ସାଧୁଙ୍କ ହୃଦୟ ବହୁଗୁଣିତ ଉତ୍ସାହରେ ଉତ୍ତେଜିତ ହୋଇ ଉଠିଲା । ଭୀଷଣ ଉତ୍ତେଜନାରେ ସାଧୁ କ୍ଷଣକେ ଶତ୍ରୁସାଗର ମଧ୍ୟକୁ ଲମ୍ଫ ପ୍ରଦାନ କରି ଦ୍ଵନ୍ଦଯୁଦ୍ଧ ବିସ୍ମୃତ ହୋଇଗଲା । ଚାହୁଁ ଚାହୁଁ ସୁତୀକ୍ଷଣ ଶୂଳାଘାତରେ ଅସଂଖ୍ୟ ରାଠୋରସୈନ୍ୟ ଚତୁର୍ଦ୍ଦିଗରେ ଭୂପତିତ ହେବାକୁ ଲାଗିଲେ । ଉନ୍ମତ୍ତ ପରେ ଶତ୍ରୁ ମନ୍ଥନ କରୁ କରୁ ସାଧୁ ଅରଣ୍ୟ–କମଳଙ୍କ ସମ୍ମୁଖୀନ ହେଲେ । ଅରଣ୍ୟକମଳ ଜିଙ୍ଘାସା-ଅନଳରେ ପ୍ରଜ୍ଜ୍ଵଳିତ, ସାଧୁଙ୍କ ହୃଦୟ-ଶୋଣିତରେ ସେ ଜ୍ୱାଳା ନିବାରଣ କରିବାକୁ ଉଦଗ୍ରୀବ ହୋଇ ଚାହିଁ ବସିଥିଲେ । ରାଜଵୀରୋଚିତ୍ର ସଦାଚାରରେ କ୍ଷଣକାଳ ଅତୀତ ହେଲା । ପରକ୍ଷଣରେ ସାଧୁ ନିଜ ପ୍ରତିଦ୍ୱନ୍ଦୀର ଶିରୋଦେଶ ଲକ୍ଷ କରି ପ୍ରଚଣ୍ଡ ବେଗରେ ନିଜର ସାଣିତ ଅସି ଚଳାଇଲେ । ସୁଚତୁର ଅରଣ୍ୟକମଳ ସାମାନ୍ୟ ବୀର ନୁହନ୍ତି । ତତକ୍ଷଣାତ ତଡ଼ିତବେଗରେ ସେ ଆଘାତର ପ୍ରତିରୋଧ କରି ସାଧୁଙ୍କ ମସ୍ତକ ଦେଶରେ ତରବାରିର ଭୀମ ଆଘାତ କଲେ ସତ୍ୟ, କିନ୍ତୁ ନିଜକୁ ଅଶ୍ୱପୃଷ୍ଠରେ ସ୍ଥିର ରଖି ପାରିଲେ ନାହିଁ । ବଜ୍ରଭଗ୍ନ ମେରୁଶୃଂଙ୍ଗସଦୃଶ ଦୁହେଁ ଭୂତଳରେ ପତିତ ହେଲେ । ରାଠୋର–ବୀର କେବଳ ମୂର୍ଚ୍ଛିତ ହୋଇଥିଲେ, ସୁତରାଂ କେତେକ ସମୟ ପରେ ପୁନଃ ଚେତନା ଆସିଲା, କିନ୍ତୁ ନବପରିଣୀତ ଭଟ୍ଟୀବୀର ପ୍ରଣୟିନୀଙ୍କଠାରୁ ଶେଷ ବିଦାୟ ନେଇ ଯିବାକୁ ଆଉ ଉଠିପାରିଲେ ନାହିଁ । ପତନ ସଙ୍ଗେ ସଙ୍ଗେ ପ୍ରାଣବିହଙ୍ଗ ଦେହପିଞ୍ଜର ଛାଡ଼ି ଉଡ଼ିଗଲା ।

 

ବର୍ତ୍ତମାନ ସକଳ ଆଶା, ଆମୋଦ ଶେଷ ! ଜିଙ୍ଘାସା ତାର ନୃଶଂସ ଅଭିନୟ ଦେଖାଇଲା । କର୍ମଦେବୀ ମନେ କରିଥିଲେ, ଚିରଦିନ ପତି ସୋହାଗିନୀ ହୋଇ ପତିକ୍ରୋଡ଼ରେ କଟାଇବେ, ପତିସେବାରେ ପତିଗତପ୍ରାଣା ପରମ ପଦ ଦେଖିବେ; କ୍ଷଣକେ ସମସ୍ତ କଳ୍ପନା ଭାଙ୍ଗିଗଲା । ଆଉ ସେ ଲାବଣ୍ୟମୟୀର ଲାବଣ୍ୟ ନାହିଁ, ସେ ହାସ୍ୟମୟୀ ମୂର୍ତ୍ତିର ହାସ୍ୟଚ୍ଛଟା ବିଷାଦକାଳିମାରେ ଲୁଚିଗଲା । ଅରଣ୍ୟକମଳ ଯେଉଁ ଉଦାର ସୁନ୍ଦର ମୂର୍ତ୍ତି ହୃଦୟରେ ପ୍ରତିଷ୍ଠା କରି ଉନ୍ମତ୍ତ ହେଉଥିଲେ, ଯେଉଁ ସୌନ୍ଦର୍ଯ୍ୟ, ସୌକୁମାର୍ଯ୍ୟ ତରଙ୍ଗରେ ହୃଦୟର କାଳାନଳ ଜାଳି ଉଠିଲା, ସେହି ହାସ୍ୟମୟୀ ସରଳା ସୁକୁମାରୀମୂର୍ତ୍ତି ଆଉ କାହିଁ ? ଆହା କ୍ଷଣକେ ବୋଧବ୍ୟ ସକଳ ଗ୍ରାସ କରିଦେଲା; ଅସ୍ଫୁଟ କନିକା ପୂର୍ଣ୍ଣ ପ୍ରସ୍ଫୁଟିତ ନ ହେଉଣୁ ହଠାତ ଝଡ଼ି ପଡ଼ିଲା ।

 

କିନ୍ତୁ କର୍ମଦେବୀ ବିରାଙ୍ଗନା, ସେ ବି ନିଜେ ପ୍ରାଣପତିଙ୍କୁ ଯୁଦ୍ଧପାଇଁ ଉତ୍ତେଜିତ କରିଥିଲେ । ସତୀ ସତୀତ୍ୱ–ଜ୍ୟୋତିରେ ଦେଖି ପାରିଲେ, ପତି ଧର୍ମଯୁଦ୍ଧରେ ପ୍ରାଣ ଉତ୍ସର୍ଗ କରିଅଛନ୍ତି, ତାଙ୍କର ସ୍ୱର୍ଗପଥ ପରିଷ୍କୃତ; ସ୍ୱର୍ଗବିଦ୍ୟାଧାରୀ ପାରିଜାତମାଳା ନେଇ ତାଙ୍କର ଅଭ୍ୟର୍ଥନା ପାଇଁ ସ୍ୱର୍ଗଦ୍ୱାରରେ ଦଣ୍ଡାୟମାନ । ହଠାତ୍‍ ସେ ଶୋକ, ସେ ହୃଦୟବେଦନା ଅନେକ ପରିମାଣରେ ଅପସୃତ ହେଲା । ସ୍ୱର୍ଗୀୟ ବାସନାରେ ହୃଦୟ ବିସ୍ପାରିତ ହୋଇ ଉଠିଲା । ସେ ପତିଙ୍କ ଅନୁଗମନର ଆୟୋଜନ କରିବାକୁ ଲାଗିଲେ । ରଣଭୂମି ଆଲୋକିତ କରି ଚିତାନଳ ଜଳି ଉଠିଲା । ହଠାତ ଖଣ୍ଡିଏ ଅସି ଧାରଣ କରି ସଖି ଅମ୍ଳାନବଦନରେ ନିଜର ଗୋଟିଏ ହସ୍ତ ଛେଦନ କଲେ । ସହଚରୀ ଓ ସୈନିକବୃନ୍ଦ ଅଟଳ ଅଚଳ ଭାବରେ ସେ ଶୋଚନୀୟ ଦୃଶ୍ୟ ଦେଖୁଅଛନ୍ତି; କର୍ମଦେବୀ ସେହି ଛିନ୍ନ ବାହୁ ଗୋଟିଏ ସୈନିକ ହସ୍ତରେଦେଇ ଧୀର ଗମ୍ଭୀର ସ୍ୱରରେ କହିଲେ– ‘‘କହିବ, ମୋର ଶ୍ୱଶୁରଙ୍କ ପଦରେ ଶେଷ ପ୍ରଣାମ ଜଣାଇ କହିବ, ତାଙ୍କର ପୁତ୍ରବଧୂ ଏହିପରି ଥିଲେ ।” ତାହା ପରେ ଅପର ହସ୍ତ ବିସ୍ତୃତ କରି ପାର୍ଶ୍ୱବର୍ତ୍ତୀ ଜଣେ ସୈନିକକୁ ଆଦେଶ ଦେଲେ – ‘‘ଏ ହସ୍ତ ବର୍ତ୍ତମାନ ଛେଦନ କର ।’’ ବର୍ତ୍ତମାନ କର୍ମଦେବୀଙ୍କର ଅପୂର୍ବ ଜ୍ୟୋତିର୍ମୟୀ ମୂର୍ତ୍ତି, ଆକର୍ଣ୍ଣବିଶ୍ରାନ୍ତ ନୟନଯୁଗଳରୁ ଅଦ୍ଭୁତ ଜ୍ୟୋତି ଵିନିର୍ଗତ ହେଉଅଛି–ସୈନିକର ଅନୁଜ୍ଞାପାଳନରେ ବିଳମ୍ବ କରିବାକୁ ସାହସ ହେଲା ନାହିଁ । ଏକମାତ୍ର ଆଘାତରେ ସେହି ବାହୁଲତିକା ଛିନ୍ନ ହୋଇ ଭୂତଳରେ ପତିତ ହେଲା । ଦର୍ଶକବୃନ୍ଦ ଶୋକ ବିସ୍ମୟରେ ମର୍ମଭେଦୀ ଚିତ୍କାର କରି କାନ୍ଦି ଉଠିଲେ । କିନ୍ତୁ ଵୀରଙ୍ଗନାର ସେ ଅପୂର୍ବ ଜ୍ୟୋତିର୍ମୟୀ ବଦନକମଳରେ ବିଷାଦର କ୍ଷୀଣ ଛାୟା ମଧ୍ୟ ଦେଖା ଦେଲା ନାହିଁ । ସେହି ଛିନ୍ନ ଦ୍ୱିତୀୟ ବାହୁ ମହିଳ–କୁଳର ଭଟକବିଙ୍କ ପାଇଁ ପ୍ରେରିତ ହେଲା । ତତପରେ ଥରେ ସଙ୍ଗିନୀମାନଙ୍କୁ ସହାସ ବଦନରେ ନିରୀକ୍ଷଣ କରି ପତିଙ୍କର ଜ୍ୱଳନ୍ତ ଚିତାରେ ପ୍ରବେଶ କଲେ । ଚାହୁଁ ଚାହୁଁ ଅଗ୍ନିଶିଖା ସେ ସ୍ୱର୍ଗୀୟ ହାସ୍ୟ ଘୋଡ଼ାଇ ପକାଇଲା–ସେ ଛିନ୍ନହସ୍ତା ମୂର୍ତ୍ତି ଲୁଚିଗଲା । ଅରଣ୍ୟକମଳ ଯୁଦ୍ଧରେ ଜୟ ଲାଭ କଲେ ସତ୍ୟ, କିନ୍ତୁ ସେ ଆମୋଦ ଉପଭୋଗ କରିବାକୁ ଆଉ ସମୟ ମିଳିଲା ନାହିଁ । ଯୁଦ୍ଧରେ ଯେ ଭୀଷଣ କ୍ଷତି ହୋଇଥିଲା–ସତୀର ମର୍ମବେଦନାରେ, ଅଭିଶାପରେ ଆଉ ସେ କ୍ଷତି ଆରୋଗ୍ୟ ଲିଭିଲା ନାହିଁ । ଅରଣ୍ୟକମଳ ଅଚିରେ ନିଜର ପ୍ରତିହିଂସା–ଅନଳରେ ନିଜେ ଦଗଧ ହେଲେ ।

Image

 

ଯୁଦ୍ଧଯାଗ

 

ମନୋହର ଶରତ ସମୟ । ସୂର୍ଯ୍ୟ ଅଳ୍ପକ୍ଷଣ ହେଲା ଅସ୍ତ ହୋଇ ଅଛନ୍ତି । ପଶ୍ଚିମାକାଶରେ ରକ୍ତପାଟଳର ବିଚିତ୍ର କ୍ରୀଡ଼ା ଶେଷ ହୋଇ ନାହିଁ । ମେଘବିମୁକ୍ତ ଅନନ୍ତ ଆକାଶ ଦେଶରେ ଦୁଇ ଚାରିଗୋଟି ମାତ୍ର ତାରକା ଉଦିତ ହୋଇ ତିଗିରିଆର ଶ୍ୟାମଳ ଅରଣ୍ୟାନି ମଧ୍ୟରେ ଶୋରଣ୍ଡାର ବିଚିତ୍ର ଦୃଶ୍ୟ ଅଵଲୋକନ କରୁଅଛନ୍ତି । ହଠାତ ରାଜାଙ୍କର ଦ୍ୱିତଳ ସଭାଗୃହ ଆଲୋକିତ କରି ଉଜ୍ଜ୍ୱଳ ଆଲୋକମାଳା ପରିଶୋଭିତ ହେବାକୁ ଲାଗିଲା । ସେ ଆଲୋକମାଳାର ସମ୍ମିଳିତ ସମୁଜ୍ୱଳ ଜ୍ୟୋତି ପ୍ରଶସ୍ତ ବାତାୟନ ପଥରେ ନିସ୍କୃତ ହୋଇ ଚତୁର୍ଦ୍ଦିଗର ଶ୍ୟାମଳ ଶୋଭାକୁ ବିଚିତ୍ର ଓ ସବଳିତ କରି ପକାଇଲା । ରାଜା ଧନୁର୍ଦ୍ଧର ଚମ୍ପତି ସିଂହ ବର୍ତ୍ତମାନ ବୟସାଧିକ୍ୟର ପ୍ରାପ୍ତବୟସ୍କ ପୁତ୍ର ମଦନମୋହନକୁ ରାଜ୍ୟଭାର ଦେଇ ନିଜେ କେତେକ ବର୍ଷ ହେଲା ସନ୍ନ୍ୟାସ ଅବଲମ୍ବନ କରି ଅଛନ୍ତି । ତେବେ ପୁରାଣ ବର୍ଣ୍ଣିତ ହିନ୍ଦୁ ରାଜାଙ୍କ ପରି ତାଙ୍କୁ ଗୃହତ୍ୟାଗ କରିବାକୁ ପଡ଼ି ନାହିଁ; ଗୃହରେ ରହି ପୂର୍ଣ୍ଣ ବୈରାଗ୍ୟ । ଧନୁର୍ଦ୍ଧରଙ୍କର ଶୁଦ୍ଧ ନିଷ୍ଠାପୂତ ଧର୍ମମୟ ସଂଯତ ଜୀବନ ଅଵଲୋକନକରି ଧର୍ମପରାୟଣ ପବିତ୍ର ବ୍ରାହ୍ମଣମଣ୍ଡଳୀ ମଧ୍ୟ ବିସ୍ମିତ ହୁଅନ୍ତି । ରାତିର ଶେଷ ପହରରୁ ସ୍ନାନ ଉପାସନା ନିତ୍ୟକର୍ମ, ଭୋଜନରେ କଠୋର ସଂଯମ, ସେଥିରେ ପୁଣି ସ୍ଵହସ୍ତପାନ ! ଲୋକେ କହନ୍ତି, ଧନୁର୍ଦ୍ଧର ପୂର୍ବ ଜନ୍ମରେ ଜନକ ଥିଲେ । ରାଜୟିକ ଶାସନ ବ୍ୟାପାରରୁ ସମ୍ପୂର୍ଣ୍ଣ ବିରତ ଥିଲେ ମଧ୍ୟ ବୃଦ୍ଧ ସମୟେ ସମୟେ ରାଜସଭାକୁ ଆସି ପୁତ୍ରକୁ ରାଜ୍ୟଶାସନ, ପ୍ରଜାମଣ୍ଡଳୀଙ୍କର ହାନି ଲାଭ ବିଷୟରେ ନାନା ଉପଦେଶ ଦେଇ ଯାଆନ୍ତି । ଏ ଉପଲକ୍ଷରେ ସଭାର ଆଡ଼ମ୍ବର ସାଧାରଣତଃ ଟିକିଏ ବଢ଼ିଥାଏ । ଆଜି ସେହିପରି ଗୋଟିଏ ବିଶେଷ ଦିନ । ସଭାଗୃହଟିର ସାଜସଜ୍ଜା ଅନ୍ୟାନ୍ୟ ଦିନ ଅପେକ୍ଷା ଟିକିଏ ବଢ଼ିଅଛି । ରାଜ୍ୟର ପଣ୍ଡିତ, ଉପଦେଷ୍ଟା, ପାତ୍ର, ଅମାତ୍ତ୍ୟ, ସମସ୍ତେ ଆସି ଏକତ୍ର ହୋଇଅଛନ୍ତି । ସମସ୍ତଙ୍କ ସମ୍ମୁଖରେ ରାଜା ମଦନମୋହନ ବହୁମୂଲ୍ୟ ରାଜାସନରେ ବସିଅଛନ୍ତି । ନିକଟରେ ବୃଦ୍ଧ ଧନୁର୍ଦ୍ଧର ଗୋଟିଏ ସମ ଆସନରେ ଆସୀନ ।

 

ଧନୁର୍ଦ୍ଧର ଦେଖିବାକୁ ବିଶାଳକାୟ । ପ୍ରଶସ୍ତ ଲଲାଟ ଓ ତୁଷାରଗୌର ବଦନମଣ୍ଡଳରେ ପ୍ରସନ୍ନ ସ୍ୱର୍ଗୀୟ ଆଭା ଖେଳି ଯାଉଅଛି । ଗଳାରେ ରୁଦ୍ରାକ୍ଷମାଳା ବକ୍ଷ ଓ ସ୍କନ୍ଧଦେଶ ଆବୃତ୍ତ କରି ଖଣ୍ଡିଏ ନାମାବଳୀ ଶୋଭା ପାଉଅଛି । ହସ୍ତଧୃତ ଗୋମୁଖୀରେ ଗୋଟିଏ ଜପମାଳା । ଖଣ୍ଡିଏ ସୁନ୍ଦର କଷାୟ ବପୁରେ ବକ୍ଷଠାରୁ ପାଦ ପର୍ଯ୍ୟନ୍ତ ଅର୍ଦ୍ଧ ଶରୀର ଆବୃତ । ପଦତଳେ ଦୁଇଗୋଟି କାଷ୍ଠପାଦୁକା । ଅବିନ୍ୟସ୍ତ ଶୁକ୍ଳ କେଶଗୁଚ୍ଛ ଗୌର ବଦନମଣ୍ଡଳରେ ମିଶିଗଲା ପରି ଜଣାଯାଏ । ସୁସ୍ଥ ସବଳ ପେଶୀମୟ ଶିରାଳ ଶରୀର ଦେଖିଲେ ବୋଧହୁଏ, ବୟସ ୫୦|୬୦ ମଧ୍ୟରେ, କିନ୍ତୁ ପ୍ରକୃତ ବୟସ ୮୦ ରୁ ବଳି ଗଲାଣି । ପବିତ୍ର ବେଶଭୂଷା ମଧ୍ୟ ଦେଇ ଅନ୍ତରର ପବିତ୍ରତା ଯେପରି ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେଉଅଛି । ବାଚସ୍ପତି, ପାତ୍ର, ବିଦ୍ୟାଭୂଷଣ, ନ୍ୟାୟରତ୍ନ, ବିଦ୍ୟାବିନୋଦ, କବିଚନ୍ଦ୍ର, ପ୍ରଭୃତି ସଭାପଣ୍ଡିତମାନେ ପ୍ରସନ୍ନ ମନରେ ଧନୁର୍ଦ୍ଧରଙ୍କର ଆପାଦମସ୍ତକ ନିରୀକ୍ଷଣ କରୁଅଛନ୍ତି । ହଠାତ ଧନୁର୍ଦ୍ଧର କହିଲେ–

 

"ଶୁଣୁଛ ସେଦିନ ବାଙ୍କୀରାଜପୁତ୍ର ପ୍ରତାପ କେତେକ ଜଣ ଅନୁଚରଙ୍କ ସହ ରାଜ୍ୟର ସୀମା ଠିକ କରିବାକୁ ଆସିଥିଲା । ସେମାନେ ପୁଣି ଆମର ଆଇଁସପା ପାଟଟା ବାଙ୍କି ରାଜ୍ୟର ଅନ୍ତର୍ଭୁକ୍ତ କରିଅଛନ୍ତି । ଆଉ ହବ ନାହିଁ, ହବନାହିଁ, ଟିକିଏ ଭୟଭ୍ରାନ୍ତି ନାହିଁ, ଟିକିଏ ସମ୍ମାନବୋଧ ବା ଖାତିର ନାହିଁ । ଓଃ କି ସାହାସ ! ବୁଢ଼ା ବସି ଥାଉଁ ଥାଉଁ ତ ଏପରି, ୟା ପରେ ପୁଣି କଣ ନ ହେବ ।”

 

ମଦନମୋହନ–ମୋ ମନକୁ ବି ଆସିଛି । ତେବେ ଖାଲି ପାଟ ଖଣ୍ଡେ ନେଇ ଗୋଳମାଳଟା ମୋତେ ଭଲ ଲାଗୁ ନାହିଁ । ବୃଥା ଯୁଦ୍ଧ, ବହୁ ରକ୍ତପାତ, ରାଜ୍ୟରେ ଅଶାନ୍ତି । ଯୁଦ୍ଧରେ ଜିଣିଲେ ବିଶେଷ ଲାଭ ବା କଣ ? ଦେଖାଯାଉ, କେଉଁଆଡ଼ ପାଣି କେଉଁଆଡ଼କୁ ଯାଉଛି ।

 

ଧନୁର୍ଦ୍ଧର–ଦେଖ, କି ସୁନ୍ଦର ଯୁକ୍ତି । ବିନା ଯୁଦ୍ଧରେ ସୂଚ୍ୟଗ୍ରେ–ପରିମିତ ସ୍ଥାନ ଛାଡ଼ି ନ ଦେବା ଯେଉଁ କ୍ଷତ୍ରିୟର ପଣ, ଏ ସେହି କ୍ଷତ୍ରିୟ ! କିରେ, ନଈ ହେଉ, ନାଳ ହେଉ, ପର୍ବତ ହେଉ, ସବୁଜ କ୍ଷେତ୍ର । କ୍ଷେତ୍ର ଉଦ୍ଧାର କରି କି ପାରିଲେ କ୍ଷତ୍ରିୟ ନାମ ବୃଥା । ରାଜ୍ୟ ରକ୍ଷା କରିବା ରାଜାର କର୍ତ୍ତବ୍ୟ । ରାଜା ରାଜ ଧର୍ମ ତ୍ୟାଗକଲେ ଦେଶସାରା ପାପ ଅତ୍ୟାଚାର ବ୍ୟାପିଯିବ । ରାଜ୍ୟର ଅଙ୍ଗଚ୍ଛେଦ ସାମାନ୍ୟ କଥା ନୁହେଁ ।

 

ମଦନମୋହନ–ତେବେ ଆପଣଙ୍କ ପରାମର୍ଶ ?

 

ଧନୁର୍ଦ୍ଧର–ପରାମର୍ଶ, ଯୁଦ୍ଧ, ପ୍ରାଣପ୍ରଣେ ଯୁଦ୍ଧ କରିବାକୁ ହେବ । ଆମ୍ଭର ସୈନ୍ୟ ସାମନ୍ତମାନେ କଦାପି ଦୁର୍ବଳ ହସ୍ତରେ ଶସ୍ତ୍ର ଧାରଣ କରନ୍ତି ନାହିଁ । ଯୁଦ୍ଧବେଳେ ଜଣେ ଗୋଟିଏ ଗୋଟିଏ ସିଂହ । ପ୍ରାଣ ଯାଉ, ମାନ ଥାଉ ଦେଶ ସକାଶେ ପ୍ରାଣଦାନରେ ଯେ କ୍ଷତ୍ରିୟର ମୁକ୍ତି, ସ୍ୱର୍ଗଲାଭ । ଆଳସ୍ୟ, ବିଳାସରେ ପଡ଼ି କ୍ଷତ୍ରିୟ କି ଏ ଅମର ନୀତି ବିସ୍ମୃତ ହୋଇଯିବ ? ତେବେ ଦେଶର ଉନ୍ନତି, ଆତ୍ମାର କଲ୍ୟାଣ ଆଉ କେଉଁଠାରେ ?

 

ଭୋଗବିଳାସପ୍ରିୟ ମଦନମୋହନଙ୍କୁ କ୍ଷତ୍ରିୟର ଏ ନିର୍ମମ ରାଜନୀତି ସୁଖ ଲାଗିଲା ନାହିଁ । ବୃଦ୍ଧ ପିତାଙ୍କର ଧର୍ମପୂତ ମହାର୍ଘ ଉପଦେଶକୁ ଅବହେଳାକରି ସେ କହିଲେ–" ଏ ନିତିଫିତିଗୁଡ଼ାକ ବର୍ତ୍ତମାନ ଛାଡ଼ନ୍ତୁ । ଏଗୁଡ଼ାକ ମୋ ପିଲା ମୁଣ୍ଡରେ ପଶୁନାହିଁ । ଏ ନୀତି ବୁଝିବାକୁ ମସ୍ତିଷ୍କ ପରିପକ୍ୱ ହେବା ଦରକାର–ମସ୍ତକର କୃଷ୍ଣ କେଶ ଶୁକ୍ଳ କରିବାକୁ ହେବ । ମୋ ପିଲା କଥା ଶୁଣନ୍ତୁ । ବାଙ୍କିସଙ୍ଗେ ବର୍ତ୍ତମାନ ବୃଥା ଯୁଦ୍ଧ କରି ସୈନ୍ୟ ସାମନ୍ତ ନାଶ କରିବା କଦାପି ଉଚିତ ନୁହେ-। ଅନ୍ୟ ପକ୍ଷରେ ସୈନ୍ୟମାନେ ମଧ୍ୟ ଏପରି ଅବସ୍ଥାରେ ନାହାନ୍ତି ଯେ, ହଠାତ ଯାଇ ଯୁଦ୍ଧକରି ପାରିବେ । ଅଭିରାମ ସାମନ୍ତ ବହୁ ଦିନରୁ ରୋଗପୀଡ଼ିତ; ସରଦାର ବେହେରା ସେ ଦିନ ମହାବଳ ସଙ୍ଗେ ଖେଳିବାକୁ ଯାଇ କ୍ଷତ ବିକ୍ଷତ ହୋଇ ପଡ଼ିଅଛି । ଆଉ ବଡ଼ ବଡ଼ ସାମନ୍ତ ସେନାପତି ସେପରି କେହି ନାହାନ୍ତି ଯେ, ସେମାନଙ୍କର ସ୍ଥାନ ପୂର୍ଣ୍ଣ କରି ପାରିବେ ।”

 

ଧନୁର୍ଦ୍ଧର–ତେବେ କଣ ତିଗିରିଆ ଆଜି ବୀର ଶୂନ୍ୟ ! ବୃଦ୍ଧ ଦେଖି ତାଚ୍ଛଲ୍ୟ ପ୍ରକାଶ ! ବୃଦ୍ଧ ସତ, ଅଙ୍ଗ ପ୍ରତ୍ୟେଙ୍ଗ କିନ୍ତୁ ଏପର୍ଯ୍ୟନ୍ତ ଶିଥିଳ ନୁହେ । ଅର୍ଦ୍ଧଶତ ବର୍ଷର ବ୍ୟବହାରରେ ଏବେ ମଧ୍ୟ ଵଜ୍ରସମ କଠୋର ଶକ୍ତି ଏ ଦେହରେ ବର୍ତ୍ତମାନ ଅଛି । ତେବେ ଭାବୁଥିଲି, ବୈରାଗ୍ୟ ମଧ୍ୟରେ ଆଉ ରାଜକୀୟ ଯୁଦ୍ଧ ବିଗ୍ରହ କାହିଁକି ? ମୁଁ ବଞ୍ଚି ଥାଉଁ ଥାଉଁ କଦାପି ଏପରି ରାଜ୍ୟନାଶ ସହି ପାରିବି ନାହିଁ । ଯେ ସମୟରେ ହେଉ ଯୁଦ୍ଧ କ୍ଷତ୍ରିୟର ଭୂଷଣ । ବହୁ ଦିନରୁ କଳ୍ପନା ଥିଲା, ଯୁଦ୍ଧଯାଗ କରନ୍ତି । ଈଶ୍ୱରଙ୍କ କୃପାରୁ ସେ ସୁଯୋଗ ଆସି ଯୁଟିଅଛି । ଛାଡ଼ିଦେଲେ ଆଉ ଘଟିବାର ସମ୍ଭବ ନାହିଁ । ଯେପରି ସମୟ ଆସୁଅଛି, ଯୁଦ୍ଧ ଉତ୍କଳରୁ ଲୋପ ପାଇଯିବ, ଭୋଗବିଳାସରେ ଉତ୍କଳର ରାଜକୁଳ ବିଧ୍ୱସ୍ତ ହୋଇଯିବେ । ଯୁଦ୍ଧକଥା ଦୂରେ ଥାଉ, ଯୁଦ୍ଧର ନାମ ଶ୍ରବଣରେ କ୍ଷତ୍ରିୟ ରାଜାମାନେ ଆତଙ୍କ ଗଣିବେ । ଧନୁର୍ଦ୍ଧର ପ୍ରତି ଆଉ ଅଧିକ ଦିନ ବଞ୍ଚି ରହିବା ଅମଙ୍ଗଳକର । ଏହିକ୍ଷଣି ବାଙ୍କି ରାଜାଙ୍କ ପାଖକୁ ପତ୍ର ଲେଖାଯାଉ–ଯଦି ପାଟ ନେବାର କଥା, ତେବେ ନିକଟବର୍ତ୍ତୀ ଦଶହରା ଦିନ ସୈନ୍ୟ ସାମନ୍ତ ନେଇ ସେଠାରେ ଉପସ୍ଥିତ ହୁଅନ୍ତୁ । ଶକ୍ତି ଥିଲେ ଛଡ଼ାଇ ନେବାକୁ ହେବ । ଆଉ ମୁଁ ନିଜେ ସୈନ୍ୟସାମନ୍ତ କିଛି ଆବଶ୍ୟକ କରେ ନାହିଁ । ଯୁଦ୍ଧପାଗରେ ବା ଦଳ ବଳର ଆବଶ୍ୟକତା କଣ ଅଛି ?

 

ଧନୁର୍ଦ୍ଧରଙ୍କର ଏ ବୀରବାଣୀରେ କି ଉନ୍ମାଦନା ଥିଲା କେଜାଣି; ସମସ୍ତ ସଭାସଦ ନିର୍ବାକ, ନିସ୍ପଦ ହୋଇ ଧନୁର୍ଦ୍ଧରଙ୍କୁ କେବଳ ଚାହିଁ ରହିଲେ । ମଦନମୋହନ ଆଉ ବାକ୍ୟ ଉଚ୍ଚାରଣ କରିବାକୁ ସାହସ କଲେ ନାହିଁ । ବାଙ୍କି ରାଜାଙ୍କ ନିକଟକୁ ଉପରିକଥିତ ମର୍ମରେ ପତ୍ର ଲେଖାଯାଇ ସେ ଦିନର ସଭା ଭଙ୍ଗ ହେଲା ।

 

"ଯୁଦ୍ଧଯାଗ" ଏହି କଥାଟି ପାଠକଙ୍କୁ ଟିକିଏ ଅବୋଧ୍ୟ ହୋଇପାରେ । ଏହା ଉତ୍କଳୀୟ ରାଜମଣ୍ଡଳୀର ଗୋଟିଏ ଧର୍ମାନୁଷ୍ଠାନ । ବୟସାଧିକ୍ୟରୁ ଶିଥିଳଶକ୍ତି ହୋଇ ଭାରତର କ୍ଷତ୍ରିୟ ରାଜାମାନେ ବାନପ୍ରସ୍ଥ ଅବଲମ୍ବନରେ ମୁକ୍ତି ଅନ୍ୱେଷଣ କରିଥାନ୍ତି । କିନ୍ତୁ ଉତ୍କଳରେ ବାନପ୍ରସ୍ଥ ଅତି ବିରଳ । ଏହି ଯୁଦ୍ଧଯାଗ ବାନପ୍ରସ୍ଥର ସ୍ଥାନ ଅଧିକାର କରି ଉତ୍କଳରେ ଅଧିକତର ସମ୍ମାନ ଓ ଆଦର ପାଇ ଆସୁଥିଲା । ଶତ୍ରୁ ଦଳନ କରୁ କରୁ ଏକାକୀ ଶତାଧିକ ଶତ୍ରୁ ବିନାଶ କରିବା ପରେ ମୃତ୍ୟୁ ହେଲେ ଯାଗଲାଭ ହୁଏ । ଏ ଅନୁଷ୍ଠାନ ବଳଗତ ନୁହେ, ବ୍ୟକ୍ତିଗତ । ସମର କ୍ଷେତ୍ରକୁ ଏକାକୀ ଦଳବଳଶୂନ୍ୟ ହୋଇ ଯିବାକୁ ହୁଏ; କେତେକ ଜଣ ସଙ୍ଗୀ ବା ଅନୁଚର ମାତ୍ର ସଙ୍ଗରେ ଯାଇ ପାରନ୍ତି । ପୂର୍ବରୁ ଯେପରି ତୀର୍ଥଯାତ୍ରା, ଗୟା ଯାତ୍ରା ପ୍ରଭୃତି କେତେଗୁଡ଼ିଏ ଧର୍ମାନୁଷ୍ଠାନର ବିଧାନ ଅଛି, ଏଥିରେ ମଧ୍ୟ ସେଗୁଡ଼ିକ ଟିକିଏ ବିଶେଷଭାବରେ । ପରଲୋକଗତ ପିତୃପିତାମହ ଓ ଗୁରୁଜନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ହୋମ, ବ୍ରାହ୍ମଣଭୋଜନ, ଦରିଦ୍ରକୁ ଅନ୍ନଦାନପ୍ରଭୃତି ଯାହାପୂର୍ବରୁ ଅନୁଷ୍ଠିତ ହୁଏ । ଏହିପରି ରାଜୟିକ ସମାରିକତାରେ ପୂର୍ଣ୍ଣ ସାତ୍ତ୍ୱିକତା ଉତ୍କଳୀୟ ବୀରତ୍ୱରେ ମିଶି ଯାଇଥିବାର ଦେଖାଯାଏ । ଯୁଦ୍ଧର ଉଦ୍ଦେଶ୍ୟ ସ୍ଵର୍ଗରେ ଅନନ୍ତ କାଳ ରାଜୟୀକ ସୁଖଭୋଗ ନୁହେଁ; ଉତ୍କଳୀୟର ବିଶ୍ୱାସ, ମୁକ୍ତି ଆତ୍ମାର ଚରମ ପରିତୃପ୍ତି । ସ୍ୱାଧୀନତା ସଙ୍ଗେ ଏହିପରି ଯୁଦ୍ଧ–ଯାଗ ଉତ୍କଳରୁ ଏକାବେଳକେ ଅନ୍ତର୍ହିତ ହୋଇଅଛି ।

 

ଦେଖୁ ଦେଖୁ ଦଶହରା ନିକଟବର୍ତ୍ତୀ ହୋଇ ଆସିଲା । ପୂଜାର ଆନନ୍ଦମୟ ଉତ୍ସବରେ ବାଙ୍କି ପୁରୀ ଉଛୁଳି ଉଠିଲା । ଏ ବର୍ଷ ପୂଜାର ସମାରୋହ ଟିକିଏ ବଢ଼ିଗଲା । ବ୍ୟଷ୍ଟି ସମଷ୍ଟି ଭାବରେ ସମସ୍ତ ପୁରବାସୀ ଶକ୍ତିମୟୀଙ୍କ ଆରାଧନା କରି ପ୍ରାଣରେ ଶକ୍ତିର ଉଦ୍‍ବୋଧନ ଏବଂ କର୍ମରେ ସିଦ୍ଧି ଭିକ୍ଷା କଲେ । ଛାଗ, ମେଷଠାରୁ ଆରମ୍ଭ କରି ମହିଷୀ ପର୍ଯ୍ୟନ୍ତ ଶତ ପଶୁ ବଳିରୂପେ ଅର୍ପିତ ହେଲେ । ବାଙ୍କି ବଳି–ପିଶୁନରେ କରାଳ ରକ୍ତମୟୀ ମୂର୍ତ୍ତି ଧାରଣ କଲା । ଧୂପ ଦୀପ ନୈବେଦ୍ୟର ମହାଘଟାରେ ଚତୁର୍ଦ୍ଦିଗ ପୂରିଗଲା । କର୍ମର କି ଜୀବନ୍ତ ଆଵାହନରେ ଶତପ୍ରାଣ, ସହସ୍ର ପ୍ରାଣ ଉଦ୍‍ବେଳିତ ହୋଇ ଉଠିଲା । ପୂଜାର ଏହି ଆନନ୍ଦୋତ୍ସବ ମଧ୍ୟରେ ଯୁଦ୍ଧଯାତ୍ରାର ଭୀଷଣ ଆୟୋଜନ ପୁଣି ଏକପ୍ରକାର ବିଭୀଷିକା ଆଣି ଢାଳି ଦେଲା । ସାମନ୍ତ, ସେନାପତି, ସୈନିକ ସମସ୍ତେ ଆଜି ଅଭୟବରଦାୟିନୀ ମାଙ୍କ ପୂଜାରେ ତନ୍ମୟ ।

 

ପ୍ରତାପ ଶ୍ରୀଚନ୍ଦନ ସେନାପତି ହୋଇଯିବେ । ପ୍ରତାପ ଦେଖିବାକୁ ପ୍ରତାପର ପ୍ରତିମୂର୍ତ୍ତି । ସୁଗୋଲ ପ୍ରଶସ୍ତ ମୁଖମଣ୍ଡଳରେ ବୀରତ୍ୱର ଅପୂର୍ବ ଆଭା ବିକଶି ଉଠୁଅଛି । ବିଶାଳ ବକ୍ଷ, ପେଷିଯୁକ୍ତ ଦୀର୍ଘବାହୁ, ଶିରାଳ ଦୂତପଦ ସମସ୍ତ ଯେପରି ଶକ୍ତିରେ ଉଜ୍ଜୀବିତ । ବୟସ ୨୦ର ଏପାଖ । ତରୁଣ ଯୌବନରେ ତରୁଣ କୃଷ୍ଣ ଶ୍ମଶ୍ରୁ ପୂର୍ଣ୍ଣ ବିକଶିତ ହେବାକୁ ସମୟ ପାଇ ନାହିଁ । ଯୌବନର ଉଦ୍ଦାମ ଉତ୍ସାହ, ଜ୍ୱଳନ୍ତ ସାହସ ନିକଟରେ କାର୍ଯ୍ୟର ଫଳାଫଳ, ହାନିଲାଭର ବିଚାର ରହି ନ ପାରେ । କର୍ମର ଆଜି କି ଜୀବନ୍ତ ପ୍ରରୋଚନାରେ ପ୍ରତାପଙ୍କ ଶିରାପ୍ରଶିରା ଦେଇ ଆପାଦମସ୍ତକ ବିଦ୍ୟୁତ ଖେଳି ଯାଉଅଛି । ପ୍ରତାପ ଧୈର୍ଯ୍ୟଶୀଳ, ଅଥଚ ଚଞ୍ଚଳ; ସାହସିକ କିନ୍ତୁ ପରିଣାମଦର୍ଶୀ । ଆଜି ଗୃହେ ଗୃହେ ପ୍ରତାପ ଉନ୍ମାଦନା ତାନ ଦେଇଅଛନ୍ତି; କେଉଁଠାରେ ସୈନ୍ୟସାମନ୍ତ ଖଣ୍ଡା ତଲୁଆର ଓ ବନ୍ଧୁକ ପ୍ରଭୃତି ଯୁଦ୍ଧୋପକରଣ ପରୀକ୍ଷା ଓ ପରିମାର୍ଜିତ କରୁଅଛନ୍ତି; ହଠାତ ପ୍ରତାପ ସ୍ୱରିତ ଗତିରେ ଆସି ସେଠାରେ ଉପସ୍ଥିତ । ଜାଗା, ଆଖଡ଼ା ମଣ୍ଡପ ଘାଟବାଟ ସର୍ବତ୍ର ଆଜି ପ୍ରତାପ । ବାଙ୍କିରେ ଏପରି ସ୍ଥାନ ନାହିଁ, ତାହା ଆଜି ପ୍ରତାପଙ୍କ ଜ୍ୱଳନ୍ତ ଉତ୍ସାହ ନପାଇ ଭୟଭୀତ ଓ ମ୍ରିୟମାଣ ।

 

ତିଗିରିଆର ଦୃଶ୍ୟ କିନ୍ତୁ ଅନ୍ୟ ରକମର । ସେଠାରେ ଏ ସବୁର କ୍ଷୀଣ ଆଭା ମଧ୍ୟ ନାହିଁ-। ସମସ୍ତେ ପୂଜାର ଉତ୍ସବମୟ ସୁଖଶଯ୍ୟାରେ ଶାୟିତ । ଆମୋଦପ୍ରମୋଦର ସ୍ୱାଭାବିକ ଘଟାରେ କିଛି ପରିବର୍ତ୍ତନ ଥିଲାପରି ଦେଖା ଯାଉନାହିଁ । ସୈନ୍ୟ ସାମନ୍ତ ଆୟୋଜନ କଥା ଛାଡ଼, କାହାରି ପ୍ରାଣରେ ଉଦ୍‍ବେଗର ଚିହ୍ନ ସୁଦ୍ଧା ନାହିଁ । ବାଙ୍କିର ସେ ଉତ୍ତେଜନା, ସେ ଉଦ୍ଦାମ ଉତ୍ସାହ ବା କାହୁଁ ଆସିବ ? ସେଥିରେ ପୁଣି ବୃଦ୍ଧ ଧନୁର୍ଦ୍ଧର ତିନି ଦିନ ହେଲା ନିରୁଦ୍ଦେଶ୍ୟ । ବୃଦ୍ଧ ତେବେ କଣ ଭୟଭୀତ ହୋଇ ଆତ୍ମଗୋପନ କରୁଅଛନ୍ତି ? ନିସ୍ପୃହ ନିବୃତ୍ତକାମ ଧନୁର୍ଦ୍ଧର ଛାର ପ୍ରାଣଲୋଭରେ କ୍ଷତ୍ରିୟ ଧର୍ମ କଣ ବିସ୍ମୃତ ହେଲେ ? ତାହା କି ହୋଇପାରେ ? ଧନୁର୍ଦ୍ଧରଙ୍କର ପ୍ରାଣ ବଜ୍ରରେ ନିର୍ମିତ-। ପ୍ରାଣର ଆଶଙ୍କାରେ ବା ସିଦ୍ଧିରେ ସନ୍ଧିହାନି ହୋଇ କର୍ତ୍ତବ୍ୟଭ୍ରଷ୍ଟ ହେବ ଧନୁର୍ଦ୍ଧରଙ୍କୁ ସମ୍ପୂର୍ଣ୍ଣ ଅଜ୍ଞାତ-। ଫଳାଫଳ ଈଶ୍ୱରଙ୍କଠାରେ ଅର୍ପଣ କରି ଅନନ୍ତ କର୍ମ ପରମ୍ପରା ମଧ୍ୟରେ ପୂର୍ଣ୍ଣ ସରସତା ଉପଭୋଗ କରିବା ତାଙ୍କର ପ୍ରକୃତି । ତେବେ କାହାନ୍ତି ଧନୁର୍ଦ୍ଧର ? କର୍ମମୟ ଜୀବନର ଚରମ ପରୀକ୍ଷା ଯେ ନିକଟବର୍ତ୍ତୀ ହୋଇ ଆସିଲା ଏ ବିଷମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଧନୁର୍ଦ୍ଧରଙ୍କର ସମ୍ବଳ, ଆୟୋଜନ ଅଛି ତ ?

 

ଧନୁର୍ଦ୍ଧରଙ୍କର ଅନୁସନ୍ଧାନ କରିବାକୁ ହେଲେ ଆମ୍ଭମାନଙ୍କୁ ଗଡ଼ ଛାଡ଼ି ବହୁଦୂର ଯିବାକୁ ହେବ । ଗଡ଼ର ଦକ୍ଷିଣ ପ୍ରାନ୍ତରେ ଗୋଟିଏ ଭୀମ ଅରଣ୍ୟ । ଗୋଟିଏ ଶ୍ୟାମଳ ଆସ୍ତରଣ ନିଜର ଅନନ୍ତ ପ୍ରସାରରେ ବିସ୍ତୃତ ହୋଇ ସୁଦୂର ଶୋରଣ୍ଡାର ତାଳୁ ଉପରକୁ ଉଠିଗଲା ପରି ଦେଖା ଯାଉଅଛି । ପଥ ବଡ଼ ଦୁର୍ଗମ, ଶ୍ଵାପଦସଂଙ୍କୁଳ; ନିଘଞ୍ଚ ବୃକ୍ଷଲତା ଯୋଗୁଁ ମଧ୍ୟାହ୍ନ ସମୟରେ ବି ସ୍ଥାନେସ୍ଥାନେ ଅନ୍ଧାର ରହେ । ଏହି ବିଷମ ଅରଣ୍ୟ ମଧ୍ୟରେ ଗୋଟିଏ ମାତ୍ର ଅପ୍ରଶସ୍ତ ପଥ ପଡ଼ି ରହିଅଛି । ଅପରିଚିତ ଲୋକ ପ୍ରତି ତାହା ବି ଲକ୍ଷ୍ୟକରି ଗତି କରିବା ଦୁରୂହ । ପଥ ଯେତେବେଳେ ପାହାଡ଼ ଉପରକୁ ଉଠୁଅଛି, କେତେବେଳେ ପୁଣି ପାତାଳରେ ମିଶିଗଲା ପରି ଜଣାଯାଉଅଛି । ଧନୁର୍ଦ୍ଧରଙ୍କ ସନ୍ଧାନ ନେବାକୁ ହେଲେ ଏହି ଉଚ୍ଚବାଚ ବିପଦପୂର୍ଣ୍ଣ ଅରଣ୍ୟପଥରେ ଶୋରଣ୍ଡାର ତାଳୁ ଦେଶ ପର୍ଯ୍ୟନ୍ତ ଗତି କରିବାକୁ ହେବ । ଶୋରଣ୍ଡାର ତାଳୁ ଦେଶରେ ଦଣ୍ଡାୟମାନ ହୋଇ ପାରିଲେ ଚତୁର୍ଦ୍ଦିଗର ବିଚିତ୍ର ଦୃଶ୍ୟରେ ପ୍ରାଣ ତନ୍ମୟ, ହୋଇଯିବ–ସୁଖ, ଦୁଃଖ, ଭୟ, ବିପଦରୁ କ୍ଷୁଦ୍ର ଗଣନାରେ ଆଉ ବିଚଳିତ ହେବନାହିଁ । ଚତୁର୍ଦ୍ଦିଗ ପାହାଡ଼ମୟ–ତୁଳିରେ ଚିତ୍ର ହେଲାପରି ଶୃଙ୍ଗ ପରେ ଶୃଙ୍ଗ ଦିଗବଳୟର ଅନନ୍ତ ବିତାନରେ ମିଶି ଯାଇଅଛି । ଉର୍ଦ୍ଦ୍ୱଦେଶରେ ଅନନ୍ତ ଆକାଶ, ପଦତଳେ ବିପୁଳା ଧରଣୀ, ଚତୁର୍ଦ୍ଦିଗରେ ଅନନ୍ତ ବୈଚିତ୍ରମୟୀ ଅରଣ୍ୟ ପ୍ରକୃତିର ଏହି ଅନନ୍ତ ବୈଚିତ୍ର୍ୟ ମଧ୍ୟରେ ଆତ୍ମା ନିଜର ଅନନ୍ତ ପ୍ରସାର ଅନୁଭବ କରି ପୁଲକିତ ହୋଇ ଉଠେ ।

 

ଶୋରଣ୍ଡାର ପଦଦେଶରେ ପୁଣି ପୁଣ୍ୟତୋୟା ଚିତ୍ରୋତ୍ପଳା କୁଞ୍ଚିତ ଗତିରେ ବହିଯାଉଅଛି । ନଦୀର ବାଲୁକାମୟ ହରିଦ୍‍ବର୍ଣ୍ଣ ଆସ୍ତରଣ ସ୍ଥାନେ ସ୍ଥାନେ ବିକଶିତ ହୋଇ ଅରଣ୍ୟର ଶ୍ୟାମଛାତିକୁ ବିଚିତ୍ରତର କରୁଅଛି । ପର୍ବତ ତାଳୁରୁ ଓହ୍ଲାଇ ଆମ୍ଭମାନଙ୍କୁ ଗୋଟିଏ ଗହ୍ୱର ମଧ୍ୟରେ ପ୍ରବେଶ କରିବାକୁ ହେବ । ଗୋଟିଏ ଅନ୍ଧକାରମୟ ସଂକୀର୍ଣ୍ଣ ପଥ ପାହାଡ଼ର ଗର୍ଭ ମଧ୍ୟରେ ପ୍ରବେଶ କରିଅଛି । ଟିକିଏ ସାବଧାନହୋଇ ନ ଗଲେ ଉର୍ଦ୍ଦ୍ୱ ଦେଶସ୍ଥ ପାହାଡ଼ ଦେହରେ ଦେହ ବାଜି ପାରେ । କିଛିଦୂର ଗଲାପରେ ପ୍ରସ୍ତର ଦେହରେ ଖୋଦିତ ଗୋଟିଏ ପ୍ରଶସ୍ତ ମନ୍ଦିର । ମନ୍ଦିରଟି ଆଲୋକମାଳାରେ ଆଲୋକିତ । ଏକ ଦିଗରେ ନୃମୁଣ୍ଡମାଳିନୀ, ଖଣ୍ଡାଖର୍ପରଧାରିଣୀ, ଆଲୋଳବଦନା, କରାଳ କାଳୀମୂର୍ତ୍ତି ଜୀବନ୍ତ ଛଟାରେ ବିରାଜିତା । ଦେଖିଲେ, ହୃଦୟ ଭୟକମ୍ପିତ ଓ ଅବସନ୍ନ ହେଉଅଛି । ସେପରି ଧୈର୍ଯ୍ୟଶୀଳ ନ ହେଲେ ସମ୍ମୁଖଦେଶରୁ କାଳୀଙ୍କୁ ନିରୀକ୍ଷଣ କରିବା ଅସମ୍ଭବ ।

 

ଆଜି ମନ୍ଦିରରେ ପୂଜାର ଉତ୍ସବ । ଧନୁର୍ଦ୍ଧର କାଳୀଙ୍କର ପରମ ଭକ୍ତ ଓ ପୂଜକ । ଚତୁର୍ଦ୍ଦିଗରେ କାନ୍ଥଦେହରେ ଆଲୋକକମଳା ଜଳୁଅଛି । ମଧ୍ୟଦେଶରେ ଗୋଟିଏ ହୋମବେଦୀ । ହୋମାଗ୍ନିର ସ୍ୱର୍ଣ୍ଣଶିଖାରେ ମନ୍ଦିର ଝଟକି ଉଠୁଅଛି । ଧନୁର୍ଦ୍ଧର ପଦ୍ମାସନରେ ବସି ଭକ୍ତିପୂତ ହୃଦୟରେ ଘୃତାହୂତି ଦେଉଅଛନ୍ତି । ବେଦୀର ଅପରପାର୍ଶ୍ୱରେ ଧନୁର୍ଦ୍ଧରଙ୍କର ସମବୟସ୍କ କେତେ ଜଣ ବୃଦ୍ଧ ମଣ୍ଡଳ । କାରରେ ଜାନ୍‍ପାତ କରି ବସିଅଛନ୍ତି । ଧନୁର୍ଦ୍ଧରଙ୍କ ସଙ୍କେତ ମାତ୍ରକେ ପୂଜୋପକରଣ ସବୁ ଆସି ଉପସ୍ଥିତ ହେଉଅଛି । ଦେଖୁ ଦେଖୁ ଅଗ୍ନିରେ ଶେଷାହୁତି ଦିଆଗଲା । ତାହା ପରେ ଧୂପ, ଦୀପ, ନୈବେଦ୍ୟର ଅପୂର୍ବ ଆୟୋଜନ ଘଣ୍ଟ, ମୃଦଙ୍ଗର ପବିତ୍ର ନାଦରେ ମନ୍ଦିର ଉଚ୍ଛୁଳି ଉଠିଲା । ତାପରେ ପୂଜାର ଶେଷ ଆଳତି । ଆଳତି ପରେ ସମସ୍ତେ ଯୋଡ଼ହସ୍ତରେ ଦଣ୍ଡାୟମାନ ହୋଇ କାଳୀଙ୍କ ଉଦ୍ଦେଶ୍ୟରେ ଅନ୍ତରର ପବିତ୍ର ଭକ୍ତି ଅର୍ପଣ କଲେ । ‘ଜୟ ମା କାଳୀ’ ‘ଜୟ ମା କାଳୀ’ ଧ୍ୱନିରେ ମନ୍ଦିର ପ୍ରତିଧ୍ୱନିତ ହୋଇ ଉଠିଲା । ସେ ଧ୍ୱନି ବାୟୁର ତରଙ୍ଗେ ତରଙ୍ଗେ କାଳ ନିଶାର ଭୀଷଣ ଅନ୍ଧକାର ଭେଦ କରି ଅନନ୍ତ ଅରଣ୍ୟାନୀ ମଧ୍ୟରେ ଖେଳିଗଲା । ସର୍ବଶେଷରେ ଧନୁର୍ଦ୍ଧର ଦେବୀଙ୍କ ଚରଣ ନିକଟକୁ ଯାଇ ଚକ୍ଷୁ ମୁଦ୍ରିତ କରି ଯୋଡ଼ହସ୍ତରେ ଦଣ୍ଡାୟମାନ ହେଲେ । କିଛିକ୍ଷଣ ପରେ ଗୋଟିଏ ରକ୍ତ ମନ୍ଦାର କାଳୀଙ୍କ ମସ୍ତକରୁ ଖସି ହୋଇ ଧନୁର୍ଦ୍ଧରଙ୍କ ହସ୍ତରେ ପତିତ ହେଲା । ଦେବୀଙ୍କ ଅନୁଗ୍ରହ ଲାଭ କରି ଧନୁର୍ଦ୍ଧର ସଜ୍ଞାଶୂନ୍ୟ, ଶରୀରର ଲୋମାବଳି କଣ୍ଟକିତ ମୁଖରୁ ‘ଜୟ ମା’ ଧ୍ୱନି ମଧୁର ମୋହିନୀରେ କେତେବେଳେ ନିଃସୃତ ହେଉଅଛି । କିଛି ସମୟ ପରେ ଧନୁର୍ଦ୍ଧର ପ୍ରକୃତିସ୍ଥ ହୋଇ କହିଲେ, ‘‘ଦେବୀଙ୍କ ଅନୁଗ୍ରହ ମିଳିଅଛି । ଉଦ୍ଦେଶ୍ୟ ସିଦ୍ଧ ହେବ ।” ହଠାତ ‘ଜୟ ମା କାଳୀ’ ଧ୍ୱନିରେ ମନ୍ଦିର ଉଛୁଳି ଉଠିଲା ।

 

ବିଜୟା ଦଶମୀର ପ୍ରାତଃକାଳ । ତରୁଣ ତପନ ନିଜର ସୁବର୍ଣ୍ଣ କିରଣ ଶୋରଣ୍ଡାର ନୀଳ ଶୃଙ୍ଗମାନଙ୍କ ଉପରେ ବସ୍ତ୍ରଦେବାକୁ ଆରମ୍ଭ କଲେଣି । ଆଇଁଶପା ପାଟ ମୁଖରିତ କରି ଚତୁର୍ଦ୍ଦିଗରୁ ପକ୍ଷୀମାନେ ଆସି ଏକତ୍ର ହେଉଅଛନ୍ତି । ମୃଦୁମନ୍ଦ ପବନ ପାଟର ଶୀତଳ ବକ୍ଷକୁ କମ୍ପିତ କରି କଳଦେଶରେ ଆସି ଖେଳି ଯାଉଅଛି । ବିମଳ ଜଳାସ୍ତରଣ ତଳେ ଆହୁରି ରମଣୀୟ ସେ ବିଚିତ୍ର ପ୍ରଭାବ-ଆକାଶର ପ୍ରତିଫଳନ ଆଲୋକର ଅପୂର୍ବ କ୍ରୀଡ଼ା ! ବନ୍ୟଜନ୍ତୁମାନେ ନିଜ ନିଜ ବାସସ୍ଥାନ ପରିତ୍ୟାଗ କରି ଧୀର ମନ୍ଥର ଗତିରେ ଇତସ୍ତତଃ ଭ୍ରମଣ କରିବାକୁ ବସିଛନ୍ତି । ବୃଦ୍ଧ ଧନୁର୍ଦ୍ଧର ହଠାତ୍‍ ବନଭୂମିର ନିର୍ଜନତା ଭାଙ୍ଗିବାକୁ କେତେ ଜଣ ଶିଥିଳାବୟସ୍କ ବୃଦ୍ଧ ସହ ଆସି ଉପସ୍ଥିତ ହେଲେ । ପଶୁପକ୍ଷୀମାନଙ୍କ ସହ ସମସ୍ତ ବନଭୂମି ଭୟ ଓ ବିସ୍ମୟରେ ଯୋଦ୍ଧାବେଶ ପରିହିତ ବୃଦ୍ଧଦଳଙ୍କୁ ଗୋଟି ଗୋଟି କରି ନିରୀକ୍ଷଣ କଲା । ଏ ସାମରିକ ସାଜ; କିନ୍ତୁ ବିଚିତ୍ର ଧରଣର–ସମସ୍ତଙ୍କ ମସ୍ତକରେ ତୁଳସୀମାଳା, ଗଳାଦେଶରେ ପବିତ୍ର ଶାଳଗ୍ରାମଶିଳା, ଅଙ୍ଗ ପ୍ରତ୍ୟେଙ୍ଗ ଗଙ୍ଗାମୃତ୍ତିକାରେ ବିଚିତ୍ର । ଏ ତ ମାନବଜୀବନ ଅନ୍ତିମ ସାଜ ! ତେବେ କଣ ଜୀବନର ସକଳ ମମତା ପରିତ୍ୟାଗ କରି ବୀରବୃନ୍ଦ ମହାଯାତ୍ରାରେ ପ୍ରସ୍ତୁତ ହୋଇ ଆସିଅଛନ୍ତି । କାହାରିଠାରେ ଭୟ ଭାବନା ବା ବିରସତାର ଚିହ୍ନ ନାହିଁ । ସମସ୍ତଙ୍କ ମୁଖମଣ୍ଡଳରେ ଅପୂର୍ଣ୍ଣ ଜ୍ୟୋତି ଖେଳିଯାଇଅଛି । ହୃଦୟ ଯେପରି ବଜ୍ରରେ ବନ୍ଧା । ଅଟଳ ସାହସ ଜୀବନ୍ତ ଉତ୍ସାହ ବୃଦ୍ଧ-ଅଙ୍ଗରେ ପୁନର୍ବାର ନୂତନ ଯୌବନ ଆଣି ଢାଳି ଦେଇଅଛି । ସମସ୍ତେ ଧନୁଶରହସ୍ତ କିନ୍ତୁ ଅଧିକାଂଶଙ୍କ ହସ୍ତରେ ଗୋଟିଏ ଗୋଟିଏ ତରବାରି । ସଂଖ୍ୟା ୫୦।୬୦ ରୁ ବେଶି ନୁହେ ।

 

ସମସ୍ତେ ପାଟର କୂଳଦେଶ ଅତିକ୍ରମ କରି କ୍ରମେ କ୍ରମେ ଶୋରଣ୍ଡା ଘାଟି ଉପରକୁ ଉଠିବାକୁ ଲାଗିଲେ । କେତେକ ସମୟ ପରେ ସମସ୍ତେ ଆସି ଘାଟିର ସଂକୀର୍ଣ୍ଣତମ ସ୍ଥାନରେ ଉପସ୍ଥିତ । ଦୁଇ ଦିଗରେ ପାହାଡ଼ ପ୍ରାଚୀର ଆକାରରେ ଉତଥିତ ହୋଇ କାହିଁ ଆକାଶରେ ଯାଇ ମିଶି ଯାଇଅଛି । ମଧ୍ୟବର୍ତ୍ତୀ ସ୍ଥାନ ଏଡ଼େ ସଂକୀର୍ଣ୍ଣ ଯେ, ଏକାକାଳରେ ୨୦।୩୦ ଜଣ ଗତି କରିବା ଅସମ୍ଭବ । ସମରପଣ୍ଡିତ ଧନୁର୍ଦ୍ଧର ଜୀବନର ଶେଷ ଭାଷଣ ସାମରିକ ଅଭିନୟ ପାଇଁ ରହି ସ୍ଥାନ ବାଛି ନେଇଥିଲେ । ଏହି ସ୍ଥାନରେ ଉପସ୍ଥିତ ହୋଇ ଧନୁର୍ଦ୍ଧର ନିଜର ସାଙ୍ଗ ଯୋଦ୍ଧାମାନଙ୍କୁ କହିଲେ.‘‘ଏହି ସ୍ଥାନଟି କଥା ମୁଁ କହୁଥିଲି । ଦେଖୁଛି, ଏହାହିଁ ଉପଯୁକ୍ତ ସ୍ଥାନ । ବର୍ତ୍ତମାନ ୨୦।୨୫ ଗୋଟି ଢିଙ୍କି ଆବଶ୍ୟକ । ଯାଅ ଘେନି ଆସିବ ।” ଆଜ୍ଞା ମାତ୍ରକେ ୨୦।୨୫ ଜଣ ଢିଙ୍କି ଆଣିବାକୁ ବହିର୍ଗତ ହେଲେ, ଅବଶିଷ୍ଟ ଗୋଟିଏ ଗୋଟିଏ ଶାବଳ ଘେନି ଦୁଇଧାଡ଼ି ଗାତ ଖେଳିବାକୁ ଲାଗିଲେ-। କିଛି ସମୟ ପରେ ଢିଙ୍କିଗୁଡ଼ିକ ଆସି ଏକତ୍ର ହେଲା । ତତ୍‍ପରେ ଗୋଟିଏ ଗୋଟିଏ ଢିଙ୍କି ଗୋଟିଏ ଗୋଟିଏ ଗର୍ତ୍ତରେ ଅଧା ପର୍ଯ୍ୟନ୍ତ ପୋତା ହେଲା ଏବଂ ପ୍ରତ୍ୟେକର ଅଗ୍ରଭାବରେ ଖଣ୍ଡିଏ ଲେଖାଏଁ ରଙ୍ଗକନା ବାନ୍ଧି ଦିଆଗଲା । ଏହିମାତ୍ର ଧନୁର୍ଦ୍ଧରଙ୍କର ଯୁଦ୍ଧପାଇଁ ଆୟୋଜନ । ତତ୍ପରେ ବୀରବର ନିଜର ସହଯାତ୍ରୀମାନଙ୍କ ସହ ଶତ୍ରୁମାନଙ୍କ ପ୍ରତୀକ୍ଷାରେ ବସି ରହିଲେ ।

 

ହଠାତ ସୁଦୁର କୁହେଳିକା ପରି ଚକ୍ରବାଳ ନିକଟରେ ଧୂଳିପଟଳ ଉତଥିତ ହେବାର ଦେଖାଗଲା । ସଙ୍ଗେ ସଙ୍ଗେ ଭୀଷଣ ରଣଭେରୀ ଶତ୍ରୁମାନଙ୍କର ଆଗମନ ଜଣାଇଦେଲା । ଶତ୍ରୁମାନେ କିଛି ଦୂର ଅଗ୍ରସର ହୋଇ ହଠାତ୍‍ ସ୍ଥିରଭାବରେ ଦଣ୍ଡାୟମାନ ହେଲେ । ସେମାନଙ୍କୁ ବୋଧହେଲା, ଯେପରି ଦୁଇଧାଡ଼ି ତୋପ ସଜ୍ଜୀଭୂତ ହୋଇ ରହିଅଛି; ନିକଟବର୍ତ୍ତୀ ହେଲେ ଦଗା ହେବ । ଏପରି ପ୍ରତ୍ୟକ୍ଷ ମୃତ୍ୟମୁଖକୁ ଜାଣୁ ଜାଣୁ ଅଗ୍ରସର ହେବାକୁ କାହାରି ସାହସ ହେଲା ନାହିଁ ।

 

ଧନୁର୍ଦ୍ଧର ଦେଖିଲେ, ନିଜ ଉଦ୍ଦେଶ୍ୟ ସିଦ୍ଧ ହୋଇଅଛି । ସେ ଅବିଳମ୍ବେ ଧନୁଶର ସାହାଯ୍ୟରେ ଯୁଦ୍ଧ କରିବାକୁ ଆଦେଶ ଦେଲେ । ବୃଦ୍ଧମାନଙ୍କର ଅଵ୍ୟର୍ଥ ସନ୍ଧାନରେ ଦେଖୁ ଦେଖୁ ବହୁ ଶତ୍ରୁସୈନ୍ୟ ପତିତ ହେବାକୁ ଲାଗିଲେ । ଶତ୍ରୁମାନେ ଘନନିରନ୍ଧ୍ର ଭାବରେ ଅବସ୍ଥିତ । ଢିଙ୍କିଗୁଡ଼ିକର ପଶ୍ଚାଦ୍ଦେଶରୁ ବୃଦ୍ଧମାନେ ଅଵ୍ୟର୍ଥ ଲକ୍ଷରେ ଶତ୍ରୁସଂହାର କରୁଅଛନ୍ତି । ଶତ୍ରୁମାନଙ୍କ ନିକ୍ଷିପ୍ତ ଶରପ୍ରତି ଢିଙ୍କିଗୁଡ଼ିକ ପ୍ରଧାନ ଅନ୍ତରାୟ । ସୁତରାଂ ବୃଦ୍ଧମାନେ ଅକ୍ଷତ ଦେହରେ ଯୁଦ୍ଧ କରିବାକୁ ଲାଗିଲେ । କିଛି ସମୟ ପରେ ପ୍ରତାପଙ୍କ ସୈନ୍ୟମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ପ୍ରତାପ ଯୁବକ ଯୋଦ୍ଧା, ତାଙ୍କର ମରଣକୁ ଭୂକ୍ଷେପ ନାହିଁ; ଦେଖିଲେ, କାଳବିଳମ୍ବ କରିବା ସାଙ୍ଘାତିକ । ସେ କ୍ଷିପ୍ର ଗତିରେ ଶତ୍ରୁମାନଙ୍କର ସମ୍ମୁଖୀନ ହେବାକୁ ନିଜ ସୈନ୍ୟଙ୍କୁ ଆଦେଶ ଦେଲେ । ପ୍ରତାପ ନିକଟବର୍ତ୍ତୀ ହୋଇ ଦେଖନ୍ତି ତ କେତେଗୁଡ଼ିଏ ଢିଙ୍କି, ଆଉ କେତେକ ଜଣ ଦୁର୍ବଳ ବୃଦ୍ଧ ମାତ୍ର ନିଜର ଅବିମୃଷ୍ୟକାରିତାରୁ ଏତେ ସୈନ୍ୟ ଅଯଥା ପ୍ରାଣ ହରାଇଲେ ଭାବି ପ୍ରତାପ ଲଜ୍ଜିତ ହେଲେ । ଦେଖୁ ଦେଖୁ ଭୀଷଣ ଯୁଦ୍ଧ ଲାଗିଲା । ପ୍ରତାପ ଦେଖିଲେ, ଶତ୍ରୁମାନେ ବୃଦ୍ଧ ସତ, କିନ୍ତୁ ଅବହେଳାର ପାତ୍ର ନୁହନ୍ତି । ସେହି କେତେକ ଜଣ ବୃଦ୍ଧ ଦେଖୁ ଦେଖୁ ଯୁଦ୍ଧର ତିକ୍ଷଣ ତାଣ୍ଡବ ଲଗାଇ ଦେଲେ । ଜଣେ ଜଣକଙ୍କ ଗୋଟିଏ ଗୋଟିଏ କରାଳ କାଳ ପରି ପ୍ରତାପଙ୍କ ସୈନ୍ୟ-ସାଗର ଉତଥିତ କରିବାକୁ ଲାଗିଲେ । ସୈନ୍ୟମାନେ ପ୍ରାଣଭୟରେ ପୃଷ୍ଠଭଙ୍ଗ ଦେବାକୁ ବସିଲେ, କିନ୍ତୁ ପ୍ରତାପ ଡରିବାର ଲୋକ ନୁହନ୍ତି । ସେ ବୃଦ୍ଧ ଯୋଦ୍ଧାମାନଙ୍କ ଗତିରେ ବାଧା ଦେବାକୁ ଲାଗିଲେ । ଦେଖୁ ଦେଖୁ ପ୍ରତାପଙ୍କ ଅଦ୍ଭୁତ ରଣପାଣ୍ଡିତ୍ୟ ନିକଟରେ ବୃଦ୍ଧମାନେ ନିହତ ହେଲେ ଓ ତାହାଙ୍କର ଭୀମ ଆଘାତରେ ସେମାନେ ଗୋଟି ଗୋଟି ହୋଇ ଢଳି ପଡ଼ିଲେ ପ୍ରତାପଙ୍କ ସୈନ୍ୟମାନେ ଆନନ୍ଦରେ ବିଜୟଭେରୀ ବଜାଇବାକୁ ଲାଗିଲେ ।

 

କ୍ଷଣକେ ବିଜୟକୋଳାହଳ ସ୍ଥଗିତ ହୋଇଗଲା । ଦେଖୁ ଦେଖୁ ଗୋଟିଏ ଲୌହ-ବର୍ତ୍ତୁଳ ତୀବ୍ରଗତିରେ ଇତସ୍ତତଃ ଚଢ଼ିବାକୁ ଲାଗିଲା । ବର୍ତ୍ତୁଳର ଗତି ସଙ୍ଗେ ସଙ୍ଗେ ପ୍ରତାପଙ୍କ ସୈନ୍ୟମାନେ ଛିନ୍ନବିଛିନ୍ନ ହୋଇ ଭୂପତିତ ହେବାକୁ ଲାଗିଲେ । କି ବିଚିତ୍ର ! ଏ କି ଦେବକୂଟ ! ପ୍ରତାପ କିଛି ସ୍ଥିର କରି ପାରିଲେ ନାହିଁ । ବହୁ ସମୟ ପରେ ସେହି ଲୌହ-ବର୍ତ୍ତୁଳ ମଧ୍ୟରେ ଦୀର୍ଘକାୟ ଶ୍ୱେତଶ୍ମଶ୍ରୂ ଗୋଟିଏ ବୀର ବପୁର ଆଭାସ ମିଳିଲା ଓଃ କି ଲଘୁହସ୍ତତା ! ଜଣକର ଶସ୍ତ୍ରଚାଳନାରେ ସୈନ୍ୟ ସାମନ୍ତ ପ୍ରାୟ ଶୂନ୍ୟ ହେବାକୁ ଲାଗିଲେ । ସହସ୍ରାଧିକ ସୈନ୍ୟରୁ ପଚାଶ ଷାଠିଏ ମାତ୍ର ଅବଶିଷ୍ଟ ଅଛନ୍ତି ।

 

ଏ ବିଷମ ଯୋଦ୍ଧା ଆଉ କେହି ନୁହେଁ । ତିଗିରିଆର ମହୁଡ଼ମଣି ବୃଦ୍ଧ ଧନୁର୍ଦ୍ଧର ଚମ୍ପତିସିଂହ । ହଠାତ୍‍ ଧନୁର୍ଦ୍ଧର ଶିଥିଳ ହୋଇ ପଡ଼ିଲେ; ଭାବିଲେ, "ମା କାଳି, ଶତ୍ରୁମାନେ ନିଃଶୋଷିତ ହୋଇଗଲେ, ଆଉ କେତେ କ୍ଷଣ ଯୁଦ୍ଧ କରିବାକୁ ହେବ !” ଇତ୍ୟବସରରେ ପ୍ରତାପଙ୍କ ଶାଣିତ ତରବାରୀ ବୃଦ୍ଧଙ୍କ ଉଦ୍ଦେଶ୍ୟରେ ବିଚକ୍ଷଣଭାବରେ ଚାଳିତ ହେଲା । 'ଜୟ ମା କାଳି' 'ଜୟ ମା କାଳି' ମୁଖରୁ ନିଃସୃତ ହେଉଅଛି, କି ସ୍ୱର୍ଗୀୟ ଉଦାର ଜ୍ୟୋତି ପ୍ରସନ୍ନ ମୁଖମଣ୍ଡଳକୁ ପ୍ରସନ୍ନତରକରି ରଖିଅଛି ! ଧନୁର୍ଦ୍ଧରଙ୍କ ଚକ୍ଷୁ ମୁଦ୍ରିତ ହେଲା । ସେହି ଛିନ୍ନ କଳେବରରୁ ଏକ ଅପୂର୍ବ ଜ୍ୟୋତି ବହିର୍ଗତ ହୋଇ ଚକ୍ଷୁ ଝଲସାଇ ହଠାତ୍‍ ବାୟୁମଣ୍ଡଳରେ ମିଶିଗଲା । ପ୍ରତାପଙ୍କୁ ସମସ୍ତ ଅଦଭୂତ ବୋଧ ହେଲା । ନିର୍ବାକ ନିସ୍ପଦ ହୋଇ ସେ କେବଳ ଚାହିଁ ରହିଲେ ।

 

ଏ ଦୃଶ୍ୟ ଦେଖି ପ୍ରତାପ ପ୍ରାଣରେ ଗଭୀର ଦୁଃଖ, ଅବସାଦ ଅନୁଭବ କଲେ । କେତେକ କ୍ଷଣ ପରେ ସେ ଧନୁର୍ଦ୍ଧରଙ୍କ ତେଜଃପୂର୍ଣ୍ଣ ଅପୂର୍ବ ମସ୍ଥକ ଧାରଣ କରି ଅବଶିଷ୍ଟ ସୈନ୍ୟମାନଙ୍କ ସହ ଗଡ଼କୁ ପ୍ରସ୍ଥାନ କରିବାକୁ ଲାଗିଲେ । ସେ ଗମନରେ ବିଜୟୋଲ୍ଲାସର ଚିହ୍ନମାନ ନ ଥିଲା; ସମସ୍ତେ ଯେପରି ଭୟଭୀତ, ମ୍ରିୟମାଣ । ପ୍ରତାପ ବିମର୍ଷ ମନରେ ଧନୁର୍ଦ୍ଧରଙ୍କ ମସ୍ତକ ପିତାଙ୍କ ନିକଟରେ ସ୍ଥାପନ କରି ଯୁଦ୍ଧର ଅଲୌକିକ ବିବରଣ ଵର୍ଣ୍ଣନା କଲେ । ବର୍ଣ୍ଣନା ଶେଷ ହୋଇ ନାହିଁ, ବାଙ୍କିର ବୃଦ୍ଧ ନୃପତି ଧନୁର୍ଦ୍ଧରଙ୍କ ମସ୍ତକ ଧରି କ୍ରନ୍ଦନ କରିବାକୁ ଲାଗିଲେ । କେତେବେଳେ ପ୍ରତାପଙ୍କ ପ୍ରତି ଗଭୀର ତିରସ୍କାର, କେତେବେଳେ ଧନୁର୍ଦ୍ଧରଙ୍କ ଅଲୌକିକ କର୍ମମୟ ଜୀବନର ବର୍ଣ୍ଣନା ଶୁଣି ଦର୍ଶକମାନେ ବିସ୍ମିତ ହେଲେ । ପ୍ରତାପଙ୍କର ଦୋଷ ବା କଣ ? ଜଣେ ମାତ୍ର ଯୋଦ୍ଧା ସମସ୍ତ ସୈନ୍ୟ ସଂହାର କଲା । ସେପରି ପ୍ରତିଯୋଦ୍ଧାକୁ ସଂହାର କରି ପାରିବା ତ ଗୌରବର କଥା । ହେଲେ କଣ ହେଲା, ଉତ୍କଳ ଯେ ଧନୁର୍ଦ୍ଧରଙ୍କୁ ହରାଇଲା ! ସେପରି ଅଦ୍ଭୁତ ବୀରତ୍ୱ, କ୍ଷାତ୍ରତେଜ, କର୍ମମୟ ବିମଳ ଆତ୍ମା ଆଉ ଯେ ମିଳିବ ନାହିଁ ! ଗୁଣର କି ଅସାଧାରଣ ଆଦର ! ଶତ୍ରୁ ହେଉ ପଛକେ, ସୁଗୁଣର ଆଧାର ହେଲେ; ପ୍ରାଣର ଦେବତା ତୁଲ୍ୟ ପୂଜା ପାଇବ ।

 

ବୃଦ୍ଧ ପିତା ଆଦେଶ ଦେଲେ, "ଦେଵମନ୍ଦିରର ବଡ଼ ସ୍ୱର୍ଣ୍ଣଥାଳିଟିର ଧନୁର୍ଦ୍ଧରଙ୍କ ମସ୍ତକ ସ୍ଥାପନ କର । ସୁଗନ୍ଧ ପୁଷ୍ପ ଚନ୍ଦନରେ ମସ୍ତକ ମଣ୍ଡିତ ହେଉ । ରାଜ୍ୟବାସୀ ସମସ୍ତେ ଆସି ରଥରେ ଏକତ୍ର ହେଉନ୍ତୁ । ବାଦ୍ୟ, ଘଣ୍ଟ, ମୃଦଙ୍ଗ, ସଂକୀର୍ତ୍ତନ ଦଳର ଆୟୋଜନ ହେଉ । ଧନୁର୍ଦ୍ଧରଙ୍କ ମସ୍ତକ ସହ ଶରୀର ବହନ କରି ତିଗିରିଆଙ୍କୁ ନେଇ ଯିବାକୁ ହେବ । ଏପରି ଧର୍ମପୁତ୍ର, ମହାର୍ହ ଜୀବନ ଆଉ ମିଳିବ ନାହିଁ । ଗୁଣର ଉପଯୁକ୍ତ ଆଦର କରିବାକୁ ହେବ ।”

 

ରାଜାଙ୍କ ଆଦେଶମତେ କ୍ଷଣକେ ବିପୁଳ ଶୋଭାଯାତ୍ରାର ଆୟୋଜନ ହେଲା । ସଂକୀର୍ତ୍ତନ, ନୃତ୍ୟ, ଗୀତ, ବାଦ୍ୟ, ଘଣ୍ଟ, ମୃଦଙ୍ଗର ସମ୍ମିଳିତ ଅପୂର୍ବ ସମ୍ଭାର ମଧ୍ୟରେ ବୃଦ୍ଧ ରାଜା ପୁତ୍ର ପ୍ରତାପ ସହ ତିଗିରିଆରେ ଉପସ୍ଥିତ ହେଲେ । ଗୃହେ ଗୃହେ ହାହାକାର ପଡ଼ିଗଲା । ଗଭୀର ବିଷାଦ ପୁର ପଲ୍ଲୀ ସର୍ବତ୍ର ବ୍ୟାପିଗଲା । ଲୋକେ ଏପର୍ଯ୍ୟନ୍ତ ରାଜର୍ଷି ଜନକଙ୍କୁ ଶାସକରୂପେ ପାଇଥିଲେ । ଆଜି ତାଙ୍କର ଅଭାବ ସହସ୍ର ପ୍ରାଣ ବିଦୀର୍ଣ୍ଣ କରିଦେଲା । ଶତ୍ରୁ ମୁଖରେ, ଶତ ଶତ ପ୍ରଜାଙ୍କ ମୁଖରେ ପିତାଙ୍କର ଗୁଣମାନ ଶୁଣି ମଦନମୋହନଙ୍କ ପ୍ରାଣ ବିଗଳିତ ହେଲା । ଅନୁତାପରେ ଦଗଦୀଭୂତ ହୋଇ ସେ ପିତାଙ୍କ ମସ୍ତକ ଧରି କ୍ରନ୍ଦନ କରିବାକୁ ଲାଗିଲେ । ମଦନମୋହନ ସୁପୁତ୍ର ବାଙ୍କିରାଜା ସମସ୍ତେ ମିଳି ଯଥାବିଧି ଧନୁର୍ଦ୍ଧରଙ୍କର ସତ୍କାର କଲେ । ତତ୍ପରେ ଅନ୍ତ୍ୟେଷ୍ଟିକ୍ରିୟାର ବିପୁଳ ଆୟୋଜନ । ଦେଶଦେଶାନ୍ତରରୁ ପଣ୍ଡିତ ଓ ବହ୍ମଣମଣ୍ଡଳୀ ଆମନ୍ତ୍ରିତ ହୋଇ ଆସିଥିଲେ । ଦୁଖୀ, ଦରିଦ୍ର, ଯୋଗୀ, ଭିଖାରୀରେ ତିଗିରିଆରେ ସ୍ଥାନାଭାବ ହେଲା । ଅର୍ଥ, ଅନ୍ନ, ବସ୍ତ୍ର ଅକାତରେ ଵିତରିତ ହେଲା । ସମସ୍ତେ ଧନ୍ୟ ଧନ୍ୟ କଲେ । ଲୋକେ କହନ୍ତି, "ଧନୁର୍ଦ୍ଧରଙ୍କ ଏ ଅନ୍ତ୍ୟେଷ୍ଟିକ୍ରିୟାରେ ଦୁଇ ରାଜାଙ୍କର ଗନ୍ତାଘର ଶୂନ୍ୟ ହୋଇ ଯାଇଥିଲା ।”

 

ଏ ଘଟନାପରେ ମଦନମୋହନଙ୍କ ଚରିତ୍ରରେ ମହା ପରିବର୍ତ୍ତନ ଦେଖାଗଲା । ତାଙ୍କର ସୁଶାସନରେ ପ୍ରଜାମଣ୍ଡଳୀ ଶୀଘ୍ର ଧନୁର୍ଦ୍ଧରଙ୍କୁ ବିସ୍ମୃତ ହୋଇଗଲେ । ଭୋଗବିଳାସବର୍ଦ୍ଧିତ ମଦନମୋହନ ମଧ୍ୟ ମରହଟ୍ଟା ଓ ମୁସଲମାନମାନଙ୍କର ବିପୁଳବାହିନୀ ବିରୁଦ୍ଧରେ ବହୁବାର ଯୁଦ୍ଧ କରି ବିଜୟ ଲାଭକରି ପାରିଥିଲେ ।

 

ବାଙ୍କି ଓ ତିଗିରିଆ ମଧ୍ୟରେ ବହୁକାଳ ପର୍ଯ୍ୟନ୍ତ ଅକୃତ୍ରିମବନ୍ଧୁ ଭାବ ରହିଥିଲା । ମଦନମୋହନ ପ୍ରତାପଙ୍କ ଉପଯୁକ୍ତ ପାତ୍ର ଦେଖି ନିଜ କନ୍ୟା ଅର୍ପଣ କରିଥିଲେ । ଏ ବିବାହରେ ଆଇଁଶପା ପାଟ ସହ ତିଗିରିଆର କେତେକ ଅଂଶ ପ୍ରତାପ ଯୌତୁକସ୍ୱରୂପ ପାଇଥିଲେ ।

 

ଆଜି ସେହି ଐତିହାସିକ ଆଇଁଶପା ପାଟ ସେହିପରି ପଡ଼ି ରହିଅଛି । ନିସର୍ଗମାଧୁରୀ ପରିପୂରିତ ଶୋରଣ୍ଡା ନିଜର ଉନ୍ନତ ମସ୍ତକ ସେହିପରି ଉଠାଇ ରହିଅଛି । ନିଜର କର୍ମମୟ ସ୍ୱର୍ଗୀୟ ଅଭିନୟରେ ସେଗୁଡ଼ିକୁ ମହତ୍ତର କରିବାକୁ ଉତ୍କଳରେ ଆଉ ଧନୁର୍ଦ୍ଧର ନାହାନ୍ତି !

Image

 

ବିଚିତ୍ର ବାର୍ତ୍ତାବହ

(ଅଧିକାଂଶ ଅନୁଦିତ)

 

ଶିବାଜୀଙ୍କର କ୍ଷମତା, ରାଜ୍ୟ, ଦୁର୍ଗସଂଖ୍ୟା ଦକ୍ଷିଣାତ୍ୟରେ ଦିନକୁଦିନ କ୍ଷିପ୍ରଗତିରେ ବଢ଼ିବାକୁ ଲାଗିଲା । ତକ୍ରତ୍ୟ ମୁସଲମାନ ରାଜ୍ୟଗୁଡ଼ିକ ଥରହର ହୋଇ ପ୍ରକମ୍ପିତ ହେଲେ । ସେ କାଳର କୁଟନୀତି ପ୍ରବୀଣ ବୁଦ୍ଧିମାନ ମୁସଲମାନ ଯୋଦ୍ଧାମାନେ ମଧ୍ୟ ଶିବାଜୀଙ୍କ ଯୁଦ୍ଧକୌଶଳ ନିକଟରେ ବାରମ୍ବାର ପରାସ୍ତ ହେଲେ । କେତେକ ମୁସଲମାନ ରାଜ୍ୟ ଚିରକାଳ ପାଇଁ ଭାରତପୃଷ୍ଠରୁ ବିଲୁପ୍ତ ହେଲା । କ୍ରମେ ମୋଗଲ ବାଦଶାହା ଆଓରଙ୍ଗଜେବ ମଧ୍ୟ ଏ କ୍ଷମତା ପ୍ରବଳଭାବରେ ଅନୁଭବ କଲେ । ୧୬୬୧ ଖ୍ରୀଷ୍ଟାବ୍ଦରେ ମୋଗଲ ସେନାପତି ସାୟେସ୍ତ ଖାଁ ଓ ମାରୁଓୟାର ରାଜା ପ୍ରଖ୍ୟାତନାମା ଯଶୋବନ୍ତ ବହୁସଂଖ୍ୟକ ସୈନ୍ୟସହ ଶିବାଜୀଙ୍କ ବିରୁଦ୍ଧରେ ପ୍ରେରିତ ହେଲେ । ଦେଖୁ ଦେଖୁ ପୁନା ଓ ଚୋକନ ଦୁର୍ଗ ମୋଗଲମାନଙ୍କଦ୍ୱାରା ଅଧିକୃତ ହେଲା । ସାୟେସ୍ତ ଖାଁ ଓ ଯଶୋବନ୍ତ ଅନ୍ୟାନ୍ୟ ଦୁର୍ଗଗୁଡ଼ିକ ଆକ୍ରମଣ କରି ଅଧିକାର କରିବା କଳ୍ପନାରେ ପୁନାରେ ଅବସ୍ଥାନ କରି ରହିଅଛନ୍ତି । ଏ ଆଖ୍ୟାୟୀକାଟି ସେହି ସମୟର କଥା ।

 

ରଜନୀ ପ୍ରାୟ ଦୁଇ ପ୍ରହାର ହେବ । ଯଶୋବନ୍ତ ଶିବିରରେ ଏକାକୀ ବସିଅଛନ୍ତି । ବାମହସ୍ତରେ ଗଣ୍ଡସ୍ଥଳ ସ୍ଥାପିତ । ଗଭୀର ନିଶୀଥରେ ମଧ୍ୟ ଚକ୍ଷୁକୁ ନିଦ୍ରା ଆସୁ ନାହିଁ । ପଲକେ ପଲକେ କେତେ ଚିନ୍ତା ମନ ମଧ୍ୟରେ ଖେଳି ଯାଉଅଛି । ବଦନ ଚିନ୍ତା କୁଟିଳ, ନିରାନନ୍ଦମୟ, ଗମ୍ଭୀର । ସମ୍ମୁଖରେ ଗୋଟିଏ ମାତ୍ର ପ୍ରଦୀପ କ୍ଷୀଣ ତେଜରେ ଜଳୁଅଛି । ନିକଟରେ କେତେଗୋଟି ଶୂନ୍ୟ ଆସନ । ଜଣେ ଭୃତ୍ୟ ଆସିବାର ଦେଖି ହଠାତ୍‍ ଯଶୋବନ୍ତ ଉଦବେଗପୂର୍ଣ୍ଣ ଦୃଷ୍ଟିରେ ଭୃତ୍ୟ ଆଡ଼କୁ ଚାହିଁଲେ । ଜଣେ ମହାରାଷ୍ଟ୍ରୀୟ ଦୂତ ସାକ୍ଷାତକାର କରିବାକୁ ଆସିଥିବାର ଭୃତ୍ୟ ଜଣାଇଲା-। ଯଶୋବନ୍ତ ଦୂତଙ୍କୁ ଶୀଘ୍ର ଆଣିବାକୁ ଆଦେଶ ଦେଲେ । ଏହି ଦୂତ ପାଇଁ ଆଜି ଯଶୋବନ୍ତ ଏତେ ରାତିଯାଏ ଅପେକ୍ଷା କରି ବସିଥିଲେ ।

 

ମହାଦେବଜୀ ନ୍ୟାୟଶାସ୍ତ୍ରୀ ଶିବିର ମଧ୍ୟକୁ ଆସିଲେ । ସାଦରେ ଆହ୍ୱାନ କରି ଯଶୋବନ୍ତ ତାଙ୍କୁ ଆସନ ଗ୍ରହଣ କରିବାକୁ କହିଲେ । ଉଭୟେ ଆସନରେ ଉପବେଶନ କଲେ । କ୍ଷଣକାଳ ଯଶୋବନ୍ତ ନିସ୍ତବଧ ହୋଇ ରହିଲେ; କ୍ଷଣକେ ପୁଣି କେତେ କଣ ଚିନ୍ତା କରିବାକୁ ଲାଗିଲେ । ବ୍ରାହ୍ମଣ ଦୂତ କିନ୍ତୁ ରାଜପୁତ୍ର ରାଜାଙ୍କ ଆଡ଼କୁ ମଧ୍ୟେ ମଧ୍ୟେ ସୁତୀକ୍ଷଣ ଦୃଷ୍ଟିପାତ କରୁଥାନ୍ତି । ନିଶୀଥ ଶିବିରରେ ନୀରବତା ଭଗ୍ନ କରି ହଠାତ୍‍ ଯଶୋବନ୍ତ ଧୀର ଗମ୍ଭୀର ଭାବେ କହିଲେ, ‘‘ମୁଁ ଆପଣଙ୍କ ପ୍ରଭୁ ଶିବାଜୀଙ୍କ ପତ୍ର ପାଇଅଛି, ତହିଁରେ ଯାହା ଉଲ୍ଲେଖ ଥିଲା, ଅବଗତ ହୋଇଅଛି । ତାହା ଭିନ୍ନ ଆଉ କିଛି ବିଶେଷ ପ୍ରସ୍ତାବ ଅଛି କି ?”

 

ବାର୍ତ୍ତାବହ–ପ୍ରଭୁ ମତେ କୌଣସି ପ୍ରସ୍ତାବ କରିବାକୁ ପଠାଇ ନାହାନ୍ତି, ଖେଦ ପ୍ରକାଶ କରିବାକୁ ପଠାଇଅଛନ୍ତି ।

 

ଯଶୋବନ୍ତ–କେବଳ ପୁନା ଓ ଚୋକନ ଦୁର୍ଗ ଆମ୍ଭମାନଙ୍କର ହସ୍ତଗତ ହୋଇଅଛି ମାତ୍ର, ଏଥିପାଇଁ ଖେଦ ?

 

ବାର୍ତ୍ତାବହ–-ଦୁର୍ଗନାଶରେ ସେ କ୍ଷୁର୍ଣ୍ଣ ନୁହନ୍ତି । ତାଙ୍କର ଅସଂଖ୍ୟ ଦୁର୍ଗ ଅଛି ।

 

ଯଶୋବନ୍ତ–ମୋଗଲ ଯୁଦ୍ଧରୂପ ବିପଦରେ ପଡ଼ି ସେ କଣ ତେବେ ଖେଦ କରୁଅଛନ୍ତି ?

 

ବାର୍ତ୍ତାବହ–ବିପଦରେ ପଡ଼ି ଖେଦ କରିବା ତାଙ୍କର ଅଭ୍ୟାସ ନୁହେଁ ।

 

ଯଶୋବନ୍ତ–ତେବେ ଆଉ ଖେଦ କାହିଁକି ?

 

ବାର୍ତ୍ତାବହ–ଯେ ହିନ୍ଦୁ ରାଜତିଳକ, ଯେ କ୍ଷତ୍ରିୟକୁଳବାତଂସ, ଯେ ସନାତନଧର୍ମର ରକ୍ଷାକର୍ତ୍ତା, ତାଙ୍କୁ ଆଜି ଯବନର ପ୍ରସାଦାର୍ଥୀ ଦାସ ଦେଖି ପ୍ରଭୁ କ୍ଷୁବଧ ହୋଇଅଛନ୍ତି !

 

ଯଶୋବନ୍ତଙ୍କ ମୁଖମଣ୍ଡଳ ଇଷତ ଆରକ୍ତ ହୋଇ ଆସିଲା । ବିଚିତ୍ର ଦୂତ କିନ୍ତୁ ତାହା ଦେଖି ଦେଖିଲା ନାହିଁ; ଗମ୍ଭୀର ସ୍ୱରରେ କହିବାକୁ ଲାଗିଲା- "ଉଦୟପୁର ରାଣାଙ୍କର ପ୍ରଖ୍ୟାତ ବଂଶରେ ଯେ ବିବାହ କରିଅଛନ୍ତି, ମାରଓୟାରର ରାଜଛତ୍ର ଯାହାଙ୍କ ମସ୍ତକ ଉପରେ ଧୃତ ହୋଇଅଛି, ରାଜସ୍ଥାନ ଯାହାଙ୍କର ସୁଖ୍ୟାତିରେ ପରିପୂର୍ଣ୍ଣ, ସିପ୍ରାତୀରରେ ଯାହାଙ୍କ ବାହୁବିକ୍ରମ ଦେଖି ଆଓରଙ୍ଗଜେବ ଭୀତ, ବିସ୍ମିତ ହୋଇଥିଲେ, ସମଗ୍ର ଭାରତବର୍ଷ ଯାହାଙ୍କୁ ସନାତନ ହିନ୍ଦୁଧର୍ମର ସ୍ତମ୍ଭରୂପେ ଜ୍ଞାନ କରେ, ଦେଶେ ଦେଶେ, ଗ୍ରାମେ ଗ୍ରାମେ ମନ୍ଦିରେ ମନ୍ଦିରେ ଯାହାଙ୍କ ଜୟ ପାଇଁ ହିନ୍ଦୁ ମାତ୍ରକେ, ବ୍ରାହ୍ମଣମାତ୍ରକେ ଜଗଦୀଶ୍ଵରଙ୍କ ନିକଟରେ ପ୍ରାର୍ଥନା କରନ୍ତି, ଆଜି ତାଙ୍କୁ ମୁସଲମାନ ପକ୍ଷ ହୋଇ ହିନ୍ଦୁ ବିରୁଦ୍ଧରେ ଯୁଦ୍ଧ କରିବାର ଦେଖି ପ୍ରଭୁ କ୍ଷୁବଧ ହୋଇ ଅଛନ୍ତି । ରାଜନ ! ମୁଁ ସାମାନ୍ୟ ଦୂତମାତ୍ର କଣ କହୁଅଛି, ଜାଣେ ନାହିଁ, ଅପରାଧ ହେଲେ ମାର୍ଜନ କରିବେ; କିନ୍ତୁ ପଚାରେ, ଏ ଯୁଦ୍ଧସଜ୍ଜା କାହିଁକି ? ଏ ସୈନ୍ୟସମାରୋହ କାହିଁକି ? ଏ ସମସ୍ତ ବିଜୟପତାକା କାହିଁପାଇଁ ଉଡ଼ଡୀନ ହେଉଅଛି ? ସ୍ୱାଧିକାର ବୃଦ୍ଧି କରିବାପାଇଁ ? ଆପଣ କ୍ଷତ୍ରିୟକୁଳର୍ଷଭ । ଆପଣ ବିବେଚନା କରନ୍ତୁ । ମୁଁ ବୁଝିପାରୁ ନାହିଁ ।”

 

ଯଶୋବନ୍ତ ଅଧୋବଦନ ହୋଇ ରହିଲେ । ମହାଦେବ ପୁଣି କହିବାକୁ ଆରମ୍ଭ କଲେ–‘‘ଆପଣ ରାଜପୁତ, ମହାରାଷ୍ଟ୍ରୀୟମାନେ ମଧ୍ୟ ରାଜପୁତ ପୁତ୍ର । ପିତା ପୁତ୍ର ମଧ୍ୟରେ ଯୁଦ୍ଧ ସମ୍ଭବ ନୁହେଁ–ସ୍ୱୟଂ ଭବାନୀ ଏପରି ଯୁଦ୍ଧ ନିଷେଧ କରିଅଛନ୍ତି । ଆପଣ ଆଜ୍ଞା କରନ୍ତୁ, ଆମ୍ଭେମାନେ ପାଳନ କରିବୁ । ରାଜପୁତର ଗୌରବହିଁ ଅନାଥ ଭାରତବର୍ଷର ଏକମାତ୍ର ଗୌରବ; ରାଜପୁତର ଯଶୋଗୀତି ଆମ୍ଭମାନଙ୍କ ଅନ୍ତଃପୁରର ଅବଳାମାନେ ଆଜିକାଲି ମଧ୍ୟ ଗାନ କରିଥାନ୍ତି; ରାଜପୁତର ଉଦାହରଣ ଦେଖି ଆମ୍ଭମାନଙ୍କର ବାଳକମାନେ ଶିକ୍ଷିତ ହୁଅନ୍ତି; ରାଜପୁତର ଅଲୌକିକ ତ୍ୟାଗ ଜ୍ୱଳନ୍ତ ବିଶ୍ୱାସ, ଅମାନୁଷ ବୀରତ୍ୱ ଅନୁଧ୍ୟାନ କରି ଆଜି ଦୁର୍ବଳ ମରହଟ୍ଟା–ହୃଦୟରେ ପ୍ରାଣ ଜଳି ଉଠେ–ଉଷ୍ମରକ୍ତ ବିଦ୍ୟୁତଗତିରେ ଶିରାପ୍ରଶିରାରେ ପ୍ରବାହିତ ହୁଏ । କ୍ଷତ୍ରିୟକୁଳତିଳକ ରାଜପୁତ ଶୋଣିତରେ ଆମ୍ଭମାନଙ୍କ ଖଡ଼ଗ ରଞ୍ଜିତ ହେବା ପୂର୍ବରୁ ଯେପରି ମହାରାଷ୍ଟ୍ର ନାମ ବିଲୁପ୍ତ ହେଉ, ରାଜ୍ୟଧ୍ଵଂସ ପାଉ, ଆମ୍ଭେମାନେ ଯେପରି ବର୍ଚ୍ଛା ଓ ଖଡ଼ଗ ତ୍ୟାଗ କରି ପୁନର୍ବାର ଲଙ୍ଗଳ ଧାରଣ କରିବାକୁ ଶିଖୁଁ ।

 

ଯଶୋବନ୍ତ ସିଂହ ବର୍ତ୍ତମାନ ମସ୍ତକ ଉତ୍ତୋଳନ କରି ଧୀରେ ଧୀରେ କହିଲେ, "ଦୂତପ୍ରଧାନ ! ତୁମ୍ଭର କଥାଗୁଡ଼ିକ ବଡ଼ ମିଷ୍ଟ, କିନ୍ତୁ ମୁଁ ଦିଲ୍ଲୀଶ୍ୱରଙ୍କ ଅଧୀନ; ମହାରାଷ୍ଟ୍ରଙ୍କ ସହିତ ଯୁଦ୍ଧ କରିବି ବୋଲି ଆସିଅଛି, ମହାରାଷ୍ଟ୍ରଙ୍କ ସହିତ ଯୁଦ୍ଧ କରିବି ।”

 

ବାର୍ତ୍ତାବହ–‘‘କହିଯାନ୍ତୁ, 'ଏବଂ ଶତ ଶତ ସ୍ଵଧର୍ମୀଙ୍କୁ ନାଶ କରିବି, ହିନ୍ଦୁର ମସ୍ତକ ଛେଦନ କରିବି, ବ୍ରାହ୍ମଣର ବକ୍ଷରେ ଛୁରିକାଘାତ କରିବି, କ୍ଷତ୍ରିୟ ଶୋଣିତ ସ୍ରୋତରେ କ୍ଷତ୍ରିୟ ଶୋଣିତ ସ୍ରୋତ ମିଶାଇବି, ଶେଷରେ ଯବନ ସମ୍ରାଟର ସମ୍ପୂର୍ଣ୍ଣ ଜୟ ହେବ । ‘‘କହିଯାନ୍ତୁ, ଆଉ ରହିଲେ କାହିଁକି ?”

 

ଯଶୋବନ୍ତଙ୍କ ମୁଖ ଆରକ୍ତ କର୍ଣ୍ଣ ଧାରଣ କଲା, କିନ୍ତୁ ଉଦବେଗ ସମ୍ଭରଣ କରି କିଞ୍ଚିତ କର୍କଶଭାବରେ କହିଲେ, ‘‘କେବଳ ଦିଲ୍ଲୀଶ୍ୱରଙ୍କର ଜୟପାଇଁ ଯୁଦ୍ଧ ନୁହେ; ମୁଁ ତୁମ୍ଭର ପ୍ରଭୁଙ୍କ ସହିତ କିପରି ବା ମିତ୍ରତା କରିବି ? ଶିବାଜୀ ବିଦ୍ରୋହାଚାରୀ, ଚତୁର ଶିବାଜୀ ଆଜିର ଅଙ୍ଗୀକାର କଲି ଲଙ୍ଘନ କରେ ।”

 

ବର୍ତ୍ତମାନ ବ୍ରାହ୍ମଣର ନୟନ ପ୍ରଜ୍ଜ୍ଵଳିତ ହେଲା । ସେ ଧୀରେ ଧୀରେ ଅଥଚ କର୍କଶଭାବରେ କହିଲେ, "ମହାରାଜ, ସାବଧାନ ଏପରି ଅଳୀକ ନିନ୍ଦା ଆପଣଙ୍କ ମୁଖକୁ ମାନିବ ନାହିଁ । ଶିବାଜୀ ହିନ୍ଦୁ ନିକଟରେ ଯେ ବାକ୍ୟଦାନ କରିଅଛନ୍ତି, କେବେ ତାହାର ଅନ୍ୟଥା ହୋଇଅଛି-? କେବେ ବ୍ରାହ୍ମଣ ନିକଟରେ ଯେ ପଣ କରିଅଛନ୍ତି, କ୍ଷତ୍ରିୟ ନିକଟରେ ଯେ ପ୍ରତିଜ୍ଞା କରି ଅଛନ୍ତି, ତାହା ବିସ୍ମୃତ ହୋଇଅଛନ୍ତି ? ଦେଶରେ ଶତ ଶତ ଦେବାଳୟ ଅଛି । ଅନୁସନ୍ଧାନ କରନ୍ତୁ ଶିବାଜୀ ସତ୍ୟ ପାଳନ କରିବାକୁ ବ୍ରାହ୍ମଣକୁ ଆଶ୍ରୟ ଦେବାକୁ, ହିନ୍ଦୁର ଉପକାର କରିବାକୁ, ଦେବଦେବୀଙ୍କୁ ପୂଜା ଦେବାକୁ କେବେ ପରାଙମୁଖ ? ତେବେ ମୁସଲମାନଙ୍କର ସହିତ ଯୁଦ୍ଧ ! ନେତା ଓ ବିଜିତ ମଧ୍ୟରେ କେବେ କେଉଁ ଦେଶର ସଖ୍ୟତା ? ବଜ୍ରନଖ ଯେତେବେଳେ ସର୍ପକୁ ଧାରଣ କରେ, ସର୍ପ ସେ ସମୟରେ ମୃତବତ ଥାଏ; ମୃତ ବୋଲି ପରିତ୍ୟାଗ କରିବା ମାତ୍ରକେ ଜର୍ଜରିତଶରୀର ନାଗରାଜ ସମୟ ପାଇଁ ଦଂଶନ କରେ । ଏଇଟା ବିଦ୍ରୋହାଚରଣ, ନ ସ୍ୱଭାବର ରୀତି ? କୁକୁର ଯେତେବେଳେ ଶଶକକୁ ଧରିବାକୁ ଯାଏ, ଶଶକ ପ୍ରାଣ ରକ୍ଷାପାଇଁ କେତେ ଯତ୍ନ ନ କରେ ? ଏ ଦିଗକୁ ଯିବାର ଉଦଯୋଗ କରି ସହସା ଅନ୍ୟ ଦିଗକୁ ପଳାଇଯାଏ । ଏ କି ଚାତୁରୀ, ନ ସ୍ୱଭାବର ରୀତି ? ଯାବତୀୟ ଜୀବଜନ୍ତୁମାନଙ୍କୁ ଜଗଦୀଶ୍ୱର ପ୍ରାଣରକ୍ଷାପାଇଁ ଯତ୍ନ ଓ ଉପାୟ ଶିଖାଇ ଅଛନ୍ତି, ମନୁଷ୍ୟକୁ କଣ ସେ ଉପାୟ ଶିଖାଇ ନାହାନ୍ତି ? ଆମ୍ଭମାନଙ୍କ ପ୍ରାଣର ପ୍ରାଣ, ଜୀବନର ଜୀବନ ସ୍ୱରୂପ ସ୍ୱାଧୀନତା ଯେ ମୁସଲମାନମାନେ ଶତ ବର୍ଷ ଅବଧି ହରଣ କରିଅଛନ୍ତି, ଯେଉଁମାନେ ହୃଦୟର ଶୋଣିତସ୍ୱରୂପ ବଳ, ମାନ, ଦେଶ, ଗୌରବ, ଧର୍ମ ବିନାଶ କରିଅଛନ୍ତି, ସେମାନଙ୍କ ସହିତ ଆମ୍ଭମାନଙ୍କର ସଖ୍ୟତା ଓ ସତ୍ୟ ସମ୍ବନ୍ଧ ? ସେମାନଙ୍କ ନିକଟରୁ ଯେ ଉପାୟରେ ସେହି ଜୀବନସ୍ୱରୂପ ସ୍ୱାଧୀନତା ରକ୍ଷା କରି ପରିବା, ସ୍ଵଧର୍ମ ଓ ଜାତୀୟଗୌରବ ଉଦ୍ଧାର କରି ପରିବା, ସେ ଉପାୟ କି ଚତୁରତା ? ସେ କୌଶଳ କି ନିନ୍ଦନୀୟ ? ଜୀବନରକ୍ଷାର୍ଥ ପଳାୟନପଟୁ ମୃଗର ଶୀଘ୍ର ଗତି କି ବିଦ୍ରୋହ ? ଶିଶୁଶାବକକୁ ରକ୍ଷା କରିବାପାଇଁ ପକ୍ଷୀ ଯେ ଅସହାରକକୁ ପଥ ଭୁଲି ଅନ୍ୟ ଦିଗକୁ ନେଇ ଯିବାର ଚେଷ୍ଟା କରେ, ତାହା କଣ ନିନ୍ଦନୀୟ ? କ୍ଷତ୍ରିୟରାଜା ଦିନକୁ ଦିନ ମୁସଲମାନମାନଙ୍କ ନିକଟରେ ମହାରାଷ୍ଟ୍ରୀୟ ଚତୁରତାର ନିନ୍ଦା ଶୁଣାଯାଏ, କିନ୍ତୁ ହିନ୍ଦୁ ପ୍ରବର ! ଆପଣ ହିନ୍ଦୁଜୀବନ ରକ୍ଷାର ଏକମାତ୍ର ଉପାୟକୁ ନିନ୍ଦା କରିବେ ନାହିଁ, ଶିବାଜୀଙ୍କୁ ନିନ୍ଦା କରିବେ ନାହିଁ ।” ମହାଦେବଙ୍କର ଜ୍ୱଳନ୍ତ ନୟନଯୁଗଳ ଦେଖୁ ଦେଖୁ ଲୋତକରେ ପ୍ଲାବିତ ହେଲା ।

 

ବ୍ରାହ୍ମଣର ଚକ୍ଷୁରେ ଜଳ ଦେଖି ଯଶୋବନ୍ତଙ୍କ ହୃଦୟରେ ବଡ଼ କଷ୍ଟ ହେଲା; କହିଲେ, "ଦୂତପ୍ରବର ! ଆପଣଙ୍କୁ କଷ୍ଟ ଦେବାକୁ ମୋର ଇଚ୍ଛା ନୁହେ । ଯଦି ଅନ୍ୟାୟ କଥା କହିଅଛି, ମାର୍ଜନା କରିବେ । ମୁଁ କେବଳ ଏତିକି କହୁଥିଲି ଯେ, ରାଜପୁତଗଣ ମଧ୍ୟ ସ୍ୱାଧୀନତା ରକ୍ଷା କରୁଅଛନ୍ତି; କିନ୍ତୁ ସେମାନେ ସାହସ ଓ ସମ୍ମୁଖ ରଣ ଛଡ଼ା ଅନ୍ୟ ଉପାୟ ଜାଣନ୍ତି ନାହିଁ । ମହାରାଷ୍ଟ୍ରୀୟମାନେ କଣ ସେହି ଉପାୟ ଅବଲମ୍ବନ କରି ସେହିପରି ଫଳଲାଭ କରି ପାରିବେ ନାହିଁ-।”

 

ବାର୍ତ୍ତାବହ–‘‘ମହାରାଜ, ରାଜପୁତମାନଙ୍କର ପୁରାତନ ସ୍ୱାଧୀନତା ଅଛି, ବିପୁଳ ଅର୍ଥ ଅଛି, ଦୁର୍ଗମ ପର୍ବତ ଓ ମରୁବେଷ୍ଟିତ ଦେଶ ଅଛି, ସୁନ୍ଦର ରାଜଧାନୀ ଅଛି, ଆଉ ସହସ୍ର ବର୍ଷର ଅପୂର୍ବ ରଣଶିକ୍ଷା ମଧ୍ୟ ଅଛି । ମହାରାଷ୍ଟ୍ରୀୟମାନଙ୍କର ଏଥିରୁ କେଉଁଟି ଅଛି, କହନ୍ତୁ ? ସେମାନେ ଦରିଦ୍ର, ସେମାନେ ପରାଧୀନ–ସେମାନଙ୍କର ଏହି ପ୍ରଥମ ରଣଶିକ୍ଷା । ଆପଣମାନଙ୍କର ଦେଶ ଆକ୍ରମଣ କଲେ ଆପଣମାନେ ପୁରାତନ ରୀତି ଅନୁସାରେ ଯୁଦ୍ଧ କରିବାକୁ ଦିଅନ୍ତୁ, ପୁରାତନ ଦୁର୍ଦ୍ଧର୍ଷ ତେଜ ଓ ବିକ୍ରମ ପ୍ରକାଶ କରନ୍ତି, ଅସଂଖ୍ୟ ରାଜପୁତ ସେନାଙ୍କ ସମ୍ମୁଖରେ ଦିଲ୍ଲୀଶ୍ୱରଙ୍କ ସେନା ପଳାଇବାକୁ ବାଧ୍ୟ ହୁଅନ୍ତି । ଆମ୍ଭମାନଙ୍କର ଦେଶ ଆକ୍ରମଣ କଲେ ଆମ୍ଭେମାନେ କଣ କରିବୁ ? ପୂର୍ବ ରୀତି ବା ରଣଶିକ୍ଷା ନାହିଁ, ସେପରି ସୈନ୍ୟବଳ ନାହାନ୍ତି, ଯେଉଁମାନେ ଅଛନ୍ତି, ସେମାନେ କେବେ ହେଲେ ରଣ ଦେଖି ନାହାନ୍ତି । ଯେତେବେଳେ ଦିଲ୍ଲୀଶ୍ଵର କାବୁଲ, ପଞ୍ଜାବ, ଅଯୋଧ୍ୟା, ବିହାର, ମାଳବ, ବୀରପ୍ରସବିନୀ ରାଜସ୍ଥାନ ଭୂମିରୁ ସହସ୍ର ସହସ୍ର ପୁରାତନ ରଣଦର୍ଶୀ ସେନା ପ୍ରେରଣ କରିବେ, ଯେତେବେଳେ ବିଶାଳକାୟ ଅନିବାର୍ଯ୍ୟ ରଣ–ଅଶ୍ୱ, ରଣ–ଗଜ ପ୍ରେରଣ କରିବେ, ଯେତେବେଳେ ତାଙ୍କର କମାଣ, ବନ୍ଧୁକ, ବାରୁଦ, ଗୋଳା, ରୌପ୍ୟ ଓ ସ୍ଵର୍ଣ୍ଣମୁଦ୍ରା ସହସ୍ର ସହସ୍ର ଶକଟରେ ଆଣି ରାଶୀକୃତ କରିବେ, ସେତେବେଳେ ଦରିଦ୍ର ମହାରାଷ୍ଟ୍ରୀୟମାନେ କଣ କରିବେ ? ସେମାନଙ୍କର ଯେପରି ଅସଂଖ୍ୟ ଯୁଦ୍ଧଦର୍ଶୀ ସେନା ନାହାନ୍ତି, ସେପରି ଅଶ୍ୱ–ଗଜ ନାହିଁ, ସେପରି ବିପୁଳ ଅର୍ଥ ମଧ୍ୟ ନାହିଁ । ତ୍ୱରିତଗତି ଓ ପର୍ବତଯୁଦ୍ଧ ଭିନ୍ନ ସେମାନଙ୍କର ଆଉ କି ଉପାୟ ସମ୍ଭବ ? କ୍ଷତ୍ରିୟରାଜ, ଜୀବନର ପ୍ରାରମ୍ଭରେ ଦରିଦ୍ର ଜାତିମାନଙ୍କର ଏହିରୂପ ଆଚରଣ ଭିନ୍ନ ଅନ୍ୟ ଉପାୟ ନାହିଁ । ଜଗଦୀଶ୍ଵର କରନ୍ତୁ ମହାରାଷ୍ଟ୍ରୀୟ ଜାତି ଦୀର୍ଘଜୀବୀ ହେଉ, ସେମାନଙ୍କର ଅର୍ଥ ଯୁଦ୍ଧାୟୋଜନର ଉପାୟସଂସ୍ଥାନ ହେଉ, ଦୁଇ ତିନି ଶତ ବର୍ଷର ରଣଶିକ୍ଷା ହେଲେ ସେମାନେ ମଧ୍ୟ ରାଜପୁତମାନଙ୍କର ଅସାଧାରଣ ଗୁଣ ଅକ୍ଳେଶରେ ଅନୁକରଣ କରିବେ ।”

 

ଏହି ସମସ୍ତ କଥା ଶୁଣି ଯଶୋବନ୍ତ ଚିନ୍ତାରେ ଅଭିଭୂତ ହୋଇ ରହିଲେ, ହସ୍ତରେ ଲଲାଟ ସ୍ଥାପନ କରି ଏକାଗ୍ର ଚିତ୍ତରେ ଚିନ୍ତା କରିବାକୁ ଲାଗିଲେ । ମହାଦେବ ଦେଖିଲେ, ତାଙ୍କର ବାକ୍ୟଗୁଡ଼ିକ ସମ୍ପୂର୍ଣ୍ଣ ନିଷ୍ଫଳ ହୋଇ ନାହିଁ । ପୁଣି ଧୀରେ ଧୀରେ କହିଲେ, ‘‘ଆପଣ ହିନ୍ଦୁଶ୍ରେଷ୍ଠ, ହିନ୍ଦୁ ଗୌରବ ସାଧନାରେ ସନ୍ଦେହ କରୁଅଛନ୍ତି କାହିଁକି ? ହିନ୍ଦୁଧର୍ମର ଜୟ ଅବଶ୍ୟ ଆପଣ ଇଚ୍ଛା କରନ୍ତି; ଶିବାଜୀଙ୍କର ଏହା ଭିନ୍ନ ଅନ୍ୟ ଇଚ୍ଛା ନାହିଁ । ମୁସଲମାନ ଶାସନର ଧ୍ୱଂସସାଧନ, ସନାତନ ହିନ୍ଦୁଧର୍ମର ଗୌରବବୃଦ୍ଧି, ହିନ୍ଦୁଶାସ୍ତ୍ରର ଆଲୋଚନା, ବ୍ରାହ୍ମଣକୁ ଆଶ୍ରୟଦାନ, ଗୋବତ୍ସାଦିରକ୍ଷା, ଏହା ଭିନ୍ନ ଶିବାଜୀଙ୍କର ଅନ୍ୟ ଉଦ୍ଦେଶ୍ୟ ନାହିଁ । ଏ ବିଷୟରେ ଯଦି ତାହାଙ୍କୁ ସାହାଯ୍ୟ କରିବାକୁ ବିମୁଖ ହୁଅନ୍ତି ତେବେ ସ୍ଵହସ୍ତରେ ଆପଣ ଏ କାର୍ଯ୍ୟ ସାଧନ କରନ୍ତୁ, ମହାରାଷ୍ଟ୍ରରେ ହିନ୍ଦୁ–ସ୍ୱାଧୀନତା ସ୍ଥାପନ କରନ୍ତୁ, ଆଉ ଆଦେଶ କରନ୍ତୁ, ଦୁର୍ଗଦ୍ୱାର ଏହିକ୍ଷଣି ଉଦଘାଟିତ ହେବ । ପ୍ରଜାମାନେ ଆପଣଙ୍କୁ କର ଦେବେ । ଆପଣ ଶିବାଜୀଙ୍କ ଅପେକ୍ଷା ସହସ୍ର ଗୁଣରେ ବଳବାନ, ସହସ୍ରଗଣ ଦୂରଦର୍ଶୀ, ସହସ୍ରଗୁଣ ଉପଯୁକ୍ତ । ଶିବାଜୀ ସନ୍ତୁଷ୍ଟ ଚିତ୍ତରେ ଆପଣଙ୍କର ଜଣେ ସେନାପତି ହୋଇ ମୁସଲମାନମାନଙ୍କର ଧ୍ୱଂସ ସାଧନ କରିବେ । ତାହାଙ୍କର ଅନ୍ୟ ଇଚ୍ଛାନାହିଁ ।”

 

ଏ ପ୍ରସ୍ତାବରେ ଉଚ୍ଚାଭିଳାଷୀ ଯଶୋବନ୍ତଙ୍କ ନୟନ ଯେପରି ଆନନ୍ଦରେ ଉତଫୁଲ୍ଲ ହୋଇ ଉଠିଲା । ଅନେକ କ୍ଷଣ ଚିନ୍ତା କଲେ, କିନ୍ତୁ ଅବଶେଷରେ ଧୀରେ ଧୀରେ କହିଲେ, ‘‘ମାରଓୟାର ଓ ମହାରାଷ୍ଟ୍ର ଅନେକ ଦୂର, ଜଣେ ରାଜାର ଅଧୀନରେ ରହିବା ସମ୍ଭବ ନୁହେ ।”

 

ବାର୍ତ୍ତାବହ–ତେବେ ଆପଣଙ୍କର ଉପଯୁକ୍ତ ପୁତ୍ର ଥିଲେ ତାଙ୍କୁ ଏ ରାଜ୍ୟ ଦିଅନ୍ତୁ; ନଚେତ କୌଣସି ଆତ୍ମୀୟ ଯୋଦ୍ଧାକୁ ଦିଅନ୍ତୁ । ଶିବାଜୀ କ୍ଷତ୍ରିୟ ରାଜାର ଅଧୀନରେ କାର୍ଯ୍ୟ କରିବେ, କିନ୍ତୁ କଦାପି କ୍ଷତ୍ରିୟ ସହିତ ଯୁଦ୍ଧ କରିବେ ନାହିଁ ।

 

ଯଶୋବନ୍ତ–ଏହି ବିପଦ କାଳରେ ଆଓରଙ୍ଗଜେବଙ୍କ ସହିତ ଯୁଦ୍ଧ କରି ଏ ଦେଶ ରଖି ପାରିବ, ଏପରି କୌଣସି ଆତ୍ମୀୟ ନାହାନ୍ତି ।

 

ବାର୍ତ୍ତାବହ–ତେବେ କୌଣସି କ୍ଷତ୍ରିୟ ସେନାପତିଙ୍କୁ ନିଯୁକ୍ତ କରନ୍ତୁ । ହିନ୍ଦୁଧର୍ମ ଓ ସ୍ୱାଧୀନତା ରକ୍ଷାହେଲେ ଶିବାଜୀଙ୍କ ମନସ୍କାମନା ପୂର୍ଣ୍ଣ ହେବ; ଶିବାଜୀ ସାନନ୍ଦଚିତ୍ତରେ ରାଜ୍ୟ ପରିତ୍ୟାଗ କରି ବାନପ୍ରସ୍ଥ ଅବଲମ୍ବନ କରିବେ ।

 

ଯଶୋବନ୍ତ–ସେପରି ସେନାପତି ମଧ୍ୟ ନାହାନ୍ତି ।

 

ବାର୍ତ୍ତାବହ–ତେବେ ଯେ ଏ ମହତ କାର୍ଯ୍ୟ ସାଧନ କରି ପାରିବ, ତାହାକୁ ସାହାଯ୍ୟ କରନ୍ତୁ । ଆପଣଙ୍କ ସାହାଯ୍ୟରେ, ଆପଣଙ୍କ ଆଶୀର୍ବାଦରେ ଶିବାଜୀ ଅବଶ୍ୟ ସ୍ୱଦେଶର ଓ ସ୍ଵଧର୍ମର ଗୌରବ ସାଧନ କରି ପାରିବେ । କ୍ଷତ୍ରିୟରାଜ ! କ୍ଷତ୍ରିୟ ଯୋଦ୍ଧାକୁ ସାହାଯ୍ୟ କରନ୍ତୁ । ଭାରତବର୍ଷରେ ଏପରି ହିନ୍ଦୁ ନାହିଁ, ସ୍ଵର୍ଗରେ ଏପରି ଦେବତା ନାହାନ୍ତି, ଯେ ଏଥିପାଇଁ ଆପଣଙ୍କୁ ପ୍ରଶଂସା ନ କରିବେ ।

 

ଯଶୋବନ୍ତ–ଦ୍ଵିଜବର ! ଆପଣଙ୍କର ତର୍କ ଅଲଙ୍ଘନୀୟ, କିନ୍ତୁ ଦିଲ୍ଲୀଶ୍ଵର ମୋତେ ସ୍ନେହ କରି ଏ କାର୍ଯ୍ୟରେ ନିଯୁକ୍ତ କରିଅଛନ୍ତି ମୁଁ କିପରି ଏପରି ଆଚରଣ କରିବି ? ଏ କଣ ଉଦ୍ରୋଚିତ ?

 

ବାର୍ତ୍ତାବହ–ଉଦ୍ରୋଚିତ ! ଦିଲ୍ଲୀଶ୍ଵର ଯେ ହିନ୍ଦୁମାନଙ୍କୁ କାଫେର(ବିଧର୍ମୀ) ବୋଲି ଜିଜିୟା କର ସ୍ଥାପନ କରିଅଛନ୍ତି, ସେ କାର୍ଯ୍ୟ କି ଉଦ୍ରୋଚିତ ? ଦେଶେ ଦେଶେ ଯେ ହିନ୍ଦୁ–ମନ୍ଦିର, ହିନ୍ଦୁ–ଦେବାଦେବୀଙ୍କର ଅବମାନନା, ସେ କଣ ଉଦ୍ରୋଚିତ ? କାଶୀର ପବିତ୍ର ମନ୍ଦିର ଚୂର୍ଣ୍ଣ କରି ତାହାର ପ୍ରସ୍ତରଦ୍ୱାରା ସେହି ପୁଣ୍ୟଧାମରେ ଯେ ମସଜିଦ ନିର୍ମାଣ କରୁଅଛନ୍ତି, ସେ କଣ ଉଦ୍ରୋଚିତ ? ମୁସଲମାନ ଅତ୍ୟାଚାରରେ ସତ୍ୟ ହିନ୍ଦୁ ରମଣୀର ସର୍ବସ୍ଵ ସତୀତ୍ୱ–ଧନ ଯେ ବଳପ୍ରୟୋଗରେ ଅପହୃତ ହେଉଅଛି, ସେ କି ଉଦ୍ରୋଚିତ ? ଆଉ–

 

କ୍ରୋଧକମ୍ପିତ ସ୍ୱରରେ ଯଶୋବନ୍ତ କହିଲେ, ଦ୍ୱିଜବର ! ଆଉ କହନ୍ତୁ ନାହିଁ, ଯଥେଷ୍ଟ ହୋଇଅଛି । ଅଦ୍ୟାବିଧି ଶିବାଜୀ ମୋର ମିତ୍ର, ମୁଁ ଶିବାଜୀଙ୍କର ମିତ୍ର; ଅଦ୍ୟାବିଧି ଶିବାଜୀଙ୍କର ପଣ ଓ ମୋର ପଣ ଏକ, ଶିବାଜୀଙ୍କ ଚେଷ୍ଟା, ମୋର ଚେଷ୍ଟା ଅଭିନ୍ନ । ଯେ ସେହି ହିନ୍ଦୁ ବିରୋଧୀ ଦିଲ୍ଲୀଶ୍ଵରଙ୍କ ବିରୁଦ୍ଧରେ ଏତେଦିନ ଯୁଦ୍ଧ କରିଅଛନ୍ତି, ସେ ମହାତ୍ମା କାହାନ୍ତି ? ବାରେ ମାତ୍ର ତାହାଙ୍କୁ ଆଲିଙ୍ଗନ କରି ହୃଦୟର ସନ୍ତାପ ଦୂର କରନ୍ତି ।”

 

ବ୍ରାହ୍ମଣବେଶଧାରୀ ଦୂତ ସେହିକ୍ଷଣି ବ୍ରାହ୍ମଣବେଶ ମୁକ୍ତ କରିବାକୁ ଲାଗିଲେ । ବ୍ରାହ୍ମଣ ଉଷ୍ଣୀଷର ନିମ୍ନଦେଶରେ ଯୋଦ୍ଧାର ଶିରସ୍ତ୍ରାଣ ଦୃଷ୍ଟ ହେଲା; ତୁଳା-କୁର୍ତ୍ତାର ନିମ୍ନଦେଶରେ ଲୌହବର୍ମ ପ୍ରକାଶ ପାଇଲା । ମହାରାଷ୍ଟ୍ରୀୟ ବୀର ଧୀରେ ଧୀରେ କହିଲେ, ‘‘ରାଜନ ! ଛଦ୍ମବେଶ ଧାରଣ କରି ଆପଣଙ୍କ ନିକଟକୁ ଆସିଥିଲି, ସେ ଦୋଷ ଗ୍ରହଣ କରିବେ ନାହିଁ । ଏ ଦାସ ବ୍ରାହ୍ମଣ ନୁହେ, ମହାରାଷ୍ଟ୍ରୀୟ କ୍ଷତ୍ରିୟ–ମହାଦେବ ନୁହେ, ଏ ଦାସର ନାମ ଶିବାଜୀ ।”

 

ରାଜା ଯଶୋବନ୍ତ ସିଂହ ବିସ୍ମିତ ଓ ହର୍ଷୋତଫୁଲ୍ଲ ଲୋଚନରେ ମହାରାଷ୍ଟ୍ର ଯୋଦ୍ଧାଙ୍କ ଆଡ଼କୁ ଚାହିଁ ରହିଲେ–ଚକିତ ହୋଇ ସେହି ଦିଲ୍ଲୀଶ୍ଵରଙ୍କର ପ୍ରତିଦ୍ୱନ୍ଦୀ, ଦକ୍ଷିଣାତ୍ୟର ବୀରଶ୍ରେଷ୍ଠ ଶିବାଜୀଙ୍କୁ ଚାହିଁ ରହିଲେ । କ୍ଷଣକ ପରେ ଗାତ୍ରୋଥାନ କରି ସାନନ୍ଦରେ ସକଳ ନୟନରେ ସେହି ପରମ ଶତ୍ରୁଙ୍କୁ ଆଲିଙ୍ଗନ କଲେ ।

 

ସମସ୍ତ ରାତ୍ରି କଥୋପକଥନ ଚାଲିଲା, ଯୁଦ୍ଧର ସମସ୍ତ କଥା ଠିକ୍‍ ହେଲା, ତତ୍ପରେ ଶିବାଜୀ ବିଦାୟ ନେବା ସମୟରେ କହିଲେ, ‘‘ମହାରାଜ ! ଅନୁଗ୍ରହ କରି କାଲି କୌଣସି ପ୍ରକାର ଛଳରେ ପୁନାଠାରୁ କେତେ କ୍ରୋଶ ଦୂରରେ ରହିଲେ ଭଲ ହୁଅନ୍ତା ।

 

ଯଶୋବନ୍ତ–କାହିଁକି, କାଲି କଣ ତୁମେ ପୁନା ହସ୍ତଗତ କରିବାର ଚେଷ୍ଟା କରିବ କି ?

 

ମହାରାଷ୍ଟ୍ରୀୟ ବୀର ଦରହାସିତ ବଦନରେ କହିଲେ, (ଜଣେ ଦୂତ ପ୍ରବେଶ କରିବାର ଦେଖି) ‘‘ନା, ଗୋଟିଏ ବିବାହକାର୍ଯ୍ୟ ସମ୍ପାଦିତ ହେବ, ମହାରାଜ ଥିଲେ ସେ ଶୁଭ କାର୍ଯ୍ୟରେ ବ୍ୟାଘାତ ଘଟି ପାରେ ।”

 

ଯଶୋବନ୍ତ ବୁଝିଲେ, ଏ ବିବାହ ବିବାହ ନୁହେ–ଯୁଦ୍ଧର ଭୀଷଣ ତାଣ୍ଡବ ଏବଂ କହିଲେ, ‘‘ଭଲ ଦୂରରେ ରହିବି ।”

 

ଇତିହାସ ପାଠକମାନେ ଜାଣନ୍ତି, ଏହି ବିବାହ ବିଭ୍ରାଟରେ ପାଏସ୍ତଖା କିପରି ଛିନ୍ନକଳେବରରେ ପ୍ରାଣ ନେଇ ପଳାୟନ କରିଥିଲେ ଏବଂ କିପରି ମୋଗଲ ସେନା ଏକାବେଳକେ ବିଧ୍ୱସ୍ତ ହୋଇଥିଲେ ।

Image